Skip to content
BibleKenya

Biblica® Open Odia Contemporary Bible

ମାଥିଉ 26

ଯୀଶୁଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର

ଯୀଶୁ ଏସମସ୍ତ କଥା ଶେଷ କରି ଶିଷ୍ୟମାନଙ୍କୁ କହିଲେ, “ତୁମେମାନେ ଜାଣ ଯେ ଆଉ ଦୁଇଦିନ ପରେ ନିସ୍ତାର ପର୍ବ ଆରମ୍ଭ ହେବ ଏବଂ ମନୁଷ୍ୟପୁତ୍ରଙ୍କୁ କ୍ରୁଶରେ ବଧ କରିବା ପାଇଁ ଧରାଇ ଦିଆଯିବେ।”

ସେହି ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର କୁଳବୃଦ୍ଧମାନେ କୟାଫା ନାମକ ମହାଯାଜକଙ୍କର ପ୍ରାସାଦରେ ସମବେତ ହେଲେ ସେମାନେ ଯୀଶୁଙ୍କୁ କୌଶଳକ୍ରମେ ଧରି ବଧ କରିବାକୁ ମନ୍ତ୍ରଣା କଲେ କିନ୍ତୁ ସେମାନେ କହିଲେ, “ପର୍ବ ସମୟରେ ଧରିବା ନାହିଁ, କାରଣ ତାହା କଲେ ଲୋକଙ୍କ ମଧ୍ୟରେ ଦଙ୍ଗାହାଙ୍ଗାମା ସୃଷ୍ଟି ହେବ।”

ଯୀଶୁ ବେଥାନୀକୁ ଆସିଲେ

ଯୀଶୁ ବେଥାନୀରେ କୁଷ୍ଠୀ ଶିମୋନର ଗୃହରେ ଥିଲାବେଳେ ଜଣେ ନାରୀ ପଥର ଫରୁଆରେ ଅତି ମୂଲ୍ୟବାନ୍ ତୈଳ ଧରି ଆସିଲେ ଓ ଯୀଶୁ ଭୋଜନରେ ବସିଥିବା ବେଳେ ତାହାଙ୍କ ମସ୍ତକ ଉପରେ ଢାଳି ଦେଲେ।

ତାହା ଦେଖି ଶିଷ୍ୟମାନେ ଅତ୍ୟନ୍ତ ବିରକ୍ତ ହୋଇ କହିଲେ, “କାହିଁକି ଏ ଅପଚୟ?” “ଏହି ତୈଳ ବହୁତ ଟଙ୍କାରେ ବିକ୍ରୟ କରାଯାଇ ଟଙ୍କାଟା ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା।”

ଯୀଶୁ ତାହା ବୁଝିପାରି ସେମାନଙ୍କୁ କହିଲେ, “ସେହି ସ୍ତ୍ରୀଲୋକକୁ କାହିଁକି ବିରକ୍ତ କରୁଛ? କାରଣ ସେ ମୋ ପାଇଁ ଗୋଟିଏ ସୁନ୍ଦର କାମ କରିଛି। ତୁମମାନଙ୍କ ମଧ୍ୟରେ ଦରିଦ୍ର ଲୋକେ ତ ସର୍ବଦା ଥିବେ, କିନ୍ତୁ ମୁଁ ତୁମ ସଙ୍ଗରେ ସର୍ବଦା ନ ଥିବି। ମୋର ସମାଧି ନିମନ୍ତେ ମୋତେ ପ୍ରସ୍ତୁତ କରିବାକୁ ସେ ମୋ ଶରୀରରେ ଏହି ତୈଳ ଢାଳିଛି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ପୃଥିବୀର ଯେଉଁ ଯେଉଁ ସ୍ଥାନରେ ଏହି ସୁସମାଚାର ପ୍ରଚାରିତ ହେବ, ସେହିସବୁ ସ୍ଥାନରେ ଏହି ନାରୀର କାର୍ଯ୍ୟର କଥା ମଧ୍ୟ କୁହାଯିବ।”

