Skip to content
BibleKenya

Biblica® Open Odia Contemporary Bible

ଯୋହନ 20

ଶୂନ୍ୟ ସମାଧି

ସପ୍ତାହର ପ୍ରଥମ ଦିବସର ପ୍ରତ୍ୟୁଷରେ, ଅନ୍ଧାର ଥାଉଁ ଥାଉଁ, ମଗ୍‌ଦଲାବାସିନୀ ମରିୟମ ସମାଧି ନିକଟକୁ ଗଲେ ଏବଂ ସମାଧି ଦ୍ଵାରରୁ ପଥରଟା ଘୁଞ୍ଚାଇ ଦିଆ ଯାଇଥିବାର ଦେଖିଲେ। ତେଣୁ ସେ ଦୈଡ଼ିଯାଇ ଶିମୋନ ପିତରଙ୍କୁ ଓ ଯୀଶୁ ଯାହାଙ୍କୁ ସ୍ନେହ କରୁଥିଲେ, ସେହି ଅନ୍ୟ ଶିଷ୍ୟଙ୍କୁ କହିଲେ, “ସେମାନେ ପ୍ରଭୁଙ୍କୁ ସମାଧି ମଧ୍ୟରୁ ନେଇ ଯାଇଛନ୍ତି, ଓ ତାଙ୍କୁ କେଉଁଠି ରଖିଛନ୍ତି ଆମେ ଜାଣି ନାହୁଁ!”

ଅତଏବ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ଅଭିମୁଖେ ବାହାରିଲେ। ଉଭୟେ ଦୌଡ଼ୁଥିଲେ, କିନ୍ତୁ ଅନ୍ୟ ଶିଷ୍ୟଜଣକ ପିତରଙ୍କ ଅପେକ୍ଷା ଶୀଘ୍ର ଦୈଡ଼ି ସମାଧି ନିକଟରେ ପ୍ରଥମେ ପହଞ୍ଚିଲେ। ସେ ନଇଁପଡ଼ି ଭିତରକୁ ଚାହିଁଲେ ଏବଂ ସୂତୀ ଲୁଗାଗୁଡ଼ିକ ସେଠାରେ ପଡ଼ିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ। ତା ପରେ ଶିମୋନ ପିତର ତାଙ୍କ ପଛେ ପଛେ ଯାଇ ପହଞ୍ଚିଲେ ଓ ସମାଧି ମଧ୍ୟରେ ପ୍ରବେଶ କଲେ। ସେ ଦେଖିଲେ ସୂତୀ ଲୁଗାଗୁଡ଼ିକ, ଏବଂ ଯୀଶୁଙ୍କ ମସ୍ତକରେ ଗୁଡ଼ା ହୋଇଥିବା ସମାଧି ବସ୍ତ୍ର ପଡ଼ିଛି। କିନ୍ତୁ ଏହା ଅନ୍ୟ ସୂତୀ ବସ୍ତ୍ରଗୁଡ଼ିକ ସହିତ ନ ଥାଇ, ସଜଡ଼ା ହୋଇ ଅଲଗା ରଖା ହୋଇଛି। ଯେଉଁ ଅନ୍ୟ ଶିଷ୍ୟ, ସମାଧି ନିକଟରେ ପ୍ରଥମେ ପହଞ୍ଚିଥିଲେ, ସେ ମଧ୍ୟ ଅବଶେଷରେ ଭିତରେ ପ୍ରବେଶ କଲେ। ସେ ଦେଖିଲେ ଓ ବିଶ୍ୱାସ କଲେ। ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଯେ ଉଠିବାକୁ ହେବ ଏହି ଧର୍ମଶାସ୍ତ୍ରବଚନ ସେମାନେ ସେପର୍ଯ୍ୟନ୍ତ ବୁଝି ନ ଥିଲେ। ଏହାପରେ ଶିଷ୍ୟମାନେ ନିଜ ନିଜ ଘରକୁ ଫେରିଗଲେ।

ମଗ୍‌ଦଲିନୀ ମରିୟମଙ୍କୁ ଯୀଶୁ ଦର୍ଶନ ଦେଲେ

କିନ୍ତୁ ମରିୟମ ସମାଧି ବାହାରେ ଠିଆ ହୋଇ କାନ୍ଦୁଥିଲେ, ସେ କାନ୍ଦୁ କାନ୍ଦୁ, ନଇଁପଡ଼ି ସମାଧି ଭିତରକୁ ଚାହିଁଲେ ସେ ଶୁକ୍ଳବସ୍ତ୍ର ପରିହିତ ଦୁଇଜଣ ସ୍ଵର୍ଗଦୂତଙ୍କୁ, ଯୀଶୁଙ୍କ ଶରୀର ରଖା ଯାଇଥିବା ସ୍ଥାନରେ ବସିଥିବାର ଦେଖିଲେ, ଜଣେ ବସିଥିଲେ ମୁଣ୍ଡ ଆଡ଼େ ଓ ଅନ୍ୟ ଜଣକ ପାଦଆଡ଼େ।

ସେମାନେ ତାଙ୍କୁ ପଚାରିଲେ, “ଆଗୋ ନାରୀ, କାହିଁକି କାନ୍ଦୁଛ?”

