Skip to content
BibleKenya

Biblica® Open Odia Contemporary Bible

ଏବ୍ରୀ 5

ପ୍ରତ୍ୟେକ ମହାଯାଜକ ଲୋକମାନଙ୍କ ମଧ୍ୟରୁ ମନୋନୀତ ହୁଅନ୍ତି ଏବଂ ଈଶ୍ୱରଙ୍କ ସେବା ସମ୍ବନ୍ଧରେ, ଅର୍ଥାତ୍ ପାପ ପାଇଁ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିବାକୁ ଲୋକଙ୍କ ତରଫରୁ ପ୍ରତିନିଧି ଭାବରେ ନିଯୁକ୍ତ ହୁଅନ୍ତି। ମହାଯାଜକ ନିଜେ ଦୋଷଦୁର୍ବଳତାର ଅଧୀନ ହୋଇଥିବାରୁ, ସେ ଅଜ୍ଞାନ ଓ ବିପଥଗାମୀ ଲୋକଙ୍କ ସହିତ କୋମଳ ବ୍ୟବହାର କରିପାରନ୍ତି। ଏହି କାରଣରୁ ଲୋକଙ୍କର ତଥା ନିଜର ପାପ ପାଇଁ ମଧ୍ୟ, ବଳି ଉତ୍ସର୍ଗ କରିବା ତାଙ୍କର ପ୍ରୟୋଜନ ହୁଏ। କେହି ଏହି ମର୍ଯ୍ୟାଦାଜନକ ପଦ ନିଜେ ଗ୍ରହଣ କରେ ନାହିଁ, ହାରୋଣଙ୍କ ପରି ସେ ଈଶ୍ୱରଙ୍କ ଦ୍ଵାରା ଆହୂତ ହେବା ଆବଶ୍ୟକ।

ସେହିପରି, ଖ୍ରୀଷ୍ଟ ମଧ୍ୟ ମହାଯାଜକ ହେବାର ଗୌରବ ନିଜେ ନିଜ ପାଇଁ ଗ୍ରହଣ କରି ନ ଥିଲେ। କିନ୍ତୁ ଈଶ୍ୱର ତାହାଙ୍କୁ କହିଥିଲେ,

“ତୁମ୍ଭେ ମୋହର ପୁତ୍ର;

ଆଜି ମୁଁ ତୁମ୍ଭର ପିତା ହେଲି।”

ଆହୁରି ମଧ୍ୟ ସେ ଅନ୍ୟତ୍ର କହିଅଛନ୍ତି,

“ତୁମ୍ଭେ ମଲ୍‌କୀଷେଦକଙ୍କ ପଦବିଶିଷ୍ଟ,

ଚିରକାଳୀନ ଯାଜକ ଅଟ।”

ଯେ ତାହାଙ୍କୁ ମୃତ୍ୟୁରୁ ଉଦ୍ଧାର କରିବାକୁ ସମର୍ଥ, ତାହାଙ୍କ ନିକଟରେ ଯୀଶୁ ଏହି ପୃଥିବୀରେ, ତାଙ୍କର ଜୀବନ କାଳରେ ଆର୍ତ୍ତନାଦ ଓ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି କରିଥିଲେ ଏବଂ ଭୟଭକ୍ତିପୂର୍ଣ୍ଣ ଆଜ୍ଞାବହତା ସକାଶେ ତାହାଙ୍କର ପ୍ରାର୍ଥନା ଗୃହୀତ ହୋଇଥିଲା। ସେ ପୁତ୍ର ହେଲେ ସୁଦ୍ଧା, ଦୁଃଖଭୋଗ ଦ୍ଵାରା ବାଧ୍ୟତା ଶିକ୍ଷା କଲେ ପୁଣି, ସିଦ୍ଧ ହୋଇ, ସେ ତାହାଙ୍କର ସବୁ ଆଜ୍ଞା ପାଳନକାରୀ ଲୋକଙ୍କ ପାଇଁ ଅନନ୍ତ ପରିତ୍ରାଣର ଉତ୍ସ ହେଲେ ମଲ୍‌କୀଷେଦକଙ୍କ ପଦବିଶିଷ୍ଟ ମହାଯାଜକ ହେବା ପାଇଁ ସେ ଈଶ୍ୱରଙ୍କ ଦ୍ଵାରା ମନୋନୀତ ହେଲେ।

ଆଧ୍ୟାତ୍ମିକ ପତନ ସମ୍ବନ୍ଧରେ ଚେତାବନୀ

ଏ ବିଷୟରେ ମୋର ଅନେକ କିଛି କହିବାର ଅଛି, କିନ୍ତୁ ତାହା ବୁଝାଇବା କଷ୍ଟକର କାରଣ ତୁମ୍ଭେମାନେ ସ୍ଥୂଳବୁଦ୍ଧି। ପ୍ରକୃତରେ, ତୁମ୍ଭେମାନେ ଏତେବେଳକୁ ଶିକ୍ଷକ ହେବା ଉଚିତ୍ ଥିଲା, କିନ୍ତୁ ଈଶ୍ୱରଙ୍କ ବାକ୍ୟର ପ୍ରାଥମିକ ତତ୍ତ୍ୱଗୁଡ଼ିକ ତୁମ୍ଭମାନଙ୍କୁ ପୁନର୍ବାର ମୂଳରୁ ଶିଖାଇବାକୁ ଶିକ୍ଷକ ଆବଶ୍ୟକ ହେଉଅଛି। ଗୁରୁପାକ ଖାଦ୍ୟ ପରିବର୍ତ୍ତେ, ତୁମ୍ଭମାନଙ୍କ ପାଇଁ ଦୁଗ୍‌ଧ ପ୍ରୟୋଜନ ହେଉଅଛି! ଯେ ଦୁଗ୍‌ଧପାନ କରି ବଞ୍ଚିଛି, ସେ ଆହୁରି ଶିଶୁ ହୋଇ ରହିଅଛି, ତେଣୁ ସେ ଧାର୍ମିକତା ବିଷୟକ ଶିକ୍ଷାରେ ପରିଚିତ ନୁହେଁ। କିନ୍ତୁ ଗୁରୁପାକ ଖାଦ୍ୟ ପୂର୍ଣ୍ଣବୟସ୍କମାନଙ୍କ ନିମନ୍ତେ, ଯେଉଁମାନେ ଅଭ୍ୟାସ ଦ୍ଵାରା ଭଲମନ୍ଦର ପ୍ରଭେଦ ଜାଣିବାକୁ ଶିଖିଅଛନ୍ତି।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.