Skip to content
BibleKenya

Biblica® Open Odia Contemporary Bible

ଯୋହନ 6

ପାଞ୍ଚ ରୋଟୀ ଓ ଦୁଇ ମାଛ

ଏହାର କିଛିକାଳ ପରେ, ଯୀଶୁ ଗାଲିଲୀ ହ୍ରଦ ଅର୍ଥାତ୍, ତିବିରିଆ ହ୍ରଦ ପାରି ହୋଇ ଅପରପାର୍ଶ୍ୱକୁ ଗଲେ, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଗଲେ କାରଣ ସେ ରୋଗୀମାନଙ୍କଠାରେ ଯେଉଁ ଅଲୌକିକ କର୍ମ ସାଧନ କରିଥିଲେ ତାହା ସେମାନେ ଦେଖିଥିଲେ। ତତ୍ପରେ ଯୀଶୁ ଏକ ପାହାଡ଼ ଉପରକୁ ଯାଇ ଶିଷ୍ୟମାନଙ୍କ ସହିତ ବସିଲେ। ସେତେବେଳେ ଯିହୁଦୀମାନଙ୍କର ନିସ୍ତାର ପର୍ବ ପାଖେଇ ଆସୁଥିଲା।

ଏକ ବିରାଟ ଜନତା ତାଙ୍କ ଆଡ଼କୁ ଆସୁଥିବାର ଦେଖି, ଯୀଶୁ ଫିଲିପଙ୍କୁ କହିଲେ, “ଏହି ଲୋକମାନଙ୍କର ଭୋଜନ ପାଇଁ ଆମେ କେଉଁଠାରୁ ରୋଟୀ କିଣିବା?” ସେ ଫିଲିପଙ୍କୁ କେବଳ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା ପଚାରିଲେ, କାରଣ ସେ କଅଣ କରିବାକୁ ଯାଉଥିଲେ ତାହା ତାଙ୍କ ମନରେ ଥିଲା।

ଫିଲିପ ତାଙ୍କୁ ଉତ୍ତର ଦେଲେ, “ପ୍ରତ୍ୟେକ ଜଣକୁ ଟିକିଏ ପାଇବାକୁ ହେଲେ ମଧ୍ୟ ଦୁଇଶହ ଦୀନାର ମୂଲ୍ୟର ରୋଟୀ ଏମାନଙ୍କ ପାଇଁ ଯଥେଷ୍ଟ ହେବ ନାହିଁ!”

ଯୀଶୁଙ୍କର ଅନ୍ୟ ଜଣେ ଶିଷ୍ୟ, ଶିମୋନ ପିତରଙ୍କ ଭାଇ, ଆନ୍ଦ୍ରିୟ କହିଲେ, “ଏଠାରେ ଜଣେ ବାଳକ ଅଛି ତା ପାଖେ ପାଞ୍ଚୋଟି ଯବ ରୋଟୀ ଓ ଦୁଇଟି ଛୋଟ ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଅବା କଅଣ?”

ଯୀଶୁ କହିଲେ, “ଲୋକମାନଙ୍କୁ ବସାଅ।” ସେହି ସ୍ଥାନରେ ଯଥେଷ୍ଟ ଘାସ ଥିଲା, ଏବଂ ଯେଉଁମାନେ ବସିଲେ ସେହି ପୁରୁଷମାନଙ୍କ ସଂଖ୍ୟା ପ୍ରାୟ ପାଞ୍ଚହଜାର ଥିଲା। ତା ପରେ ଯୀଶୁ ରୋଟୀଗୁଡ଼ିକ ନେଇ, ଧନ୍ୟବାଦ ଦେଲେ, ଓ ବସିଥିବା ଲୋକଙ୍କ ମଧ୍ୟରେ ବାଣ୍ଟି ଦେଲେ। ମାଛକୁ ମଧ୍ୟ ସେହିପରି ବାଣ୍ଟି ଦେଲେ ଓ ଯିଏ ଯେତେ ଚାହିଁଲା ସେତେ ଦିଆଗଲା।