ଏହାପରେ ଦ୍ଵାଦଶ ଶିଷ୍ୟଙ୍କ ମଧ୍ୟରୁ ଯିହୁଦା ଇଷ୍କାରିୟୋଥ ନାମକ ଜଣେ ଶିଷ୍ୟ ପ୍ରଧାନ ଯାଜକମାନଙ୍କ ନିକଟକୁ ଗଲା ସେ ପଚାରିଲା, “ମୁଁ ଯୀଶୁଙ୍କୁ ଆପଣମାନଙ୍କ ହାତରେ ଧରାଇ ଦେଲେ ମୋତେ କଣ ଦେବେ?” ସେମାନେ ତିରିଶଟି ରୌପ୍ୟମୁଦ୍ରା ଗଣି ତାହାକୁ ଦେଲେ ସେହି ସମୟଠାରୁ ଯିହୁଦା ଯୀଶୁଙ୍କୁ ଧରାଇ ଦେବାର ସୁଯୋଗ ଖୋଜିବାକୁ ଲାଗିଲା।

ଖମିରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, “ଆମେ କେଉଁଠାରେ ଆପଣଙ୍କ ପାଇଁ ନିସ୍ତାର ପର୍ବ ଭୋଜ ପ୍ରସ୍ତୁତ କରିବା ବୋଲି ଆପଣ ଚାହାନ୍ତି?”

ସେ ଉତ୍ତର ଦେଲେ, “ନଗରରେ ଗୋଟିଏ ଲୋକ ନିକଟକୁ ଯାଇ କୁହ, ‘ଗୁରୁ କହୁଛନ୍ତି ମୋର ନିରୂପିତ କାଳ ଆସନ୍ନ, ମୁଁ ତୁମ ଗୃହରେ ମୋର ଶିଷ୍ୟମାନଙ୍କ ସହିତ ନିସ୍ତାର ପର୍ବ ପାଳନ କରିବି।’ ” ତହୁଁ ଶିଷ୍ୟମାନେ ଯୀଶୁଙ୍କ ନିର୍ଦ୍ଦେଶାନୁସାରେ କାର୍ଯ୍ୟ କଲେ ଓ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।

ସନ୍ଧ୍ୟା ହେଲାପରେ ଯୀଶୁ ଦ୍ଵାଦଶ ଶିଷ୍ୟଙ୍କ ସହିତ ଭୋଜନରେ ବସିଲେ ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ ମଧ୍ୟରୁ ଜଣେ ମୋ ପ୍ରତି ବିଶ୍ୱାସଘାତକତା କରିବ।”

ସେମାନେ ଅତିଶୟ ଦୁଃଖିତ ହୋଇ ଜଣ ଜଣ କରି ତାହାଙ୍କୁ ପଚାରିବାକୁ ଲାଗିଲେ, “ପ୍ରଭୁ ସେ କେବେ ମୁଁ ହୋଇ ନ ଥିବି?”

ଯୀଶୁ ଉତ୍ତର ଦେଲେ, “ଯେ ମୋ ସହିତ ପାତ୍ରରେ ହାତ ବୁଡ଼ାଇଛି, ସେ ମୋତେ ଧରାଇଦେବ। ମନୁଷ୍ୟପୁତ୍ରଙ୍କ ବିଷୟରେ ଯେଉଁ ପ୍ରକାରେ ଲେଖାଅଛି, ସେ ସେହିପ୍ରକାରେ ଯାଉଅଛନ୍ତି। କିନ୍ତୁ ଯିଏ ମନୁଷ୍ୟପୁତ୍ରଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଛି, ସେହି ମନୁଷ୍ୟକୁ ଧିକ୍! ସେ ଜନ୍ମ ନ ହୋଇଥିଲେ ବରଞ୍ଚ ତା ପକ୍ଷେ ଭଲ ହୋଇଥାଆନ୍ତା।”

ତା ପରେ ବିଶ୍ୱାସଘାତକ ଯିହୁଦା ତାଙ୍କୁ ପଚାରିଲା, “ଗୁରୁ, କେବେହେଲେ ମୁଁ ହୋଇ ନ ଥିବି?”

