Biblica® Open Odia Contemporary Bible
ଯୋହନ 10
ଉତ୍ତମ ମେଷପାଳକ ଓ ମେଷ
“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେଉଁ ଲୋକ ଦ୍ଵାର ଦେଇ ମେଷଶାଳାରେ ପ୍ରବେଶ କରେ ନାହିଁ, ମାତ୍ର ଅନ୍ୟ କୌଣସି ବାଟେ ଡେଇଁ ପ୍ରବେଶ କରେ, ସେ ଚୋର ଓ ଡକାଇତ। ଯେଉଁ ଲୋକ ଦ୍ଵାର ବାଟେ ପ୍ରବେଶ କରେ ସେ ତାହାର ମେଷମାନଙ୍କ ପାଳକ। ଦ୍ଵାରପାଳ ତା ପାଇଁ ଦ୍ଵାର ଖୋଲିଦିଏ, ଓ ମେଷମାନେ ତାହାର ସ୍ଵର ଶୁଣନ୍ତି। ସେ ନିଜର ମେଷମାନଙ୍କୁ ନାମ ଧରି ଡାକେ ଓ ସେମାନଙ୍କୁ ବାହାରକୁ କଢ଼ାଇ ନିଏ। ସେ ନିଜର ସବୁ ମେଷକୁ ବାହାର କରି ଆଣିବା ପରେ, ସେମାନଙ୍କ ଆଗେ ଆଗେ ଚାଲେ, ଏବଂ ମେଷମାନେ ତାହାର ପଛେ ପଛେ ଯାଆନ୍ତି କାରଣ ସେମାନେ ତାହାର ସ୍ଵର ଚିହ୍ନିନ୍ତି। କିନ୍ତୁ ସେମାନେ କେବେହେଲେ ଅପରିଚିତ ଲୋକର ପଛେ ପଛେ ଯିବେ ନାହିଁ; ବରଂ, ତା ନିକଟରୁ ପଳାଇବେ କାରଣ ସେମାନେ ଅପରିଚିତ ଲୋକର ସ୍ଵର ଚିହ୍ନିନ୍ତି ନାହିଁ।” ଯୀଶୁ ଏହି ଉଦାହରଣଟି ଦେଲେ, କିନ୍ତୁ ସେମାନେ ତାହାର ଅର୍ଥ ବୁଝିଲେ ନାହିଁ।
ତେଣୁ ଯୀଶୁ ପୁନର୍ବାର କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମେଷମାନଙ୍କ ପାଇଁ ମୁଁ ହେଉଛି ଦ୍ଵାର। ଯେଉଁମାନେ ମୋ ପୂର୍ବରୁ ଆସିଥିଲେ ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷମାନେ ସେମାନଙ୍କ କଥା ଶୁଣିଲେ ନାହିଁ। ମୁଁ ହେଉଛି ଦ୍ଵାର; ଯେକେହି ମୋ ଦେଇ ପ୍ରବେଶ କରେ ସେ ରକ୍ଷା ପାଇବ। ସେ ଭିତରକୁ ଓ ବାହାରକୁ ଯା ଆସ କରିବ, ଏବଂ ଚରା ପାଇବ। ଚୋର କେବଳ ଚୋରି, ହତ୍ୟା ଓ ବିନାଶ କରିବାକୁ ଆସେ; କିନ୍ତୁ ସେମାନେ ଯେପରି ଜୀବନ ପାଇବେ ଏବଂ ପୂର୍ଣ୍ଣମାତ୍ରାରେ ତାହା ପାଇବେ, ସେଥିପାଇଁ ମୁଁ ଆସିଛି।
“ମୁଁ ହେଉଛି ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ମେଷମାନଙ୍କ ପାଇଁ ନିଜର ଜୀବନ ଉତ୍ସର୍ଗ କରେ। ଯିଏ ବେତନଭୋଗୀ ସେ ମେଷପାଳକ ନୁହେଁ କି ମେଷମାନେ ତାହାର ନୁହନ୍ତି। ହେଟାବାଘ ଆସିବାର ଦେଖିଲେ, ସେ ମେଷମାନଙ୍କୁ ଛାଡ଼ି ଦୈଡ଼ି ପଳାଏ। ତହୁଁ ହେଟାବାଘ ପଲକୁ ଆକ୍ରମଣ କରି ଛିନ୍ନଛତ୍ର କରେ। ସେହି ଲୋକ ବେତନଭୋଗୀ ହୋଇଥିବାରୁ ଦୈଡ଼ି ପଳାଏ ଓ ମେଷମାନଙ୍କ ପାଇଁ ଚିନ୍ତା କରେ ନାହିଁ।
