Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ତୀତସ 1

ଅଭିବାଦନ

ପାଉଲ, ଈଶ୍ବରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ୱାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତୀତସଙ୍କ ନିକଟକୁ ପତ୍ର, ଈଶ୍ବରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ, ଯେପରି ବିଶ୍ଵାସ ଓ ଭକ୍ତି ସହିତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି; ସେହି ଅନନ୍ତ ଜୀବନ ସତ୍ୟ ଈଶ୍ବର, ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଆଜ୍ଞାନୁସାରେ ମୋʼ ଠାରେ ସମର୍ପିତ ହୋଇଅଛି। ପିତା ଈଶ୍ବର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।

ପ୍ରାଚୀନ ପଦର ଯୋଗ୍ୟତା

ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି; ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର। କାରଣ ଅଧ୍ୟକ୍ଷ, ଈଶ୍ବରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦ-ପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟପ୍ରିୟ, ଉତ୍ତମ ବିଷୟର ଅନୁରାଗୀ, ସୁବୁଦ୍ଧି, ନ୍ୟାୟ-ପରାୟଣ, ସାଧୁ ଓ ମିତାଚାରୀ ହେଉନ୍ତୁ, ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ। କାରଣ ଅନେକେ ଅବାଧ୍ୟ ଲୋକ, ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତ ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି; ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ। ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି। ସେମାନଙ୍କର ଜଣେ ସ୍ୱଜାତୀୟ ଭାବବାଦୀ କହିଅଛନ୍ତି, କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ, ହିଂସକ ପଶୁ ତୁଲ୍ୟ ଓ ଅଳସୁଆ ପେଟୁକ ଅଟନ୍ତି। ଏହି ଉକ୍ତିଟି ସତ୍ୟ। ଏଣୁ ସେମାନେ ଯେପରି ଯିହୁଦୀମାନଙ୍କ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି, ଏଥିପାଇଁ ସେମାନଙ୍କୁ ଦୃଢ ରୂପେ ଅନୁଯୋଗ କର। ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ। ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ। ସେମାନେ ଈଶ୍ବରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି, କିନ୍ତୁ ସେମାନେ ଆପଣା କର୍ମ ଦ୍ୱାରା ତାହାଙ୍କୁ ଅସ୍ବୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.