Skip to content
BibleKenya

Biblica® Open Odia Contemporary Bible

ଏଫିସୀୟ 2

ଖ୍ରୀଷ୍ଟଙ୍କ ହେତୁ ଜୀବନଲାଭ

ତୁମ୍ଭେମାନେ ଅପରାଧ ଓ ପାପରେ ମୃତ ଥିଲ, ତୁମ୍ଭେମାନେ ଯେତେବେଳେ ଏହି ଜଗତର ରୀତିନୀତିକୁ ଓ ଆକାଶମଣ୍ଡଳସ୍ଥ ରାଜ୍ୟର ଅଧିପତିକୁ ଅନୁସରଣ କରୁଥିଲ, ସେତେବେଳେ ପାପରେ ଜୀବନ କାଟୁଥିଲ ଯେଉଁମାନେ ଅବାଧ୍ୟ ସେମାନଙ୍କ ମଧ୍ୟରେ ସେହି ଅଧିପତିର ଆତ୍ମା ଏବେହେଁ କାର୍ଯ୍ୟ କରୁଅଛି। ସେହି ଅବାଧ୍ୟ ଲୋକଙ୍କ ସହିତ ଆମେ ମଧ୍ୟ ଏକଦା ବାସ କରି ଆମର ଶାରୀରିକ ଅଭିଳାଷ ଚରିତାର୍ଥ କରୁଥିଲୁ। ପୁଣି ସେହି ଶାରୀରିକ ଅଭିଳାଷର କାମନା ଓ ଭାବନା ଅନୁସାରେ ଆଚରଣ କରୁଥିଲୁ, ଅନ୍ୟମାନଙ୍କ ପରି ଆମେ ସ୍ଵଭାବତଃ କ୍ରୋଧରପାତ୍ର ଥିଲୁ। କିନ୍ତୁ ଅତ୍ୟନ୍ତ କରୁଣାମୟ ଈଶ୍ୱରଙ୍କର ପ୍ରେମ, ଆମ ପ୍ରତି ମହତ୍ ହୋଇଥିବାରୁ, ଆମେ ଆଜ୍ଞାଲଘଂନପାପରେ ମୃତ ଥିଲେ ସୁଦ୍ଧା ଆମକୁ ଖ୍ରୀଷ୍ଟଙ୍କ ସହିତ ସଜୀବ କଲେ, ଏହି ଅନୁଗ୍ରହ ଦ୍ଵାରା ହିଁ ତୁମ୍ଭେମାନେ ପରିତ୍ରାଣ ପାଇଅଛ। ଆହୁରି ମଧ୍ୟ ଈଶ୍ୱର ଆମକୁ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ କଲେ ଓ ଖ୍ରୀଷ୍ଟ ଯୀଶୁଙ୍କ ହେତୁ ତାହାଙ୍କ ସହିତ ସ୍ଵର୍ଗୀୟ ସ୍ଥାନରେ ବସାଇଲେ, ଏହା କରିବା ଦ୍ଵାରା ସେ ଖ୍ରୀଷ୍ଟ ଯୀଶୁଙ୍କ ହେତୁ ଆମ ପ୍ରତି ଆପଣାର ଦୟା ପ୍ରକାଶ କରି ତାହାଙ୍କର ଅନୁଗ୍ରହ ରୂପ ନିଧି ଯେ ଅତୁଳନୀୟ, ଏହା ଆଗାମୀ ଯୁଗରେ ପ୍ରଦର୍ଶନ କରିବେ। କାରଣ ବିଶ୍ୱାସ ହେତୁ ଅନୁଗ୍ରହ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ, ଏବଂ ଏହା ତୁମ ନିଜଠାରୁ ହୋଇନାହିଁ, ଏହା ଈଶ୍ୱରଙ୍କ ଦାନ, କେହି ଯେପରି ଦର୍ପ ନ କରେ, ଏଥିପାଇଁ କ୍ରିୟାକର୍ମ ଦ୍ଵାରା ହୋଇନାହିଁ। କାରଣ ଆମେ ଈଶ୍ୱରଙ୍କ କାରୁକର୍ମ, ଯେଉଁସବୁ ସତ୍କର୍ମ ଆମେ କରିବୁ ବୋଲି ଈଶ୍ୱର ପୂର୍ବରୁ ନିରୂପଣ କରିଥିଲେ, ତାହା କରିବାକୁ ଆମେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ ହୋଇଅଛୁ।

