Biblica® Open Odia Contemporary Bible
ଯୋହନ 7
ପତ୍ରକୁଟୀର ପର୍ବୋତ୍ସବରେ ଯୀଶୁ
ଏଥିଉତ୍ତାରେ, ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ। ଯିହୁଦୀମାନେ ତାହାଙ୍କର ପ୍ରାଣ ନାଶକରିବାକୁ ଚେଷ୍ଟା କରୁଥିବାରୁ ସେ ଜାଣିଶୁଣି ଯିହୁଦା ପ୍ରଦେଶରୁ ଦୂରରେ ରହିବାକୁ ଇଚ୍ଛା କଲେ। ଯିହୁଦୀମାନଙ୍କର ପତ୍ରକୁଟୀର ପର୍ବ ପାଖ ହୋଇ ଆସିବାରୁ, ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ, “ଏ ସ୍ଥାନ ଛାଡ଼ି ଯିହୁଦାକୁ ଯିବା ତୁମର ଉଚିତ୍, ତା ହେଲେ ତୁମେ କରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମର ଶିଷ୍ୟମାନେ ଦେଖିପାରିବେ। ସର୍ବସାଧାରଣରେ ପରିଚିତ ହେବାକୁ ଇଚ୍ଛା କଲେ କେହି ଗୋପନରେ କାର୍ଯ୍ୟ କରେ ନାହିଁ। ତୁମେ ଏହିସବୁ କରୁଥିବାରୁ, ଜଗତ ଆଗରେ ନିଜକୁ ପ୍ରକାଶ କର।” ଯେହେତୁ ତାଙ୍କର ନିଜ ଭାଇମାନେ ସୁଦ୍ଧା ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ।
ଅତଏବ ଯୀଶୁ ସେମାନଙ୍କୁ କହିଲେ, “ମୋ ପାଇଁ ଉପଯୁକ୍ତ ସମୟ ଏ ଯାଏ ଆସି ନାହିଁ; ତୁମମାନଙ୍କ ପାଇଁ ଯେକୌଣସି ସମୟ ଉପଯୁକ୍ତ। ଜଗତ ତୁମ୍ଭମାନଙ୍କୁ ଘୃଣା କରିପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ କାରଣ ମୁଁ ତାହାର ମନ୍ଦ କର୍ମଗୁଡ଼ିକ ବିରୁଦ୍ଧରେ ସାକ୍ଷ୍ୟ ଦିଏ। ତୁମେମାନେ ପର୍ବୋତ୍ସବକୁ ଯାଅ। ମୁଁ ଏବେ ପର୍ବୋତ୍ସବକୁ ଯାଉ ନାହିଁ, କାରଣ ମୋ ପାଇଁ ଉପଯୁକ୍ତ ସମୟ ଏ ଯାଏ ଆସି ନାହିଁ।” ଏହା କହି ସେ, ଗାଲିଲୀରେ ରହିଲେ।
କିନ୍ତୁ, ତାଙ୍କର ଭାଇମାନେ ପର୍ବୋତ୍ସବକୁ ଚାଲିଗଲା ପରେ, ସେ ମଧ୍ୟ ଗଲେ, ପ୍ରକାଶ୍ୟରେ ନ ଯାଇ, ଗୋପନରେ ଗଲେ। ପର୍ବ ବେଳେ ଯିହୁଦୀମାନେ ଯୀଶୁଙ୍କୁ ଖୋଜୁଥିଲେ ଏବଂ ପଚାରୁଥିଲେ, “ସେହି ଲୋକ କାହିଁ?”
