Skip to content
BibleKenya

Biblica® Open Odia Contemporary Bible

ପ୍ରଥମ କରିନ୍ଥୀୟ 1

ପାଉଲ, ଈଶ୍ୱରଙ୍କ ଇଚ୍ଛାନୁଯାୟୀ, ଖ୍ରୀଷ୍ଟ ଯୀଶୁଙ୍କର ଆହୂତ ଜଣେ ପ୍ରେରିତ, ଓ ଆମର ଭାଇ ସୋସ୍ଥିନସ୍‌ଙ୍କଠାରୁ କରିନ୍ଥୀରେ ଥିବା ଈଶ୍ୱରଙ୍କ ମଣ୍ଡଳୀକୁ ଅଭିବାଦନ,

ଯେଉଁମାନେ ସର୍ବତ୍ର ଆମର ପ୍ରଭୁଙ୍କ, ଅର୍ଥାତ୍ ସେମାନଙ୍କର ତଥା ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବାରୁ ପୃଥକୀକୃତ ଏବଂ ପବିତ୍ର ହେବା ପାଇଁ ଆହୂତ ହୋଇଅଛ:

ତୁମ୍ଭମାନଙ୍କ ପ୍ରତି ଆମର ପିତା ଈଶ୍ୱରଙ୍କଠାରୁ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।

ଧନ୍ୟବାଦ ଅର୍ପଣ

ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବାରୁ ତୁମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ଦତ୍ତ ହୋଇଛି ସେଥିନିମନ୍ତେ ମୁଁ ସର୍ବଦା ତୁମ୍ଭମାନଙ୍କ ପାଇଁ ଈଶ୍ୱରଙ୍କର ଧନ୍ୟବାଦ କରେ। କାରଣ ତାହାଙ୍କଠାରେ ଥିବାରୁ ତୁମ୍ଭେମାନେ ସର୍ବପ୍ରକାରେ ଅର୍ଥାତ୍ ସମସ୍ତ କଥାବାର୍ତ୍ତାରେ ଓ ସମସ୍ତ ଜ୍ଞାନରେ ସମୃଦ୍ଧ ହୋଇଅଛ; କାରଣ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଆମ ସାକ୍ଷ୍ୟର ସତ୍ୟତା ତୁମ୍ଭମାନଙ୍କଠାରେ ପ୍ରମାଣିତ ହୋଇଛି। ସେଥିପାଇଁ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶମାନକୁ ଆଗ୍ରହ ସହକାରେ ଅପେକ୍ଷା କରୁଥିବା ବେଳେ ତୁମ୍ଭେମାନେ କୌଣସି ଆଧ୍ୟାତ୍ମିକ ଦାନରେ ଊଣା ପଡ଼ି ନାହଁ। ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିବସରେ ତୁମ୍ଭେମାନେ ଯେପରି ନିର୍ଦ୍ଦୋଷ ଥାଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ଦୃଢ଼ ରଖିବେ। ଯେଉଁ ଈଶ୍ୱର ଆପଣାର ପୁତ୍ର, ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତା ଲାଭ କରିବାକୁ ତୁମ୍ଭମାନଙ୍କୁ ଆହ୍ଵାନ କରିଛନ୍ତି, ସେ ବିଶ୍ୱାସଭାଜନ ଅଟନ୍ତି।

ମଣ୍ଡଳୀରେ ଦଳଭେଦ

ଭାଇମାନେ, ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ, ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି ଯେ, ତୁମ୍ଭେମାନେ ସମସ୍ତେ ପରସ୍ପର ସହ ଏକମତ ହୁଅ, ଯଦ୍ଦ୍ୱାରା ତୁମ ମଧ୍ୟରେ କୌଣସି ଦଳଭେଦ ରହିବ ନାହିଁ, ଏବଂ ତୁମ୍ଭେମାନେ ମନରେ ଓ ଚିନ୍ତାରେ ସଂପୂର୍ଣ୍ଣଭାବେ ଏକତାବଦ୍ଧ ହେବ। ହେ ମୋର ଭାଇମାନେ, କ୍ଲୋୟିଙ୍କ ପରିବାରରୁ କେତେଜଣ ମୋତେ ଜଣାଇଛନ୍ତି ଯେ ତୁମ୍ଭମାନଙ୍କମଧ୍ୟରେ ବାଦବିବାଦ ରହିଛି। ମୋର କହିବାର ଅର୍ଥ ହେଉଛି: ତୁମ ମଧ୍ୟରୁ କେହି କେହି କହନ୍ତି “ମୁଁ ପାଉଲଙ୍କର ଅନୁଗମନ କରେ”; ଅନ୍ୟ କେହି କେହି କହନ୍ତି “ମୁଁ ଆପଲ୍ଲଙ୍କ ଅନୁଗମନ କରେ”; ଆଉ କେହି କେହି କହନ୍ତି, “ମୁଁ କେଫାଙ୍କ ଅନୁଗମନ କରେ”; ପୁଣି ଆଉ କେହି କେହି କହନ୍ତି, “ମୁଁ ଖ୍ରୀଷ୍ଟଙ୍କର ଅନୁଗମନ କରେ।”

