Biblica® Open Odia Contemporary Bible
ମାର୍କ 1
ଡୁବକ ଯୋହନ ପଥ ପ୍ରସ୍ତୁତ କଲେ
ଈଶ୍ୱରତନୟ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ସୁସମାଚାରର ଆରମ୍ଭ। ଭାବବାଦୀ ଯିଶାଇୟଙ୍କ ପୁସ୍ତକରେ ଏହିପରି ଲେଖାଅଛି:
“ଦେଖ, ମୁଁ ତୁମ ଆଗରେ ମୋର ବାର୍ତ୍ତାବହଙ୍କୁ ପଠାଇବି।
ସେ ତୁମର ପଥ ପ୍ରସ୍ତୁତ କରିବେ”
“ମରୁପ୍ରାନ୍ତରରେ ଚିତ୍କାର କରୁଥିବା ଜଣକର ସ୍ଵର,
‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର,
ତାହାଙ୍କ ପାଇଁ ସଳଖ ପଥସବୁ ତିଆରି କର।’ ”
ଏହିରୂପେ ଡୁବକ ଯୋହନ ମରୁପ୍ରାନ୍ତରକୁ ଆସି ପାପକ୍ଷମା ନିମନ୍ତେ ଅନୁତାପର ଡୁବନ ବିଷୟରେ ଘୋଷଣା କଲେ। ଯିହୁଦାର ସମଗ୍ର ଅଞ୍ଚଳର ଓ ଯିରୂଶାଲମର ସବୁ ଅଧିବାସୀମାନେ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ ସେମାନେ ନିଜର ପାପ ସ୍ୱୀକାର କରିବାରୁ ସେ ସେମାନଙ୍କୁ ଯର୍ଦ୍ଦନ ନଦୀରେ ଡୁବନ ଦେଲେ ଯୋହନ ଓଟଲୋମରେ ତିଆରି ବସ୍ତ୍ର ପିନ୍ଧୁଥିଲେ, ଅଣ୍ଟାରେ ଚମଡ଼ାର କଟିବନ୍ଧ ବାନ୍ଧୁଥିଲେ ପଙ୍ଗପାଳ ଓ ବନମଧୁ ତାଙ୍କର ଖାଦ୍ୟ ଥିଲା। ଏହା ଥିଲା ତାଙ୍କର ବାର୍ତ୍ତା: “ମୋ ଠାରୁ ଅଧିକ ଶକ୍ତିମନ୍ତ ଜଣେବ୍ୟକ୍ତି ମୋ ପରେ ଆସିବେ, ଯାହାଙ୍କର ପାଦୁକାର ଫିତା ନଇଁପଡ଼ି ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। ମୁଁ ତୁମ୍ଭମାନଙ୍କୁ ଜଳରେ ଡୁବନ ଦେଉଛି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମାରେ ଡୁବନ ଦେବେ।”
ଯୀଶୁଙ୍କର ଡୁବନ ଗ୍ରହଣ ଓ ଶୟତାନଦ୍ଵାରା ପରୀକ୍ଷା
ସେହି ସମୟରେ ଗାଲିଲୀ ପ୍ରଦେଶରେ ନାଜରିତରୁ ଯୀଶୁ ଆସିଲେ ଏବଂ ଯର୍ଦ୍ଦନ ନଦୀରେ ଯୋହନଙ୍କ ଦ୍ଵାରା ଡୁବନ ଗ୍ରହଣ କଲେ ଯୀଶୁ ଜଳରୁ ଉଠି ଆସିଲାକ୍ଷଣି ସ୍ଵର୍ଗ ବିଦାରିତ ହୋଇ ଉନ୍ମୁକ୍ତ ହେବାର ଓ ଆତ୍ମାକୁ କପୋତ ରୂପେ ତାହାଙ୍କ ଉପରେ ଅବତରଣ କରିବାର ସେ ଦେଖିଲେ ପୁଣି ସ୍ଵର୍ଗରୁ ଏହି ବାଣୀ ହେଲା, “ତୁମ୍ଭେ ମୋର ପ୍ରିୟ ପୁତ୍ର, ତୁମ୍ଭଠାରେ ମୁଁ ପରମପ୍ରୀତ।”
