Biblica® Open Odia Contemporary Bible
ଯୋହନ 9
ଯୀଶୁ ଜନ୍ମାନ୍ଧକୁ ଦୃଷ୍ଟି ଦେଲେ
ଯୀଶୁ ବାଟରେ ଯାଉଥିବା ସମୟରେ, ଜଣେ ଲୋକକୁ ଦେଖିଲେ ସେ ଜନ୍ମରୁ ଅନ୍ଧ ଥିଲା। ତାଙ୍କର ଶିଷ୍ୟମାନେ ତାଙ୍କୁ ପଚାରିଲେ, “ଗୁରୁ, କିଏ ପାପ କରିଥିବାରୁ ଏହି ଲୋକ ଅନ୍ଧ ହୋଇ ଜନ୍ମ ହେଲା, ଏ ନିଜେ, କି ତାହାର ପିତାମାତା?”
ଯୀଶୁ କହିଲେ, “ଏ ନିଜେ କିମ୍ବା ଏହାର ପିତାମାତା ପାପ କରିଥିଲେ ବୋଲି ନୁହେଁ,” କିନ୍ତୁ ଏହାର ଜୀବନରେ ଈଶ୍ୱରଙ୍କ କର୍ମ ଯେପରି ପ୍ରଦର୍ଶିତ ହେବ ଏଥିପାଇଁ ଏହା ଘଟିଛି। ଯେ ମୋତେ ପଠାଇଛନ୍ତି, ଦିନ ଥାଉଁ ଥାଉଁ, ଆମକୁ ତାହାଙ୍କର କାର୍ଯ୍ୟ ସମ୍ପନ୍ନ କରିବାକୁ ହେବ। ରାତ୍ରି ଘନାଇ ଆସୁଛି, ସେତେବେଳେ କେହି କାର୍ଯ୍ୟ କରିପାରିବ ନାହିଁ। ଯେପର୍ଯ୍ୟନ୍ତ ମୁଁ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତି।
ଏହା କହି, ସେ ଭୂମିରେ ଛେପ ପକାଇ, ଛେପରେ କାଦୁଅ କଲେ, ଏବଂ ସେହି ଲୋକର ଆଖିରେ ଲଗାଇଲେ। ସେ ତାକୁ କହିଲେ, “ଯାଅ,” ଶିଲୋହ ଅର୍ଥାତ୍ ପ୍ରେରିତ ପୁଷ୍କରିଣୀରେ ଧୋଇ ହୁଅ। ଅତଏବ ଲୋକଟି ଚାଲିଯାଇ ଧୋଇ ହେଲା, ଓ ଦୃଷ୍ଟି ପାଇ ଘରକୁ ଚାଲିଗଲା।
ତାହାର ପଡ଼ୋଶୀମାନେ ଓ ଯେଉଁମାନେ ତାକୁ ପୂର୍ବେ ଭିକ ମାଗିବାର ଦେଖିଥିଲେ ସେମାନେ ପଚାରିଲେ, “ଯିଏ ବସି ଭିକ ମାଗୁଥିଲା, ଏ କଅଣ ସେହି ଲୋକ ନୁହେଁ?” କେହି କେହି କହିଲେ ଏ ସେହି ଲୋକ।
ଆଉ କେହି କେହି କହିଲେ, “ନା, ସେ ତା ପରି ଦିଶୁଛି।”
କିନ୍ତୁ ସେ ନିଜେ ଦୃଢ଼ଭାବେ କହିଲା, “ମୁଁ ସେହି ଲୋକ।”
ସେମାନେ ପ୍ରଶ୍ନ କଲେ। “ତା ହେଲେ ତୋର ଆଖି ଫିଟିଗଲା କିପରି?”
ସେ ଉତ୍ତର ଦେଲା, “ଯୀଶୁ ନାମକ ଜଣେବ୍ୟକ୍ତି କିଛି କାଦୁଅ କରି ମୋ ଆଖିରେ ଲଗାଇଲେ। ଏବଂ ଶିଲୋହ ପୁଷ୍କରିଣୀକୁ ଯାଇ ଧୋଇ ଦେବାକୁ ମୋତେ କହିଲେ। ତେଣୁ ମୁଁ ଗଲି ଧୋଇ ହେଲି, ଓ ଦୃଷ୍ଟି ପାଇଲି।”
ସେମାନେ ତାକୁ ପଚାରିଲେ। “ସେ ଲୋକ କାହିଁ?”
