Biblica® Open Odia Contemporary Bible
ଯୋହନ 4
ଯୀଶୁ ଓ ଶମିରୋଣୀୟା ସ୍ତ୍ରୀ
ଯୀଶୁ ଯୋହନଙ୍କ ଅପେକ୍ଷା ଅଧିକ ସଂଖ୍ୟକ ଲୋକଙ୍କୁ ଶିଷ୍ୟ କରୁଅଛନ୍ତି ଓ ଡୁବନ ଦେଉଛନ୍ତି ବୋଲି ଫାରୂଶୀମାନେ ଶୁଣିଲେ; କିନ୍ତୁ ଯୀଶୁ ନିଜେ ଯେ ଡୁବନ ଦେଉଥିଲେ ତା ନୁହେଁ, ତାହାଙ୍କର ଶିଷ୍ୟମାନେ ଦେଉଥିଲେ। ପ୍ରଭୁ ଯେତେବେଳେ ଏହା ଶୁଣିଲେ ସେ ଯିହୁଦା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ଚାଲିଗଲେ।
ତାହାଙ୍କୁ ଶମରିଆ ମଧ୍ୟଦେଇ ଯିବାକୁ ପଡ଼ିଲା। ସେ ଶମରିଆର ସୁଖାର ନାମକ ଗୋଟିଏ ସହରରେ ପହଞ୍ଚିଲେ, ଏହା ଯାକୁବ ନିଜର ପୁତ୍ର ଯୋସେଫଙ୍କୁ ଦେଇଥିବା ଜମି ନିକଟରେ ଥିଲା। ସେଠାରେ ଯାକୁବଙ୍କ କୂପ ଥିଲା, ଏବଂ ଯୀଶୁ, ପଥଶ୍ରାନ୍ତ ହୋଇଥିବାରୁ, ସେହି କୂପ ନିକଟରେ ବସିଲେ। ସେତେବେଳେ ପ୍ରାୟ ମଧ୍ୟାହ୍ନ ସମୟ।
ସେହି ସମୟରେ ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବାକୁ ଆସିଲା, ଯୀଶୁ ତାକୁ କହିଲେ, “ମୋତେ ପାଣି ଟିକେ ପିଇବାକୁ ଦିଅ।” ସେତେବେଳେ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବାକୁ ସହର ଭିତରକୁ ଯାଇଥିଲେ।
ସେହି ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, “ଆପଣ ଜଣେ ଯିହୁଦୀ ଓ ମୁଁ ଜଣେ ଶମିରୋଣୀୟା ସ୍ତ୍ରୀ। ଆପଣ କିପରି ମୋ ହାତରୁ ପାଣି ପିଇବାକୁ ମାଗୁଛନ୍ତି?” କାରଣ ଯିହୁଦୀମାନେ ଶମିରୋଣୀୟମାନଙ୍କ ସହିତ ମିଳାମିଶା କରନ୍ତି ନାହିଁ।
ଯୀଶୁ ତାକୁ ଉତ୍ତର ଦେଲେ, “ଈଶ୍ୱରଙ୍କ ଦାନ କଅଣ ଓ କିଏ ତୁମକୁ ପାଣି ପିଇବାକୁ ମାଗୁଛନ୍ତି ତାହା ଯଦି ତୁମେ ଜାଣିଥାଆନ୍ତ, ତେବେ ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନଦାୟକ ଜଳ ଦିଅନ୍ତେ।”
ସେହି ସ୍ତ୍ରୀଲୋକ କହିଲା, “ମହାଶୟ,” ପାଣି କାଢ଼ିବାକୁ ଆପଣଙ୍କ ପାଖରେ ବାଲଟି ବା କିଛି ନାହିଁ ପୁଣି ଏହି କୂପ ତ ଗଭୀର। ଆପଣ କେଉଁଠାରୁ ଏହି ଜୀବନଦାୟକ ଜଳ ପାଇବେ? ଆମର ଯେଉଁ ପିତୃପୁରୁଷ ଯାକୁବ ଆମକୁ ଏହି କୂପ ଦେଇଛନ୍ତି, ଓ ନିଜେ ପୁଣି ତାଙ୍କର ପୁତ୍ରମାନେ ତଥା ଗୋମେଷାଦି ପଲ ଏଥିରୁ ପାନ କରିଥିଲେ, ଆପଣ କଅଣ ତାଙ୍କଠାରୁ ମହାନ୍?
