Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 83

ଇସ୍ରାଏଲର ଶତ୍ରୁମାନଙ୍କର ପରାଜୟ ପାଇଁ ପ୍ରାର୍ଥନା

ଗୀତ, ଆସଫର ଗୀତ।

ହେ ପରମେଶ୍ୱର, ତୁମ୍ଭେ ମୌନୀ ହୋଇ ରୁହ ନାହିଁ;

ହେ ପରମେଶ୍ୱର, ନୀରବ ଓ ନିରସ୍ତ ହୁଅ ନାହିଁ।

କାରଣ ଦେଖ, ତୁମ୍ଭ ଶତ୍ରୁଗଣ ଗଣ୍ଡଗୋଳ କରନ୍ତି

ଓ ତୁମ୍ଭଙ୍କୁ ଘୃଣା କରିବା ଲୋକମାନେ ମସ୍ତକ ଉଠାଇଅଛନ୍ତି।

ସେମାନେ ତୁମ୍ଭ ଲୋକମାନଙ୍କ ବିରୁଦ୍ଧରେ କୁଟିଳ ମନ୍ତ୍ରଣା କରନ୍ତି

ଓ ତୁମ୍ଭର ଗୁପ୍ତ ଲୋକମାନଙ୍କ ପ୍ରତିକୂଳରେ ପରସ୍ପର ପରାମର୍ଶ କରନ୍ତି।

ସେମାନେ କହିଅଛନ୍ତି, “ଇସ୍ରାଏଲର ନାମ ଯେପରି

ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ

ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ ଦେଉ।”

କାରଣ ସେମାନେ ଏକଚିତ୍ତ ହୋଇ ପରାମର୍ଶ କରିଅଛନ୍ତି;

ଇଦୋମର ତମ୍ବୁ-ନିବାସୀମାନେ, ଇଶ୍ମାୟେଲୀୟମାନେ, ମୋୟାବ, ହାଗରୀୟମାନେ,

ଗବାଲ, ଅମ୍ମୋନ, ଅମାଲେକ୍‍ ଓ ସୋରନି ବାସୀମାନଙ୍କ ସହିତ

ପଲେଷ୍ଟୀୟା, ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।

ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଅଛି;

ସେମାନେ ଲୋଟର ବଂଶକୁ ସାହାଯ୍ୟ କରିଅଛନ୍ତି। [ସେଲା]

ମିଦୀୟନ ଦେଶ ପ୍ରତି, କୀଶୋନ୍‍ ନଦୀ ନିକଟରେ ସୀଷରା

ପ୍ରତି, ଯାବୀନ୍‍ ପ୍ରତି ଯେରୂପ, ସେରୂପ ସେମାନଙ୍କ ପ୍ରତି କର।

ସେମାନେ ଐନ୍‍-ଦୋର ନିକଟରେ ବିନଷ୍ଟ ହେଲେ;

ସେମାନେ ଭୂମି ପାଇଁ ଖତ ସ୍ୱରୂପ ହେଲେ।

ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗକୁ ଓରେବ୍‍ ଓ ସେବ୍‍ର ସମାନ,

ସେମାନଙ୍କ ଅଧିପତି ସମସ୍ତଙ୍କୁ ହିଁ ସେବହ ଓ ସଲମୁନ୍ନର ସମାନ କର;

ସେମାନେ କହିଲେ, “ଆସ, ଆମ୍ଭେମାନେ

ପରମେଶ୍ୱରଙ୍କ ନିବାସ-ସ୍ଥାନସବୁ ଆପଣା ଆପଣା ଅଧିକାରରେ ନେଉ।”

ହେ ମୋହର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ

ଘୂର୍ଣ୍ଣାୟମାନ ଧୂଳି ପରି, ବାୟୁ ସମ୍ମୁଖରେ କୁଟା ପରି କର।

ଯେଉଁ ଅଗ୍ନି ବନକୁ ଦଗ୍ଧ କରେ

ଓ ଯେଉଁ ଅଗ୍ନିଶିଖା ପର୍ବତଗଣକୁ ପ୍ରଜ୍ୱଳିତ କରେ;

ତାହା ପରି ତୁମ୍ଭେ ଆପଣା ଝଡ଼ ଦ୍ୱାରା ସେମାନଙ୍କ ପଛେ ପଛେ ଗୋଡ଼ାଅ

ଓ ଆପଣା ପ୍ରଚଣ୍ଡ ବତାସ ଦ୍ୱାରା ସେମାନଙ୍କୁ ଭୟଗ୍ରସ୍ତ କର।

ହେ ସଦାପ୍ରଭୋ, ସେମାନେ ଯେପରି ତୁମ୍ଭ ନାମ ଅନ୍ୱେଷଣ କରିବେ,

ଏଥିପାଇଁ ସେମାନଙ୍କ ମୁଖକୁ ଲଜ୍ଜାରେ ପୂର୍ଣ୍ଣ କର;

ସେମାନେ ସଦାକାଳ ଲଜ୍ଜିତ ଓ ବିହ୍ୱଳ ହେଉନ୍ତୁ;

ସେମାନେ ହତାଶ ଓ ବିନଷ୍ଟ ହେଉନ୍ତୁ;

ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ,

କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.