Skip to content
BibleKenya

Biblica® Open Odia Contemporary Bible

ଯୋହନ 3

ଯୀଶୁ ଓ ନୀକଦୀମ

ଫାରୂଶୀମାନଙ୍କ ମଧ୍ୟରେ, ନୀକଦୀମ ନାମକ ଜଣେବ୍ୟକ୍ତି ଥିଲେ, ସେ ଯିହୁଦୀମାନଙ୍କ ବିଚାରସଭାର ଜଣେ ସଦସ୍ୟ ଥିଲେ। ସେ ରାତ୍ରିକାଳରେ ଯୀଶୁଙ୍କ ନିକଟକୁ ଯାଇ କହିଲେ, “ରାବ୍ବୀ, ଆମେ ଜାଣୁ ଯେ ଆପଣ ଈଶ୍ୱରଙ୍କ ନିକଟରୁ ଆଗତ ଜଣେ ଗୁରୁ। କାରଣ ଆପଣ ଯେଉଁସବୁ ଅଲୌକିକ କର୍ମ ସାଧନ କରୁଛନ୍ତି ଈଶ୍ୱର ସଙ୍ଗରେ ନ ଥିଲେ କେହି ସେସବୁ କରିପାରିବ ନାହିଁ।”

ଯୀଶୁ ଉତ୍ତର ଦେଇ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି, ମନୁଷ୍ୟ ପୁନର୍ବାର ଜନ୍ମ ନହେଲେ ସେ ଈଶ୍ୱରଙ୍କ ରାଜ୍ୟ ଦେଖିପାରିବ ନାହିଁ।

ନୀକଦୀମ ପ୍ରଶ୍ନ କଲେ। “ମନୁଷ୍ୟ ବୃଦ୍ଧ ହେଲେ ସେ କିପରି ଜନ୍ମଲାଭ କରିବ? ସେ କଅଣ ଦ୍ୱିତୀୟ ଥର ମାତାର ଗର୍ଭରେ ପ୍ରବେଶ କରି ଜନ୍ମଲାଭ କରିପାରିବ!”

ଯୀଶୁ ଉତ୍ତର ଦେଲେ, “ମୁଁ ତୁମକୁ ସତ୍ୟ କହୁଅଛି, ଜଳ ଓ ଆତ୍ମାରୁ ଜାତ ନହେଲେ କୌଣସି ମନୁଷ୍ୟ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ମାଂସରୁ ଯାହା ଜାତ ହୁଏ ତାହା ମାଂସ, ଓ ଆତ୍ମାରୁ ଯାହା ଜାତ ତାହା ଆତ୍ମା। ତୁମ୍ଭମାନଙ୍କୁ ପୁନର୍ବାର ଜନ୍ମଲାଭ କରିବାକୁ ହେବ, ‘ବୋଲି ମୋର ଏହି ଉକ୍ତିରେ ତୁମେ ଆଶ୍ଚର୍ଯ୍ୟବୋଧ କର ନାହିଁ।’ ଯେଉଁଠାକୁ ଇଚ୍ଛା ପବନ ସେହିଠାକୁ ବହେ। ତୁମେ ତାହାର ଶଦ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ଓ କେଉଁଠାକୁ ଯାଏ ତାହା ତୁମେ କହିପାର ନାହିଁ। ଆତ୍ମାରୁ ଜାତ ପ୍ରତ୍ୟେକ ଜଣ ସମ୍ବନ୍ଧରେ ଠିକ ସେହିପରି।”

ନୀକଦୀମ ପଚାରିଲେ, “ଏହା କିପରି ହୋଇପାରେ?”

ଯୀଶୁ କହିଲେ, ତୁମେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା ଏହିସବୁ ବିଷୟ କଅଣ ବୁଝିପାରୁ ନାହଁ? ମୁଁ ତୁମକୁ ସତ୍ୟ କହୁଛି, ଆମେ ଯାହା ଜାଣୁ ତାହା କହୁ, ଓ ଯାହା ଦେଖିଛୁ ସେହିବିଷୟ ସାକ୍ଷ୍ୟ ଦେଉଛ, ତଥାପି ତୁମ୍ଭେମାନେ ଆମର ସାକ୍ଷ୍ୟ ଗ୍ରହଣ କରୁ ନାହଁ। ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଛି ଅଥଚ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ; ତେବେ ମୁଁ ସ୍ଵର୍ଗୀୟ ବିଷୟ କହିଲେ ତୁମ୍ଭେମାନେ କିପରି ବିଶ୍ୱାସ କରିବ? ଯେ ସ୍ଵର୍ଗରୁ ଅବତୀର୍ଣ୍ଣ ହେଲେ ସେହି ମନୁଷ୍ୟପୁତ୍ରଙ୍କ ବ୍ୟତୀତ ଆଉ କେହି କେବେ ସ୍ଵର୍ଗକୁ ଆରୋହଣ କରି ନାହିଁ। ମୋଶା ଯେପରି ମରୁପ୍ରାନ୍ତରରେ ସର୍ପକୁ ଉପରକୁ ଉଠାଇଥିଲେ, ଠିକ ସେହିପରି ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉଠାଯିବେ। ଫଳରେ ଯେକେହି ତାହାଙ୍କଠାରେ ବିଶ୍ୱାସ କରିବ ସେ ଅନନ୍ତଜୀବନ ଲାଭ କରିବ।

କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ନିଜର ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଅତଏବ ଯେକେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ହେବ ନାହିଁ କିନ୍ତୁ ଅନନ୍ତଜୀବନ ଲାଭ କରିବ। କାରଣ ଈଶ୍ୱର ଜଗତକୁ ଦଣ୍ଡ ଦେବାକୁ ନିଜ ପୁତ୍ରଙ୍କୁ ପଠାଇ ନ ଥିଲେ, ମାତ୍ର ତାହାଙ୍କ ଦ୍ଵାରା ଜଗତକୁ ଉଦ୍ଧାର କରିବାକୁ ପଠାଇଥିଲେ। ଯେକେହି ତାହାଙ୍କଠାରେ ବିଶ୍ୱାସ କରେ ସେ ଦଣ୍ଡିତ ହୁଏ ନାହିଁ, ମାତ୍ର ଯେକେହି ବିଶ୍ୱାସ କରେ ନାହିଁ ସେ ଦଣ୍ଡାଦେଶ ପାଇ ସାରିଲାଣି କାରଣ ସେ ଈଶ୍ୱରଙ୍କ ଏକମାତ୍ର ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ। ସେହି ଦଣ୍ଡାଦେଶର କାରଣ ହେଉଛି: ଜ୍ୟୋତି ଜଗତରେ ପ୍ରକାଶିତ ହୋଇଛି, କିନ୍ତୁ ଲୋକେ ଜ୍ୟୋତି ଅପେକ୍ଷା ଅନ୍ଧକାରକୁ ପ୍ରିୟଜ୍ଞାନ କଲେ କାରଣ ସେମାନଙ୍କର କର୍ମସକଳ ଅସତ୍। ଯେକେହି ଅସତ୍ କର୍ମ କରେ ସେ ଜ୍ୟୋତିକୁ ଘୃଣା କରେ, ଏବଂ କାଳେ ତାହାର କର୍ମସବୁ ପ୍ରକାଶ ପାଇଯିବ ଏହି ଭୟରେ ସେ ଜ୍ୟୋତି ନିକଟକୁ ଆସେ ନାହିଁ। କିନ୍ତୁ ଯେକେହି ସଦାଚରଣ କରେ ସେ ଜ୍ୟୋତି ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ୱର ପ୍ରଶୋଦିତ ବୋଲି ସ୍ପଷ୍ଟ ରୂପେ ପ୍ରତୀୟମାନ ହେବ।

ଯୀଶୁଙ୍କ ବିଷୟରେ ଡୁବକ ଯୋହନଙ୍କ ସାକ୍ଷ୍ୟ

ଏଉତ୍ତାରେ, ଯୀଶୁ ଓ ତାଙ୍କର ଶିଷ୍ୟମାନେ ଯିହୁଦାର ଗ୍ରାମାଞ୍ଚଳକୁ ଗଲେ, ସେଠାରେ ସେ ସେମାନଙ୍କ ସହିତ କିଛିକାଳ ଅତିବାହିତ କରି, ଡୁବନ ଦେବାକୁ ଲାଗିଲେ। ସାଲିମ ନିକଟବର୍ତ୍ତୀ ଏନୋନ୍‌ରେ ପ୍ରଚୁର ଜଳ ଥିବାରୁ, ଯୋହନ ମଧ୍ୟ ସେଠାରେ ଡୁବନ ଦେଉଥିଲେ, ଏବଂ ଡୁବନ ନେବାକୁ ଲୋକେ ଅନବରତ ଆସୁଥିଲେ। ସେପର୍ଯ୍ୟନ୍ତ ଯୋହନ କାରାରୁଦ୍ଧ ହୋଇ ନ ଥିଲେ। ପ୍ରକ୍ଷାଳନ ବିଧି ବିଷୟରେ ଯୋହନଙ୍କ କେତେକ ଶିଷ୍ୟ ଓ ଜଣେ ଯିହୁଦୀଙ୍କ ମଧ୍ୟରେ ତର୍କବିତର୍କ ଆରମ୍ଭ ହେଲା। ସେମାନେ ଯୋହନଙ୍କ ନିକଟକୁ ଆସି କହିଲେ, “ଗୁରୁ, ଯର୍ଦ୍ଦନର ଆରପାରିରେ ଯେଉଁ ବ୍ୟକ୍ତି ଆପଣଙ୍କ ସହିତ ଥିଲେ ଓ ଯାହାଙ୍କ ବିଷୟରେ ଆପଣ ସାକ୍ଷ୍ୟ ଦେଇଥିଲେ, ଦେଖନ୍ତୁ, ସେ ଡୁବନ ଦେଉଛନ୍ତି, ଓ ସମସ୍ତେ ତାଙ୍କ ନିକଟକୁ ଯାଉଛନ୍ତି।”

