Skip to content
BibleKenya

Biblica® Open Odia Contemporary Bible

ଦ୍ୱିତୀୟ କରିନ୍ଥୀୟ 9

ସାଧୁମାନଙ୍କ ପ୍ରତି ଏହି ସେବା ବିଷୟରେ ତୁମ୍ଭମାନଙ୍କୁ ଲେଖିବା ମୋର ପ୍ରୟୋଜନ ନାହିଁ। କାରଣ ସାହାଯ୍ୟ କରିବା ବିଷୟରେ ତୁମ୍ଭମାନଙ୍କର ଆଗ୍ରହ ମୁଁ ଜାଣେ, ଏବଂ ମାସିଦୋନୀୟମାନଙ୍କ ନିକଟରେ ମୁଁ ଏହି ବିଷୟରେ ଦର୍ପ କରି ସେମାନଙ୍କୁ କହିଛି ଯେ ଆଖାୟାରେ ଗତବର୍ଷରୁ ତୁମ୍ଭେମାନେ ଦାନ ଦେବାକୁ ପ୍ରସ୍ତୁତ ଥିଲ; ଓ ତୁମ୍ଭମାନଙ୍କର ଉତ୍ସାହ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଦାନ ଦେବା କାର୍ଯ୍ୟରେ ଅନୁପ୍ରାଣିତ କରିଛି। କିନ୍ତୁ ମୁଁ ଭାଇମାନଙ୍କୁ ଏହି ଉଦ୍ଦେଶ୍ୟରେ ପଠାଉଛି ଯେ, ତୁମ୍ଭେମାନେ ପ୍ରସ୍ତୁତ ଥିବ ବୋଲି ମୁଁ ଯାହା କହିଥିଲି, ଏ ବିଷୟରେ ଆମର ଦର୍ପ ଯେପରି ବୃଥା ହେବ ନାହିଁ ଏବଂ ତୁମ୍ଭେମାନେ ପ୍ରସ୍ତୁତ ରହିଥିବ। କୌଣସି ମାସିଦୋନୀୟ ଯଦି ମୋ ସଙ୍ଗରେ ଯାଇ ତୁମ୍ଭମାନଙ୍କୁ ପ୍ରସ୍ତୁତ ନ ଥିବାର ଦେଖେ, ତେବେ ତୁମ୍ଭମାନଙ୍କ କଥା ତ ଦୂରେ ଥାଉ ଆମେ ମଧ୍ୟ ଏତେ ଦୃଢ଼ ବିଶ୍ୱାସ ରଖିଥିବାରୁ ଲଜ୍ଜିତ ହେବୁ। ତୁମ୍ଭେମାନେ ପ୍ରତିଜ୍ଞା କରିଥିବା ଅକୁଣ୍ଠିତ ଦାନର ଆୟୋଜନ ସଂପୂର୍ଣ୍ଣ କରିବାକୁ ତୁମ୍ଭମାନଙ୍କ ନିକଟକୁ ଆଗରୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବା ଆବଶ୍ୟକ ମନେ କଲି। ତା ହେଲେ ଏହା ଅନିଚ୍ଛାକୃତ ଦାନ ନ ହୋଇ, ସ୍ୱେଚ୍ଛାପ୍ରଣୋଦିତ ଦାନ ହେବ।

