Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 72

ରାଜାଙ୍କ ପାଇଁ ପ୍ରାର୍ଥନା

ଶଲୋମନଙ୍କର ଗୀତ।

ହେ ପରମେଶ୍ୱର, ରାଜାଙ୍କୁ ତୁମ୍ଭର ଶାସନ

ଓ ରାଜପୁତ୍ରଙ୍କୁ ତୁମ୍ଭର ଧର୍ମ ପ୍ରଦାନ କର।

ସେ ଧର୍ମରେ ତୁମ୍ଭ ଲୋକମାନଙ୍କର

ଓ ନ୍ୟାୟରେ ତୁମ୍ଭ ଦୁଃଖୀ ଲୋକଙ୍କର ବିଚାର କରିବେ।

ଧର୍ମ ଦ୍ୱାରା ପର୍ବତଗଣ

ଓ ଉପପର୍ବତଗଣ ଲୋକମାନଙ୍କର ଶାନ୍ତି ଉତ୍ପନ୍ନ କରିବେ।

ସେ ଲୋକମାନଙ୍କ ମଧ୍ୟରୁ ଦୁଃଖୀମାନଙ୍କର ବିଚାର କରିବେ,

ସେ ଦୀନହୀନମାନଙ୍କର ସନ୍ତାନମାନଙ୍କୁ ଉଦ୍ଧାର କରିବେ

ଓ ଉପଦ୍ରବକାରୀକୁ ଚୂର୍ଣ୍ଣ କରିବେ।

ସୂର୍ଯ୍ୟ ଓ ଚନ୍ଦ୍ର ଥିବାଯାଏ ପୁରୁଷାନୁକ୍ରମେ

ଲୋକମାନେ ତୁମ୍ଭଙ୍କୁ ଭୟ କରିବେ।

କଟାଘାସରେ ବୃଷ୍ଟି ତୁଲ୍ୟ

ଓ ଭୂମି-ସେଚନକାରୀ ଜଳଧାରା ତୁଲ୍ୟ ସେ ଓହ୍ଲାଇ ଆସିବେ।

ତାହାଙ୍କ ସମୟରେ ଧାର୍ମିକମାନେ1 ବର୍ଦ୍ଧିଷ୍ଣୁ ହେବେ;

ପୁଣି, ଚନ୍ଦ୍ର ଲୁପ୍ତ ନୋହିବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ହେବ।

ମଧ୍ୟ ସେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ

ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରିବେ।

ମରୁଭୂମି-ନିବାସୀ ଲୋକମାନେ ତାହାଙ୍କ ସମ୍ମୁଖରେ ନତ ହେବେ

ଓ ତାହାଙ୍କ ଶତ୍ରୁଗଣ ଧୂଳି ଚାଟିବେ।

ତର୍ଶୀଶର ଓ ଦ୍ୱୀପସମୂହର ରାଜାଗଣ ଦର୍ଶନୀ ଆଣିବେ;

ଶିବାର ଓ ସବାର ରାଜାଗଣ ଭେଟି ଦାନ କରିବେ।

ହଁ, ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ;

ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ।

କାରଣ ସେ ଆର୍ତ୍ତନାଦକାରୀ ଦୀନହୀନକୁ

ଓ ଅସହାୟ ଦରିଦ୍ରକୁ ଉଦ୍ଧାର କରିବେ।

ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ

ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ।

ସେ ଉପଦ୍ରବ ଓ ଦୌରାତ୍ମ୍ୟରୁ ସେମାନଙ୍କର ପ୍ରାଣ ମୁକ୍ତ କରିବେ;

ପୁଣି, ତାହାଙ୍କ ଦୃଷ୍ଟିରେ ସେମାନଙ୍କ ଜୀବନ2 ବହୁମୂଲ୍ୟ ହେବ।

ଆଉ, ସେମାନେ ଜୀବିତ ରହିବେ ଓ ତାହାଙ୍କୁ ଶିବାର ସୁବର୍ଣ୍ଣ ଦତ୍ତ ହେବ;

ଲୋକମାନେ ନିରନ୍ତର ତାହାଙ୍କ ପାଇଁ ପ୍ରାର୍ଥନା କରିବେ।

ସେମାନେ ସାରାଦିନ ତାହାଙ୍କର ଧନ୍ୟବାଦ କରିବେ।

ଦେଶ ମଧ୍ୟରେ ପର୍ବତଗଣର ଶିଖରରେ ପ୍ରଚୁର ଶସ୍ୟ ହେବ;

ତହିଁର ଫଳ ଲିବାନୋନ ତୁଲ୍ୟ ହଲିବ;

ପୁଣି, ନଗରବାସୀମାନେ ପୃଥିବୀର ତୃଣ ତୁଲ୍ୟ ବର୍ଦ୍ଧିଷ୍ଣୁ ହେବେ।

ତାହାଙ୍କ ନାମ ଅନନ୍ତକାଳ ରହିବ;

ଯେପର୍ଯ୍ୟନ୍ତ ସୂର୍ଯ୍ୟ ଥାଏ, ସେପର୍ଯ୍ୟନ୍ତ ତାହାଙ୍କ ନାମ ସତେଜ ରହିବ;

ଆଉ, ମନୁଷ୍ୟମାନେ ତାହାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ;

ସବୁ ଗୋଷ୍ଠୀୟ ଲୋକେ ତାହାଙ୍କୁ ଧନ୍ୟ କହିବେ।

ସଦାପ୍ରଭୁ ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ,

କେବଳ ସେ ଆଶ୍ଚର୍ଯ୍ୟକର୍ମ କରନ୍ତି;

ପୁଣି, ତାହାଙ୍କର ଗୌରବାନ୍ୱିତ ନାମ ଅନନ୍ତକାଳ ଧନ୍ୟ ହେଉ

ଓ ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ।

ଆମେନ୍‍, ଆମେନ୍‍।

ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନାସକଳ ସମାପ୍ତ।

Source notes (2)
  1. Footnote ଧାର୍ମିକମାନେ କିମ୍ବା ଧାର୍ମିକତା
  2. Footnote ଜୀବନ ରକ୍ତ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.