ଏହାର ଉତ୍ତର ଦେଇ ଯୋହନ କହିଲେ, “ସ୍ଵର୍ଗରୁ ଯାହା ପ୍ରଦତ୍ତ ହୁଏ ମନୁଷ୍ୟ ତାହା ହିଁ ପ୍ରାପ୍ତ ହୁଏ। ‘ମୁଁ ଯେ ଖ୍ରୀଷ୍ଟ ନୁହେଁ କିନ୍ତୁ ତାହାଙ୍କ ଅଗ୍ରଣୀରୂପେ ପଠାଯାଇଛି।’ ଏ କଥା ମୁଁ କହିଥିଲି ବୋଲି ତୁମେମାନେ ନିଜେ ସାକ୍ଷୀ, କନ୍ୟା ଯାହାଙ୍କର ସେ ହେଉଛନ୍ତି ବର। ଏବଂ ଯେଉଁ ମିତ୍ର ବରଙ୍କ ପାଖରେ ଠିଆ ହୋଇ ତାଙ୍କର କଥା ଶୁଣେ, ସେ ତାଙ୍କର ସ୍ଵର ଶୁଣି ଆନନ୍ଦରେ ପୂର୍ଣ୍ଣ ହୁଏ। ସେହି ଆନନ୍ଦ ହିଁ ମୋର, ଏବଂ ତାହା ଏବେ ପୂର୍ଣ୍ଣତା ଲାଭ କରିଛି। ସେ ଅବଶ୍ୟ ବୃଦ୍ଧି ପାଇବେ; ଓ ମୁଁ ହ୍ରାସ ପାଇବି।”

ଯେ ଊର୍ଦ୍ଧ୍ୱରୁ ଆସନ୍ତି ସେ ସର୍ବଶ୍ରେଷ୍ଠ, ଯେ ପୃଥିବୀରୁ ଜାତ ହୁଏ ସେ ପାର୍ଥିବ ଏବଂ ସେ ପୃଥିବୀର ଲୋକ ପରି କଥା କହେ। ଯେ ସ୍ଵର୍ଗରୁ ଆସନ୍ତି ସେ ସର୍ବଶ୍ରେଷ୍ଠ। ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସେହିବିଷୟ ସେ ସାକ୍ଷ୍ୟ ଦିଅନ୍ତି, ତଥାପି ତାଙ୍କର ସାକ୍ଷ୍ୟ କେହି ଗ୍ରହଣ କରେ ନାହିଁ। ଯେଉଁ ମନୁଷ୍ୟ ତାହା ଗ୍ରହଣ କରିଛି ଈଶ୍ୱର ଯେ ସତ୍ୟ ସେ ତାହାର ପ୍ରମାଣ ଦେଇଛି। କାରଣ ଈଶ୍ୱର ଯାହାଙ୍କୁ ପଠାଇଛନ୍ତି ସେ ଈଶ୍ୱରଙ୍କର ବାକ୍ୟ କହନ୍ତି, ତାହାଙ୍କୁ ଈଶ୍ୱର ଅପରିମିତ ରୂପେ ଆତ୍ମା ପ୍ରଦାନ କରନ୍ତି। ପିତା ପୁତ୍ରଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ହସ୍ତରେ ସମସ୍ତ ବିଷୟ ନ୍ୟସ୍ତ କରିଛନ୍ତି। ଯେକେହି ପୁତ୍ରଙ୍କଠାରେ ବିଶ୍ୱାସ ସ୍ଥାପନ କରେ ସେ ଅନନ୍ତଜୀବନ ପାଇଛି, କିନ୍ତୁ ଯେକେହି ପୁତ୍ରଙ୍କୁ ଅଗ୍ରାହ୍ୟ କରେ ସେ ଜୀବନ ଦେଖିବ ନାହିଁ, କାରଣ ସେ ଈଶ୍ୱରଙ୍କ କ୍ରୋଧରପାତ୍ର ହୋଇ ରହିଥାଏ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.