Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 85

ଜାତିର ମଙ୍ଗଳାର୍ଥେ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ।

ହେ ସଦାପ୍ରଭୋ, ତୁମ୍ଭେ ନିଜ ଦେଶ ପ୍ରତି ପ୍ରସନ୍ନ ହୋଇଅଛ;

ତୁମ୍ଭେ ଯାକୁବର ବନ୍ଦୀଦଶା ଫେରାଇଅଛ।

ତୁମ୍ଭେ ଆପଣା ଲୋକମାନଙ୍କ ଅପରାଧ କ୍ଷମା କରିଅଛ,

ତୁମ୍ଭେ ସେମାନଙ୍କ ପାପସବୁ ଆଚ୍ଛାଦନ କରିଅଛ। [ସେଲା]

ତୁମ୍ଭେ ଆପଣା ସମସ୍ତ କୋପରୁ ନିବୃତ୍ତ ହୋଇଅଛ;

ତୁମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତାରୁ ବିମୁଖ ହୋଇଅଛ।

ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ

ଓ ଆମ୍ଭମାନଙ୍କ ପ୍ରତି ତୁମ୍ଭ ବିରକ୍ତି ନିବୃତ୍ତ କର।

ତୁମ୍ଭେ କି ସଦାକାଳ ଆମ୍ଭମାନଙ୍କ ଉପରେ କ୍ରୁଦ୍ଧ ହେବ?

ତୁମ୍ଭେ କି ପୁରୁଷ-ପରମ୍ପରା ପ୍ରତି ଆପଣା କ୍ରୋଧ ରଖିଥିବ?

ତୁମ୍ଭର ଲୋକମାନେ ଯେପରି ତୁମ୍ଭଠାରେ ଆନନ୍ଦ କରିବେ,

ଏଥିପାଇଁ ତୁମ୍ଭେ କି ପୁନର୍ବାର ଆମ୍ଭମାନଙ୍କୁ ସଜୀବ କରିବ ନାହିଁ?

ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରତି ଆପଣା ଦୟା ପ୍ରକାଶ କର

ଓ ଆମ୍ଭମାନଙ୍କୁ ତୁମ୍ଭ ପରିତ୍ରାଣ ପ୍ରଦାନ କର।

ସଦାପ୍ରଭୁ ପରମେଶ୍ୱର ଯାହା କହିବେ, ତାହା ଆମ୍ଭେ ଶୁଣିବୁ;

କାରଣ ସେ ଆପଣା ଲୋକମାନଙ୍କୁ ଓ ଆପଣା ସଦ୍‍ଭକ୍ତମାନଙ୍କୁ ଶାନ୍ତିର କଥା କହିବେ;

ମାତ୍ର ସେମାନେ ପୁନର୍ବାର ମୂର୍ଖତା ପ୍ରତି ନ ଫେରନ୍ତୁ।

ଯେପରି ଆମ୍ଭମାନଙ୍କ ଦେଶରେ ଗୌରବ ବାସ କରିବ,

ଏଥିପାଇଁ ନିଶ୍ଚୟ ତାହାଙ୍କ ଭୟକାରୀମାନଙ୍କ ନିକଟରେ ତାହାଙ୍କ ପରିତ୍ରାଣ ଅଛି।

ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି;

ଧର୍ମ ଓ ଶାନ୍ତି ପରସ୍ପର ଚୁମ୍ବନ କରିଅଛନ୍ତି।

ପୃଥିବୀରୁ ସତ୍ୟତା ଅଙ୍କୁରିତ ହେଉଅଛି;

ପୁଣି, ଧାର୍ମିକତା ସ୍ୱର୍ଗରୁ ଦୃଷ୍ଟିପାତ କରିଅଛି।

ସଦାପ୍ରଭୁ ମଙ୍ଗଳ ପ୍ରଦାନ କରିବେ;

ତହିଁରେ ଆମ୍ଭମାନଙ୍କ ଦେଶ ଫଳ ଉତ୍ପନ୍ନ କରିବ।

ଧର୍ମ ତାହାଙ୍କର ଆଗେ ଆଗେ ଯିବ

ଓ ତାହାଙ୍କ ପଦଚିହ୍ନକୁ ଗମନର ପଥ କରିବ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.