ଯୀଶୁ ତାକୁ କହିଲେ, “ହିଁ, ତୁମେ ହେଉଛ ସେହି ଜଣକ।”

ପ୍ରଭୁଭୋଜ ବିଧିର ସଂସ୍ଥାପନ

ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟୀ ନେଇ ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ନିଅ, ଭୋଜନ କର, ଏହା ମୋର ଶରୀର।”

ତତ୍ପରେ ସେ ପାନପାତ୍ର ନେଇ ଧନ୍ୟବାଦ ଦେଲେ ଏବଂ ତାହା ସେମାନଙ୍କୁ ଦେଇ କହିଲେ, “ଏଥିରୁ ତୁମେ ସମସ୍ତେ ପାନ କର। ଏହା ମୋର ରକ୍ତ, ନୂତନ ନିୟମର ରକ୍ତ, ଯାହା ଅନେକଙ୍କ ପାପକ୍ଷମା ନିମନ୍ତେ ଢଳା ଯାଉଛି। ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁଦିନ ମୋର ପିତାଙ୍କ ରାଜ୍ୟରେ ମୁଁ ତୁମ୍ଭମାନଙ୍କ ସହିତ ଏହି ଦ୍ରାକ୍ଷାରସ ନୂତନ ଭାବରେ ପାନ ନ କରିଛି, ସେହିଦିନ ପର୍ଯ୍ୟନ୍ତ ମୁଁ ଆଜିଠାରୁ ଏହା ଆଉ ପାନ କରିବି ନାହିଁ।”

ସେମାନେ ଏକ ସ୍ତବଗାନ କଲାପରେ ଜୀତ ପର୍ବତକୁ ବାହାରିଗଲେ।

ପିତରଙ୍କ ଅସ୍ୱୀକାର ବିଷୟରେ ଯୀଶୁଙ୍କର ପୂର୍ବସୂଚନା

ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ଆଜି ରାତିରେ ତୁମେ ସମସ୍ତେ ମୋ ‘ସକାଶେ ବାଧା ପାଇବ, କାରଣ ଏହା ଲେଖାଅଛି:

“ ‘ମୁଁ ମେଷପାଳକକୁ ପ୍ରହାର କରିବି ଏବଂ,

ପଲର ମେଷମାନେ ଛିନ୍ନଭିନ୍ନ ହେବେ।’

କିନ୍ତୁ ମୁଁ ପୁନରୁତ୍ଥିତ ହେଲେ ତୁମ୍ଭମାନଙ୍କ ଯିବା ପୂର୍ବରୁ ଗାଲିଲୀକୁ ଯିବି।”

ପିତର କହିଲେ, “ଯଦିବା ସମସ୍ତେ ଆପଣଙ୍କ ସକାଶେ ବାଧା ପାଆନ୍ତି, ମୁଁ କେବେ ପାଇବି ନାହିଁ।”

ଯୀଶୁ ଉତ୍ତର ଦେଲେ, “ମୁଁ ତୁମକୁ ସତ୍ୟ କହୁଅଛି, ଆଜି ରାତି କୁକୁଡ଼ା ଡାକିବା ପୂର୍ବରୁ ତୁମେ ମୋତେ ତିନିଥର ଅସ୍ୱୀକାର କରିବ।”

କିନ୍ତୁ ପିତର ଦୃଢ଼ଭାବେ କହିଲେ, “ଆପଣଙ୍କ ସଙ୍ଗେ ମରିବାକୁ ହେଲେ ସୁଦ୍ଧା ମୁଁ ଆପଣଙ୍କୁ କଦାପି ଅସ୍ୱୀକାର କରିବି ନାହିଁ।” ଅନ୍ୟ ସବୁ ଶିଷ୍ୟ ମଧ୍ୟ ସେହିପରି କହିଲେ।

