Biblica® Open Odia Contemporary Bible
ପ୍ରଥମ କରିନ୍ଥୀୟ 2
ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଯାଇଥିଲା ବେଳେ ବାକ୍ପଟୁତା କିମ୍ବା ଉତ୍କୃଷ୍ଟତର ଜ୍ଞାନ ସହ, ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ନିଗୂଢ଼ତତ୍ତ୍ୱ ପ୍ରଚାର କରି ନ ଥିଲି। ମୁଁ ତୁମ୍ଭମାନଙ୍କ ସହିତ ଥିଲାବେଳେ ମନସ୍ଥ କରିଥିଲି ଯେ ଯୀଶୁ ଖ୍ରୀଷ୍ଟ ଏବଂ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ବ୍ୟତୀତ ଆଉ କୌଣସି ବିଷୟ ଜାଣିବାକୁ ଇଚ୍ଛା କରିବି ନାହିଁ। ମୁଁ ଦୁର୍ବଳତା, ଭୟ ଓ ଅତିଶୟ ହୃତକମ୍ପ ସହ ତୁମ୍ଭମାନଙ୍କ ନିକଟକୁ ଯାଇଥିଲି। ତୁମର ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ଆଧାରିତ ନ ହୋଇ, ଈଶ୍ୱରଙ୍କ ଶକ୍ତି ଉପରେ ଆଧାରିତ ହୁଏ, ଏଥିପାଇଁ ମୋର ବାର୍ତ୍ତା ଓ ପ୍ରଚାରରେ ଜ୍ଞାନଯୁକ୍ତ ଓ ପ୍ରବର୍ତ୍ତନାମୂଳକ ବାକ୍ୟ ନ ଥିଲା, ମାତ୍ର ଈଶ୍ୱରଙ୍କ ଶକ୍ତି ପ୍ରଦର୍ଶନ କରିଥିଲା।
ପବିତ୍ରଆତ୍ମାଙ୍କପ୍ରଦତ୍ତ ଜ୍ଞାନ
ତଥାପି, ଆମେ ସୁପରିଣତ ଲୋକଙ୍କ ନିକଟରେ ଜ୍ଞାନର କଥା କହୁ, କିନ୍ତୁ, ତାହା ଏହି ଯୁଗର କିମ୍ବା, ଏ ଯୁଗର ନଷ୍ଟପ୍ରାୟ ନେତାମାନଙ୍କ ଜ୍ଞାନ ନୁହେଁ। ବରଞ୍ଚ, ଆମେ ଈଶ୍ୱରଙ୍କ ନିଗୂଢ଼ ଜ୍ଞାନର କଥା କହୁ, ଏହି ଜ୍ଞାନ ଗୁପ୍ତ ଥିଲା ଏବଂ ଈଶ୍ୱର ଆମର ଗୌରବ ପାଇଁ ଅନାଦିକାଳରୁ ନିରୂପଣ କରିଥିଲେ। ଏ ଯୁଗର ନେତାମାନଙ୍କ ମଧ୍ୟରୁ କେହି ତାହା ବୁଝିଲେ ନାହିଁ, ଯଦି ବୁଝିଥାନ୍ତେ, ତେବେ ସେମାନେ ମହିମାମୟ ପ୍ରଭୁଙ୍କୁ କ୍ରୁଶବିଦ୍ଧ କରି ନ ଥାଆନ୍ତେ। କିନ୍ତୁ, ଏହିପରି ଲେଖାଯାଏ:
“ଯେଉଁମାନେ ଈଶ୍ୱରଙ୍କୁ ପ୍ରେମଭକ୍ତି କରନ୍ତି ସେମାନଙ୍କ ପାଇଁ ସେ ଯାହା ପ୍ରସ୍ତୁତ କରିଛନ୍ତି