ଜନତା ମଧ୍ୟରେ ତାଙ୍କ ବିଷୟରେ ଚୁପ୍ଚୁପ୍ ବହୁତ ଆଲୋଚନା ଚାଲିଗଲା, କେହି କେହି କହୁଥିଲେ, “ସେ ଜଣେ ଭଲ ଲୋକ।”
ଅନ୍ୟମାନେ କହୁଥିଲେ, “ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।” କିନ୍ତୁ ଯିହୁଦୀମାନଙ୍କ ଭୟରେ କେହି ପ୍ରକାଶ୍ୟରେ ତାଙ୍କ ବିଷୟରେ କିଛି କହୁ ନ ଥିଲେ।
ପର୍ବୋତ୍ସବ ସମୟରେ ଯୀଶୁଙ୍କର ଶିକ୍ଷା
ପର୍ବ ଅଧାଅଧି ହେଲା ବେଳକୁ ଯୀଶୁ ମନ୍ଦିର ପ୍ରାଙ୍ଗଣକୁ ଯାଇ ଶିକ୍ଷାଦେବାକୁ ଆରମ୍ଭ କଲେ। ଯିହୁଦୀମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏହି ବ୍ୟକ୍ତି ପାଠ ନ ପଢ଼ି କିପରି ଏତେ ବିଦ୍ୟା ଅର୍ଜନ କଲା?”
ଯୀଶୁ ଉତ୍ତର ଦେଲେ, “ମୋର ଶିକ୍ଷା ମୋ ନିଜର ନୁହେଁ। ଯେ ମୋତେ ପଠାଇଛନ୍ତି ଏହା ତାହାଙ୍କର। କେହି ଯଦି ଈଶ୍ୱରଙ୍କ ଇଚ୍ଛା ସାଧନ କରିବାକୁ ବ୍ରତୀ ହୁଏ ତେବେ ମୋର ଶିକ୍ଷା ଈଶ୍ୱରଙ୍କଠାରୁ ଆଗତ କିମ୍ବା ମୁଁ ମୋ ନିଜ ମନରୁ କହେ ତାହା ସେ ଜାଣିପାରିବ। ଯିଏ ତା ନିଜ ମନରୁ କହେ ସେ ନିଜ ପାଇଁ ସମ୍ମାନ ଲାଭ କରିବାକୁ ତାହା କରେ, କିନ୍ତୁ ଯେ ନିଜ ପ୍ରେରଣକର୍ତ୍ତାଙ୍କ ସମ୍ମାନ ପାଇଁ କାର୍ଯ୍ୟ କରନ୍ତି ସେ ସତ୍ୟମୟ; ତାହାଙ୍କଠାରେ ଅସତ୍ୟର ଲେଶ ନାହିଁ। ମୋଶା କଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମମାନଙ୍କ ମଧ୍ୟରୁ ଜଣେ ହେଲେ ବ୍ୟବସ୍ଥା ପାଳନ କରୁ ନାହିଁ। ତୁମେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?”
ଲୋକେ ଉତ୍ତର ଦେଲେ, “ତୁମେ ଭୂତଗ୍ରସ୍ତ, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି?”
ଯୀଶୁ ସେମାନଙ୍କୁ କହିଲେ, “ମୁଁ ଗୋଟିଏ ଅଲୌକିକ କର୍ମ କଲି ବୋଲି ତୁମେମାନେ ଆଶ୍ଚର୍ୟ୍ୟାନ୍ୱିତ ହେଲ। ଅଥଚ, ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଥିବାରୁ ଯଦିବା ଏହି ବିଧିର ଉତ୍ପତ୍ତି ପ୍ରକୃତରେ ମୋଶାଙ୍କଠାରୁ ନୁହେଁ, ମାତ୍ର