Skip to content
BibleKenya

Biblica® Open Odia Contemporary Bible

ପ୍ରଥମ ତୀମଥି 6

ଯେଉଁମାନେ କ୍ରୀତଦାସତ୍ଵରୂପ ଯୁଆଳି ଅଧୀନରେ ରହିଅଛନ୍ତି ସେମାନେ ନିଜର କର୍ତ୍ତାମାନଙ୍କୁ ସଂପୂର୍ଣ୍ଣଭକ୍ତିର ପାତ୍ର ବୋଲି ମନେ କରନ୍ତୁ, ତା ହେଲେ ଈଶ୍ୱରଙ୍କ ନାମ ଓ ଆମର ଶିକ୍ଷା ନିନ୍ଦିତ ହେବ ନାହିଁ। ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ ସେମାନଙ୍କୁ ଭାଇ ବୋଲି ମନେ କରି ସେମାନଙ୍କ ପ୍ରତି ଭକ୍ତି ଊଣା କରା ନ ଯାଉ। ବରଂ, କ୍ରୀତଦାସମାନେ ଆହୁରି ଭଲ ଭାବରେ ସେମାନଙ୍କର ସେବା କରନ୍ତୁ, କାରଣ ସେମାନଙ୍କ ସେବା ଦ୍ଵାରା ଉପକୃତ ହେଉଥିବା ବ୍ୟକ୍ତିମାନେ ତ ବିଶ୍ୱାସୀ ଓ ସେମାନଙ୍କର ପ୍ରିୟପାତ୍ର।

ଧନଲୋଭ ଓ ଭ୍ରାନ୍ତ ଶିକ୍ଷକ

ଏହିସବୁ ବିଷୟରେ ସେମାନଙ୍କୁ ଶିକ୍ଷା ଓ ନିର୍ଦ୍ଦେଶ ଦିଅ। କେହି ଯଦି ଭ୍ରାନ୍ତ ଶିକ୍ଷା ଦେଉଥାଏ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅଭ୍ରାନ୍ତ ବାକ୍ୟ ସହିତ ଏବଂ ଧର୍ମପରାୟଣତା ବିଷୟକ ଶିକ୍ଷା ସହିତ ଏକମତ ନ ହୁଏ, ସେ ବୃଥାଗର୍ବୀ ଓ ଅଜ୍ଞ ଅଟେ। ବାଦାନୁବାଦ ଓ ଯୁକ୍ତିତର୍କ କରିବାକୁ ତାହାର ବିକୃତ ଆଗ୍ରହ ଅଛି, ଏହାର ପରିଣାମରେ ଈର୍ଷା, କଳହ, ବିଦ୍ୱେଷପୂର୍ଣ୍ଣ କଥାବାର୍ତ୍ତା ଓ ହୀନ ସନ୍ଦେହ ଜାତ ହୁଏ ଏବଂ ଯେଉଁମାନେ ଧର୍ମପରାୟଣତାକୁ ଅର୍ଥଲାଭର ଏକ ପନ୍ଥା ବୋଲି ମନେ କରନ୍ତି ଏପରି ଭ୍ରଷ୍ଟଚିତ୍ତ, ସତ୍ୟବିବର୍ଜିତ ଲୋକଙ୍କ ମଧ୍ୟରେ ନିତ୍ୟ ବିରୋଧ ଜାତ ହୁଏ।

କିନ୍ତୁ ଧର୍ମପରାୟଣତା ସହିତ ସନ୍ତୋଷଭାବ ଥିଲେ ବହୁତ ଲାଭଜନକ। କାରଣ ଆମେ ଏ ଜଗତକୁ କିଛି ଆଣି ନାହୁଁ ଓ ଏଠାରୁ କିଛି ହିଁ ନେଇ ପାରିବା ନାହିଁ। କିନ୍ତୁ ଆମର ଅନ୍ନବସ୍ତ୍ର ଥିଲେ, ସେଥିରେ ଆମେ ସନ୍ତୁଷ୍ଟ ରହିବା ଉଚିତ। ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି ସେମାନେ ପ୍ରଲୋଭନ ଓ ଫାନ୍ଦରେ ପଡ଼ନ୍ତି ପୁଣି ନାନାଦି ଅସାର ଓ କ୍ଷତିକାରକ ଅଭିଳାଷର ବଶବର୍ତ୍ତୀ ହୁଅନ୍ତି ଯାହାକି ମନୁଷ୍ୟମାନଙ୍କୁ ସର୍ବନାଶ ଓ ବିନାଶରେ ବୁଡ଼ାଇ ଦିଏ। କାରଣ ଅର୍ଥଲୋଭ ସବୁ ଅନର୍ଥର ମୂଳ। କେହି କେହି ଧନଲାଳସା ହେତୁ, ବିଶ୍ୱାସମାର୍ଗରୁ ବିଚ୍ୟୁତ ହୋଇ ବହୁ ଦୁଃଖ ଦ୍ଵାରା ନିଜ ନିଜ ହୃଦୟ ବିଦୀର୍ଣ୍ଣ କରିଅଛନ୍ତି।

