Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 80

ଜାତିର ପୁନଃରୁଦ୍ଧାର ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍-ଏଦୂତ୍‍ ସ୍ୱରରେ ଆସଫର ଗୀତ।

ହେ ଇସ୍ରାଏଲର ପାଳକ,

ମେଷପଲ ତୁଲ୍ୟ ଯୋଷେଫକୁ ଚଳାଅ ଯେ ତୁମ୍ଭେ, ତୁମ୍ଭେ କର୍ଣ୍ଣପାତ କର;

କିରୂବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ, ତୁମ୍ଭେ ପ୍ରକାଶମାନ ହୁଅ।

ଇଫ୍ରୟିମ, ବିନ୍ୟାମୀନ୍ ଓ ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଉତ୍ତେଜିତ କର

ଓ ଆମ୍ଭମାନଙ୍କ ପରିତ୍ରାଣାର୍ଥେ ଆଗମନ କର।

ହେ ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ

ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।

ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର,

ତୁମ୍ଭ ଲୋକମାନଙ୍କ ପ୍ରାର୍ଥନା ପ୍ରତିକୂଳରେ ତୁମ୍ଭେ କେତେ କାଳ କ୍ରୁଦ୍ଧ ହୋଇଥିବ?

ତୁମ୍ଭେ ସେମାନଙ୍କୁ ଲୋତକରୂପ ଭକ୍ଷ୍ୟ ଖୁଆଇଅଛ

ଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ ଦେଇଅଛ।

ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ

ଆମ୍ଭମାନଙ୍କୁ ବିରୋଧର କାରଣ କରୁଅଛ;

ପୁଣି, ଆମ୍ଭମାନଙ୍କ ଶତ୍ରୁମାନେ ଆପଣାମାନଙ୍କ ମଧ୍ୟରେ ଉପହାସ କରନ୍ତି।

ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ

ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।

ତୁମ୍ଭେ ମିସରରୁ ଗୋଟିଏ ଦ୍ରାକ୍ଷାଲତା ଆଣିଲ;

ତୁମ୍ଭେ ଗୋଷ୍ଠୀୟମାନଙ୍କୁ ତଡ଼ିଦେଇ ତାହା ରୋପଣ କଲ।

ତୁମ୍ଭେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ,

ତହିଁରେ ତାହା ବଦ୍ଧମୂଳ ହୋଇ ଦେଶସାରା ବ୍ୟାପିଗଲା।

ତାହାର ଛାୟାରେ ପର୍ବତଗଣ ଆବୃତ ହେଲେ

ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ଏରସ ବୃକ୍ଷ ତୁଲ୍ୟ ହେଲେ।

ତାହା ସମୁଦ୍ର ପର୍ଯ୍ୟନ୍ତ ଆପଣା ଶାଖା

ଓ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା।

କାହିଁକି ତୁମ୍ଭେ ତାହାର ବେଢ଼ା ଭାଙ୍ଗି ପକାଇଅଛ ଯେ,

ପଥିକସବୁ ତାହା ଛିଣ୍ଡାଇ ପକାଉଅଛନ୍ତି?

ବନରୁ ବରାହ ଆସି ତାହା ଉଜାଡ଼ି ପକାଏ

ଓ ବିଲର ପଶୁଗଣ ତାହା ଖାଇଯାʼନ୍ତି।

ହେ ସୈନ୍ୟାଧିପତି ପରମେଶ୍ୱର,

ଆମ୍ଭେମାନେ ବିନୟ କରୁଅଛୁ, ଫେର; ସ୍ୱର୍ଗରୁ ନିରୀକ୍ଷଣ କର ଓ ଦୃଷ୍ଟିପାତ କରି ଏହି ଦ୍ରାକ୍ଷାଲତାର

ଓ ତୁମ୍ଭ ଦକ୍ଷିଣ ହସ୍ତ ଦ୍ୱାରା ସ୍ଥାପିତ ଗଣ୍ଡିର

ଓ ଆପଣା ନିମନ୍ତେ ତୁମ୍ଭ ସବଳୀକୃତ ଶାଖାର ତତ୍ତ୍ୱ ନିଅ।

ତାହା ଅଗ୍ନିରେ ଦଗ୍ଧ, ତାହା ଛେଦିତ ହୋଇଅଛି;

ତୁମ୍ଭ ମୁଖର ତର୍ଜ୍ଜନରେ ଲୋକମାନେ ବିନଷ୍ଟ ହେଉଅଛନ୍ତି।

ତୁମ୍ଭ ଦକ୍ଷିଣ ହସ୍ତର ମନୁଷ୍ୟ ଉପରେ,

ଆପଣା ନିମନ୍ତେ ସବଳୀକୃତ ମନୁଷ୍ୟପୁତ୍ର ଉପରେ ତୁମ୍ଭର ହସ୍ତ ଥାଉ।

ତହିଁରେ ଆମ୍ଭେମାନେ ତୁମ୍ଭଠାରୁ ଫେରିଯିବା ନାହିଁ;

ତୁମ୍ଭେ ଆମ୍ଭମାନଙ୍କୁ ସଜୀବ କର, ତହୁଁ ଆମ୍ଭେମାନେ ତୁମ୍ଭ ନାମରେ ପ୍ରାର୍ଥନା କରିବା।

ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ;

ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.