Skip to content
BibleKenya

Biblica® Open Odia Contemporary Bible

ଏବ୍ରୀ 4

ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ବିଶ୍ରାମ

ଅତଏବ, ତାହାଙ୍କ ବିଶ୍ରାମରେ ପ୍ରବେଶ କରିବା ପ୍ରତିଶ୍ରୁତି ଏ ଯାଏ ଅବ୍ୟାହତ ରହିଥିବାରୁ ତୁମ୍ଭମାନଙ୍କମଧ୍ୟରୁ କେହି ଯେପରି ସେଥିରୁ ବଞ୍ଚିତ ନ ହୁଏ, ଏଥିପ୍ରତି ଆମେ ସଚେତନ ରହୁ। କାରଣ ସେମାନଙ୍କ ନିକଟରେ ଯେପରି, ଆମ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି; କିନ୍ତୁ ଶୁଣିଥିବା ବାର୍ତ୍ତା ସେମାନଙ୍କ ପାଇଁ ଲାଭଜନକ ହେଲା ନାହିଁ, କାରଣ ଶୁଣିଥିବା ଲୋକେ ତହିଁରେ ବିଶ୍ୱାସ କଲେ ନାହିଁ। କିନ୍ତୁ ଆମେ ଅର୍ଥାତ୍ ଯେଉଁମାନେ ବିଶ୍ୱାସ କରିଅଛୁ ସେହି ବିଶ୍ରାମରେ ପ୍ରବେଶ କରୁଅଛୁ, କାରଣ ଈଶ୍ୱର ଏହା ହିଁ କହିଅଛନ୍ତି,

“ସେଥିପାଇଁ ମୁଁ କ୍ରୋଧାନ୍ୱିତ ହୋଇ ଶପଥ କରିଥିଲି ଯେ,

‘ସେମାନେ କଦାପି ମୋର ବିଶ୍ରାମରେ ପ୍ରବେଶ କରିବେ ନାହିଁ।’ ”

ଅଥଚ ଜଗତର ସୃଷ୍ଟି କାଳରୁ ତାହାଙ୍କର କାର୍ଯ୍ୟ ସମାପ୍ତ ହୋଇଥିଲା। କାରଣ ସପ୍ତମ ଦିବସ ବିଷୟରେ ସେ କୌଣସି ଏକ ସ୍ଥାନରେ ଏହି କଥାଗୁଡ଼ିକ କହିଅଛନ୍ତି: “ପୁଣି ସପ୍ତମ ଦିନ ଈଶ୍ୱର ନିଜର ସମସ୍ତ କର୍ମରୁ ବିଶ୍ରାମ ନେଲେ।” ସେ ପୂର୍ବୋକ୍ତ ବାକ୍ୟରେ କହିଅଛନ୍ତି, “ସେମାନେ କଦାପି ମୋର ବିଶ୍ରାମରେ ପ୍ରବେଶ କରିବେ ନାହିଁ।”

ଅତଏବ କେତେଜଣଙ୍କ ପକ୍ଷେ ତହିଁରେ ପ୍ରବେଶ କରିବା ବାକି ରହିଅଛି, ଏବଂ ଯେଉଁମାନଙ୍କ ନିକଟରେ ସୁସମାଚାର ପୂର୍ବେ ପ୍ରଚାରିତ ହୋଇଥିଲା ନିଜର ଅବାଧ୍ୟତା ଯୋଗୁଁ ସେମାନେ ପ୍ରବେଶ କରିପାରିଲେ ନାହିଁ, ସେଥିପାଇଁ ଈଶ୍ୱର ପୁନର୍ବାର ଆଉ ଏକ ଦିନ ନିରୂପଣ କଲେ, ସେହି ଦିନଟିକୁ ସେ “ଆଜି ଦିନ।” ଆଖ୍ୟା ଦେଲେ ଯେହେତୁ ଈଶ୍ୱର ଅନେକ କାଳ ପରେ ଦାଉଦଙ୍କ ଦ୍ଵାରା ଯାହା କହିଥିଲେ, ତାହା ପୂର୍ବେ ଉଲ୍ଲେଖ କରାଯାଇଛି:

“ଆଜି ଯଦି, ତୁମ୍ଭେମାନେ ତାହାଙ୍କର ବାଣୀ ଶୁଣ,

ତେବେ ତୁମର ହୃଦୟ କଠିନ କର ନାହିଁ।”