ସେମାନେ ସମସ୍ତେ ଯଥେଷ୍ଟ ଭୋଜନ କଲାପରେ, ସେ ନିଜର ଶିଷ୍ୟମାନଙ୍କୁ କହିଲେ, “ବଳକା ଖଣ୍ଡଗୁଡ଼ିକ ସଂଗ୍ରହ କର, କିଛି ନଷ୍ଟ ହେବାକୁ ଦିଅ ନାହିଁ।” ତେଣୁ ସେମାନେ ସଂଗ୍ରହ କଲେ ଏବଂ ଲୋକେ ଖାଇବା ପରେ ପାଞ୍ଚ ଯବରୋଟୀର ଯେଉଁ ବଳକା ଖଣ୍ଡଗୁଡ଼ିକ ଥିଲା ସେଥିରେ ବାର ଟୋକାଇ ପୂର୍ଣ୍ଣ କଲେ।

ଯୀଶୁଙ୍କ ଦ୍ଵାରା ସାଧିତ ଏହି ଅଲୌକିକ କର୍ମ ଦେଖିବା ପରେ, ଲୋକମାନେ କହିବାକୁ ଲାଗିଲେ, “ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା ଏ ନିଶ୍ଚୟ ସେହି।” ଲୋକମାନେ ଆସି ବଳପୂର୍ବକ ତାହାଙ୍କୁ ରାଜା କରିବାକୁ ସଂକଳ୍ପ କରୁଛନ୍ତି ବୋଲି ଜାଣିପାରି, ଯୀଶୁ, ଏକାକୀ ପାହାଡ଼ ଅଞ୍ଚଳକୁ ବାହାରିଗଲେ।

ଯୀଶୁ ହ୍ରଦ ଉପରେ ଚାଲିଲେ

ଯେତେବେଳେ ସନ୍ଧ୍ୟା ହେଲା, ତାଙ୍କର ଶିଷ୍ୟମାନେ ହ୍ରଦକୂଳକୁ ଗଲେ, ସେଠାରେ ସେମାନେ ଗୋଟିଏ ନୌକାରେ ଚଢ଼ି ହ୍ରଦ ଆରପାରିରେ କଫର୍ନାହୁମକୁ ଯାତ୍ରା କଲେ। ସେତେବେଳକୁ ଅନ୍ଧାର ହୋଇ ଯାଇଥିଲା, ଏବଂ ଯୀଶୁ ସେମାନଙ୍କ ନିକଟକୁ ଯାଇ ନ ଥିଲେ। ପ୍ରବଳ ବେଗରେ ପବନ ବହି ବଡ଼ ବଡ଼ ଲହରୀ ଉଠିଲା। ସେମାନେ ନୌକା ବାହି ପାଞ୍ଚ ବା ଛଅ କିଲୋମିଟର (ମାଇଲ) ଯାଇଥିଲେ, ସେତିକିବେଳେ ସେମାନେ ଦେଖିଲେ ଯୀଶୁ ଜଳ ଉପରେ ଚାଲି ଚାଲି, ନୌକା ଆଡ଼କୁ ଆସୁଛନ୍ତି; ସେମାନେ ଭୀତତ୍ରସ୍ତ ହୋଇପଡ଼ିଲେ। କିନ୍ତୁ ସେ ସେମାନଙ୍କୁ କହିଲେ, “ଏ ତ ମୁଁ; ଭୟ କର ନାହିଁ।” ତହୁଁ ସେମାନେ ତାଙ୍କୁ ନୌକାରେ ନେବାକୁ ଇଚ୍ଛା କଲେ, ଏବଂ ସଙ୍ଗେସଙ୍ଗେ ନୌକାଟି ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ଯାଇ ପହଞ୍ଚିଲା।

ପରବର୍ତ୍ତୀ ଦିନ ଯେଉଁ ଲୋକମାନେ ହ୍ରଦର ଆରପାରିରେ ରହି ଯାଇଥିଲେ ସେମାନେ ବୁଝୀପାରିଲେ ଯେ ସେଠାରେ କେବଳ ଗୋଟିଏମାତ୍ର ନୌକା ଥିଲା, ଏବଂ ଯୀଶୁ ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ନ ଥିଲେ, କେବଳ ଶିଷ୍ୟମାନେ ଚାଲି ଯାଇଥିଲେ। ଏହାପରେ ଯେଉଁ ସ୍ଥାନରେ ପ୍ରଭୁ ଧନ୍ୟବାଦ ଦେଲା ପରେ ଲୋକମାନେ ରୋଟୀ ଭୋଜନ କରିଥିଲେ ତାହାର ନିକଟବର୍ତ୍ତୀ ସ୍ଥାନରେ ତିବିରିଆରୁ କେତେକ ନୌକା ଆସି କୂଳରେ ଲାଗିଲା। ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ସେଠାରେ ନାହାନ୍ତି ବୋଲି ଲୋକମାନେ ଜାଣିଲା ପରେ, ସେମାନେ ସେହି ନୌକାଗୁଡ଼ିକରେ ଚଢ଼ି ଯୀଶୁଙ୍କ ସନ୍ଧାନରେ କଫର୍ନାହୁମକୁ ଗଲେ।

