Biblica® Open Odia Contemporary Bible
ପ୍ରଥମ କରିନ୍ଥୀୟ 9
ପ୍ରେରିତଶିଷ୍ୟଭାବେ ପାଉଲଙ୍କ ଅଧିକାର
ମୁଁ କଅଣ ସ୍ୱାଧୀନ ନୁହେଁ? ମୁଁ କଅଣ ଜଣେ ପ୍ରେରିତଶିଷ୍ୟ ନୁହେଁ? ମୁଁ କଅଣ ଆମର ପ୍ରଭୁଯୀଶୁଙ୍କୁ ଦର୍ଶନ କରି ନାହିଁ? ତୁମ୍ଭେମାନେ କଅଣ ପ୍ରଭୁଙ୍କ ନିମନ୍ତେ ମୋର କାର୍ଯ୍ୟର ଫଳ ସ୍ଵରୂପ ନୁହଁ? ଅନ୍ୟମାନଙ୍କ ଦୃଷ୍ଟିରେ ମୁଁ ଜଣେ ପ୍ରେରିତଶିଷ୍ୟ ନହେଲେ ସୁଦ୍ଧା, ତୁମ୍ଭମାନଙ୍କ ଦୃଷ୍ଟିରେ ଅବଶ୍ୟ ଜଣେ ପ୍ରେରିତଶିଷ୍ୟ! କାରଣ ପ୍ରଭୁଙ୍କଠାରେ ଥିବାରୁ ତୁମ୍ଭେମାନେ ହେଉଛ ମୋର ପ୍ରେରିତଶିଷ୍ୟ ପଦର ମୁଦ୍ରାଙ୍କ ସ୍ଵରୂପ।
ମୋର ବିଚାର କରିବାକୁ ବସିଥିବା ଲୋକମାନଙ୍କୁ ଏହା ହିଁ ମୋର ଆତ୍ମସମର୍ଥନ ସୂଚକ ଉତ୍ତର। ଭୋଜନପାନ କରିବାକୁ ଆମର କଅଣ ଅଧିକାର ନାହିଁ? ଅନ୍ୟ ପ୍ରେରିତ ଶିଷ୍ୟମାନେ, ପ୍ରଭୁଙ୍କର ଭ୍ରାତାମାନେ ଓ କେଫାଙ୍କ ପରି, ବିଶ୍ୱାସିନୀ ପତ୍ନୀକୁ ସଙ୍ଗରେ ନେଇ କେଉଁଠାକୁ ଯିବା ପାଇଁ ଆମର କଅଣ ଅଧିକାର ନାହିଁ? କିମ୍ବା ଜୀବିକାନିର୍ବାହ ପାଇଁ କେବଳ ମୋତେ ଓ ବର୍ଣ୍ଣବାଙ୍କୁ କଅଣ କାମ କରିବା ଦରକାର?
କିଏ ନିଜ ଖର୍ଚ୍ଚରେ ସୈନିକ ରୂପେ କାର୍ଯ୍ୟ କରେ? କିଏ ଅଙ୍ଗୁରଉଦ୍ୟାନ କରି ଅଙ୍ଗୁର ଫଳ ଖାଏ ନାହିଁ? କିଏ ମେଷପାଳନ କରି ପଲରୁ ଦୁଗ୍ଧପାନ କରେ ନାହିଁ? ମୁଁ କଅଣ କେବଳ ମାନବୀୟ ଦୃଷ୍ଚିକୋଣରୁ ଏହା କହୁଛି? ବିଧିବ୍ୟବସ୍ଥା କଅଣ ଠିକ ଏହି କଥା କହେ ନାହିଁ? କାରଣ ମୋଶାଙ୍କ ବିଧିବ୍ୟବସ୍ଥାରେ ଲେଖାଅଛି: “ବେଙ୍ଗଳା ପକାଉଥିବା ବଳଦର ମୁହଁରେ ତୁଣ୍ଡି ବାନ୍ଧିବ ନାହିଁ।” ଈଶ୍ୱର କଅଣ କେବଳ ବଳଦ ବିଷୟରେ ଚିନ୍ତା କରନ୍ତି? ସେ କଅଣ ଆମ ପାଇଁ ମଧ୍ୟ, ଏହା କହିନାହାନ୍ତି? ହିଁ, ତାହା ଆମ ପାଇଁ ଲିଖିତ ହୋଇଥିଲା, କାରଣ ଯେ ହଳ କରେ ଓ ଯେ ବେଙ୍ଗଳା ପକାଏ ସେମାନେ ଫସଲରୁ ଭାଗ ପାଇବା ଆଶାରେ କାର୍ଯ୍ୟ କରିବା ଉଚିତ। ଆମେ ଯଦି ତୁମ୍ଭମାନଙ୍କମଧ୍ୟରେ ଆଧ୍ୟାତ୍ମିକ ବିହନ ବୁଣିଛୁ, ତେବେ ତୁମ୍ଭମାନଙ୍କଠାରୁ ପାର୍ଥୀବ ଫସଲ ଅମଳ କରିବା କଅଣ ଖୁବ୍ ବଡ଼ କଥା? ତୁମଠାରୁ ସାହାଯ୍ୟ ପାଇବାକୁ ଯଦି ଅନ୍ୟମାନଙ୍କର ଅଧିକାର ଅଛି, ଆମର କଅଣ ଆହୁରି ବେଶୀ ଅଧିକାର ରହିବା ଉଚିତ ନୁହେଁ?