ଉଦାରଚିତ୍ତ ଦାନ

ଏହା ମନେରଖ: ଯିଏ ଅଳ୍ପ ବୁଣେ ସେ ମଧ୍ୟ ଅଳ୍ପ କାଟିବ, ଯିଏ ପ୍ରଚୁର ବୁଣେ ସେ ମଧ୍ୟ ପ୍ରଚୁର କାଟିବ। ଦାନ କରିବାକୁ ପ୍ରତ୍ୟେକ ଜଣ ନିଜ ହୃଦୟରେ ଯାହା ସ୍ଥିର କରିଛି, ସେ ତାହା ଦାନ କରୁ କୁଣ୍ଠିତ ମନରେ କିମ୍ବା ବାଧ୍ୟବାଧକତା ଯୋଗୁଁ ନ କରୁ, କାରଣ ଈଶ୍ୱର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି। ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ଭାବରେ ଲାଭକରି, ତୁମ୍ଭେମାନେ ଯେପରି ସବୁ ସତ୍କର୍ମ ନିମନ୍ତେ ଅଧିକ ତତ୍ପର ହୋଇପାରିବ, ଏଥିପାଇଁ ଈଶ୍ୱର ପ୍ରଚୁରଭାବେ ତୁମ୍ଭମାନଙ୍କୁ ସର୍ବପ୍ରକାର ଆଶୀର୍ବାଦ କରିବାକୁ ସମର୍ଥ ଅଟନ୍ତି। କାରଣ ଏହିପରି ଲେଖାଅଛି:

“ସେ ଦରିଦ୍ରକୁ ଅକାତରେ ଦାନ କରେ;

ତାହାର ଧାର୍ମିକତା ଚିରସ୍ଥାୟୀ ହୁଏ।”

ଯେ ବୀଜବୁଣାଳିକୁ ବିହନ ଓ ଆହାର ପାଇଁ ଅନ୍ନ ଯୋଗାନ୍ତି ସେ ତୁମର ଭଣ୍ଡାର ପାଇଁ ଶସ୍ୟ ଯୋଗାଇବେ ଓ ତାହା ସମୃଦ୍ଧ କରିବେ ପୁଣି ତୁମର ଧାର୍ମିକତାରୂପ ଫସଲ ବୃଦ୍ଧି କରିବେ। ତୁମ୍ଭେମାନେ ଯେପରି ସବୁ ସମୟରେ ଉଦାରମନା ହୋଇପାରିବ, ଏଥିପାଇଁ ସବୁ ବିଷୟରେ ଧନବାନ ହେବ ଓ ତୁମ୍ଭମାନଙ୍କର ବଦାନ୍ୟତା ହେତୁ ଆମ ଦ୍ଵାରା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରାଯିବ।

ତୁମ୍ଭମାନଙ୍କର ଏହି ଦାନ ରୂପ ସେବାକାର୍ଯ୍ୟ ଯେ କେବଳ ଈଶ୍ୱରଙ୍କ ଲୋକମାନଙ୍କର ଅଭାବମୋଚନ କରୁଅଛି ତାହା ନୁହେଁ ମାତ୍ର ଅନେକ ଭାବେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଉଛୁଳି ଉଠୁଛି। କାରଣ ଖ୍ରୀଷ୍ଟଙ୍କର ସୁସମାଚାର ସ୍ୱୀକାର କରି ତୁମ୍ଭେମାନେ ଆଜ୍ଞାବହ ହେବାରୁ ଓ ଈଶ୍ୱରଙ୍କ ଲୋକମାନଙ୍କ ତଥା ଅଭାବଗ୍ରସ୍ତ ସମସ୍ତଙ୍କ ପ୍ରତି ତୁମର ବଦାନ୍ୟତା ପ୍ରକାଶ କରିବାରୁ, ଲୋକେ ତୁମ କାର୍ଯ୍ୟର ପ୍ରମାଣ ପାଇ ଈଶ୍ୱରଙ୍କ ସ୍ତୁତିବାଦ କରିବେ। ତୁମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଅସୀମ ଅନୁଗ୍ରହ ହେତୁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କଲାବେଳେ, ସେମାନଙ୍କ ହୃଦୟ ତୁମ୍ଭମାନଙ୍କ ପ୍ରତି ପ୍ରେମରେ ପୂର୍ଣ୍ଣ ହେବ। ଈଶ୍ୱରଙ୍କ ଅବର୍ଣ୍ଣନୀୟ ଦାନ ନିମନ୍ତେ ତାହାଙ୍କର ସ୍ତୁତିବାଦ ହେଉ!

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.