ଯୀଶୁ ଉତ୍ତର ଦେଲେ, “ଯେକେହି ଏହି ଜଳ ପାନ କରେ ସେ ପୁନର୍ବାର ତୃଷିତ ହେବ, କିନ୍ତୁ ମୁଁ ଯେଉଁ ଜଳ ଦିଏ ତାହା ଯିଏ ପାନ କରେ ସେ କେବେହେଲେ ତୃଷିତ ହେବ ନାହିଁ। ବରଞ୍ଚ, ମୁଁ ତାକୁ ଯେଉଁ ଜଳ ଦିଏ ସେହି ଜଳ ତା ମଧ୍ୟରେ ନିର୍ଝର ସ୍ଵରୂପ ହୋଇ ଅନନ୍ତ ଜୀବନକୁ ଉଚ୍ଛୁଳି ଉଠୁଥିବ।”
ସେହି ସ୍ତ୍ରୀଲୋକ ତାଙ୍କୁ କହିଲା, “ମହାଶୟ, ମୁଁ ଯେପରି ତୃଷାର୍ତ୍ତ ହେବି ନାହିଁ ଏବଂ ମୋତେ ଯେପରି ପାଣି କାଢ଼ିବା ପାଇଁ ଥରକୁ ଥର ଏଠାକୁ ଆସିବାକୁ ପଡ଼ିବ ନାହିଁ ସେଥିପାଇଁ ମୋତେ ଏହି ଜଳ ଦିଅନ୍ତୁ।”
ଯୀଶୁ ତାହାକୁ କହିଲେ, “ଯାଅ, ତୁମର ସ୍ୱାମୀକୁ ଡାକି ଏଠାକୁ ଆସ।”
ସ୍ତ୍ରୀଲୋକଟି କହିଲା, “ମୋର ସ୍ୱାମୀ କେହି ନାହିଁ।”
ଯୀଶୁ ତାକୁ କହିଲେ, “ତୁମର ସ୍ୱାମୀ କେହି ନାହିଁ ବୋଲି ଯାହା କହିଲ ତାହା ଠିକ କଥା। ପ୍ରକୃତରେ, ତୁମର ପାଞ୍ଚ ସ୍ୱାମୀ ଥିଲେ, ଓ ବର୍ତ୍ତମାନ ଯେଉଁ ପୁରୁଷ ତୁମ ପାଖେ ରହିଛ ସେ ତୁମର ସ୍ୱାମୀ ନୁହେଁ। ଏବେ ଯାହା କହିଲ ତାହା ସତ କଥା।”
ସେହି ସ୍ତ୍ରୀଲୋକ କହିଲା, “ମହାଶୟ,” ଆପଣ ଯେ ଜଣେ ଭାବବାଦୀ “ଏହା ମୁଁ ଜାଣିପାରୁଛି। ଆମର ପୂର୍ବପୁରୁଷମାନେ ଏହି ପର୍ବତରେ ଆରାଧନା କରୁଥିଲେ, କିନ୍ତୁ ଆପଣମାନେ ଅର୍ଥାତ୍, ଯିହୁଦୀମାନେ କହନ୍ତି ଯେ ଆମେ ଯେଉଁ ସ୍ଥାନରେ ଆରାଧନା କରିବା ଉଚିତ ତାହା ଯିରୂଶାଲମରେ ଅଛି।”
ଯୀଶୁ ତାହାକୁ କହିଲେ, “ଆଗୋ ନାରୀ,” ମୋ କଥା ବିଶ୍ୱାସ କର, ସମୟ ଆସୁଛି, ଯେତେବେଳେ ଏହି ପର୍ବତରେ କି ଯିରୂଶାଲମରେ ତୁମ୍ଭେମାନେ ପିତାଙ୍କର ଆରାଧନା କରିବ ନାହିଁ। ତୁମ୍ଭେମାନେ ନ ଜାଣି ଉପାସନା କରୁଥାଅ; କିନ୍ତୁ ଆମେ ତାହା ଜାଣି ଉପାସନା କରୁ, କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ। ତଥାପି