ତୀମଥିଙ୍କୁ ପାଉଲଙ୍କର ଦୃଢ଼ ଆଦେଶ

କିନ୍ତୁ, ହେ ଈଶ୍ୱରଭକ୍ତ, ତୁମେ ଏହିସବୁରୁ ଦୂରରେ ରହି ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ, ପ୍ରେମ, ସହିଷ୍ଣୁତା ଓ ଶିଷ୍ଟତାର ଅନୁସରଣ କର। ବିଶ୍ୱାସର ଉତ୍ତମ ଯୁଦ୍ଧରେ ଲଢ଼େଇ କର। ତୁମେ ଅନେକ ସାକ୍ଷୀଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟ ଦେଇ ଯେଉଁ ଅନନ୍ତଜୀବନ ଲାଭ ପାଇଁ ଆହୂତ ହେଲ, ତାହାକୁ ଧରି ରଖ। ସମସ୍ତଙ୍କର ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ, ଏବଂ ଯେଉଁ ଖ୍ରୀଷ୍ଟ ଯୀଶୁ, ପନ୍ତିଅସ୍ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟ ଦେଇଥିଲେ, ତାହାଙ୍କ ସାକ୍ଷାତରେ, ମୁଁ ତୁମକୁ ଦୃଢ଼ ଆଦେଶ ଦେଉଅଛି ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟ ପର୍ଯ୍ୟନ୍ତ ଏହି ଆଜ୍ଞା ନିଖୁନ୍ତ ଓ ତ୍ରୁଟିଶୂନ୍ୟ ଭାବରେ ପାଳନ କର, ଯେ ପରମ ଧନ୍ୟ, ଏକମାତ୍ର ଅଧୀଶ୍ୱର, ଯେ ରାଜାମାନଙ୍କର ରାଜା ପ୍ରଭୁମାନଙ୍କର ପ୍ରଭୁ, ଯେ ଅମର ପୁଣି ଅଗମ୍ୟ ଜ୍ୟୋତିରେ ଯାହାଙ୍କର ନିବାସ, ଯାହାଙ୍କୁ କେହି କେବେ ଦେଖିନାହିଁ କି ଦେଖିପାରେ ନାହିଁ ସେହି ଈଶ୍ୱର ଯଥା ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ କରାଇବେ। ମହିମା ଓ ପରାକ୍ରମ ଯୁଗେ ଯୁଗେ ଈଶ୍ୱରଙ୍କର ହେଉ। ଆମେନ୍।

ଯେଉଁମାନେ ଏହି ଇହ ଜଗତରେ ଧନବାନ୍, ସେମାନେ ଯେପରି ଅହଂକାରୀ ହେବେ ନାହିଁ କି ଅସ୍ଥାୟୀ ଧନ ଉପରେ ଭରସା ରଖିବେ ନାହିଁ, ବରଂ ଯେଉଁ ଈଶ୍ୱର ଆମର ଉପଭୋଗ ପାଇଁ ସମସ୍ତ ବିଷୟ ଅକାତରେ ଦିଅନ୍ତି ତାହାଙ୍କ ଉପରେ ଭରସା ରଖିବେ, ସେମାନଙ୍କୁ ଏହି ଆଦେଶ ଦିଅ। ସେମାନେ ଯେପରି ପରୋପକାର କରିବେ ସତ୍କର୍ମରୂପ ଧନରେ ଧନବାନ୍ ହେବେ, ଉଦାର ମନରେ ଓ ଖୋଲା ମନରେ ନିଜଇଛାରେ ଦାନ କରିବେ, ଏଥିପାଇଁ ସେମାନଙ୍କୁ ଆଦେଶ ଦିଅ। ଏହିରୂପେ ସେମାନେ ଭାବୀ ଜୀବନ ପାଇଁ ଏକ ଦୃଢ଼ ଭିତ୍ତି ସ୍ଥାପନ କରି ଧନଭଣ୍ଡାର ଗଢ଼ି ପାରିବେ ତା ହେଲେ ଯାହା ପ୍ରକୃତ ଜୀବନ, ତାହା ସେମାନେ ଅଧିକାର କରିବେ।

ହେ ତୀମଥି, ଯାହା ତୁମଠାରେ ନ୍ୟସ୍ତ କରାଯାଇଅଛି ତାହା ସୁରକ୍ଷିତ କର। ନୀତିହୀନ କଥାବାର୍ତ୍ତା ଓ ତଥାକଥିତ ଜ୍ଞାନର ବିରୁଦ୍ଧାତ୍ମକ ଯୁକ୍ତିତର୍କରୁ ଦୂରରେ ରୁହ, କେହି କେହି ଏହି ଜ୍ଞାନକୁ ସ୍ୱୀକାର କରିବା ଦ୍ଵାରା ବିଶ୍ୱାସମାର୍ଗରୁ ବିଚ୍ୟୁତ ହୋଇଅଛନ୍ତି।

ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ହେଉ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.