ଗେଥ୍‌ସମନୀ ଉଦ୍ୟାନରେ

ଏହାପରେ ଯୀଶୁ ଶିଷ୍ୟମାନଙ୍କ ସହ ଗେଥ୍‌ସମନୀ ନାମକ ଗୋଟିଏ ସ୍ଥାନକୁ ଗଲେ ଏବଂ ସେମାନଙ୍କୁ କହିଲେ, “ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ବେଳେ ତୁମେମାନେ ଏଠାରେ ବସିଥାଅ।” ସେ ପିତରଙ୍କୁ ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସଙ୍ଗରେ ନେଲେ ଏବଂ ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ ସେତେବେଳେ ସେ ସେମାନଙ୍କୁ କହିଲେ, “ମୋର ପ୍ରାଣ ମରଣ ସରିକି ଦୁଃଖରେ ଭାଙ୍ଗି ପଡ଼ୁଛି। ଏଠାରେ ଥାଅ, ମୋ ସହିତ ଜାଗି ରୁହ।”

ସେ ଆଉ ଖଣ୍ଡେ ଦୂର ଆଗକୁ ଯାଇ ଭୂମିରେ ଉବୁଡ଼ ହୋଇ ଏହିପରି ପ୍ରାର୍ଥନା କଲେ, “ମୋର ପିତା, ଯଦି ସମ୍ଭବ ହୁଏ, ଏହି ପାନପାତ୍ର ମୋ ନିକଟରୁ ଦୂର ହେଉ, କିନ୍ତୁ ମୋର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସାଧିତ ହେଉ।”

ତତ୍ପରେ ସେ ଶିଷ୍ୟମାନଙ୍କ ନିକଟକୁ ଫେରିଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, “ତୁମ୍ଭେମାନେ କଣ ମୋ ସଙ୍ଗେ ଘଣ୍ଟାଟିଏ ସୁଦ୍ଧା ଜାଗି ପାରିଲ ନାହିଁ?” “ପ୍ରଲୋଭନରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ, ମାତ୍ର ଶରୀର ଦୁର୍ବଳ।”

ସେ ଦ୍ୱିତୀୟ ଥର ଚାଲିଯାଇ ପ୍ରାର୍ଥନା କରି କହିଲେ, “ହେ ମୋର ପିତା, ମୁଁ ପାନ ନ କଲେ ଏହି ପାନପାତ୍ର ଯଦି ମୋ ଠାରୁ ଦୂର ନ ହୁଏ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ।”

ସେ ଫେରିଆସି ସେମାନଙ୍କୁ ପୁନର୍ବାର ନିଦ୍ରିତ ଦେଖିଲେ, କାରଣ ନିଦରେ ସେମାନଙ୍କ ଆଖି ବୁଜି ହୋଇ ଯାଉଥିଲା। ତେଣୁ ସେ ସେମାନଙ୍କୁ ଛାଡ଼ି ପୁଣି ଥରେ ଚାଲିଗଲେ ଓ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ।

ତା ପରେ ସେ ଶିଷ୍ୟମାନଙ୍କ ନିକଟକୁ ଫେରିଯାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଣ ଆହୁରି ଶୋଇ ରହି ବିଶ୍ରାମ କରୁଛ? ଦେଖ! ମନୁଷ୍ୟପୁତ୍ର ପାପୀ ଲୋକମାନଙ୍କ ହାତରେ ଧରାହେବା ବେଳ ଆସିଗଲାଣି। ଉଠ! ଆମେ ଯିବା। ହେଇ ଦେଖ, ଯେ ମୋତେ ଧରାଇଦେବ, ସେ ଆସୁଛି!”