ଯୀଶୁ ଜୀବନଦାୟକ ଆହାର

ହ୍ରଦର ଅପର ପାରିରେ ସେମାନେ ଯୀଶୁଙ୍କର ଦେଖା ପାଇ, ପଚାରିଲେ, “ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ?”

ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତୁମେମାନେ ଅଲୌକିକ କର୍ମସବୁ ଦେଖିଥିବାରୁ ଯେ ମୋତେ ଖୋଜୁଛ ତା ନୁହେଁ, ମାତ୍ର ରୋଟୀ ଭୋଜନ କରି ତୃପ୍ତ ହୋଇଥିବାରୁ ମୋତେ ଖୋଜୁଛ। ଯେଉଁ ଖାଦ୍ୟ ନଶ୍ୱର ତା ପାଇଁ ପରିଶ୍ରମ କର ନାହିଁ, ବରଂ ଯେଉଁ ଖାଦ୍ୟ ଅବିନଶ୍ୱର ଓ ଅନନ୍ତଜୀବନ ଦାୟକ ତା ପାଇଁ ପରିଶ୍ରମ କର, ଏହି ଖାଦ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ। କାରଣ ତାହାଙ୍କ ଉପରେ ପିତା ଈଶ୍ୱର ନିଜ ଅଧିକାରର ମୁଦ୍ରାଙ୍କ ଦେଇଛନ୍ତି।”

ଏଉତ୍ତାରେ ସେମାନେ ତାହାଙ୍କୁ ପଚାରିଲେ, “ଈଶ୍ୱରଙ୍କ ଇଚ୍ଛାନୁରୂପ କାର୍ଯ୍ୟ କରିବାକୁ ହେଲେ ଆମକୁ କଅଣ କରିବାକୁ ହେବ?”

ଯୀଶୁ ଉତ୍ତର ଦେଲେ, “ସେ ଯାହାଙ୍କୁ ପ୍ରେରଣ କରିଛନ୍ତି: ତାହାଙ୍କୁ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ କାର୍ଯ୍ୟ।”

ତେଣୁ ସେମାନେ ତାହାଙ୍କୁ ପଚାରିଲେ, “ଆପଣ କେଉଁ ଅଲୌକିକ ଚିହ୍ନ ଦେବେ ଯାହା ଦେଖି ଆମେ ଆପଣଙ୍କୁ ବିଶ୍ୱାସ କରିପାରିବୁ? ଆପଣ କଅଣ କରିବେ? ଆମର ପୂର୍ବପୁରୁଷମାନେ ମରୁପ୍ରାନ୍ତରରେ ମାନ୍ନା ଭୋଜନ କରିଥିଲେ; କାରଣ ଏହିପରି ଲେଖାଅଛି: ‘ଭୋଜନ କରିବା ପାଇଁ ସେ ସେମାନଙ୍କୁ ସ୍ଵର୍ଗରୁ ଆହାର ଦେଲେ।’ ”

ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମୋଶା ତୁମ୍ଭମାନଙ୍କୁ ସ୍ଵର୍ଗରୁ ଆହାର ଦେଇ ନ ଥିଲେ, କିନ୍ତୁ ଯେ ତୁମ୍ଭମାନଙ୍କୁ ସ୍ଵର୍ଗରୁ ପ୍ରକୃତ ଆହାର ଦିଅନ୍ତି ସେ ମୋର ପିତା। କାରଣ ଯେ ସ୍ଵର୍ଗରୁ ଅବତୀର୍ଣ୍ଣ ହୋଇ ଜଗତକୁ ଜୀବନ ଦିଅନ୍ତି ସେ ହେଉଛନ୍ତି ଈଶ୍ୱରଦତ୍ତ ଆହାର।”