“ମୁଁ ହେଉଛି ଉତ୍ତମ ମେଷପାଳକ; ମୁଁ ମୋର ମେଷମାନଙ୍କୁ ଜାଣେ ଓ ମୋର ମେଷମାନେ ମୋତେ ଜାଣନ୍ତି ଯେପରି ପିତା ମୋତେ ଜାଣନ୍ତି ଓ ଠିକ ସେହିପରି ମୁଁ ପିତାଙ୍କୁ ଜାଣେ, ପୁଣି ମୁଁ ମେଷମାନଙ୍କ ପାଇଁ ନିଜର ଜୀବନ ଉତ୍ସର୍ଗ କରେ। ମୋର ଅନ୍ୟ ମେଷମାନେ ଅଛନ୍ତି ସେମାନେ ଏ ପଲର ନୁହନ୍ତି। ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ। ସେମାନେ ମଧ୍ୟ ମୋର ସ୍ଵର ଶୁଣିବେ, ତା ହେଲେ ଗୋଟିଏ ପଲ ହେବ ଓ ଜଣେ ପାଳକ ରହିବେ। ପିତା ମୋତେ ପ୍ରେମ କରନ୍ତି, କାରଣ ମୁଁ ମୋର ଜୀବନ ଉତ୍ସର୍ଗ କରେ ଓ ପୁନର୍ବାର ତାହା ଗ୍ରହଣ କରିନିଏ। କେହି ମୋ ଠାରୁ ମୋର ଜୀବନ ନିଏ ନାହିଁ, କିନ୍ତୁ ମୁଁ ସ୍ଵଇଚ୍ଛାରେ ତାହା ଉତ୍ସର୍ଗ କରେ। ଜୀବନ ଉତ୍ସର୍ଗ କରିବାକୁ ଓ ପୁନର୍ବାର ତାହା ଗ୍ରହଣ କରିବାକୁ ମୋର ଅଧିକାର ଅଛି। ମୋର ପିତାଙ୍କଠାରୁ ମୁଁ ଏହି ଆଦେଶ ପାଇଛି।”
ଏହିସବୁ କଥା ଯୋଗୁଁ ଯିହୁଦୀମାନଙ୍କ ମଧ୍ୟରେ ପୁଣି ବିଭେଦ ଘଟିଲା। ସେମାନଙ୍କ ମଧ୍ୟରୁ ଅନେକେ କହିଲେ, “ସେ ଭୂତଗ୍ରସ୍ତ ଓ ପୂରା ପାଗଳ। କାହିଁକି ତା କଥା ଶୁଣୁଛ?”
କିନ୍ତୁ ଅନ୍ୟମାନେ କହିଲେ, “ଏହା ତ ଭୂତଗ୍ରସ୍ତ ଲୋକର କଥା ନୁହେଁ। ଭୂତ କଅଣ ଅନ୍ଧକୁ ଦୃଷ୍ଟି ଦେଇପାରେ?”
ଏହାପରେ ଯିରୂଶାଲମରେ ମନ୍ଦିର ପ୍ରତିଷ୍ଠା ପର୍ବ ପଡ଼ିଲା। ସେତେବେଳକୁ ଶୀତକାଳ, ଓ ଯୀଶୁ ମନ୍ଦିରରେ ଶଲୋମନ ମଣ୍ଡପରେ ବୁଲୁଥିଲେ। ଯିହୁଦୀମାନେ ତାଙ୍କୁ ଘେରି ଯାଇ, କହିଲେ, “ଆଉ କେତେ କାଳ ତୁମେ ଆମକୁ ସନ୍ଦେହରେ ରଖିବ? ତୁମେ ଯଦି ଖ୍ରୀଷ୍ଟ, ଆମକୁ ସ୍ପଷ୍ଟ କୁହ।”
ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହିଥିଲି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କଲ ନାହିଁ। ମୋର ପିତାଙ୍କ ନାମରେ ମୁଁ ଯେଉଁସବୁ ଅଲୌକିକ କର୍ମ କରୁଛି ସେହିସବୁ ହିଁ ମୋ ସପକ୍ଷରେ ସାକ୍ଷ୍ୟ ଦେଉଛି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ କାରଣ ତୁମ୍ଭେମାନେ ମୋ ପଲର ମେଷ ନୁହଁ। ମୋର ମେଷମାନେ ମୋର ସ୍ଵର ଶୁଣନ୍ତି; ମୁଁ ସେମାନଙ୍କୁ ଜାଣେ, ଓ ସେମାନେ ମୋର ପଛେ ପଛେ ଯାଆନ୍ତି। ମୁଁ ସେମାନଙ୍କୁ ଅନନ୍ତଜୀବନ ଦିଏ, ଓ ସେମାନେ କେବେ ବିନଷ୍ଟ ହେବେ ନାହିଁ; କେହି ସେମାନଙ୍କୁ ମୋ ହାତରୁ ଛଡ଼ାଇ ନେଇପାରିବ ନାହିଁ। ମୋର ପିତା, ଯେ କି ଏମାନଙ୍କୁ ମୋତେ ଦେଇଛନ୍ତି, ସେସମସ୍ତଙ୍କ ଅପେକ୍ଷା ମହାନ; ତେଣୁ ମୋର ପିତାଙ୍କ ହାତରୁ ସେମାନଙ୍କୁ ଛଡ଼ାଇ ନେବାକୁ କାହାରି ସାଧ୍ୟ ନାହିଁ। ମୁଁ ଓ ପିତା ଏକ।”
ତାଙ୍କୁ ମାରିଦେବା ପାଇଁ ଯିହୁଦୀମାନେ ଆଉ ଥରେ ପଥର ଉଠାଇଲେ, କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୁଁ ପିତାଙ୍କଠାରୁ ଅନେକ ମହତ୍ ଅଲୌକିକ କର୍ମ ତୁମ୍ଭମାନଙ୍କୁ ଦେଖାଇଛି। ଏହିସବୁ ମଧ୍ୟରୁ କେଉଁ କର୍ମ ପାଇଁ ମୋତେ ପଥର ଫୋପାଡ଼ି ମାରିବାକୁ ଯାଉଛ?”