ଯୀଶୁ ଗିରଫ ହେଲେ

ସେ ଏହା କହୁ କହୁ ଦ୍ଵାଦଶ ଶିଷ୍ୟଙ୍କ ମଧ୍ୟରୁ ଯିହୁଦା ନାମକ ଶିଷ୍ୟ ଆସି ପହଞ୍ଚିଲା। ତା ସହିତ ବହୁସଂଖ୍ୟକ ଲୋକ ଖଣ୍ଡା ଓ ଲାଠି ଧରି ଆସିଥିଲେ ସେମାନଙ୍କୁ ପ୍ରଧାନ ଯାଜକମାନେ ଓ ଲୋକଙ୍କର କୁଳବୃଦ୍ଧମାନେ ପଠାଇଥିଲେ ବିଶ୍ୱାସଘାତକ ସେମାନଙ୍କୁ ଏକ ସଙ୍କେତ ଦେଇ କହିଥିଲା, “ମୁଁ ଯାହାଙ୍କୁ ଚୁମ୍ୱନ କରିବି, ସେ ସେହି ବ୍ୟକ୍ତି, ତାଙ୍କୁ ହିଁ ଗିରଫ କରିବ।” ଯିହୁଦା ସଙ୍ଗେସଙ୍ଗେ ଯୀଶୁଙ୍କ ନିକଟକୁ ଯାଇ ଗୁରୁ, ନମସ୍କାର କହି ତାଙ୍କୁ ଚୁମ୍ୱନ କଲା।

ଯୀଶୁ କହିଲେ, “ବନ୍ଧୁ, ଯେଉଁ ଉଦ୍ଦେଶ୍ୟରେ ଆସିଛ, ତାହା କର।”

ସେହି ଲୋକମାନେ ପାଖକୁ ଆସି ଯୀଶୁଙ୍କୁ ଧରିଲେ ଓ ଗିରଫ କରିନେଲେ ଯୀଶୁଙ୍କ ସଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କରି ମହାଯାଜକଙ୍କ ଭୃତ୍ୟକୁ ଆଘାତ କଲା ଓ ତାହାର କାନ କାଟି ପକାଇଲା।

ଯୀଶୁ ତାକୁ କହିଲେ, “ତୁମର ଖଣ୍ଡା ତା ସ୍ଥାନରେ ପୂରାଅ, କାରଣ ଯେଉଁମାନେ ଖଣ୍ଡା ଧରନ୍ତି, ସେମାନେ ଖଣ୍ଡାରେ ହିଁ ନିହତ ହୁଅନ୍ତି। ତୁମେ କଅଣ ମନେ କରୁଅଛ ଯେ, ମୁଁ ମୋର ପିତାଙ୍କୁ ନିବେଦନ କରିପାରିବି ନାହିଁ ଓ ସେ କଅଣ ତତ୍‌କ୍ଷଣାତ୍ ମୋ ନିମନ୍ତେ ଦ୍ଵାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇ ଦେବେ ନାହିଁ? କିନ୍ତୁ ତା ହେଲେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ଏହି ଉକ୍ତି କିପରି ସଫଳ ହେବ?”

ସେତେବେଳେ ଯୀଶୁ ସେହି ଲୋକମାନଙ୍କୁ କହିଲେ, “ମୁଁ କଅଣ ଜଣେ ଡକାଇତ ଯେ ଖଣ୍ଡା ଓ ଲାଠି ନେଇ ମୋତେ ଧରିବାକୁ ଆସିଲ? ମୁଁ ମନ୍ଦିରପ୍ରାଙ୍ଗଣରେ ବସି ପ୍ରତିଦିନ ଶିକ୍ଷା ଦେଉଥିଲି, ସେତେବେଳେ ତୁମ୍ଭେମାନେ ମୋତେ ଧରିଲ ନାହିଁ! କିନ୍ତୁ ଭାବବାଦୀମାନଙ୍କ ଲେଖାସବୁ ଯେପରି ସଫଳ ହୁଏ, ଏଥିପାଇଁ ଏସମସ୍ତ ଘଟିଅଛି।” ସେହି ସମୟରେ ଶିଷ୍ୟମାନେ ସମସ୍ତେ ତାଙ୍କୁ ଛାଡ଼ି ପଳାଇଗଲେ।