ସେ କହିଲେ, ସେମାନେ ମୋର ପ୍ରଭୁଙ୍କୁ ନେଇ ଯାଇଛନ୍ତି ଓ ତାଙ୍କୁ କେଉଁଠି ରଖିଛନ୍ତି ମୁଁ ଜାଣେ ନାହିଁ। ଏହା କହି, ସେ ବୁଲିପଡ଼ି ଯୀଶୁଙ୍କୁ ସେଠାରେ ଠିଆ ହୋଇଥିବାର ଦେଖିଲେ, କିନ୍ତୁ ସେ ଯୀଶୁ ବୋଲି ଜାଣିପାରିଲେ ନାହିଁ।

ଯୀଶୁ କହିଲେ, “ଆଗୋ ନାରୀ, କାହିଁକି କାନ୍ଦୁଛ? କାହାକୁ ଖୋଜୁଛ?”

ତାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି, ମରିୟମ କହିଲେ, “ମହାଶୟ, ଆପଣ ଯଦି ତାଙ୍କୁ ନେଇ ଯାଇଛନ୍ତି, ତେବେ କେଉଁଠି ରଖିଛନ୍ତି ମୋତେ କୁହନ୍ତୁ, ମୁଁ ତାଙ୍କୁ ନେଇ ଆସିବି।”

ଯୀଶୁ ତାଙ୍କୁ କହିଲେ, “ମରିୟମ।”

ସେ ତାଙ୍କ ଆଡ଼କୁ ବୁଲିପଡ଼ି ହିବ୍ରୁ ଭାଷାରେ କହିଲେ, “ରାବ୍‌ବୁନୀ!” (ଏହାର ଅର୍ଥ “ଗୁରୁ”)।

ଯୀଶୁ କହିଲେ, “ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଊର୍ଦ୍ଧ୍ୱଗମନ କରି ନାହିଁ। କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ କୁହ, ‘ମୁଁ ମୋର ପିତା ଓ ତୁମମାନଙ୍କର ପିତା, ମୋର ଈଶ୍ୱର ଓ ତୁମମାନଙ୍କ ଈଶ୍ୱରଙ୍କ ନିକଟକୁ ଊର୍ଦ୍ଧ୍ୱଗମନ କରୁଛି।’ ”

“ମୁଁ ପ୍ରଭୁଙ୍କୁ ଦର୍ଶନ କରିଛି!” ଏହି ସମ୍ବାଦ ନେଇ ମଗ୍‌ଦଲିନୀ ମରିୟମ ଶିଷ୍ୟମାନଙ୍କ ନିକଟକୁ ଗଲେ: ପୁଣି ଯୀଶୁ ତାଙ୍କୁ ଏହିସମସ୍ତ ବିଷୟ କହିଥିଲେ ବୋଲି ସେମାନଙ୍କୁ ଜଣାଇଲେ।

ଶିଷ୍ୟମାନଙ୍କୁ ଯୀଶୁ ଦର୍ଶନ ଦେଲେ

ସପ୍ତାହର ପ୍ରଥମ ଦିବସର ସନ୍ଧ୍ୟା ସମୟରେ, ଶିଷ୍ୟମାନେ ଏକାଠି ଥିଲେ, ଯିହୁଦୀମାନଙ୍କ ଭୟରେ ଦ୍ଵାରସବୁ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ସେମାନଙ୍କ ମଧ୍ୟରେ ଉଭା ହୋଇ କହିଲେ, “ତୁମମାନଙ୍କର ଶାନ୍ତି ହେଉ!” ଏହା କହି, ସେ ସେମାନଙ୍କୁ ନିଜର ହାତ ଓ କକ୍ଷସ୍ଥଳ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦରେ ବିଭୋର ହେଲେ।

ଯୀଶୁ ପୁନର୍ବାର କହିଲେ, “ତୁମମାନଙ୍କର ଶାନ୍ତି ହେଉ! ପିତା ଯେପରି ମୋତେ ପଠାଇଛନ୍ତି, ମୁଁ ସେହିପରି ତୁମ୍ଭମାନଙ୍କୁ ପଠାଉଅଛି।” ଏହା କହି ସେ ସେମାନଙ୍କ ଉପରେ ନିଶ୍ୱାସ ଛାଡ଼ି କହିଲେ, “ପବିତ୍ରଆତ୍ମାଙ୍କୁ ଗ୍ରହଣ କର। ତୁମେ ଯଦି କାହାରି ପାପସବୁ କ୍ଷମା କର, ତାହାର ପାପକ୍ଷମା ହେବ; ଯଦି କ୍ଷମା ନ କର, ତେବେ ପାପକ୍ଷମା ହେବ ନାହିଁ।”

ଥୋମାଙ୍କୁ ଯୀଶୁ ଦର୍ଶନ ଦେଲେ

ଯୀଶୁ ଯେତେବେଳେ ଆସିଥିଲେ, ଦ୍ଵାଦଶ ଶିଷ୍ୟଙ୍କ ମଧ୍ୟରୁ ଥୋମା ନାମକ ଶିଷ୍ୟ ଯାହାଙ୍କୁ ଦିଦୁମ ବୋଲି ଡାକନ୍ତି, ସେ ସେତେବେଳେ ସେମାନଙ୍କ ସହିତ ନ ଥିଲେ। “ପ୍ରଭୁଙ୍କୁ ଦେଖିଛନ୍ତି!” ବୋଲି ଅନ୍ୟ ଶିଷ୍ୟମାନେ ତାଙ୍କୁ କହିବାରୁ।

ସେ କହିଲେ, “ମୁଁ ଯେପର୍ଯ୍ୟନ୍ତ ତାହାଙ୍କ ହାତ ଦୁଇଟିରେ କଣ୍ଟାର ଦାଗ ନ ଦେଖିଛି, ଓ ସେହି କ୍ଷତକୁ ଅଙ୍ଗୁଳିରେ ସ୍ପର୍ଶ ନ କରିଛି, ପୁଣି ତାହାଙ୍କ କକ୍ଷସ୍ଥଳରେ ମୋର ହାତ ନ ଦେଇଛି ସେପର୍ଯ୍ୟନ୍ତ ମୁଁ ବିଶ୍ୱାସ କରିବି ନାହିଁ।”

ଏକ ସପ୍ତାହ ପରେ ଶିଷ୍ୟମାନେ ପୁନର୍ବାର ସେହି ଗୃହରେ ଥିଲେ, ଓ ଥୋମା ସେମାନଙ୍କ ସଙ୍ଗରେ ଥିଲେ। ଦ୍ଵାରସବୁ ବନ୍ଦ ଥିଲେ ମଧ୍ୟ, ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, “ତୁମମାନଙ୍କର ଶାନ୍ତି ହେଉ!” ତତ୍ପରେ ସେ ଥୋମାଙ୍କୁ କହିଲେ, “ଏହିଠାରେ ତୁମର ଅଙ୍ଗୁଳି ଦିଅ; ମୋର ହାତ ଦୁଇଟିକୁ ଦେଖ। ହାତ ବଢ଼ାଅ ଓ ମୋର କକ୍ଷସ୍ଥଳରେ ଦିଅ। ଆଉ ସନ୍ଦେହ ନ କରି ବିଶ୍ୱାସ କର।”

ଥୋମା ତାହାଙ୍କୁ କହିଲେ, “ମୋର ପ୍ରଭୁ ମୋର ଈଶ୍ୱର!”

ତହୁଁ ଯୀଶୁ ତାକୁ କହିଲେ, “ତୁମେ ମୋତେ ଦେଖିଲ ଓ ବିଶ୍ୱାସ କରିଅଛ; ଧନ୍ୟ ସେହିମାନେ ଯେଉଁମାନେ ଦେଖିନାହାନ୍ତି ଓ ବିଶ୍ୱାସ କରିଅଛନ୍ତି।”

ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଆହୁରି ଅନେକ ଅଲୌକିକ କର୍ମ କଲେ, ସେହିସବୁ ଏହି ପୁସ୍ତକରେ ଲିପିବଦ୍ଧ ହୋଇନାହିଁ। କିନ୍ତୁ ଯୀଶୁ ଯେ ଖ୍ରୀଷ୍ଟ, ଈଶ୍ୱରଙ୍କ ପୁତ୍ର ଅଟନ୍ତି, ଏବଂ ଏହି କଥା ବିଶ୍ୱାସ କରି ତୁମ୍ଭେମାନେ ଯେପରି ତାହାଙ୍କ ନାମରେ ଜୀବନ ପାଇବ, ଏଥିପାଇଁ ଏହିସବୁ ଲେଖା ହୋଇଛି।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.