ତତ୍କ୍ଷଣାତ୍ ଆତ୍ମା ଯୀଶୁଙ୍କୁ ମରୁପ୍ରାନ୍ତରକୁ ପଠାଇଲେ। ମରୁପ୍ରାନ୍ତରରେ ସେ ଚାଳିଶ ଦିନ ପର୍ଯ୍ୟନ୍ତ ରହି ଶୟତାନଦ୍ଵାରା ପରୀକ୍ଷିତ ହେଲେ ସେଠାରେ ସେ ବନ୍ୟ ଜନ୍ତୁଙ୍କ ସହିତ ରହିଲେ ଓ ସ୍ଵର୍ଗଦୂତମାନେ ତାଙ୍କର ସେବା କଲେ।
ଯୀଶୁ ସୁସମାଚାର କହିଲେ
ଯୋହନ କାରାରୁଦ୍ଧ ହେଲାପରେ ଯୀଶୁ ଗାଲିଲୀକୁ ଯାଇ ଈଶ୍ୱରଙ୍କ ସୁସମାଚାର ପ୍ରଚାର କଲେ। ସେ କହିଲେ, “ସମୟ ଆସିଲାଣି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ, ଅନୁତାପ କର ଓ ସୁସମାଚାରରେ ବିଶ୍ୱାସ କର!”
ପ୍ରଥମ ଶିଷ୍ୟଙ୍କୁ ଆହ୍ଵାନ
ଯୀଶୁ ଗାଲିଲୀ ହ୍ରଦ ତୀରରେ ଯାଉଥିଲା ବେଳେ ଶିମୋନ ଓ ତାଙ୍କ ଭାଇ ଆନ୍ଦ୍ରିୟଙ୍କୁ ହ୍ରଦରେ ଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ଧୀବର ଥିଲେ ଯୀଶୁ ସେମାନଙ୍କୁ କହିଲେ, “ଆସ, ମୋର ଅନୁଗମନ କର। ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।” ସେହିକ୍ଷଣି ସେମାନେ ଜାଲ ଛାଡ଼ି ତାହାଙ୍କ ଅନୁଗମନ କଲେ।
ଆଉ ଟିକିଏ ଆଗକୁ ଯାଇ ସେ ଜେବଦୀଙ୍କ ପୁତ୍ର ଯାକୁବଙ୍କୁ ଓ ତାଙ୍କ ଭାଇ ଯୋହନଙ୍କୁ ନୌକାରେ ବସି ଜାଲ ସଜାଡ଼ୁଥିବା ଦେଖିଲେ ସେ ସେହିକ୍ଷଣି ସେମାନଙ୍କୁ ଡାକିଲେ ଏବଂ ସେମାନେ ପିତା ଜେବଦୀଙ୍କୁ ନୌକାରେ ମଜୁରିଆମାନଙ୍କ ସହିତ ଛାଡ଼ି ଯୀଶୁଙ୍କ ଅନୁଗମନ କଲେ।
ଭୂତାବିଷ୍ଟ ଲୋକ ସୁସ୍ଥ ହେଲା
ସେମାନେ କଫର୍ନାହୁମ ସହରକୁ ଗଲେ ଏବଂ ଶାବତବାର1 ହେବାରୁ ଯୀଶୁ ଉପାସନାଗୃହକୁ ଯାଇ ଶିକ୍ଷାଦେବାକୁ ଲାଗିଲେ। ଲୋକେ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଶାସ୍ତ୍ରଜ୍ଞମାନଙ୍କ ପରି ଶିକ୍ଷା ନ ଦେଇ କ୍ଷମତାପ୍ରାପ୍ତ ବ୍ୟକ୍ତି ପରି ଶିକ୍ଷା ଦେଉଥିଲେ। ଠିକ ସେତିକିବେଳେ ସେମାନଙ୍କ ସମାଜ ଗୃହରେ ଥିବା ଜଣେ ଭୂତାବିଷ୍ଟ ଲୋକ ଚିତ୍କାର କରି କହିଲା, “ହେ ନାଜରିତୀୟ ଯୀଶୁ, ତୁମ ସଙ୍ଗେ ଆମର କଣ ଅଛି? ତୁମେ କଣ ଆମକୁ ବିନାଶ କରିବାକୁ ଆସିଛ? ତୁମେ କିଏ, ତାହା ମୁଁ ଜାଣେ ତୁମେ ହେଉଛ, ଈଶ୍ୱରଙ୍କ ପବିତ୍ର ଜନ!”