ମହାସଭାରେ ଯୀଶୁଙ୍କର ବିଚାର

ଯୀଶୁଙ୍କୁ ଗିରଫ କରିଥିବା ଲୋକମାନେ ତାହାଙ୍କୁ ମହାଯାଜକ କୟାଫାଙ୍କ ନିକଟକୁ ନେଇଗଲେ ସେଠାରେ ଶାସ୍ତ୍ରଜ୍ଞ ଓ କୁଳବୃଦ୍ଧମାନେ ସମବେତ ହୋଇଥିଲେ କିନ୍ତୁ ପିତର ଖଣ୍ଡେ ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ଗୃହର ପ୍ରାଙ୍ଗଣ ପର୍ଯ୍ୟନ୍ତ ଗଲେ ଶେଷରେ କଣ ଘଟିବ, ତାହା ଦେଖିବାକୁ ସେ ଭିତରକୁ ଯାଇ ପ୍ରହରୀମାନଙ୍କ ସହିତ ବସିଲେ।

ପ୍ରଧାନ ଯାଜକମାନେ ଓ ମହାସଭାର ସମସ୍ତେ ଯୀଶୁଙ୍କୁ ପ୍ରାଣଦଣ୍ଡ ଦେବାକୁ ତାହାଙ୍କ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଖୋଜୁଥିଲେ। ଅନେକ ମିଥ୍ୟାସାକ୍ଷୀ ଆଗେଇ ଆସିଲେ ମଧ୍ୟ ସେମାନେ କିଛି ପାଇଲେ ନାହିଁ।

ଅବଶେଷରେ ଦୁଇଜଣ ଆଗେଇ ଆସିଲେ ସେମାନେ କହିଲେ, “ଏହି ଲୋକ କହିଥିଲା, ‘ମୁଁ ଈଶ୍ୱରଙ୍କ ମନ୍ଦିରକୁ ଧ୍ୱଂସ କରି ତିନି ଦିନରେ ପୁଣି ତୋଳି ଦେଇପାରେ।’ ”

ତତ୍ପରେ ମହାଯାଜକ ଉଠି ଠିଆ ହେଲେ ଓ ଯୀଶୁଙ୍କୁ କହିଲେ, “ତୁମେ କଅଣ କିଛି ଉତ୍ତର ଦେବ ନାହିଁ? ଏହି ଲୋକମାନେ ତୁମ ବିରୁଦ୍ଧରେ ଯେଉଁ ସାକ୍ଷ୍ୟ ଦେଉଛନ୍ତି, ତାହା କଅଣ!” ମାତ୍ର ଯୀଶୁ ନୀରବ ରହିଲେ।

ମହାଯାଜକ ତାଙ୍କୁ କହିଲେ, “ମୁଁ ନିତ୍ୟଜୀବି ଈଶ୍ୱରଙ୍କ ନାମରେ ତୁମକୁ ଶପଥ କରାଇ ଆଦେଶ କରୁଅଛି, ଆମକୁ କୁହ, ତୁମେ କଅଣ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ?”

ଯୀଶୁ କହିଲେ, “ହଁ, ତୁମେ ଯାହା କହୁଅଛ, ତାହା। କିନ୍ତୁ ମୁଁ ତୁମ ସମସ୍ତଙ୍କୁ କହୁଅଛି ଭବିଷ୍ୟତ୍‌ରେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ସର୍ବଶକ୍ତିମାନଙ୍କର ଦକ୍ଷିଣପାର୍ଶ୍ୱରେ ବସିଥିବାର ଓ ଆକାଶର ମେଘମାଳାରେ ଆସିବାର ଦେଖିବ।”

ସେତେବେଳେ ମହାଯାଜକ ଆପଣାର ବସ୍ତ୍ର ଚିରି କହିଲେ, “ଏ ଈଶ୍ୱରନିନ୍ଦା କରିଛି। ଆଉ ସାକ୍ଷୀରେ ଆମର କି ପ୍ରୟୋଜନ? ତୁମେ ସମସ୍ତେ ତ ଈଶ୍ୱରନିନ୍ଦା ଶୁଣିଲ। ତୁମ୍ଭମାନଙ୍କର ମତ କଅଣ?”

