Biblica® Open Odia Contemporary Bible
ଯୋହନ 19
ଯୀଶୁଙ୍କୁ ମୃତ୍ୟୁଦଣ୍ଡାଦେଶ
ଏଉତ୍ତାରେ ପୀଲାତ ଯୀଶୁଙ୍କୁ ନେଇ କୋରଡ଼ା ପ୍ରହାର କରାଇଲେ। ସୈନିକମାନେ କଣ୍ଟାର ମୁକୁଟ ତିଆରି କରି ତାଙ୍କ ମସ୍ତକରେ ଦେଲେ। ସେମାନେ ତାଙ୍କୁ ବାଇଗଣି ରଙ୍ଗର ପୋଷାକ ପିନ୍ଧାଇଲେ ପୁଣି ତାହାଙ୍କ ନିକଟକୁ ବାରମ୍ୱାର ଯାଇ, କହିବାକୁ ଲାଗିଲେ, “ହେ ଯିହୁଦୀମାନଙ୍କ ରାଜା ଦଣ୍ଡବତ! ନମସ୍କାର” ଏବଂ ସେମାନେ ତାଙ୍କୁ ଚାପୁଡ଼ା ମାରିଲେ।
ପୀଲାତ ଆଉ ଥରେ ବାହାରକୁ ଆସି ଯିହୁଦୀମାନଙ୍କୁ କହିଲେ, “ଦେଖ, ମୁଁ ଯେ ତାଙ୍କଠାରେ କୌଣସି ଦୋଷ ପାଉ ନାହିଁ ଏହା ତୁମ୍ଭେମାନେ ଜାଣ ବୋଲି ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ବାହାର କରି ଆଣୁଛି।” କଣ୍ଟାର ମୁକୁଟ ଓ ବାଇଗଣି ରଙ୍ଗର ପୋଷାକ ପିନ୍ଧି ଯୀଶୁ ଯେତେବେଳେ ବାହାରକୁ ଆସିଲେ, ପୀଲାତ ସେମାନଙ୍କୁ କହିଲେ, “ଏହି ବ୍ୟକ୍ତିଙ୍କୁ ଦେଖ!”
ପ୍ରଧାନଯାଜକ ଓ ପ୍ରହରୀମାନେ ତାଙ୍କୁ ଦେଖିବାମାତ୍ରେ, ଚିତ୍କାର କଲେ, “କ୍ରୁଶରେ ଚଢ଼ାଅ! କ୍ରୁଶରେ ଚଢ଼ାଅ!”
ମାତ୍ର ପୀଲାତ କହିଲେ, “ତୁମ୍ଭେମାନେ ତାଙ୍କୁ ନେଇ କ୍ରୁଶରେ ଚଢ଼ାଅ। ମୁଁ କିନ୍ତୁ, ତାଙ୍କଠାରେ କୌଣସି ଦୋଷ ପାଉ ନାହିଁ।”
ଯିହୁଦୀମାନେ ଜିଦ୍ ଧରି କହିଲେ, “ଆମର ବିଧିବ୍ୟବସ୍ଥାରେ ଏକ ନିୟମ ଅଛି, ଓ ତଦନୁସାରେ ସେ ମୃତ୍ୟୁଦଣ୍ଡର ଯୋଗ୍ୟ, କାରଣ ସେ ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲି କହିଛି।”
ପୀଲାତ ଯେତେବେଳେ ଏହା ଶୁଣିଲେ, ସେ ଆହୁରି ଶଙ୍କିତ ହୋଇପଡ଼ିଲେ। ସେ ପ୍ରାସାଦ ଭିତରକୁ ଫେରିଯାଇ ଯୀଶୁଙ୍କୁ ପଚାରିଲେ, “ତୁମେ କେଉଁଠାରୁ ଆସିଛ?” କିନ୍ତୁ ଯୀଶୁ, ତାଙ୍କୁ କୌଣସି ଉତ୍ତର ଦେଲେ ନାହିଁ। ପୀଲାତ କହିଲେ, “ତୁମେ କଣ ମୋ ସଙ୍ଗେ କଥା କହିବାକୁ ରାଜି ନୁହଁ? ତୁମକୁ ମୁକ୍ତ କରିବାକୁ ବା କ୍ରୁଶବିଦ୍ଧ କରିବାକୁ ମୋର ଯେ କ୍ଷମତା ଅଛି ତୁମେ କଅଣ ତାହା ବୁଝିପାରୁ ନାହଁ?”