ଯୀଶୁ ଦୃଢ଼ ସ୍ଵରରେ କହିଲେ, “ଚୁପ୍ ରହ! ଏହି ଲୋକଠାରୁ ବାହାରି ଯାଆ।” ଏଥିରେ ଭୂତାତ୍ମା ସେହି ଲୋକଟିକୁ ମୋଡ଼ି ପକାଇ ଚିତ୍କାର କରି ତା ଠାରୁ ବାହାରିଗଲା।
ଲୋକମାନେ ଏତେ ଆଚମ୍ବିତ ହେଲେ ଯେ, ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଏ କି ନୂଆ ଶିକ୍ଷା! ପୁଣି, କ୍ଷମତା ସହ! ଏପରିକି, ସେ ଭୂତାତ୍ମାମାନଙ୍କୁ ମଧ୍ୟ ଆଦେଶ ଦେଲେ ସେମାନେ ପାଳନ କରୁଛନ୍ତି!” ତାହାଙ୍କ ବିଷୟରେ ସମ୍ବାଦ ଅତିଶୀଘ୍ର ଗାଲିଲୀ ଅଞ୍ଚଳର ସର୍ବତ୍ର ବ୍ୟାପିଗଲା।
ଯୀଶୁ ଅନେକଙ୍କୁ ସୁସ୍ଥ କଲେ
ସେମାନେ ଉପାସନାଗୃହରୁ ବାହାରି ଗଲାକ୍ଷଣି ଯାକୁବ ଓ ଯୋହନଙ୍କ ସହିତ ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ ସେଠାରେ ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଶାୟୀ ଥିଲେ ଓ ସେମାନେ ଯୀଶୁଙ୍କୁ ତାଙ୍କ ବିଷୟ ଜଣାଇଲେ ତେଣୁ ଯୀଶୁ ତାଙ୍କ ନିକଟକୁ ଯାଇ ତାଙ୍କ ହାତ ଧରି ଉଠାଇଲେ ତତ୍କ୍ଷଣାତ୍ ତାଙ୍କର ଜ୍ୱର ଛାଡ଼ିଗଲା ଓ ସେ ସେମାନଙ୍କ ପରିଚର୍ଯ୍ୟା କଲେ।
ସେହିଦିନ ସନ୍ଧ୍ୟାରେ, ସୂର୍ଯ୍ୟ ଅସ୍ତ ହେଲାପରେ ଲୋକେ ଯୀଶୁଙ୍କ ନିକଟକୁ ରୋଗୀ ଓ ଭୂତାବିଷ୍ଟ ଲୋକ ସମସ୍ତଙ୍କୁ ଆଣିବାକୁ ଲାଗିଲେ ସହରବାସୀ ସମସ୍ତେ ଆସି ଦ୍ଵାର ପାଖେ ଜମା ହେଲେ ନାନାଦି ରୋଗରେ ପୀଡ଼ିତ ଅନେକଙ୍କୁ ଯୀଶୁ ସୁସ୍ଥ କଲେ ସେ ଅନେକ ଭୂତ ମଧ୍ୟ ଛଡ଼ାଇଲେ, ମାତ୍ର ସେ ଭୂତାତ୍ମାମାନଙ୍କୁ କଥା କହିବା ପାଇଁ ଅନୁମତି ଦେଲେ ନାହିଁ, କାରଣ ସେ କିଏ, ସେମାନେ ଜାଣିଥିଲେ।
ବଡ଼ି ଭୋର୍ରୁ, ଅନ୍ଧାର ଥାଉଁ ଥାଉଁ ଯୀଶୁ ଉଠି ଘରୁ ବାହାରିଗଲେ ଓ ଏକ ନିର୍ଜ୍ଜନ ସ୍ଥାନକୁ ଯାଇ ପ୍ରାର୍ଥନା କରିବାକୁ ଲାଗିଲେ ଶିମୋନ ଓ ତାଙ୍କ ସଙ୍ଗୀମାନେ ଯୀଶୁଙ୍କୁ ଖୋଜିବାକୁ ବାହାରିଲେ ସେମାନେ ତାଙ୍କର ଦେଖା ପାଇ କହିଲେ, “ସମସ୍ତେ ଆପଣଙ୍କୁ ଖୋଜୁଛନ୍ତି।”