ଖ୍ରୀଷ୍ଟ କଅଣ ବିଭକ୍ତ ହୋଇଛନ୍ତି? ପାଉଲ କଅଣ ତୁମ ପାଇଁ କ୍ରୁଶବିଦ୍ଧ ହୋଇଥିଲେ? ତୁମେ କଅଣ ପାଉଲ ନାମରେ ଡୁବିତ ହୋଇଥିଲ? ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ଯେ କ୍ରୀସ୍ପସ୍ ଓ ଗାୟସଙ୍କ ଛଡ଼ା ତୁମ ମଧ୍ୟରୁ ମୁଁ ଆଉ କାହାକୁ ଡୁବନ ଦେଇ ନାହିଁ, ତେଣୁ ତୁମ୍ଭେମାନେ ମୋ ନାମରେ ଡୁବନ ଗ୍ରହଣ କରିଛ ବୋଲି କେହି କହିପାରିବ ନାହିଁ। (ହଁ, ମୁଁ ସ୍ତିଫାନସ୍‌ଙ୍କ ପରିବାରବର୍ଗଙ୍କୁ ମଧ୍ୟ ଡୁବନ ଦେଇଛି; ତା ଛଡ଼ା, ଆଉ କାହାକୁ ଦେଇଛି ବୋଲି ମୋର ମନେ ପଡ଼ୁ ନାହିଁ।) କାରଣ ଡୁବନ ଦେବାକୁ ଖ୍ରୀଷ୍ଟ ମୋତେ ପଠାଇ ନ ଥିଲେ, ମାତ୍ର ସୁସମାଚାର ପ୍ରଚାର କରିବାକୁ ପଠାଇଥିଲେ, ତାହା ମଧ୍ୟ ବାକ୍ୟାଡ଼ମ୍ବରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶର ଶକ୍ତି ବ୍ୟର୍ଥ ହୋଇଯିବ।

ଖ୍ରୀଷ୍ଟ ଈଶ୍ୱରଙ୍କ ମହାଜ୍ଞାନ ଓ ମହାଶକ୍ତି

କାରଣ ବିନାଶମୁଖୀ ଲୋକଙ୍କ ନିକଟରେ କ୍ରୁଶର ବାର୍ତ୍ତା ମୂର୍ଖତାମାତ୍ର, କିନ୍ତୁ ଆମ ପ୍ରତି ଅର୍ଥାତ୍ ଯେଉଁମାନେ ପରିତ୍ରାଣ ପାଉଛୁ ତାହା ଈଶ୍ୱରଙ୍କ ଶକ୍ତି। ଯେହେତୁ ଏହିପରି ଲେଖାଅଛି:

“ମୁଁ ଜ୍ଞାନୀମାନଙ୍କର ଜ୍ଞାନ ବିନାଶ କରିବି;

ମୁଁ ବୁଦ୍ଧିମାନ ଲୋକଙ୍କର ବୁଦ୍ଧି ବ୍ୟର୍ଥ କରିବି।”