ଯୀଶୁ ଉତ୍ତର ଦେଲେ, “ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆ ହୋଇ ନ ଥିଲେ ମୋ ଉପରେ ଆପଣଙ୍କର କୌଣସି କ୍ଷମତା ନ ଥାଆନ୍ତା। ସେଥିପାଇଁ ଯେ ମୋତେ ଆପଣଙ୍କ ହାତରେ ସମର୍ପଣ କରିଛି ତାହାର ପାପ ଆହୁରି ଗୁରୁତର।”
ସେହି ସମୟରୁ, ଯୀଶୁଙ୍କୁ ମୁକ୍ତି ଦେବାକୁ ପୀଲାତ ଚେଷ୍ଟା କଲେ, କିନ୍ତୁ ଯିହୁଦୀମାନେ ଚିତ୍କାର କରିବାକୁ ଲାଗିଲେ, “ଆପଣ ଯଦି ଏହି ଲୋକକୁ ଛାଡ଼ି ଦିଅନ୍ତି, ତେବେ ଆପଣ ସିଜାରଙ୍କ ବନ୍ଧୁ ନୁହନ୍ତି। ଯେକେହି ନିଜକୁ ରାଜା ବୋଲାଏ ସେ ସିଜାରଙ୍କ ବିରୁଦ୍ଧରେ ଯାଏ।”
ପୀଲାତ ତାହା ଶୁଣି, ଯୀଶୁଙ୍କୁ ବାହାରକୁ ଆଣିଲେ ଏବଂ ପ୍ରସ୍ତରମଣ୍ଡପ ଯାହାକୁ ହିବ୍ରୁ ଭାଷାରେ ଗବ୍ବଥା କହନ୍ତି ସେହି ସ୍ଥାନରେ ବିଚାରାସନରେ ବସିଲେ। ତାହା ଥିଲା ନିସ୍ତାର ପର୍ବ ସପ୍ତାହର ପ୍ରସ୍ତୁତି ଦିବସ ଏବଂ ସମୟ ଥିଲା; ସକାଳ ଛ ଘଣ୍ଟା।
ପୀଲାତ ଲୋକମାନଙ୍କୁ କହିଲେ, “ଏହି ଦେଖ, ତୁମର ରାଜା।”
କିନ୍ତୁ ସେମାନେ ଚିତ୍କାର କରି କହିଲେ, “ତାକୁ ନେଇଯାଅ! ତାକୁ ନେଇଯାଅ! ତାକୁ କ୍ରୁଶରେ ଚଢ଼ାଅ!”
ପୀଲାତ ପ୍ରଶ୍ନ କଲେ, “ତୁମର ରାଜାଙ୍କୁ ମୁଁ କଣ କ୍ରୁଶବିଦ୍ଧ କରିବି?”