ସେମାନେ କହିଲେ, “ମହାଶୟ,” ଏବେଠାରୁ ଆମକୁ ସେହି ଆହାର ଦିଅନ୍ତୁ।

ତତ୍ପରେ ଯୀଶୁ ଘୋଷଣା କରି କହିଲେ, “ମୁଁ ହିଁ ଜୀବନଦାୟକ ଆହାର। ଯେ ମୋ ନିକଟକୁ ଆସେ ସେ କେବେ କ୍ଷୁଧିତ ହେବ ନାହିଁ, ଏବଂ ଯେ ମୋ ଠାରେ ବିଶ୍ୱାସ କରେ ସେ କେବେ ତୃଷିତ ହେବ ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ ଯେପରି କହିଛି, ତୁମେମାନେ ମୋତେ ଦେଖୁଛ ତଥାପି ବିଶ୍ୱାସ କରୁ ନାହଁ। ପିତା ମୋତେ ଯେଉଁ ସମସ୍ତଙ୍କୁ ଦିଅନ୍ତି ସେମାନେ ମୋ ନିକଟକୁ ଆସିବେ, ଏବଂ ଯେକେହି ମୋ ନିକଟକୁ ଆସେ ମୁଁ ତାକୁ କେବେହେଲେ ଦୂର କରିଦେବି ନାହିଁ। କାରଣ ମୋ ନିଜର ଇଚ୍ଛା ସାଧନ କରିବାକୁ ମୁଁ ସ୍ଵର୍ଗରୁ ଆସି ନାହିଁ ମାତ୍ର ମୋତେ ଯେ ପଠାଇଛନ୍ତି ତାହାଙ୍କ ଇଚ୍ଛା ସାଧନ କରିବାକୁ ଆସିଛି। ପୁଣି ସେ ମୋତେ ଯେଉଁ ସମସ୍ତଙ୍କୁ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣକୁ ସୁଦ୍ଧା ମୁଁ ଯେପରି ନ ହରାଏ, ମାତ୍ର ଶେଷ ଦିନରେ ତାହାକୁ ଉତ୍‌ଥାପିତ କରାଏ ଏହା ହିଁ ମୋର ପ୍ରେରଣକର୍ତ୍ତାଙ୍କର ଇଚ୍ଛା। କାରଣ ଯେକେହି ପୁତ୍ରଙ୍କ ପ୍ରତି ଦୃଷ୍ଚିପାତ କରି ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କରେ ସେ ଯେପରି ଅନନ୍ତଜୀବନ ପାଇବ, ଓ ମୁଁ ତାକୁ ଶେଷ ଦିନରେ ଉତ୍‌ଥାପିତ କରିବି ଏହା ହିଁ ମୋର ପିତାଙ୍କର ଇଚ୍ଛା।”

“ମୁଁ ସ୍ଵର୍ଗରୁ ଆଗତ ଆହାର।” ସେ ଏହି କଥା କହିଥିବାରୁ ଯିହୁଦୀମାନେ ବିରକ୍ତି ପ୍ରକାଶ କରିବାକୁ ଲାଗିଲେ, ସେମାନେ କହିଲେ, “ଏ କଅଣ ଯୋସେଫର ପୁତ୍ର, ଯୀଶୁ ନୁହେଁ, ତାହାର ପିତାମାତାଙ୍କୁ ଆମେ କଅଣ ଜାଣି ନାହୁଁ? ତା ହେଲେ ‘ମୁଁ ସ୍ଵର୍ଗରୁ ଆସିଛି’?” ବୋଲି ଏବେ ସେ କିପରି କହିପାରୁଛି।