ପିତୃପ୍ରଧାନମାନଙ୍କଠାରୁ ତୁମେମାନେ ଶାବତବାରରେ ସୁଦ୍ଧା ଶିଶୁକୁ ସୁନ୍ନତ କରୁଛ ମୋଶାଙ୍କର ବିଧି ଯେପରି ଭଙ୍ଗ ନ ହୁଏ, ଏଥିପାଇଁ ଯଦି ଶାବତବାରରେ ଜଣେ ଶିଶୁର ସୁନ୍ନତ କ୍ରିୟା କରାଯାଇ ପାରୁଛି ତେବେ ଶାବତବାରରେ ଜଣେ ମନୁଷ୍ୟକୁ ସଂପୂର୍ଣ୍ଣଭାବେ ସୁସ୍ଥ କରିବାରୁ ମୋ ଉପରେ କାହିଁକି କ୍ରୋଧାନ୍ୱିତ ହେଉଛ? କେବଳ ବାହ୍ୟ ବିଷୟ ଦେଖି ବିଚାର କର ନାହିଁ, କିନ୍ତୁ ଯଥାର୍ଥଭାବେ ବିଚାର କର।”
ଯୀଶୁ କିଏ ଅଟନ୍ତି
ତହୁଁ ଯିରୂଶାଲମର କେତେକ ଲୋକ କହିବାକୁ ଲାଗିଲେ, “ଯାହାଙ୍କୁ ସେମାନେ ମାରିଦେବାକୁ ଚେଷ୍ଟା କରୁଛନ୍ତି ଏ କଅଣ ସେହି ନୁହନ୍ତି? ଦେଖ, ସେ ତ ପ୍ରକାଶ୍ୟରେ କଥା କହୁଛନ୍ତି, ଅଥଚ ସେମାନେ ତାଙ୍କୁ କିଛି କହୁନାହାନ୍ତି। ସେ ଖ୍ରୀଷ୍ଟ ବୋଲି ନେତୃବର୍ଗଙ୍କର କଅଣ ପ୍ରକୃତରେ ହୃଦ୍ବୋଧ ହେଲାଣି? ଖ୍ରୀଷ୍ଟ ଯେତେବେଳେ ଆସିବେ, ସେ କେଉଁଠାରୁ ଆସିବେ ତାହା କେହି ଜାଣିପାରିବ ନାହିଁ; କିନ୍ତୁ ଏ ବ୍ୟକ୍ତି କେଉଁଠାରୁ ଆସିଛନ୍ତି ତାହା ତ ଆମେ ଜାଣୁ।”
ଏହାପରେ ଯୀଶୁ, ମନ୍ଦିରପ୍ରାଙ୍ଗଣରେ ଶିକ୍ଷା ଦେଉ ଦେଉ, ଉଚ୍ଚସ୍ଵରରେ କହିଲେ, “ତା ହେଲେ, ମୁଁ କିଏ ଓ କେଉଁଠାରୁ ଆସିଛି ତାହା ତୁମ୍ଭେମାନେ ଜାଣିଛ। ମୁଁ ମୋ ନିଜ ଇଚ୍ଛାରୁ ଏଠାକୁ ଆସି ନାହିଁ, କିନ୍ତୁ ଯେ ସତ୍ୟ ସେ ମୋତେ ପଠାଇଛନ୍ତି। ତୁମ୍ଭେମାନେ ତାହାଙ୍କୁ ଜାଣ ନାହିଁ, କିନ୍ତୁ ମୁଁ ତାହାଙ୍କୁ ଜାଣେ କାରଣ ମୁଁ ତାହାଙ୍କଠାରୁ ଆସିଛି ଓ ସେ ମୋତେ ପଠାଇଛନ୍ତି।”
ଏଥିରେ ସେମାନେ ତାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ କେହି ତାଙ୍କ ଦେହରେ ହାତ ଦେଲେ ନାହିଁ, କାରଣ ତାଙ୍କର ସମୟ ଆସି ନ ଥିଲା। ତଥାପି, ଜନତା ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ। ସେମାନେ କହିଲେ, “ଏହି ବ୍ୟକ୍ତି ଯେଉଁସବୁ ଅଲୌକିକ କର୍ମ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା ଆଉ ଅଧିକ କଣ କରିବେ?”
