Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 7

ନ୍ୟାୟ ପାଇଁ ପ୍ରାର୍ଥନା

ଦାଉଦଙ୍କର ଶିଗାୟୋନ, ଏହି ଗୀତ ସେ ବିନ୍ୟାମୀନୀୟ କୂଶର କଥା ବିଷୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିଥିଲେ।

ହେ ସଦାପ୍ରଭୋ ମୋʼ ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଅଛି;

ମୋʼ ପଛେ ଗୋଡ଼ାଇବା ସମସ୍ତ ଲୋକଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର,

ନୋହିଲେ ସେ ସିଂହ ପରି ମୋର ପ୍ରାଣ ବିଦୀର୍ଣ୍ଣ କରି

ଖଣ୍ଡ ଖଣ୍ଡ କରିବ, ଉଦ୍ଧାର କରିବାକୁ କେହି ନ ଥିବ।

ହେ ସଦାପ୍ରଭୋ ମୋହର ପରମେଶ୍ୱର, ଯଦି ମୁଁ

ଏହା କରିଥାଏ, ଯଦି ମୋʼ ହସ୍ତରେ ଅଧର୍ମ ଥାଏ;

ଯଦି ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ;

(ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି);

ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ;

ଆହୁରି, ସେ ମୋʼ ଜୀବନକୁ ଭୂମିରେ ଦଳି ପକାଉ,

ପୁଣି, ମୋʼ ଗୌରବକୁ ଧୂଳିସାତ୍‍ କରୁ। [ସେଲା]

ହେ ସଦାପ୍ରଭୋ, ଆପଣା କ୍ରୋଧରେ ଉଠ,

ମୋʼ ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ

ଓ ମୋʼ ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ନ୍ୟାୟବିଚାର କର।

ଗୋଷ୍ଠୀୟମାନଙ୍କ ମଣ୍ଡଳୀ ତୁମ୍ଭଙ୍କୁ ବେଷ୍ଟନ କରନ୍ତୁ;

ଆଉ, ତୁମ୍ଭେ ସେମାନଙ୍କ ଉପରେ ଊର୍ଦ୍ଧ୍ୱକୁ ପ୍ରତ୍ୟାଗମନ କର।

ସଦାପ୍ରଭୁ ଗୋଷ୍ଠୀୟମାନଙ୍କ ପ୍ରତି ବିଚାର ସାଧନ କରନ୍ତି;

ହେ ସଦାପ୍ରଭୋ, ମୋହର ଧର୍ମ ଓ ମୋହର ଆନ୍ତରିକ ସରଳତାନୁସାରେ ମୋହର ବିଚାର କର।

ଆହା, ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର;

କାରଣ ଧର୍ମମୟ ପରମେଶ୍ୱର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି।

ପରମେଶ୍ୱରଙ୍କଠାରେ ମୋହର ଢାଲ ଅଛି,

ସେ ସରଳମାନଙ୍କୁ ପରିତ୍ରାଣ କରନ୍ତି।

ପରମେଶ୍ୱର ଧର୍ମମୟ ବିଚାରକର୍ତ୍ତା, ହଁ,

ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ୱର।

ଯଦି କୌଣସି ମନୁଷ୍ୟ ନ ଫେରିବ, ତେବେ

ସେ ଆପଣା ଖଡ୍ଗ ଶାଣିତ କରିବେ;

ସେ ଆପଣା ଧନୁ ନୁଆଁଇ ପ୍ରସ୍ତୁତ କରିଅଛନ୍ତି।

ସେ ମଧ୍ୟ ତାହା ପାଇଁ ମୃତ୍ୟୁର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଅଛନ୍ତି;

ସେ ଆପଣା ତୀରସବୁ ଅଗ୍ନିର ତୀର କରିଅଛନ୍ତି।

ଦେଖ, ସେ ଅଧର୍ମରୂପ ପ୍ରସବବେଦନାରେ ଆକ୍ରାନ୍ତ ହେଉଅଛି;

ହଁ, ସେ ଅନିଷ୍ଟ ଗର୍ଭରେ ଧାରଣ କରି ମିଥ୍ୟା ପ୍ରସବ କଲା।

ସେ କୂପ ଖୋଳି ଗଭୀର କରିଅଛି, ପୁଣି,

ସେ ଆପଣା ଚୋରାଗର୍ତ୍ତରେ ପଡ଼ିଅଛି।

ତାହାର ଉପଦ୍ରବ ତାହାର ନିଜ ମସ୍ତକରେ ବର୍ତ୍ତିବ

ଓ ତାହାର ଦୌରାତ୍ମ୍ୟ ତାହାର ନିଜ ମୁଣ୍ଡରେ ପଡ଼ିବ।

ମୁଁ ସଦାପ୍ରଭୁଙ୍କର ଧାର୍ମିକତାନୁସାରେ ତାହାଙ୍କର ଧନ୍ୟବାଦ କରିବି

ଓ ସର୍ବୋପରିସ୍ଥ ସଦାପ୍ରଭୁଙ୍କ ନାମରେ ପ୍ରଶଂସା ଗାନ କରିବି।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.