ଯୀଶୁ ଉତ୍ତର ଦେଲେ, “ତୁମେମାନେ ଯେଉଁ ବିରକ୍ତି ଭାବ ପ୍ରକାଶ କରୁଛ ତାହା ଦୂର କର, ମୋର ପ୍ରେରଣକର୍ତ୍ତା ପିତା ଆକର୍ଷଣ ନ କଲେ କେହି ମୋ ନିକଟକୁ ଆସିପାରେ ନାହିଁ, ଏବଂ ମୁଁ ତାକୁ ଶେଷ ଦିନରେ ଉତ୍‌ଥାପିତ କରିବି। ଭାବବାଦୀମାନଙ୍କ ପୁସ୍ତକରେ ଲେଖାଅଛି: ‘ସେମାନେ ସମସ୍ତେ ଈଶ୍ୱରଙ୍କ ଦ୍ଵାରା ଶିକ୍ଷା ଲାଭ କରିବେ।’ ଯେକେହି ପିତାଙ୍କ ପ୍ରତି କର୍ଣ୍ଣପାତ କରେ ଓ ତାହାଙ୍କଠାରୁ ଶିକ୍ଷା ଲାଭ କରେ ସେ ମୋ ନିକଟକୁ ଆସେ। ଯେ ଈଶ୍ୱରଙ୍କଠାରୁ ଆଗତ ତାହାଙ୍କ ବିନା ଆଉ କେହି ପିତାଙ୍କୁ ଦେଖିନାହିଁ; କେବଳ ସେ ଦେଖିଛନ୍ତି। ମୁଁ ତୁମକୁ ସତ୍ୟ କହୁଛି, ଯେ ମୋ ଠାରେ ବିଶ୍ୱାସ କରେ ସେ ଅନନ୍ତଜୀବନର ଅଧିକାରୀ ହୋଇଛି। ମୁଁ ଜୀବନଦାୟକ ଆହାର। ତୁମର ପୂର୍ବପୁରୁଷମାନେ ମରୁପ୍ରାନ୍ତରରେ ମାନ୍ନା ଭୋଜନ କଲେ, ତଥାପି ସେମାନେ ମୃତ୍ୟୁଭୋଗ କଲେ। କିନ୍ତୁ ଏହି ଆହାର ସ୍ଵର୍ଗରୁ ଅବତୀର୍ଣ୍ଣ, ଏହାକୁ ଭୋଜନ କଲେ ମନୁଷ୍ୟ ମୃତ୍ୟୁଭୋଗ କରିବ ନାହିଁ। ମୁଁ ହେଉଛି ସ୍ଵର୍ଗରୁ ଅବତୀର୍ଣ୍ଣ ସେହି ଅମୃତ ଆହାର। ଏହି ଆହାର ଭୋଜନ କଲେ ମନୁଷ୍ୟ ଚିରକାଳ ଚିରଞ୍ଜୀବୀ ହୁଏ। ଏହି ଆହାର ମୋର ମାଂସ, ଜଗତର ଜୀବନ ନିମନ୍ତେ ମୁଁ ଏହା ଦେବି।”

ତତ୍ପରେ ଯିହୁଦୀମାନେ ନିଜ ନିଜ ମଧ୍ୟରେ ଦୃଢ଼ ବାଦପ୍ରତିବାଦ କରି କହିବାକୁ ଲାଗିଲେ, “ଏହି ଲୋକ କିପରି ଆମକୁ ଆପଣାର ମାଂସ ଭୋଜନ କରିବାକୁ ଦେଇପାରେ?”

ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କର ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ। ଯେକେହି ମୋର ମାଂସ ଭୋଜନ କରେ ଓ ମୋର ରକ୍ତ ପାନ କରେ, ସେ ଅନନ୍ତଜୀବନର ଅଧିକାରୀ ହୁଏ ଏବଂ ମୁଁ ତାକୁ ଶେଷ ଦିନରେ ଉତ୍‌ଥାପିତ କରିବି। କାରଣ ମୋର ମାଂସ ପ୍ରକୃତ ଆହାର ଓ ମୋର ରକ୍ତ ପ୍ରକୃତ ପେୟ। ଯେକେହି ମୋର ମାଂସ ଭୋଜନ କରେ ଏବଂ ମୋର ରକ୍ତ ପାନ କରେ ସେ ମୋ ଠାରେ, ଓ ମୁଁ ତା ଠାରେ ଥାଏ। ମୋତେ ଯେପରି ନିତ୍ୟଜୀବୀ ପିତା ପଠାଇଛନ୍ତି ଏବଂ ପିତାଙ୍କ ହେତୁ ମୁଁ ଯେପରି ଜୀବିତ, ଠିକ ସେହିପରି ମୁଁ ଯାହାର ଆହାର ସେ ମୋ ହେତୁ ଜୀବିତ ରହିବ। ଏହା ହେଉଛି ସ୍ଵର୍ଗରୁ ଆଗତ ସେହି ଆହାର। ଆମ ପୂର୍ବପୁରୁଷମାନେ ଯାହା ଭୋଜନ କଲେ ଓ ମୃତ୍ୟୁଭୋଗ କଲେ, ଏହା ସେପରି ନୁହେଁ କିନ୍ତୁ ଏହି ଆହାର ଯେ ଭୋଜନ କରେ ସେ ଚିରକାଳ ଚିରଞ୍ଜୀବୀ ହୁଏ” କଫର୍ନାହୁମର ଉପାସନାଗୃହରେ ଶିକ୍ଷା ଦେଉଥିଲା ବେଳେ ସେ ଏହା କହିଥିଲେ।

ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହେଲେ

ତାହା ଶୁଣି, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ କହିଲେ, “ଏହା ଏକ କଠିନ ଶିକ୍ଷା, କିଏ ଏହା ଗ୍ରହଣ କରିପାରେ?”