ଏପରି ଏକ ସମୟ ଆସୁଛି ପ୍ରକୃତରେ କହିବାକୁ ଗଲେ ଏବେ ଆସିଗଲାଣି ଯେତେବେଳେ ସତ୍ୟ ଉପାସକମାନେ ଆତ୍ମା ଓ ସତ୍ୟରେ ପିତାଙ୍କର ଉପାସନା କରିବେ, କାରଣ ପିତା ଏହିପ୍ରକାର ଉପାସକ ଚାହାନ୍ତି। ଈଶ୍ୱର ଆତ୍ମା ଅଟନ୍ତି ଏବଂ ତାହାଙ୍କର ଉପାସକମାନେ ତାହାଙ୍କୁ ଆତ୍ମା ଓ ସତ୍ୟରେ ତାହାଙ୍କର ଉପାସନା କରିବା ଉଚିତ।
ସ୍ତ୍ରୀଲୋକଟି କହିଲା, “ମୁଁ ଜାଣେ ଯେ ମସୀହ” (ଯାହାଙ୍କୁ ଖ୍ରୀଷ୍ଟ କହନ୍ତି) “ସେ ଆସୁଛନ୍ତି। ସେ ଯେତେବେଳେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ବୁଝାଇ ଦେବେ।”
ତତ୍ପରେ ଯୀଶୁ ପ୍ରକାଶ କଲେ, “ମୁଁ, ଯେ କି ତୁମ ସହିତ କଥା କହୁଛି, ମୁଁ ସେହି।”
ଠିକ ସେତିକିବେଳେ ତାଙ୍କର ଶିଷ୍ୟମାନେ ଫେରି ଆସିଲେ ଏବଂ ଜଣେ ସ୍ତ୍ରୀଲୋକ ସହିତ ତାଙ୍କୁ କଥାବାର୍ତ୍ତା କରୁଥିବାର ଦେଖି ଆଶ୍ଚର୍ଯ୍ୟ ହେଲେ। କିନ୍ତୁ କେହି ତାଙ୍କୁ ପଚାରିଲେ ନାହିଁ, “ଆପଣ କଅଣ ଚାହାନ୍ତି?” କିମ୍ବା “ଆପଣ କାହିଁକି ତା ସହିତ କଥାବାର୍ତ୍ତା କରୁଛନ୍ତି?”
ତତ୍ପରେ, ସ୍ତ୍ରୀଲୋକଟି ତାହାର କଳସୀ ଛାଡ଼ିଦେଇ, ସହରକୁ ଫେରିଗଲା ଓ ଲୋକମାନଙ୍କୁ କହିବାକୁ ଲାଗିଲା, “ଆସ, ଜଣେ ବ୍ୟକ୍ତିଙ୍କୁ ଦେଖିବ ମୁଁ ଯେବେ ଯାହାକିଛି କରିଛି ସେହିସବୁ ସେ ମୋତେ କହିଛନ୍ତି। ଏ ଖ୍ରୀଷ୍ଟ ହୋଇଥାଇ ପାରନ୍ତି କି?” ଲୋକମାନେ ସହରରୁ ବାହାରି ଯୀଶୁଙ୍କ ନିକଟକୁ ଚାଲିଲେ।
ଇତିମଧ୍ୟରେ ଶିଷ୍ୟମାନେ ଯୀଶୁଙ୍କୁ ଅନୁରୋଧ କରି କହିଲେ, “ଗୁରୁ, କିଛି ଭୋଜନ କରନ୍ତୁ।”
କିନ୍ତୁ ସେ ସେମାନଙ୍କୁ କହିଲେ, “ମୋର ଏପରି ଖାଦ୍ୟ ଅଛି ଯେଉଁ ବିଷୟରେ ତୁମେମାନେ ଆଦୌ ଜାଣ ନାହିଁ।”
ତତ୍ପରେ ଶିଷ୍ୟମାନେ ପରସ୍ପରକୁ କହିବାକୁ ଲାଗିଲେ, “କେହି ତାଙ୍କ ପାଇଁ ଖାଦ୍ୟ ଆଣି ଦେଇଛି କି?”