ସେମାନେ ଉତ୍ତର ଦେଲେ, “ସେ ମୃତ୍ୟୁଦଣ୍ଡର ଯୋଗ୍ୟ।”

ଏହାପରେ ସେମାନେ ତାହାଙ୍କ ମୁଖରେ ଛେପ ପକାଇଲେ ଓ ବିଧା ମାରିଲେ ଅନ୍ୟମାନେ ତାହାଙ୍କୁ ଚାପୁଡ଼ା ମାରିଲେ, ଏବଂ କହିଲେ, “ହେ ଖ୍ରୀଷ୍ଟ, ଗଣନା କରି କୁହ ତ କିଏ ତୁମକୁ ମାରିଲା?”

ପିତର ଯୀଶୁଙ୍କୁ ଅସ୍ୱୀକାର କଲେ

ଇତିମଧ୍ୟରେ ପିତର ଅଗଣାରେ ବସିଥିଲେ, ସେତେବେଳେ ଜଣେ ଦାସୀ ତାଙ୍କ ପାଖକୁ ଆସି କହିଲା, “ତୁମେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସଙ୍ଗରେ ଥିଲେ।”

କିନ୍ତୁ ସେସମସ୍ତଙ୍କ ସାକ୍ଷାତରେ ତାହା ଅସ୍ୱୀକାର କରି କହିଲେ, “ତୁମେ କଣ କହୁଛ, ମୁଁ ଜାଣେ ନାହିଁ।”

ପରେ ସେ ଦାଣ୍ଡ ଦ୍ଵାର ଆଡ଼କୁ ଗଲେ, ସେଠାରେ ଆଉ ଜଣେ ଦାସୀ ତାଙ୍କୁ ଦେଖି ଠିଆ ହୋଇଥିବା ଲୋକମାନଙ୍କୁ କହିଲା, “ଏହି ଲୋକ ନାଜରିତର ଯୀଶୁଙ୍କ ସଙ୍ଗରେ ଥିଲା।”

ପିତର ପୁନର୍ବାର ଅସ୍ୱୀକାର କଲେ ଏବଂ ଶପଥ କରି କହିଲେ, “ମୁଁ ସେହି ଲୋକକୁ ଜାଣେ ନାହିଁ।”

କିଛି ସମୟପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଯାଇ କହିଲେ, “ତୁମେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମର ଉଚ୍ଚାରଣରୁ ତୁମେ ଧରା ପଡ଼ୁଅଛ।”

ତା ପରେ ସେ ନିଜର ରାଣ ପକାଇ ଓ ଶପଥ କରି କହିଲେ, “ମୁଁ ସେ ଲୋକକୁ ଜାଣେ ନାହିଁ!”

ଠିକ ସେତିକିବେଳେ କୁକୁଡ଼ା ଡ଼ାକିଲା। ସେତେବେଳେ ପିତରଙ୍କ ମନେ ପଡ଼ିଲା ଯେ, ଯୀଶୁ ଏହି କଥା କହିଥିଲେ, “କୁକୁଡ଼ା ଡାକିବା ପୂର୍ବରୁ ତୁମେ ମୋତେ ତିନିଥର ଅସ୍ୱୀକାର କରିବ।” ସେ ବାହାରକୁ ଯାଇ ବଡ଼ ବିକଳଭାବେ କାନ୍ଦିବାକୁ ଲାଗିଲେ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.