Skip to content
BibleKenya

Biblica® Open Odia Contemporary Bible

ପ୍ରଥମ କରିନ୍ଥୀୟ 8

ଦେବପ୍ରସାଦ ଭୋଜନ ସମ୍ବନ୍ଧରେ

ପ୍ରତିମାଗୁଡ଼ିକ ନିକଟରେ ଉତ୍ସର୍ଗିତ ଖାଦ୍ୟ ସମ୍ବନ୍ଧରେ: “ଆମ ସମସ୍ତଙ୍କର ଜ୍ଞାନ ଅଛି।” ଏ କଥା ତୁମ୍ଭେମାନେ ଯାହା କହୁଛ ତାହା ଆମେ ଜାଣୁ, ଜ୍ଞାନ ଅହଂକାର ଜନ୍ମାଏ କିନ୍ତୁ ପ୍ରେମ ଗଠନ କରେ। ଯେଉଁ ଲୋକ କୌଣସି ବିଷୟ ଜାଣିଛି ବୋଲି ଯଦି ମନେ କରେ ତେବେ ସେ ଯେଉଁ ଭାବରେ ଜାଣିବା ଉଚିତ ତାହା ସେପର୍ଯ୍ୟନ୍ତ ସେ ଜାଣି ନାହିଁ। କିନ୍ତୁ ଯେଉଁ ଲୋକ ଈଶ୍ୱରଙ୍କୁ ପ୍ରେମ କରେ ସେ ଈଶ୍ୱରଙ୍କର ପରିଚିତ।

ଅତଏବ, ଦେବପ୍ରସାଦ ଭୋଜନ ସମ୍ବନ୍ଧରେ ଆମେ ଏହା ଜାଣୁ ଯେ “ଏହି ଜଗତରେ ଦେବମୂର୍ତ୍ତି କିଛି ହିଁ ନୁହେଁ” ଏବଂ “ଏକ ଈଶ୍ୱରଙ୍କ ବ୍ୟତୀତ ଆଉ କେହି ଈଶ୍ୱର ନୁହେଁ।” କାରଣ ସ୍ଵର୍ଗରେ ହେଉ ବା ମର୍ତ୍ତ୍ୟରେ ହେଉ ଯଦିବା ତଥାକଥିତ ଦେବତାମାନେ ରହିଛନ୍ତି, (ଏପରି ତ ଅନେକ “ଦେବତା” ଓ ଅନେକ “ପ୍ରଭୁ” ରହିଛନ୍ତି), ତଥାପି ଆମର ଜଣେମାତ୍ର ଈଶ୍ୱର, ସେ ପରମପିତା, ତାହାଙ୍କଠାରୁ ସମସ୍ତ ବିଷୟ ଆଗତ ଓ ତାହାଙ୍କ ନିମନ୍ତେ ଆମେ ଜୀବନଧାରଣ କରିଛୁ; ପୁଣି ଜଣେମାତ୍ର ପ୍ରଭୁ, ସେ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ଦ୍ଵାରା ସମସ୍ତ ବିଷୟ ଆଗତ ଓ ତାହାଙ୍କ ଦ୍ଵାରା ଆମେ ଜୀବନଧାରଣ କରିଛୁ।

କିନ୍ତୁ ଏହା ସମସ୍ତେ ଜାଣନ୍ତି ନାହିଁ। କେତେକ ଲୋକ ଏ ଯାଏ ଦେବ ପ୍ରତିମାମାନଙ୍କ ବିଷୟରେ ଏତେ ଅଭ୍ୟସ୍ତ ଯେ ସେମାନେ ଏହିପ୍ରକାର ଖାଦ୍ୟ ଭୋଜନ କଲାବେଳେ ତାହା ପ୍ରତିମା ନିକଟରେ ଉତ୍ସର୍ଗିତ ଖାଦ୍ୟ ବୋଲି ମନେ କରନ୍ତି, ଏବଂ ସେମାନଙ୍କର ବିବେକ ଦୁର୍ବଳ ହୋଇଥିବାରୁ, ତାହା କଳୁଷିତ ହୁଏ। କିନ୍ତୁ ଖାଦ୍ୟପଦାର୍ଥ ଆମକୁ ଈଶ୍ୱରଙ୍କ ସାନିଧ୍ୟକୁ ଆଣେ ନାହିଁ; ତାହା ଭୋଜନ ନ କଲେ ଆମର କିଛି କ୍ଷତି ହୁଏ ନାହିଁ, ଏବଂ ତାହା ଭୋଜନ କଲେ କିଛି ଲାଭ ହୁଏ ନାହିଁ।

କିନ୍ତୁ ତୁମର ଏହି ସ୍ୱାଧୀନତା କିପରି ବ୍ୟବହାର କରୁଛ, ସେବିଷୟରେ ସାବଧାନ ହୁଅ, ତାହା ଦୁର୍ବଳମନା ଲୋକଙ୍କର ଝୁଣ୍ଟିବାର ପ୍ରସ୍ତର ସ୍ଵରୂପ ନ ହେଉ। କାରଣ ଯାହାର ବିବେକ ଦୁର୍ବଳ, ଏପରି ଜଣେବ୍ୟକ୍ତି ଯଦି ତୁମ ପରି ଜ୍ଞାନବନ୍ତ ବ୍ୟକ୍ତିକୁ, ଦେବାଳୟରେ ଭୋଜନ କରୁଥିବାର ଦେଖେ, ତେବେ ସେ କଅଣ ଦେବପ୍ରସାଦ ଭୋଜନ କରିବାକୁ ସାହସୀ ହେବ ନାହିଁ? ତେଣୁ ଯେଉଁ ଦୁର୍ବଳମନା ଭାଇ ପାଇଁ, ଖ୍ରୀଷ୍ଟ ପ୍ରାଣ ଦେଲେ, ତୁମର ଜ୍ଞାନ ଦ୍ଵାରା ସେ ନଷ୍ଟ ହେଉଛି। ତୁମେ ଯେତେବେଳେ ଏହି ପ୍ରକାରେ ତୁମ ଭାଇମାନଙ୍କ ବିରୁଦ୍ଧରେ ପାପ କରୁଛ ଓ ସେମାନଙ୍କର ଦୁର୍ବଳ ବିବେକକୁ ଆଘାତ କରୁଛ, ସେତେବେଳେ ତୁମେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁଛ। ତେଣୁ, ମୁଁ ଯାହା ଭୋଜନ କରେ ତାହା ଯଦି ମୋର ଭାଇକୁ ପାପରେ ପକାଏ, ତେବେ ମୁଁ ଯେପରି ତାହାର ପତନର କାରଣ ନ ହୁଏ, ଏଥିପାଇଁ ଆଉ କେବେ ମାଂସ ଭୋଜନ କରିବି ନାହିଁ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.