ସେ କହିଲା। “ମୁଁ ଜାଣେ ନାହିଁ।”
ଯେଉଁ ଲୋକଟି ଅନ୍ଧ ଥିଲା ସେମାନେ ତାହାକୁ ଫାରୂଶୀମାନଙ୍କ ନିକଟକୁ ନେଇଗଲେ। ଯୀଶୁ ଯେଉଁଦିନ କାଦୁଅ କରି ସେହି ଲୋକକୁ ଦୃଷ୍ଟିଶକ୍ତି ଦେଇଥିଲେ ସେଦିନ ଥିଲା ଏକ ଶାବତବାର। ସେଥିପାଇଁ ସେ କିପରି ଦୃଷ୍ଟି ପାଇଲା ଫାରୂଶୀମାନେ ମଧ୍ୟ ତାକୁ ପଚାରିଲେ। ଲୋକଟି କହିଲା, “ସେ ମୋ ଆଖିରେ କାଦୁଅ ଲଗାଇଲେ, ମୁଁ ଧୋଇ ଦେଲି, ଓ ଏବେ ଦେଖିପାରୁଛି।”
ଫାରୂଶୀମାନଙ୍କ ମଧ୍ୟରୁ କେତେଜଣ କହିଲେ, “ସେହି ଲୋକ ଈଶ୍ୱରଙ୍କ ନିକଟରୁ ଆସି ନାହିଁ, କାରଣ ସେ ଶାବତବାର ପାଳନ କରୁ ନାହିଁ।”
କିନ୍ତୁ ଅନ୍ୟମାନେ ପ୍ରଶ୍ନ କଲେ, “ଜଣେ ପାପୀ କିପରି ଏପ୍ରକାର ଅଲୌକିକ କାର୍ଯ୍ୟ କରିପାରେ?” ଏହିରୂପେ ସେମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେଲା।
ଅବଶେଷରେ ସେମାନେ ପୁଣି ଥରେ ସେହି ଅନ୍ଧ ଲୋକକୁ ପଚାରିଲେ, “ସେ ତୋର ଆଖି ଫିଟାଇ ଦେଲେ।” ତେଣୁ ତାଙ୍କ ବିଷୟରେ ତୋର କଅଣ କହିବାର ଅଛି?
ସେହି ଲୋକ ଉତ୍ତର ଦେଲା, “ସେ ଜଣେ ଭାବବାଦୀ।”
ଲୋକଟି ଯେ ଅନ୍ଧ ଥିଲା ଓ ଦୃଷ୍ଟି ପାଇଛି ଏ କଥା ତାହାର ପିତାମାତାକୁ ଡାକି ନ ପଚାରିବା ପର୍ଯ୍ୟନ୍ତ ଯିହୁଦୀମାନେ ବିଶ୍ୱାସ କଲେ ନାହିଁ। ସେମାନେ ପଚାରିଲେ। “ଏ କଅଣ ତୁମମାନଙ୍କର ପୁଅ?” ଏ କଅଣ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି ତୁମେମାନେ କହୁଛ? “ତା ହେଲେ ସେ ଏବେ କିପରି ଦେଖିପାରୁଛି?”
ପିତାମାତା ଉତ୍ତର ଦେଲେ, ଏ ଯେ ଆମର ପୁଅ ଓ ଅନ୍ଧ ହୋଇ ଜନ୍ମ ହୋଇଥିଲା ଏ କଥା ଆମେ ଜାଣୁ। କିନ୍ତୁ ଏବେ ସେ କିପରି ଦେଖିପାରୁଛି, କିମ୍ବା କିଏ ତାହାର ଆଖି ଫିଟାଇଦେଲା, ତାହା ଆମେ ଜାଣି ନାହୁଁ। ତାକୁ ପଚାରନ୍ତୁ। ତାହାର ବୟସ ହେଲାଣି; ସେ ନିଜେ ତା କଥା କହିବ। ସେହି ଲୋକର ପିତାମାତା ଯିହୁଦୀମାନଙ୍କ ଭୟରେ ସେପରି କହିଲେ, କାରଣ ଯେକେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରିବ ତାକୁ ସମାଜଚ୍ୟୁତ କରାଯିବ ବୋଲି ଯିହୁଦୀମାନେ ସ୍ଥିର କରି ସାରିଥିଲେ। ସେହି କାରଣରୁ ତାହାର ପିତାମାତା କହିଲେ, “ତାହାର ବୟସ ହେଲାଣି; ତାକୁ ପଚାରନ୍ତୁ।”
ପୂର୍ବେ ଯେ ଅନ୍ଧ ଥିଲା ତାକୁ ସେମାନେ ଦ୍ୱିତୀୟ ଥର ଡକାଇ କହିଲେ। “ଈଶ୍ୱରଙ୍କୁ ଗୌରବ ଦିଅ, ଆମେ ଜାଣୁ ଯେ ସେହି ଲୋକଟା ପାପୀ।”
ସେ ଉତ୍ତର ଦେଲା, “ସେ ପାପୀ କି ନୁହନ୍ତି, ତାହା ମୁଁ ଜାଣେ ନାହିଁ। ଗୋଟିଏ କଥା ମୁଁ ଭଲଭାବେ ଜାଣେ। ମୁଁ ଅନ୍ଧ ଥିଲି କିନ୍ତୁ ଏବେ ଦେଖିପାରୁଛି!”
ତା ପରେ ସେମାନେ ତାକୁ ପଚାରିଲେ, “ସେ ତୋତେ କଅଣ କଲା? ସେ କିପରି ତୋର ଆଖି ଫିଟାଇ ଦେଲା?”