ଯୀଶୁ ଉତ୍ତର ଦେଲେ, “ଚାଲ, ଆମେ ଅନ୍ୟ ଜାଗାକୁ ଏଇ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ଯିବା, ତା ହେଲେ ମୁଁ ସେଠାରେ ମଧ୍ୟ ପ୍ରଚାର କରିପାରିବି। କାରଣ ମୁଁ ତ ସେଥିପାଇଁ ଆସିଛି।” ଅତଏବ ସେ ଗାଲିଲୀ ପ୍ରଦେଶରେ ସବୁଆଡ଼େ ବୁଲି ବୁଲି ସେମାନଙ୍କ ଉପାସନାଗୃହମାନଙ୍କରେ ପ୍ରଚାର କଲେ ଓ ଭୂତ ଛଡ଼ାଇଲେ।
କୁଷ୍ଠରୋଗୀ ସୁସ୍ଥ ହେଲା
ଜଣେ କୁଷ୍ଠରୋଗୀ ତାଙ୍କ ନିକଟକୁ ଆସି ଆଣ୍ଠୁପାତି ଅନୁନୟ କରି କହିଲା, “ଆପଣ ଇଚ୍ଛା କଲେ ମୋତେ ଶୁଚି କରିପାରିବେ।”
ଯୀଶୁ ଦୟାରେ ବିଗଳିତ ହୋଇ ଲୋକଟିକୁ ସ୍ପର୍ଶ କରି କହିଲେ, “ମୁଁ ଇଚ୍ଛା କରୁଛି, ଶୁଚି ହୁଅ।” ତତ୍କ୍ଷଣାତ୍ ତା ଠାରୁ କୁଷ୍ଠରୋଗ ଦୂର ହେଲା ଏବଂ ସେ ଶୁଚି ହେଲା ଓ ଆରୋଗ୍ୟ ଲାଭ କଲା।
ଯୀଶୁ ତାକୁ ଦୃଢ଼ ଆଦେଶ ଦେଇ ସଙ୍ଗେସଙ୍ଗେ ବିଦାୟ କରି କହିଲେ, “ସାବଧାନ, ଏ ବିଷୟ କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ନିକଟକୁ ଯାଅ ଓ ନିଜକୁ ଦେଖାଅ ଏବଂ ତୁମର ଶୁଚିକରଣ ପାଇଁ ମୋଶା ଯେପରି ଆଦେଶ ଦେଇଛନ୍ତି, ସେହି ଅନୁଯାୟୀ ନୈବେଦ୍ୟ ଉତ୍ସର୍ଗ କର ତାହା ଲୋକଙ୍କ ନିକଟରେ ପ୍ରମାଣ ସ୍ଵରୂପ ହେବ।” କିନ୍ତୁ ଲୋକଟି ଚାଲିଯାଇ ସେହିବିଷୟ ମୁକ୍ତକଣ୍ଠରେ ପ୍ରଚାର କରିବାକୁ ଲାଗିଲା ଫଳରେ, ଯୀଶୁ ଆଉ ପ୍ରକାଶ୍ୟରେ କୌଣସି ସହରରେ ପ୍ରବେଶ କରିପାରିଲେ ନାହିଁ, କିନ୍ତୁ ବାହାରେ ନିର୍ଜ୍ଜନ ସ୍ଥାନମାନଙ୍କରେ ରହିଲେ। ତଥାପି ଚତୁର୍ଦ୍ଦିଗରୁ ଲୋକମାନେ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ।
Source notes (1)
- Footnote କିଛି ଲୋକ ଏହାକୁ ବିଶ୍ରାମବାର କହନ୍ତି
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.