ତାହା କାହାରି ଚକ୍ଷୁ ଦେଖିନାହିଁ,
କି କାହାରି କର୍ଣ୍ଣ ଶୁଣି ନାହିଁ,
କି କାହାରି ମନ କଳ୍ପନା କରି ନାହିଁ”
କିନ୍ତୁ ଈଶ୍ୱର ତାହାଙ୍କର ଆତ୍ମାଙ୍କ ଦ୍ଵାରା ଆମ ନିକଟରେ ତାହା ପ୍ରକାଶ କରିଛନ୍ତି।
ଆତ୍ମା ସମସ୍ତ ବିଷୟ, ଏପରିକି ଈଶ୍ୱରଙ୍କର ନିଗୂଢ଼ ବିଷୟମାନ ଅନୁସନ୍ଧନ କରନ୍ତି। କାରଣ ମନୁଷ୍ୟର ଅନ୍ତରସ୍ଥ ଆତ୍ମା ଛଡ଼ା ଆଉ କିଏ ତାହାର ଚିନ୍ତାଭାବନାସବୁ ଜାଣିପାରେ? ସେହିପ୍ରକାରେ ଈଶ୍ୱରଙ୍କ ଆତ୍ମାଙ୍କ ଛଡ଼ା ଆଉ କିଏ ଈଶ୍ୱରଙ୍କ ଚିନ୍ତାଭାବନାସବୁ ଜାଣିପାରେ। ଈଶ୍ୱର ଆମ୍ଭମାନଙ୍କୁ ବିନାମୂଲ୍ୟରେ ଯାହାସବୁ ଦାନ କରିଛନ୍ତି ତାହା ଆମେ ଯେପରି ବୁଝିପାରୁ, ଏଥିପାଇଁ ଆମେ ଜଗତର ଆତ୍ମା ପାଇ ନାହୁଁ, ମାତ୍ର ଈଶ୍ୱରଙ୍କଠାରୁ ଆଗତ ଆତ୍ମାଙ୍କୁ ପାଇଅଛୁ। ଆମେ ଏହା ହିଁ କହିଥାଉ, କିନ୍ତୁ ମାନବୀୟ ଜ୍ଞାନର ଶିକ୍ଷାନୁସାରେ ବାକ୍ୟ ବ୍ୟବହାର ନ କରି ଆତ୍ମାଙ୍କ ଶିକ୍ଷାନୁସାରେ ବାକ୍ୟ ବ୍ୟବହାର କରି, ଆଧ୍ୟାତ୍ମିକ ସତ୍ୟଗୁଡ଼ିକୁ ଆଧ୍ୟାତ୍ମିକ ବାକ୍ୟରେ ବ୍ୟକ୍ତ କରିଥାଉ। ଯାହାଠାରେ ପବିତ୍ରଆତ୍ମା ନାହାନ୍ତି ସେ ଈଶ୍ୱରଙ୍କ ଆତ୍ମାଙ୍କଠାରୁ ଆଗତ ବିଷୟମାନ ଗ୍ରହଣ କରିପାରେ ନାହିଁ କାରଣ ସେହିସବୁ ତାହା ନିକଟରେ ନିର୍ବୋଧତା, ଏବଂ ସେହିସବୁ ସେ ବୁଝିପାରେ ନାହିଁ ଯେହେତୁ ସେସବୁ ଆଧ୍ୟାତ୍ମିକ ଭାବରେ ବିଚାର କରାଯାଏ। ଆଧ୍ୟାତ୍ମିକ ମନୁଷ୍ୟ ସବୁ ବିଷୟର ବିଚାର କରେ, କିନ୍ତୁ ସେ ନିଜେ କୌଣସି ମନୁଷ୍ୟର ବିଚାରାଧୀନ ନୁହେଁ, କାରଣ
“କିଏ ପ୍ରଭୁଙ୍କର ମନ ଜାଣିଛି
ଯେ ସେ ତାହାଙ୍କୁ ପରାମର୍ଶ ଦେଇପାରେ?”
କିନ୍ତୁ ଆମେ ଖ୍ରୀଷ୍ଟଙ୍କର ମନ ପାଇଛୁ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.