ଜ୍ଞାନୀ କାହିଁ? ବିଦ୍ଵାନ କାହିଁ? କାହିଁ ଏ ଯୁଗର ଦାର୍ଶନିକ? ଈଶ୍ୱର କଅଣ ଜାଗତିକ ଜ୍ଞାନକୁ ମୂର୍ଖତାରେ ପରିଣତ କରିନାହାନ୍ତି? କାରଣ ଜଗତ ନିଜ ଜ୍ଞାନ ବଳରେ ଈଶ୍ୱରଙ୍କୁ ଚିହ୍ନ ନ ପାରିବାରୁ ଯେଉଁ ପ୍ରଚାରିତ ବାର୍ତ୍ତା ଜଗତ ଦୃଷ୍ଟିରେ ମୂର୍ଖତା, ତାହା ଦ୍ଵାରା ଈଶ୍ୱର ନିଜ ଜ୍ଞାନରେ ବିଶ୍ୱାସୀମାନଙ୍କୁ ପରିତ୍ରାଣ କରିବାକୁ ପ୍ରୀତ ହେଲେ। ଯିହୁଦୀମାନେ ଅଲୌକିକ ଚିହ୍ନ ଦେଖିବାକୁ ମାଗନ୍ତି ଏବଂ ଗ୍ରୀକ ମାନେ ଜ୍ଞାନ ଖୋଜନ୍ତି, କିନ୍ତୁ ଆମେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ: ଯେ କି ଯିହୁଦୀମାନଙ୍କ ପ୍ରତି ବିଘ୍ନ ସ୍ଵରୂପ ଏବଂ ଅଣଯିହୁଦୀମାନଙ୍କ ପ୍ରତି ମୂର୍ଖତା ସ୍ଵରୂପ, କିନ୍ତୁ ଯିହୁଦୀ ହେଉ ବା ଗ୍ରୀକ ହେଉ, ଯେଉଁମାନେ ଈଶ୍ୱରଙ୍କ ଦ୍ଵାରା ଆହୂତ, ସେମାନଙ୍କ ପ୍ରତି ଖ୍ରୀଷ୍ଟ ହେଉଛନ୍ତି ଈଶ୍ୱରଙ୍କ ଶକ୍ତି ଓ ଈଶ୍ୱରଙ୍କ ଜ୍ଞାନ ସ୍ଵରୂପ। କାରଣ ଈଶ୍ୱରଙ୍କ ନିର୍ବୋଧତା ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକତର ଜ୍ଞାନପୂର୍ଣ୍ଣ, ଏବଂ ଈଶ୍ୱରଙ୍କ ଦୁର୍ବଳତା ମନୁଷ୍ୟର ଶକ୍ତି ଅପେକ୍ଷା ଅଧିକତର ଶକ୍ତିମନ୍ତ।

ଭାଇମାନେ, ତୁମ୍ଭେମାନେ ଆହୂତ ହେବା ପୂର୍ବରୁ କି ପ୍ରକାର ଥିଲେ ତାହା ଚିନ୍ତା କର। ଜାଗତିକ ମାନଦଣ୍ଡ ଅନୁସାରେ ତୁମ ମଧ୍ୟରୁ ଅନେକ ଜଣ ଯେ ଜ୍ଞାନବାନ୍; ବା ପ୍ରଭାବଶାଳୀ ବା ସମ୍ଭ୍ରାନ୍ତବଂଶୀୟ ଥିଲେ; ତା ନୁହେଁ। କିନ୍ତୁ ଈଶ୍ୱର ଜ୍ଞାନବାନ୍‌ମାନଙ୍କୁ ଲଜ୍ଜିତ କରିବା ପାଇଁ ଜଗତ ଦୃଷ୍ଟିରେ ଯେଉଁ ସମସ୍ତ ବିଷୟ ମୂର୍ଖତା ତାହା ପସନ୍ଦ କଲେ; ଈଶ୍ୱର ବଳବାନ୍‌ମାନଙ୍କୁ ଲଜ୍ଜିତ କରିବା ପାଇଁ ଜଗତ ଦୃଷ୍ଟିରେ ଯେଉଁ ସମସ୍ତ ବିଷୟ ଦୁର୍ବଳ ତାହା ପସନ୍ଦ କଲେ। ଈଶ୍ୱର ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ନିଷ୍ଫଳ କରିବା ପାଇଁ ଜଗତରେ ଯାହା ନୀଚ, ତୁଚ୍ଛ ଓ ନଗଣ୍ୟ ବିବେଚିତ ସେହିସବୁକୁ ପସନ୍ଦ କଲେ, ଯେପରିକି କେହି ତାହାଙ୍କ ସମ୍ମୁଖରେ ଦର୍ପ କରିପାରିବ ନାହିଁ। ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ଆମ ପାଇଁ ଈଶ୍ୱରଙ୍କ ଜ୍ଞାନ ସ୍ଵରୂପ ଅଟନ୍ତି, ଅର୍ଥାତ୍ ସେ ଆମର ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ଵରୂପ ଅଟନ୍ତି। ସେଥିପାଇଁ, ଏହିପରି ଲେଖାଅଛି: “ଯେ ଦର୍ପ କରେ ସେ ପ୍ରଭୁଙ୍କଠାରେ ଦର୍ପ କରୁ।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.