ଖ୍ରୀଷ୍ଟଙ୍କଠାରେ ଆମେ ଏକ

ସେଥିପାଇଁ ମନେରଖ, ପୂର୍ବେ ତୁମ୍ଭେମାନେ ଜନ୍ମରୁ ଅଣଯିହୁଦୀ ଥିଲ ଓ ଯେଉଁମାନେ ନିଜକୁ “ସୁନ୍ନତ” କହନ୍ତି (ଯଦିବା ତାହା ଶରୀରରେ ଓ ମନୁଷ୍ୟ ହସ୍ତକୃତ) ସେମାନଙ୍କ ଦ୍ଵାରା ତୁମ୍ଭେମାନେ “ଅସୁନ୍ନତ” ବୋଲି ପରିଚିତ ଥିଲ ମନେରଖ ସେତେବେଳେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ପୃଥକ୍ ଥିଲ, ଇସ୍ରାଏଲର ନାଗରିକ ପଦରୁ ବଞ୍ଚିତ ଥିଲ ଓ ପ୍ରତିଜ୍ଞାର ଚୁକ୍ତିସମୂହରେ ଅଂଶୀଭୂତ ନ ଥିଲ, ଜଗତରେ ଆଶାହୀନ ଓ ଈଶ୍ୱରବିହୀନ ହୋଇ ରହିଥିଲ। କିନ୍ତୁ ଏକଦା ଦୂରରେ ଥିଲେ ମଧ୍ୟ ଏବେ ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ନିକଟବର୍ତ୍ତୀ ହୋଇ ଖ୍ରୀଷ୍ଟଙ୍କଠାରେ ଅଛ।

କାରଣ ସ୍ଵୟଂ ଖ୍ରୀଷ୍ଟ ଆମର ଶାନ୍ତିସ୍ଵରୂପ, ସେ ଯିହୁଦୀ ଓ ଅଣଯିହୁଦୀ ଏହି ଦୁହିଁଙ୍କୁ ଏକ କରି ପ୍ରତିବନ୍ଧକ ସୃଷ୍ଟି କରୁଥିବା, ଶତ୍ରୁତାରୂପ ବିଭେଦ ପ୍ରାଚୀରକୁ ଧ୍ୱଂସ କରିଅଛନ୍ତି। ସେ ବିଧିବ୍ୟବସ୍ଥା ଓ ତହିଁର ଆଜ୍ଞାସକଳ ଓ ନିୟମଗୁଡ଼ିକୁ ନିଜ ଶରୀରରେ ଲୋପ କରି ଏହା ସାଧନ କରିଛନ୍ତି। ଏହି ଦୁହିଁଙ୍କୁ ନେଇ ନିଜଠାରେ ଏକ ନୂତନ ମନୁଷ୍ୟ ସୃଷ୍ଟି କରିବା ଓ ତଦ୍ଦ୍ୱାରା ଶାନ୍ତି ସ୍ଥାପନ କରିବା ତାହାଙ୍କର ଉଦ୍ଦେଶ୍ୟ ଥିଲା, ପୁଣି ଉଭୟଙ୍କୁ କ୍ରୁଶ ଦ୍ଵାରା ଈଶ୍ୱରଙ୍କ ସହିତ ପୁନର୍ମିଳିତ କରାଇ, ସେମାନଙ୍କର ଶତ୍ରୁତା ଲୋପ କରି ଏକ ଶରୀର ସ୍ଵରୂପ କରିବା ତାହାଙ୍କର ଉଦ୍ଦେଶ୍ୟ ଥିଲା। ତୁମେ ଯେଉଁମାନେ କି ଦୂରରେ ଥିଲ ଏବଂ ସେମାନେ ଯେଉଁମାନେ କି ନିକଟରେ ଥିଲେ ଉଭୟଙ୍କ ନିକଟକୁ ସେ ଆସି ଶାନ୍ତିର ବାର୍ତ୍ତା ପ୍ରଚାର କଲେ। କାରଣ ତାହାଙ୍କ ମାଧ୍ୟମରେ ଆମେ ଉଭୟେ ଏକ ଆତ୍ମାଙ୍କ ଦ୍ଵାରା ପିତାଙ୍କ ନିକଟକୁ ଯିବାର ପ୍ରବେଶାଧିକାର ପାଇଅଛୁ।

ଅତଏବ, ତୁମ୍ଭେମାନେ ଆଉ ବିଦେଶୀ ଓ ପ୍ରବାସୀ ନୁହଁ, ମାତ୍ର ଈଶ୍ୱରଙ୍କ ଲୋକମାନଙ୍କ ସହିତ ନାଗରିକତ୍ଵ ପାଇଅଛ ଓ ଈଶ୍ୱରଙ୍କ ପରିବାରଭୁକ୍ତ ହୋଇଅଛ, ତୁମ୍ଭେମାନେ ପ୍ରେରିତଶିଷ୍ୟ ଓ ଭାବବାଦୀମାନଙ୍କ ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ସ୍ଵୟଂ ଖ୍ରୀଷ୍ଟ ଯୀଶୁ ତହିଁର ପ୍ରଧାନ କୋଣପ୍ରସ୍ତର। ତାହାଙ୍କଠାରେ ପରସ୍ପର ସହିତ ସଂଯୁକ୍ତ ହୋଇ ସମଗ୍ର ଗୃହଟି ପ୍ରଭୁଙ୍କର ଏକ ପବିତ୍ର ମନ୍ଦିର ରୂପେ ଗଢ଼ି ଉଠୁଅଛି। ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ସଂଯୁକ୍ତ ହୋଇ ଏକ ନିବାସ ରୂପେ ନିର୍ମିତ ହେଉଅଛ ଯେଉଁ ନିବାସରେ ଈଶ୍ୱର ଆପଣା ଆତ୍ମାଙ୍କ ଦ୍ଵାରା ବାସ କରନ୍ତି।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.