କିନ୍ତୁ ଆମେ ଏହି ଅଧିକାର କାର୍ଯ୍ୟକାରୀ କରି ନାହୁଁ। ବରଞ୍ଚ, ଖ୍ରୀଷ୍ଟଙ୍କ ସୁସମାଚାର ଯେପରି ବ୍ୟାହତ ନ ହୁଏ ଏଥିପାଇଁ ସବୁକିଛି ସହି ନେଇଛୁ।
ଯେଉଁମାନେ ମନ୍ଦିରରେ କାର୍ଯ୍ୟ କରନ୍ତି ସେମାନେ ଯେ ମନ୍ଦିରରୁ ନିଜର ଖାଦ୍ୟ ପାଆନ୍ତି, ଏବଂ ଯେଉଁମାନେ ବେଦିରେ ସେବାକାର୍ଯ୍ୟ କରନ୍ତି ସେମାନେ ଯେ ବେଦି ଉପରେ ଉତ୍ସର୍ଗିତ ବିଷୟରେ ଭାଗୀ ହୁଅନ୍ତି ଏହା କଅଣ ତୁମ୍ଭେମାନେ ଜାଣ ନାହିଁ? ସେହିପ୍ରକାରେ, ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି ସେମାନେ ସୁସମାଚାର ଦ୍ଵାରା ଜୀବିକାନିର୍ବାହ କରିବେ ବୋଲି ପ୍ରଭୁ ଆଦେଶ ଦେଇଛନ୍ତି।
କିନ୍ତୁ ମୁଁ ଏହିସବୁ ଅଧିକାରରୁ କୌଣସିଟି ପ୍ରୟୋଗ କରି ନାହିଁ। ପୁଣି ତୁମ୍ଭେମାନେ ମୋ ପାଇଁ ଏହିସବୁ କରିବ ବୋଲି ଆଶା କରି ମୁଁ ଏହା ଲେଖୁନାହିଁ, ଏହି ଦର୍ପରୁ ମୋତେ କେହି ବଞ୍ଚିତ କରିବା ଅପେକ୍ଷା ମୋର ମରଣ ବରଂ ଭଲ। ତଥାପି ମୁଁ ଯଦି ସୁସମାଚାର ପ୍ରଚାର କରୁଅଛି, ତେବେ ସେଥିରେ ମୋର ଦର୍ପ କରିବାର କିଛି ନାହିଁ, କାରଣ ପ୍ରଚାର କରିବାକୁ ମୁଁ ବାଧ୍ୟ। ମୁଁ ଯଦି ସୁସମାଚାର ପ୍ରଚାର ନ କରେ ତେବେ ମୋତେ ଧିକ୍! ମୁଁ ଯଦି ସ୍ୱେଚ୍ଛାକ୍ରମେ ପ୍ରଚାର କରୁଛି, ତେବେ ମୋ ପାଇଁ ପୁରସ୍କାର ଅଛି; ଯଦି ସ୍ୱେଚ୍ଛାକ୍ରମେ କରୁ ନାହିଁ, ତେବେ ମୋ ଠାରେ ନ୍ୟସ୍ତ ହୋଇଥିବା କର୍ତ୍ତବ୍ୟ ମୁଁ କେବଳ ସମ୍ପାଦନ କରୁଛି। ତା ହେଲେ ମୋର ପୁରସ୍କାର କଅଣ? ସୁସମାଚାର ପ୍ରଚାର କାର୍ଯ୍ୟ କରିବା ହେତୁ ମୋର ଯେଉଁସବୁ ଦାବୀ ଅଛି, ତାହା ପ୍ରୟୋଗ ନ କରି ମୁଁ ଯେପରି ବିନାମୂଲ୍ୟରେ ସୁସମାଚାର ପ୍ରଚାର କରିପାରିବି ଏତିକି ମୋର ପୁରସ୍କାର।