କାରଣ ଯିହୋଶୂୟ ଯଦି ସେମାନଙ୍କୁ ବିଶ୍ରାମ ଦେଇଥାଆନ୍ତେ, ତେବେ ଈଶ୍ୱର ପରେ ଅନ୍ୟ ଏକ ଦିନ ବିଷୟ କହି ନ ଥାଆନ୍ତେ। ତା ହେଲେ, ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ଶାବତବାର1 ସଦୃଶ ଏକ ବିଶ୍ରାମ ବାକି ରହିଅଛି; କାରଣ ଯେକେହି ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରେ, ଈଶ୍ୱର ନିଜ କାର୍ଯ୍ୟରୁ ବିଶ୍ରାମ ନେଲା ପରି ସେ ନିଜ କାର୍ଯ୍ୟରୁ ମଧ୍ୟ ବିଶ୍ରାମ ଲାଭ କରେ। ତେଣୁ, ସେମାନଙ୍କ ଅବାଧ୍ୟତା ଅନୁକରଣ କରି କାହାରି ଯେପରି ପତନ ନ ହୁଏ, ସେଥିପାଇଁ ଆମେ ସେହି ବିଶ୍ରାମରେ ପ୍ରବେଶ କରିବାକୁ, ସବୁ ପ୍ରକାରେ ଉଦ୍ୟମ କରୁ।

ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ ସକ୍ରିୟ। ତାହା ଯେକୌଣସି ଦ୍ୱିଧାର ଖଡ଼୍‌ଗ ଅପେକ୍ଷା ତୀକ୍ଷ୍ନତର, ତାହା ପ୍ରାଣ ଓ ଆତ୍ମା, ସନ୍ଧି ଓ ମଜ୍ଜା ବିଭକ୍ତ କରିବା ପର୍ଯ୍ୟନ୍ତ ଭେଦ କରେ; ତାହା ଚିନ୍ତା ଓ ମନୋଭାବ ପରୀକ୍ଷା କରେ। ସମଗ୍ର ସୃଷ୍ଟିରେ କୌଣସି ବିଷୟ ଈଶ୍ୱରଙ୍କ ଦୃଷ୍ଟିରୁ ଲୁକ୍‌କାୟିତ ନୁହେଁ। ଯାହାଙ୍କ ସମ୍ମୁଖରେ ଆମକୁ ନିକାଶ ଦେବାକୁ ହେବ ତାହାଙ୍କ ଦୃଷ୍ଟିଗୋଚରରେ ସମସ୍ତ ବିଷୟ ଅନାବୃତ ଓ ଅନାଚ୍ଛାଦିତ ଅଟେ।

ଶ୍ରେଷ୍ଠ ମହାଯାଜକ ଯୀଶୁ

ଅତଏବ, ଈଶ୍ୱରଙ୍କ ପୁତ୍ର ଯୀଶୁ, ଯେ କି ଗମନ କରି ଊର୍ଦ୍ଧ୍ୱତମ ସ୍ଵର୍ଗରେ ପ୍ରବେଶ କରିଅଛନ୍ତି, ସେ ଆମର ଶ୍ରେଷ୍ଠ ମହାଯାଜକ ହୋଇଥିବାରୁ ଆସ, ଆମେ ସ୍ୱୀକାର କରୁଥିବା ବିଶ୍ୱାସମତକୁ ଦୃଢ଼ ରୂପେ ଧରି ରଖୁ। କାରଣ ଆମର ମହାଯାଜକ ଏପରି ନୁହନ୍ତି ଯେ କି ଆମର ଦୁର୍ବଳତାରେ ସହାନୁଭୂତିଶୀଳ ହେବାକୁ ଅସମର୍ଥ, ମାତ୍ର ଆମର ଏପରି ଜଣେ ମହାଯାଜକ ଅଛନ୍ତି, ଯେ କି ଆମ ପରି ସବୁପ୍ରକାର ପରୀକ୍ଷାର ସମ୍ମୁଖୀନ ହୋଇ ସୁଦ୍ଧା ପାପଶୂନ୍ୟ ଥିଲେ। ଅତଏବ ଆସ ଦୟା ଲାଭ କରିବାକୁ ଓ ପ୍ରୟୋଜନ ସମୟରେ ସାହାଯ୍ୟ ପାଇଁ ଅନୁଗ୍ରହ ପାଇବାକୁ, ଆମେ ଭରସାରେ ଅନୁଗ୍ରହ ସିଂହାସନର ନିକଟବର୍ତ୍ତୀ ହେଉ।

Source notes (1)
  1. Footnote କିଛି ଲୋକ ଏହାକୁ ବିଶ୍ରାମବାର କହନ୍ତି

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.