ପ୍ରଧାନ ଯାଜକମାନେ ଉତ୍ତର ଦେଲେ, “ସିଜାରଙ୍କ ଛଡ଼ା ଆମର ରାଜା ଆଉ କେହି ନାହିଁ।”
ଅବଶେଷରେ କ୍ରୁଶବିଦ୍ଧ କରିବା ପାଇଁ ପୀଲାତ ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିଦେଲେ।
ଯୀଶୁ କ୍ରୁଶବିଦ୍ଧ ହେଲେ
ଅତଏବ ସୈନିକମାନେ ଯୀଶୁଙ୍କୁଧରି ନେଇଗଲେ। ଯୀଶୁ ନିଜର କ୍ରୁଶ ବହନ କରି, ଖପୁରି ସ୍ଥାନ ଯାହାକୁ ହିବ୍ରୁ ଭାଷାରେ ଗଲ୍ଗଥା କହନ୍ତି ସେହି ସ୍ଥାନକୁ ଗଲେ। ସେଠାରେ ସେମାନେ ତାହାଙ୍କୁ କ୍ରୁଶବିଦ୍ଧ କଲେ, ସେମାନେ ଯୀଶୁଙ୍କୁ ମଝିରେ ରଖି ତାଙ୍କ ସହିତ ଆଉ ଦୁଇଜଣଙ୍କୁ ତାହାଙ୍କ ଉଭୟେ ପାର୍ଶ୍ୱରେ କ୍ରୁଶରେ ଚଢ଼ାଇଲେ।
ପୀଲାତ ଏକ ବିଜ୍ଞାପନ ପ୍ରସ୍ତୁତ କରି କ୍ରୁଶରେ ଲଗାଇଥିଲେ, ସେଥିରେ ଏହା ଲେଖାଥିଲା:
ନାଜରିତୀୟ ଯୀଶୁ, ଯିହୁଦୀମାନଙ୍କର ରାଜା।
ଯୀଶୁ କ୍ରୁଶବିଦ୍ଧ ହୋଇଥିବା ସ୍ଥାନଟି ନଗର ନିକଟବର୍ତ୍ତୀ ହୋଇଥିବାରୁ, ଏବଂ ହିବ୍ରୁ, ଲାଟିନ୍ ଓ ଗ୍ରୀକ ଭାଷାରେ ତାହା ଲିଖିତ ହୋଇଥିବାରୁ, ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ତାହା ପାଠ କଲେ। ଯିହୁଦୀମାନଙ୍କର ପ୍ରଧାନ ଯାଜକମାନେ ପୀଲାତଙ୍କ ନିକଟରେ ପ୍ରତିବାଦ କରି କହିଲେ, “ଯିହୁଦୀମାନଙ୍କର ରାଜା ବୋଲି ନ ଲେଖି, ଏହି ଲୋକ ନିଜକୁ ଯିହୁଦୀମାନଙ୍କର ରାଜା ବୋଲାଉଥିଲା ବୋଲି ଲେଖନ୍ତୁ।”
ପୀଲାତ ଉତ୍ତର ଦେଲେ, “ମୁଁ ଯାହା ଲେଖିଛି, ତାହା ଲେଖି ସାରିଛି।”
ସୈନିକମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲାପରେ, ତାହାଙ୍କର ବସ୍ତ୍ରଗୁଡ଼ିକରୁ, ପ୍ରତ୍ୟେକ ଜଣ ପାଇଁ ଗୋଟିଏ ଲେଖାଏଁ ହିସାବରେ ଚାରି ଭାଗ କଲେ, କେବଳ ତାଙ୍କର ଭିତର ପିନ୍ଧା ପରିଚ୍ଛଦଟି ବାକି ରହିଲା। ଏହି ପରିଚ୍ଛଦଟି ବିନା ସିଲାଇରେ, ଉପରୁ ତଳଯାଏ ବୁଣା ହୋଇଥିଲା।
ସେମାନେ ପରସ୍ପରକୁ କହିଲେ। “ଏହାକୁ ଚିରିବା ନାହିଁ,” ଏହାକୁ କିଏ ପାଇବ ତାହା ଗୁଲିବାଣ୍ଟ କରି ସ୍ଥିର କରିବା।
