Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 76

ବିଜୟୀ ପରମେଶ୍ୱର

ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ; ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।

ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି;

ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ।

ମଧ୍ୟ ଶାଲେମ୍‍ରେ1 ତାହାଙ୍କର ଆବାସ

ଓ ସିୟୋନରେ ତାହାଙ୍କର ବାସସ୍ଥାନ।

ସେଠାରେ ସେ ଧନୁତୀରସବୁ,

ଢାଲ, ଖଡ୍ଗ ଓ ଯୁଦ୍ଧ ଭଙ୍ଗ କଲେ। [ସେଲା]

ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜୋମୟ ଓ ମହିମାନ୍ୱିତ।

ସାହସିକଚିତ୍ତମାନେ ଲୁଟିତ ହୋଇଅଛନ୍ତି,

ସେମାନେ ନିଦ୍ରାରେ ନିଦ୍ରିତ2 ହୋଇଅଛନ୍ତି;

ପୁଣି, ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇ ନାହିଁ।

ହେ ଯାକୁବର ପରମେଶ୍ୱର,

ତୁମ୍ଭ ତର୍ଜ୍ଜନରେ ରଥ ଓ ଅଶ୍ୱ ମହାନିଦ୍ରିତ ହୋଇଅଛନ୍ତି।

ତୁମ୍ଭେ, ତୁମ୍ଭେ ହିଁ ଭୟପାତ୍ର

ଓ ତୁମ୍ଭେ ଥରେ କ୍ରୋଧ ହେଲେ କିଏ ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବ?

ତୁମ୍ଭେ ସ୍ୱର୍ଗରୁ ବିଚାରାଜ୍ଞା ଶୁଣାଇଲ;

ପରମେଶ୍ୱର ପୃଥିବୀର ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ

ବିଚାର କରିବାକୁ ଉଠିବା ବେଳେ

ପୃଥିବୀ ଭୀତ ଓ ନୀରବ ହେଲା। [ସେଲା]

ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ;

ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ କରିବ।

ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ମାନତ କରି ପୂର୍ଣ୍ଣ କର;

ଯେ ଭୟପାତ୍ର, ତାହାଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତେ ତାହାଙ୍କ ନିକଟକୁ ଦର୍ଶନୀ ଆଣନ୍ତୁ।

ସେ ଅଧିପତିମାନଙ୍କ ଗର୍ବ ଖର୍ବ କରନ୍ତି;

ସେ ଭୂପତିମାନଙ୍କ ପ୍ରତି ଭୟଙ୍କର ଅଟନ୍ତି।

Source notes (2)
  1. Footnote ଶାଲେମ୍‍ରେ ଯିରୂଶାଲେମରେ
  2. Footnote ନିଦ୍ରାରେ ନିଦ୍ରିତ ଅର୍ଥାତ୍‍ ମରିଅଛନ୍ତି

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.