ତାହାଙ୍କର ଶିଷ୍ୟମାନେ ଯେ ସେହି ବିଷୟରେ ବିରକ୍ତି ପ୍ରକାଶ କରୁଛନ୍ତି, ତାହା ଜାଣି ଯୀଶୁ ସେମାନଙ୍କୁ କହିଲେ, “ଏହା କଅଣ ତୁମର ବାଧାର କାରଣ ହେଉଛି? ତା ହେଲେ ମନୁଷ୍ୟପୁତ୍ର ଯେଉଁ ସ୍ଥାନରେ ଥିଲେ ସେଠାକୁ ଊର୍ଦ୍ଧ୍ୱଗମନ କରିବା ଦେଖିଲେ ତୁମ୍ଭେମାନେ କଣ କରିବ! ଆତ୍ମା ଜୀବନ ଦାନ କରନ୍ତି; ଶରୀର ମୂଲ୍ୟହୀନ। ମୁଁ ତୁମ୍ଭମାନଙ୍କୁ ଯେଉଁସବୁ ବାକ୍ୟ କହିଅଛି ସେହିସବୁ ଆତ୍ମା ଓ ଜୀବନ। ତଥାପି ତୁମ୍ଭମାନଙ୍କମଧ୍ୟରୁ କେତେଜଣ ବିଶ୍ୱାସ କରୁନାହାନ୍ତି।” କାରଣ କେଉଁମାନେ ବିଶ୍ୱାସ କରୁ ନ ଥିଲେ ଓ କିଏ ତାହାଙ୍କ ପ୍ରତି ବିଶ୍ୱାସଘାତକତା କରିବ ତାହା ଯୀଶୁ ଆରମ୍ଭରୁ ଜାଣିଥିଲେ। ସେ ଆହୁରି କହିବାକୁ ଲାଗିଲେ, “ଏହି କାରଣରୁ ମୁଁ ତୁମ୍ଭମାନଙ୍କୁ କହିଥିଲି ଯେ ପିତା ସାମର୍ଥ୍ୟ ନ ଦେଲେ କେହି ମୋ ନିକଟକୁ ଆସିପାରେ ନାହିଁ।”

ସେହି ସମୟରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ଆଉ ତାହାଙ୍କର ଅନୁଗମନ କଲେ ନାହିଁ।

ଯୀଶୁ ଦ୍ଵାଦଶ ଶିଷ୍ୟଙ୍କୁ ପଚାରିଲେ। “ତୁମେମାନେ ମଧ୍ୟ କଅଣ ଛାଡ଼ି, ଚାଲିଯିବାକୁ ଇଚ୍ଛା କରୁଛ?”

ଶିମୋନ ପିତର ତାହାଙ୍କୁ ଉତ୍ତର କଲେ, “ପ୍ରଭୁ, ଆମେ କାହା ନିକଟକୁ ଯିବୁ? ଆପଣଙ୍କ ନିକଟରେ ତ ଅନନ୍ତଜୀବନର ବାକ୍ୟ ଅଛି। ଆମେ ବିଶ୍ୱାସ କରୁ ଓ ଜାଣୁ ଯେ ଆପଣ ହିଁ ଈଶ୍ୱରଙ୍କ ପବିତ୍ର ଜନ।”

ତତ୍ପରେ ଯୀଶୁ ଉତ୍ତର ଦେଲେ, “ମୁଁ କଅଣ ତୁମ ବାରଜଣଙ୍କୁ ମନୋନୀତ କରି ନାହିଁ? ତଥାପି ତୁମ ମଧ୍ୟରୁ ଜଣେ ଶୟତାନ!” ସେ ଶିମୋନ ଇଷ୍କାରିୟୋଥର ପୁତ୍ର ଯିହୁଦା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ଦ୍ଵାଦଶ ଶିଷ୍ୟଙ୍କ ମଧ୍ୟରୁ ଜଣେ ହେଲେ ସୁଦ୍ଧା ଯିହୁଦା ପରେ ତାହାଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲା।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.