ସେମାନେ ଆପଣା ମଧ୍ୟରେ ମୋର ବସ୍ତ୍ର ଭାଗ କରିନେଲେ
ଓ ମୋର ପୋଷାକ ପାଇଁ ଗୁଲିବାଣ୍ଟ କଲେ
ଧର୍ମଶାସ୍ତ୍ରର ଏହି ବାକ୍ୟ ଯେପରି ସଫଳ ହେବ ସେଥିପାଇଁ ଏହା ଘଟିଲା। ତେଣୁ ସୈନ୍ୟମାନେ ଏହିପରି କଲେ।
ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କର ମାତା, ମାତାଙ୍କର ଭଉଣୀ, କ୍ଲିଓଫାଙ୍କ ସ୍ତ୍ରୀ ମରିୟମ, ଓ ମଗ୍ଦଲିନୀ ମରିୟମ ଠିଆ ହୋଇଥିଲେ। ଯୀଶୁ ନିଜର ମାତାଙ୍କୁ, ଓ ତାଙ୍କର ପ୍ରିୟ ଶିଷ୍ୟଙ୍କୁ ନିକଟରେ ଠିଆ ହୋଇଥିବାର ଦେଖି, ମାତାଙ୍କୁ କହିଲେ, “ଆଗୋ ନାରୀ, ଏ ତୁମର ପୁଅ,” ପୁଣି ସେହି ଶିଷ୍ୟଙ୍କୁ କହିଲେ, “ଏ ତୁମର ମାଆ।” ସେହି ସମୟଠାରୁ, ଶିଷ୍ୟଜଣକ ତାଙ୍କୁ ନିଜ ଗୃହକୁ ନେଇଗଲେ।
ଯୀଶୁ ମୃତ୍ୟୁବରଣ କଲେ
ଏହାପରେ, ସବୁ ବିଷୟ ସମାପ୍ତ ହେଲା ବୋଲି ଜାଣି, ପୁଣି ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ଏଥିପାଇଁ ଯୀଶୁ କହିଲେ, “ମୋତେ ତୃଷା ଲାଗୁଛି।” ସେଠାରେ ଅମ୍ଳସୁରାରେ ପୂର୍ଣ୍ଣ ଗୋଟିଏ ପାତ୍ର ଥିଲା, ତେଣୁ ସେମାନେ ଖଣ୍ଡେ ସ୍ପଞ୍ଜକୁ ଅମ୍ଳସୁରାରେ ବୁଡ଼ାଇ, ଏସୋବ ଡାଳିରେ ଲଗାଇଲେ, ଓ ଯୀଶୁଙ୍କ ମୁଖ ପାଖକୁ ଟେକି ଧରିଲେ। ଯୀଶୁ ତାହା ପାନ କଲାପରେ, କହିଲେ, “ସମାପ୍ତ ହେଲା।” ଏହା କହି ସେ ମୁଣ୍ଡ ନୁଆଁଇ ପ୍ରାଣତ୍ୟାଗ କଲେ।
ସେହିଦିନ ପ୍ରସ୍ତୁତି ଦିବସ, ଓ ପରବର୍ତ୍ତୀ ଦିନ ଏକ ବିଶେଷ ଶାବତବାର ଥିଲା। ଶାବତବାରରେ ଶରୀରଗୁଡ଼ିକ କ୍ରୁଶ ଉପରେ ରହୁ ବୋଲି ଯିହୁଦୀମାନେ ଇଚ୍ଛା କରୁ ନ ଥିଲେ, ତେଣୁ କ୍ରୁଶବିଦ୍ଧ ଲୋକମାନଙ୍କର ଗୋଡ଼ ଭଙ୍ଗାଯିବାକୁ ଓ ସେମାନଙ୍କ ଶରୀର କ୍ରୁଶରୁ ଓହ୍ଲାଇ ଦେବାକୁ ଯିହୁଦୀମାନେ ପୀଲାତଙ୍କୁ ଅନୁମତି ମାଗିଲେ। ଅତଏବ ସୈନିକମାନେ ଆସି ଯୀଶୁଙ୍କ ସହିତ କ୍ରୁଶବିଦ୍ଧ ହୋଇଥିବା ପ୍ରଥମ ଲୋକର, ଓ ଅନ୍ୟ ଲୋକର ଗୋଡ଼ ଭାଙ୍ଗି ଦେଲେ। କିନ୍ତୁ ସେମାନେ ଯେତେବେଳେ ଯୀଶୁଙ୍କ ନିକଟକୁ ଆସି ଦେଖିଲେ ଯେ ତାହାଙ୍କର ମୃତ୍ୟୁ ହୋଇ ସାରିଛି, ସେମାନେ ତାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ। ତଥାପି, ଜଣେ ସୈନିକ ବର୍ଚ୍ଛାରେ ଯୀଶୁଙ୍କର କକ୍ଷସ୍ଥଳ ବିଦ୍ଧ କଲା, ଏବଂ ତତ୍କ୍ଷଣାତ୍ ରକ୍ତ ଓ ଜଳ ବୋହି ଆସିଲା। ଯେଉଁ ବ୍ୟକ୍ତି ଏହା ଦେଖିଅଛି ସେ ସାକ୍ଷ୍ୟ ଦେଉଅଛି, ଏବଂ ତାହାର ସାକ୍ଷ୍ୟ ସତ୍ୟ ଅଟେ। ଏହି ବ୍ୟକ୍ତି ଯେ ସତ୍ୟ କହୁଛି, ଏହା ସେ ଜାଣନ୍ତି ଏବଂ ତୁମ୍ଭେମାନେ ମଧ୍ୟ ଯେପରି ବିଶ୍ୱାସ କରିବ ଏଥିପାଇଁ ସେ ସାକ୍ଷ୍ୟ ଦେଉଅଛି। ଧର୍ମଶାସ୍ତ୍ରର ଏହି ବାକ୍ୟ ଯେପରି ସଫଳ ହେବ ସେଥିପାଇଁ ଏହିସବୁ ଘଟିଲା: “ତାହାଙ୍କର ଖଣ୍ଡେ ସୁଦ୍ଧା ଅସ୍ଥି ଭଗ୍ମ ହେବ ନାହିଁ।” ପୁଣି, ଧର୍ମଶାସ୍ତ୍ରର ଆଉ ଏକ ବାକ୍ୟ କହେ “ଯାହାଙ୍କୁ ସେମାନେ ବିଦ୍ଧ କଲେ ତାହାଙ୍କ ପ୍ରତି ଦୃଷ୍ଚିପାତ କରିବେ।”
ଯୀଶୁ କବରସ୍ଥ ହେଲେ
ପରେ ଆରାମାଥିୟାର ଯୋସେଫ ଯୀଶୁଙ୍କର ଶରୀର ନେବା ପାଇଁ ପୀଲାତଙ୍କ ଠାରୁ ଅନୁମତି ମାଗିଲେ। ଯୋସେଫ ଯିହୁଦୀମାନଙ୍କୁ ଭୟ କରୁଥିବାରୁ, ସେ ଯୀଶୁଙ୍କର ଜଣେ ଗୁପ୍ତ ଶିଷ୍ୟ ଥିଲେ। ପୀଲାତଙ୍କ ଅନୁମତିକ୍ରମେ, ସେ ଆସି ଯୀଶୁଙ୍କ ଶରୀର ନେଇଗଲେ। ତାଙ୍କ ସହିତ ନୀକଦୀମ ଯାଇଥିଲେ, ଏହି ନୀକଦୀମ ପୂର୍ବେ ଯୀଶୁଙ୍କ ସହ ସାକ୍ଷାତ କରିବାକୁ ରାତ୍ରିରେ ଯାଇଥିଲେ। ନୀକଦୀମ ପ୍ରାୟ ଏକ କିଲୋଗ୍ରାମର ଗୁଗଗୁଳ ମିଶ୍ରିତ ଅଗୁରୁ, ଆଣିଥିଲେ। ସେ ଦୁହେଁ, ଯିହୁଦୀମାନଙ୍କ ସମାଧି ଦେବା ରୀତି ଅନୁସାରେ, ଯୀଶୁଙ୍କ ଶରୀରକୁ ନେଇ ସୁଗନ୍ଧିଦ୍ରବ୍ୟ ସହିତ ସୂତୀ ଲୁଗାରେ ଗୁଡ଼ାଇଲେ। ଯୀଶୁ ଯେଉଁ ସ୍ଥାନରେ କ୍ରୁଶବିଦ୍ଧ ହୋଇଥିଲେ, ସେହି ସ୍ଥାନରେ ଏକ ଉଦ୍ୟାନ ଥିଲା, ସେହି ଉଦ୍ୟାନରେ ଏକ ନୂତନ ସମାଧି ଥିଲା, ତହିଁରେ କାହାରି ମୃତଶରୀର କେବେ ରଖା ଯାଇ ନ ଥିଲା। ସେହିଦିନ ଯିହୁଦୀମାନଙ୍କର ପ୍ରସ୍ତୁତି ଦିବସ ଥିବାରୁ ଓ ସମାଧିଟି ନିକଟରେ ଥିବାରୁ, ସେମାନେ ଯୀଶୁଙ୍କୁ ସେହିଠାରେ ରଖିଲେ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.