ଯୀଶୁ କହିଲେ, “ଯେ ମୋତେ ପଠାଇଛନ୍ତି” ତାହାଙ୍କର ଇଚ୍ଛା ସାଧନ କରିବା ଓ “ତାହାଙ୍କର କାର୍ଯ୍ୟ ସଂପୂର୍ଣ୍ଣ କରିବା ହିଁ ମୋର ଖାଦ୍ୟ। ଆଉ ଚାରି ମାସ ପରେ ଶସ୍ୟ କଟା ହେବ, ‘ଏହି କଥା କଅଣ ତୁମ୍ଭେମାନେ କହି ନ ଥାଅ’? ମୁଁ ତୁମ୍ଭମାନଙ୍କୁ କହୁଛି, ଆଖି ଖୋଲି କ୍ଷେତଗୁଡ଼ିକୁ ଦେଖ! କଟା ହେବା ପାଇଁ ସେହିସବୁ ପାଚିଗଲାଣି। ଏବେ ମଧ୍ୟ କଟାଳି ମୂଲ ପାଉଛି ଏବେ ମଧ୍ୟ ସେ ଅନନ୍ତଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି, ତା ହେଲେ ବୁଣାଳି ଓ କଟାଳି ଉଭୟେ ଏକତ୍ର ଆନନ୍ଦ ଲାଭ କରିବେ। ଏହିରୂପେ ‘ଜଣେ ବୁଣେ ଓ ଅନ୍ୟ ଜଣେ କାଟେ’ ବୋଲି ଯେଉଁ ଉକ୍ତି ଅଛି ତାହା ସତ୍ୟ। ଯାହା ପାଇଁ ତୁମ୍ଭେମାନେ ପରିଶ୍ରମ କରି ନ ଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି। ଅନ୍ୟମାନେ କଠିନ ପରିଶ୍ରମ କରିଛନ୍ତି, ଓ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ଉପଭୋଗ କରିଛ।”
“ମୁଁ ଯେବେ ଯାହାକିଛି କରିଛି ସେସବୁ ସେ ମୋତେ କହିଲେ” ସ୍ତ୍ରୀ ଲୋକଟିର ଏହି ସାକ୍ଷ୍ୟ ଯୋଗୁଁ, ସେହି ସହରର ଅନେକ ଶମିରୋଣୀୟ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କଲେ। ତେଣୁ ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି, ସେମାନଙ୍କ ସହିତ ରହିବା ପାଇଁ ତାହାଙ୍କୁ ଅନୁରୋଧ କଲେ, ଏବଂ ସେ ସେଠାରେ ଦୁଇଦିନ ରହିଲେ। ପୁଣି ତାହାଙ୍କର କଥା ଯୋଗୁଁ ଆହୁରି ଅନେକ ସଂଖ୍ୟକ ଲୋକ ବିଶ୍ୱାସୀ ହେଲେ।
ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, “କେବଳ ତୁମ କଥା ହେତୁ ଯେ ଆମେ ବିଶ୍ୱାସ କରୁଛୁ ତା ନୁହେଁ; ଏବେ ଆମେ ନିଜେ ଶୁଣିଛୁ, ଓ ଜାଣିଛୁ ଯେ ପ୍ରକୃତରେ ଏହି ବ୍ୟକ୍ତି ଜଗତର ତ୍ରାଣକର୍ତ୍ତା।”
ଯୀଶୁ ରାଜକର୍ମଚାରୀଙ୍କ ପୁତ୍ରକୁ ସୁସ୍ଥ କଲେ