ସେ ଉତ୍ତର ଦେଲା, “ମୁଁ ଆପଣମାନଙ୍କୁ କହି ସାରିଲିଣି ଆପଣମାନେ ଶୁଣିଲେ ନାହିଁ। ପୁଣି ଥରେ କାହିଁକି ଶୁଣିବାକୁ ଇଚ୍ଛା କରୁଛନ୍ତି? ଆପଣମାନେ ମଧ୍ୟ ତାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଛନ୍ତି କି?”
ସେମାନେ ତା ଉପରେ ଗାଳି ବର୍ଷଣ କରି କହିଲେ, “ତୁ ଏହି ଲୋକଟାର ଶିଷ୍ୟ! ଆମେ ମୋଶାଙ୍କର ଶିଷ୍ୟ! ଆମେ ଜାଣୁ ଯେ ଈଶ୍ୱର ମୋଶାଙ୍କୁ କଥା କହିଥିଲେ, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଛି, ଆମେ ତା ମଧ୍ୟ ଜାଣି ନାହୁଁ।”
ଲୋକଟି ଉତ୍ତର ଦେଲା, “ବଡ଼ ଆଶ୍ଚର୍ଯ୍ୟ କଥା! ସେ ମୋର ଆଖି ଫିଟାଇ ଦେଲେ, ଅଥଚ ସେ କେଉଁଠାରୁ ଆସିଛନ୍ତି ଆପଣମାନେ ଜାଣନ୍ତି ନାହିଁ। ଆମେ ଜାଣୁ ଯେ ଈଶ୍ୱର ପାପୀମାନଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ ଯିଏ ତାହାଙ୍କର ଇଚ୍ଛା ସାଧନ କରେ ଏପରି ଈଶ୍ୱରପରାୟଣ ଲୋକଙ୍କର କଥା ଶୁଣନ୍ତି। ସୃଷ୍ଟିର ଆରମ୍ଭରୁ ଜନ୍ମାନ୍ଧକୁ ଦୃଷ୍ଟି ଦେବା କଥା କେହି କେବେ ଶୁଣି ନାହିଁ। ଏହି ବ୍ୟକ୍ତି ଯଦି ଈଶ୍ୱରଙ୍କ ନିକଟରୁ ଆସି ନ ଥାଆନ୍ତେ, ତେବେ ସେ କିଛି କରି ପାରନ୍ତେ ନାହିଁ।”
ତହୁଁ ସେମାନେ ଉତ୍ତର ଦେଲେ, “ତୁ ତ ପୂରାପୂରି ପାପରେ ଜନ୍ମ ହେଲୁ; ତୁ ପୁଣି କେଉଁ ସାହସରେ ଆମକୁ ଶିକ୍ଷା ଦେଉଛୁ!” ଏହା କହି ସେମାନେ ତାକୁ ବହିଷ୍କାର କରିଦେଲେ।
ସେମାନେ ତାକୁ ସମାଜରୁ ବହିଷ୍କାର କରିଦେଇଛନ୍ତି ବୋଲି ଯୀଶୁ ଶୁଣିଲେ, ଓ ତାହାର ଭେଟ ପାଇ କହିଲେ, “ତୁମେ କଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଛ?”
ସେହି ଲୋକ ପଚାରିଲା। “ମହାଶୟ, ସେ କିଏ? ମୋତେ କୁହନ୍ତୁ ତା ହେଲେ ମୁଁ ତାଙ୍କଠାରେ ବିଶ୍ୱାସ କରିବି।”
ଯୀଶୁ କହିଲେ, “ତୁମେ ତାଙ୍କୁ ଦେଖୁଅଛ; ଓ ସେ ହିଁ, ବର୍ତ୍ତମାନ ତୁମ ସହିତ କଥା କହୁଛନ୍ତି।”
ଏଉତ୍ତାରେ ସେହି ଲୋକ କହିଲା, “ପ୍ରଭୁ, ମୁଁ ବିଶ୍ୱାସ କରୁଛି,” ଏହା କହି ସେ ତାଙ୍କର ଆରାଧନା କଲା।
ଯୀଶୁ କହିଲେ, “ଯେପରି ଦୃଷ୍ଟିହୀନମାନେ ଦେଖିବେ ଓ ଦୃଷ୍ଟି ଥିବା ଲୋକେ ଅନ୍ଧ ହେବେ, ଏହି ବିଚାର ପାଇଁ ମୁଁ ଜଗତକୁ ଆସିଅଛି।”
ତାହାଙ୍କ ସଙ୍ଗରେ ଥିବା କେତେକ ଫାରୂଶୀ ତାଙ୍କୁ ଏହି କଥା କହିବାର ଶୁଣି ପଚାରିଲେ, “କଣ? ଆମେ ମଧ୍ୟ କଅଣ ଅନ୍ଧ?”
ଯୀଶୁ କହିଲେ, “ତୁମ୍ଭେମାନେ ଯଦି ଅନ୍ଧ ହୋଇଥାଆନ୍ତ, ତେବେ ତୁମକୁ ଦୋଷ ଲାଗି ନ ଥାଆନ୍ତା; କିନ୍ତୁ ତୁମେମାନେ ଦେଖିପାରୁଛ ବୋଲି ଏବେ କହୁଥିବାରୁ, ତୁମର ଦୋଷ ଲାଗି ରହେ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.