ଲୋକମାନେ ତାହାଙ୍କ ବିଷୟରେ ଏପ୍ରକାର ଚୁପ୍ଚୁପ୍ କଥାଭାଷା ହେଉଛନ୍ତି ବୋଲି ଫାରୂଶୀମାନେ ଶୁଣିଲେ। ତହୁଁ ପ୍ରଧାନଯାଜକ ଓ ଫାରୂଶୀମାନେ ତାହାଙ୍କୁ ଗିରଫ କରିବାକୁ ମନ୍ଦିର ପ୍ରହରୀମାନଙ୍କୁ ପଠାଇଲେ।
ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଳ୍ପ ସମୟ ରହିବି, ତା ପରେ ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଚାଲି ଯିବି। ତୁମ୍ଭେମାନେ ମୋତେ ଖୋଜିବ ମାତ୍ର ପାଇବ ନାହିଁ; ଏବଂ ମୁଁ ଯେଉଁଠାରେ ଥାଏ, ତୁମ୍ଭେମାନେ ସେଠାକୁ ଯାଇପାରିବ ନାହିଁ।”
ଯିହୁଦୀମାନେ ପରସ୍ପର କୁହାକୁହି ହେଲେ, “ଏ ଲୋକ କେଉଁଠାକୁ ଚାଲିଯିବାକୁ ସଂକଳ୍ପ କରୁଛି ଯେ ଆମେ ତାକୁ ଖୋଜି ପାଇବା ନାହିଁ? ଗ୍ରୀକ୍ମାନଙ୍କ ମଧ୍ୟରେ ବିକ୍ଷିପ୍ତ ହୋଇ ବାସ କରୁଥିବା, ଆମ ଯିହୁଦୀ ଲୋକଙ୍କ ନିକଟକୁ ଯାଇ ଏ କଅଣ ଗ୍ରୀକ ଲୋକମାନଙ୍କୁ ଶିକ୍ଷାଦେବାକୁ ଯାଉଛି? ‘ତୁମେମାନେ ମୋତେ ଖୋଜିବ, କିନ୍ତୁ ପାଇବ ନାହିଁ,’ ଏବଂ ‘ମୁଁ ଯେଉଁଠାରେ ଥାଏ, ତୁମେମାନେ ସେଠାକୁ ଯାଇପାରିବ ନାହିଁ’?” ତାହାର ଏହି କଥାର ଅର୍ଥ କଣ।
ପର୍ବର ଶେଷ ଓ ପ୍ରଧାନ ଦିବସରେ, ଯୀଶୁ ଠିଆ ହୋଇ ଉଚ୍ଚସ୍ଵରରେ କହିଲେ, “କେହି ଯଦି ତୃଷିତ ସେ ମୋ ନିକଟକୁ ଆସି ପାନ କରୁ। ଯେକେହି ମୋ ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରବାକ୍ୟ ଅନୁସାରେ, ତା ଅନ୍ତରରୁ ଅମୃତ ଜଳର ନିର୍ଝର ପ୍ରବାହିତ ହେଉଥିବ।” ତାହାଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନେ ପରେ ଯେଉଁ ଆତ୍ମାଙ୍କୁ ଲାଭ କରିବେ, ସେହି ଆତ୍ମାଙ୍କ ସମ୍ବନ୍ଧରେ ସେ ଏହା କହିଥିଲେ। ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ, ସେ ସମୟ ପର୍ଯ୍ୟନ୍ତ ଆତ୍ମା ଦତ୍ତ ହୋଇ ନ ଥିଲେ।
ତାହାଙ୍କ କଥା ଶୁଣି, ଲୋକଙ୍କ ମଧ୍ୟରୁ କେତେଜଣ କହିଲେ, “ଏହି ବ୍ୟକ୍ତି ନିଶ୍ଚୟ ସେହି ଭାବବାଦୀ।”