ସେହି ଦୁଇଦିନ ପରେ ଯୀଶୁ ଗାଲିଲୀ ଅଭିମୁଖେ ବାହାରିଲେ। କାରଣ ନିଜ ଦେଶରେ ଭାବବାଦୀ ସମ୍ମାନ ପାଏ ନାହିଁ ବୋଲି ଯୀଶୁ ନିଜେ ସୂଚନା ଦେଇ କହିଥିଲେ। ସେ ଗାଲିଲୀରେ ପହଞ୍ଚିବା ପରେ, ଗାଲିଲୀୟମାନେ ତାଙ୍କୁ ସ୍ୱାଗତ କଲେ। ନିସ୍ତାର ପର୍ବ ସମୟରେ ସେ ଯିରୂଶାଲମରେ ଯାହା ଯାହା କରିଥିଲେ ସେମାନେ ସେହିସବୁ ଦେଖିଥିଲେ, କାରଣ ସେମାନେ ମଧ୍ୟ ସେଠାରେ ଥିଲେ।
ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ, ସେଠାକୁ ପୁଣି ଥରେ ଗଲେ। ସେଠାରେ ଜଣେ ରାଜକର୍ମଚାରୀ ଥିଲେ ତାଙ୍କର ପୁତ୍ର କଫର୍ନାହୁମରେ ପୀଡ଼ିତ ଥିଲା। ଏହି ବ୍ୟକ୍ତି ଯେତେବେଳେ ଶୁଣିଲେ ଯେ ଯୀଶୁ ଯିହୁଦାରୁ ଗାଲିଲୀକୁ ଆସିଛନ୍ତି, ସେ ତାହାଙ୍କ ନିକଟକୁ ଗଲେ ଏବଂ ଆସି ତାଙ୍କର ପୁତ୍ରକୁ ସୁସ୍ଥକରିବା ପାଇଁ ଗୁହାରି କଲେ, କାରଣ ପୁତ୍ରଟି ମୁମୂର୍ଷୁ ଅବସ୍ଥାରେ ଥିଲା।
ଯୀଶୁ ତାଙ୍କୁ କହିଲେ, “ଅଲୌକିକ ଚିହ୍ନ ଓ କର୍ମସକଳ ନ ଦେଖିଲେ,” ତୁମେ ସମସ୍ତେ କେବେ ବିଶ୍ୱାସ କରିବ ନାହିଁ।
ରାଜକର୍ମଚାରୀ କହିଲେ, “ମହାଶୟ, ମୋ ପିଲାଟି ମରିଯିବା ପୂର୍ବରୁ ଆସନ୍ତୁ।”
ଯୀଶୁ ଉତ୍ତର ଦେଲେ, ତୁମେ ଯାଅ, ତୁମର ପୁଅ ବଞ୍ଚିବ।
ସେହି ବ୍ୟକ୍ତି ଯୀଶୁଙ୍କ କଥାରେ ବିଶ୍ୱାସ କରି ଚାଲିଗଲେ। ବାଟରେ ଯାଉଁ ଯାଉଁ, ତାଙ୍କର ପୁଅ ବଞ୍ଚିଲା ବୋଲି ଖବର ନେଇ ଦାସମାନେ ତାଙ୍କୁ ଭେଟିଲେ। କେଉଁ ସମୟରୁ ତାଙ୍କର ପୁତ୍ର ଆରୋଗ୍ୟତା ଲାଭ କଲା ବୋଲି ପ୍ରଶ୍ନ କରିବାରୁ, ସେମାନେ ତାଙ୍କୁ କହିଲେ, “ଗତକାଲି, ସାତ ଘଣ୍ଟା ସମୟରେ, ତାହାର ଜ୍ୱର ଛାଡ଼ିଗଲା।”
ସେତେବେଳେ ପିତା ବୁଝୀପାରିଲେ ଯେ ଠିକ ସେହି ସମୟରେ ହିଁ ଯୀଶୁ ତାଙ୍କୁ କହିଥିଲେ, “ତୁମର ପୁଅ ବଞ୍ଚିବ।” ଅତଏବ ସେ ଓ ତାଙ୍କର ପରିବାରର ସମସ୍ତେ ବିଶ୍ୱାସ କଲେ।
ଯିହୁଦାରୁ ଗାଲିଲୀକୁ ଆସିବା ପରେ ଏହା ଥିଲା ଯୀଶୁଙ୍କର ଦ୍ୱିତୀୟ ଅଲୌକିକ କର୍ମ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.