ମୁଁ ସ୍ୱାଧୀନ ଓ କାହାରି ଅଧୀନରେ ନାହିଁ, ତଥାପି ଯେତେ ସମ୍ଭବ ସେତେ ଲୋକଙ୍କୁ ମୁଁ ଯେପରି ଲାଭ କରିପାରିବି, ଏଥିପାଇଁ ନିଜକୁ ସମସ୍ତଙ୍କର ଦାସ କରିଛି। ଯିହୁଦୀମାନଙ୍କୁ ଲାଭ କରିବାକୁ, ମୁଁ ଯିହୁଦୀମାନଙ୍କ ନିକଟରେ ଜଣେ ଯିହୁଦୀ ପରି ହୋଇଛି। ବିଧିବ୍ୟବସ୍ଥା ଅଧୀନରେ ଥିବା ଲୋକଙ୍କୁ ମୁଁ ଯେପରି ଲାଭ କରିପାରିବି, ଏଥିପାଇଁ ବିଧିବ୍ୟବସ୍ଥା ଅଧୀନରେ ଥିବା ଲୋକଙ୍କ ନିକଟରେ ମୁଁ ବିଧିବ୍ୟବସ୍ଥାଧୀନ ଲୋକ ପରି ହୋଇଛି (ଯଦ୍ୟପି ମୁଁ ନିଜେ ବିଧିବ୍ୟବସ୍ଥା ଅଧୀନରେ ନାହିଁ)। ମୁଁ ଯେପରି ବିଧିବ୍ୟବସ୍ଥା ବହିର୍ଭୂତ ଲୋକଙ୍କୁ ଲାଭ କରିପାରିବି ଏଥିପାଇଁ ବିଧିବ୍ୟବସ୍ଥା ବହିର୍ଭୂତ ଲୋକଙ୍କ ନିକଟରେ ବିଧିବ୍ୟବସ୍ଥା ବହିର୍ଭୂତ ଲୋକ ପରି ହୋଇଛି, (ମୁଁ ଯେ ଈଶ୍ୱରଙ୍କ ବିଧିବ୍ୟବସ୍ଥାରୁ ମୁକ୍ତ ତା ନୁହେଁ ମାତ୍ର ଖ୍ରୀଷ୍ଟଙ୍କ ବିଧିବ୍ୟବସ୍ଥାର ଅଧୀନ ଅଟେ)। ଦୁର୍ବଳ ଲୋକଙ୍କୁ ଲାଭ କରିବାକୁ, ମୁଁ ଦୁର୍ବଳ ଲୋକଙ୍କ ନିକଟରେ ଦୁର୍ବଳ ହୋଇଛି। ମୁଁ ଯେପରି ଯେକୌଣସି ଉପାୟରେ କେତେକଙ୍କୁ ରକ୍ଷା କରିପାରିବି ଏଥିପାଇଁ ସବୁ ମନୁଷ୍ୟ ନିକଟରେ ସବୁକିଛି ହୋଇଛି। ମୁଁ ଯେପରି ସୁସମାଚାରର ଆଶୀର୍ବାଦରେ ଭାଗୀ ହୋଇପାରିବି, ଏଥିପାଇଁ ସୁସମାଚାର ସକାଶେ ମୁଁ ଏସମସ୍ତ କରିଥାଏ।
ତୁମେ କଅଣ ଜାଣ ନାହିଁ ଯେ ଦୌଡ଼ ପ୍ରତିଯୋଗିତାରେ ସବୁ ପ୍ରତିଯୋଗୀ ଦୌଡ଼ନ୍ତି, କିନ୍ତୁ ଜଣେ କେବଳ ପୁରସ୍କାର ପାଏ? ତୁମେ ଏପରି ଭାବରେ ଦୌଡ଼ ଯେପରି ପୁରସ୍କାର ପାଇବ। ଯେକେହି କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦିଏ ସେସବୁ ବିଷୟରେ ଆତ୍ମସଂଯମ ଅଭ୍ୟାସ କରେ। ସେମାନେ ଏକ କ୍ଷୟଶୀଳ ମୁକୁଟ ପାଇବାକୁ ତାହା କରନ୍ତି, କିନ୍ତୁ ଆମେ ଏକ ଅକ୍ଷୟ ମୁକୁଟ ପାଇବାକୁ ତାହା କରୁ। ସେଥିପାଇଁ ମୁଁ ଲକ୍ଷ୍ୟହୀନଭାବେ ଦୌଡୁଥିବା ଲୋକ ପରି ଦୌଡ଼ୁ ନାହିଁ; ଶୂନ୍ୟକୁ ଆଘାତ କରିବା ଲୋକ ପରି ମୁଁ ମୁଷ୍ଟିଯୁଦ୍ଧ କରୁ ନାହିଁ। ଅନ୍ୟମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ ପୁରସ୍କାର ଲାଭ ପାଇଁ ଅଯୋଗ୍ୟ ବିବେଚିତ ହେବି, ଏଥିପାଇଁ ନିଜ ଶରୀରକୁ କଷ୍ଟ ଦେଇ ବଶରେ ରଖିଛି।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.