ଯିହୁଦୀମାନେ ଉତ୍ତର ଦେଲେ, “ଏହିସବୁ ମଧ୍ୟରୁ କୌଣସି କର୍ମ ପାଇଁ ଆମେ ତୁମକୁ ପଥର ଫୋପାଡ଼ି ମାରିବାକୁ ଯାଉ ନାହୁଁ,” କିନ୍ତୁ ଈଶ୍ୱରନିନ୍ଦା ପାଇଁ, କାରଣ ତୁମେ ଜଣେ, ସାମାନ୍ୟ ମନୁଷ୍ୟ ହୋଇ, ନିଜକୁ ଈଶ୍ୱର ବୋଲାଉଛ।
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ବିଧିବ୍ୟବସ୍ଥାରେ କଅଣ ଏ କଥା ଲେଖା ନାହିଁ, ମୁଁ କହିଛି ତୁମ୍ଭେମାନେ ‘ଦେବଗଣ’? ଯେଉଁମାନେ ଈଶ୍ୱରଙ୍କଠାରୁ ବାର୍ତ୍ତା ପାଇଲେ ସେମାନଙ୍କୁ ସେ ‘ଦେବଗଣ,’ ବୋଲି ଆଖ୍ୟା ଦେଲେ, ଆଉ ଧର୍ମଶାସ୍ତ୍ର ତ ଖଣ୍ଡନ କରାଯାଇ ନ ପାରେ, ତା ହେଲେ ପିତା ଯାହାଙ୍କୁ ପୃଥକୀକୃତ କରି ଜଗତକୁ ପଠାଇଲେ ତାହାଙ୍କ ବିଷୟରେ କଣ କୁହାଯିବ? ମୁଁ ଈଶ୍ୱରଙ୍କ ପୁତ୍ର ଏହା କହିବାରୁ ମୋତେ କାହିଁକି, ଈଶ୍ୱରନିନ୍ଦା ଅପରାଧରେ ଦୋଷୀ କରୁଛ? ମୁଁ ଯଦି ପିତାଙ୍କ କର୍ମ କରୁ ନାହିଁ ତେବେ ମୋତେ ବିଶ୍ୱାସ କର ନାହିଁ। କିନ୍ତୁ ଯଦି କରୁଛି, ତେବେ ମୋତେ ବିଶ୍ୱାସ ନ କଲେ, ମଧ୍ୟ ଅଲୌକିକ କର୍ମସବୁକୁ ବିଶ୍ୱାସ କର, ତା ହେଲେ ପିତା ମୋ ଠାରେ, ଓ ମୁଁ ପିତାଙ୍କଠାରେ ଅଛି ବୋଲି ଜାଣିବ ଓ ବୁଝିବ।” ପୁଣି ଥରେ ସେମାନେ ତାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେ ସେମାନଙ୍କ କବଳରୁ ବାହାରିଗଲେ।
ତତ୍ପରେ ଯୀଶୁ ପୁନର୍ବାର ଯର୍ଦ୍ଦନର ଆରପାରିକୁ ଗଲେ ଓ ଯୋହନ ପୂର୍ବେ ଯେଉଁ ସ୍ଥାନରେ ଡୁବନ ଦେଉଥିଲେ। ସେହି ସ୍ଥାନରେ ରହିଲେ, ଅନେକ ଲୋକ ତାଙ୍କ ନିକଟକୁ ଗଲେ। ସେମାନେ କହୁଥିଲେ, “ଯଦିବା ଯୋହନ କୌଣସି ଅଲୌକିକ କର୍ମ କରି ନ ଥିଲେ, ତଥାପି ଏହି ବ୍ୟକ୍ତିଙ୍କ ସମ୍ବନ୍ଧରେ ଯାହାକିଛି କହିଥିଲେ ସେହିସବୁ ସତ୍ୟ।” ସେହି ସ୍ଥାନରେ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.