ଅନ୍ୟମାନେ କହିଲେ, “ଏ ହେଉଛନ୍ତି ଖ୍ରୀଷ୍ଟ।”
ଆଉ କେହି କେହି କହିଲେ, “ଖ୍ରୀଷ୍ଟ କିପରି ଗାଲିଲୀରୁ ଆସିବେ? ଧର୍ମଶାସ୍ତ୍ରର ଉକ୍ତି ଅନୁଯାୟୀ, ଖ୍ରୀଷ୍ଟ କଅଣ ଦାଉଦ ବଂଶରୁ ଏବଂ ଦାଉଦଙ୍କ ବାସସ୍ଥାନ ବେଥଲିହିମ ସହରରୁ ଆସିବେ ନାହିଁ?” ଏହିରୂପେ ଯୀଶୁଙ୍କ ହେତୁ ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି ହେଲା। କେହି କେହି ତାଙ୍କୁ ଧରିବାକୁ ଚାହୁଁଥିଲେ, କିନ୍ତୁ କେହି ତାଙ୍କ ଦେହରେ ହାତ ଦେଲେ ନାହିଁ।
ଅବଶେଷରେ ମନ୍ଦିରର ପ୍ରହରୀମାନେ ପ୍ରଧାନଯାଜକ ଓ ଫାରୂଶୀମାନଙ୍କ ନିକଟକୁ ଫେରିଗଲେ, ସେମାନେ ପ୍ରହରୀମାନଙ୍କୁ ପଚାରିଲେ, “ତୁମେମାନେ କାହିଁକି ତାଙ୍କୁ ଧରି ଆଣିଲ ନାହିଁ?”
ପ୍ରହରୀମାନେ କହିଲେ। “ଏହି ବ୍ୟକ୍ତି ଯେଉଁ ପ୍ରକାରେ ଶିକ୍ଷା ଦେଉଛନ୍ତି ଆଉ କେହି କେବେ ସେ ପ୍ରକାରେ ଦେଇ ନାହିଁ।”
ଫାରୂଶୀମାନେ କଠୋର ଭାବରେ ଉତ୍ତର ଦେଇ କହିଲେ। “ତା ହେଲେ ସେ କଅଣ ତୁମ୍ଭମାନଙ୍କୁ ମଧ୍ୟ ବିଭ୍ରାନ୍ତ କରିଦେଲା?” “କର୍ତ୍ତୃପକ୍ଷ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କେହି କଅଣ ତା ଠାରେ ବିଶ୍ୱାସ ରଖିଛି? ନା! ମାତ୍ର ଏଇ ଇତର ଲୋକଗୁଡ଼ାକ ଯେଉଁମାନେ ବିଧିବ୍ୟବସ୍ଥା ସମ୍ବନ୍ଧରେ କିଛି ଜାଣନ୍ତି ନାହିଁ ସେମାନେ ତ ଅଭୀଶପ୍ତ।”
ସେଥିରେ ସେମାନଙ୍କ ନିଜ ଦଳର ନୀକଦୀମ ନାମକ ଜଣେବ୍ୟକ୍ତି ଯେ କି ପୂର୍ବରୁ ଯୀଶୁଙ୍କ ନିକଟକୁ ଯାଇଥିଲେ, ସେ ପଚାରିଲେ, “କୌଣସି ଲୋକର କାର୍ଯ୍ୟକଳାପ ଅନୁସନ୍ଧନ ନ କରି ଏବଂ ତାହାର ବକ୍ତବ୍ୟ ନ ଶୁଣି ଆମର ବିଧିବ୍ୟବସ୍ଥା କଅଣ ତାକୁ ଦୋଷୀ ସାବ୍ୟସ୍ତ କରେ?”
ସେମାନେ ଉତ୍ତର ଦେଲେ, “ତୁମେ ମଧ୍ୟ କଅଣ ଗାଲିଲୀର ଲୋକ? ଅନୁସନ୍ଧନ କରି ଦେଖ, ଗାଲିଲୀରୁ କୌଣସି ଭାବବାଦୀର ଉଦ୍ଭବ ହୁଏ ନାହିଁ ବୋଲି ତୁମେ ଜାଣିବ।”
ଏହାପରେ ସେମାନେ ଯେ ଯାହାର ଘରକୁ ଚାଲିଗଲେ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.