Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 69

ସାହାଯ୍ୟ ପାଇଁ ଆତୁର ନିବେଦନ

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍ ସ୍ୱରରେ ଦାଉଦଙ୍କର ଗୀତ।

ହେ ପରମେଶ୍ୱର, ମୋତେ ପରିତ୍ରାଣ କର;

କାରଣ ମୋʼ ବେକ1 ପର୍ଯ୍ୟନ୍ତ ଜଳରାଶି ଆସିଅଛି।

ମୁଁ ଗଭୀର ପଙ୍କରେ ବୁଡ଼ି ଯାଉଅଛି, ମୋହର ଛିଡ଼ା ହେବାର ସ୍ଥାନ ନାହିଁ;

ମୁଁ ଗଭୀର ଜଳରାଶିରେ ଉପସ୍ଥିତ ହୋଇଅଛି, ପ୍ଲାବନ ମୋʼ ଉପର ଦେଇ ଯାଉଅଛି।

ମୁଁ ଡାକୁ ଡାକୁ କ୍ଳାନ୍ତ ହୁଏ; ମୋହର କଣ୍ଠ ଶୁଷ୍କ ହୋଇଅଛି;

ମୁଁ ପରମେଶ୍ୱରଙ୍କର ଅପେକ୍ଷା କରୁ କରୁ ମୋହର ଚକ୍ଷୁ ନିସ୍ତେଜ ହୁଏ।

ଅକାରଣରେ ମୋତେ ଘୃଣା କରିବା ଲୋକେ ମୋʼ ମସ୍ତକର କେଶଠାରୁ ଅନେକ;

ଯେଉଁମାନେ ଅନ୍ୟାୟରେ ମୋହର ଶତ୍ରୁ ହୋଇ ମୋତେ ଉଚ୍ଛିନ୍ନ କରିବାକୁ ଇଚ୍ଛା କରନ୍ତି, ସେମାନେ ବଳବାନ;

ତେଣୁ ମୁଁ ଯାହା ଅପହରଣ କଲି ନାହିଁ, ତାହା ଫେରାଇ ଦେଲି।

ହେ ପରମେଶ୍ୱର, ତୁମ୍ଭେ ମୋହର ମୂଢ଼ତା ଜାଣୁଅଛ;

ଆଉ, ମୋହର ପାପସବୁ ତୁମ୍ଭଠାରୁ ଗୁପ୍ତ ନୁହେଁ।

ହେ ପ୍ରଭୋ, ସୈନ୍ୟାଧିପତି ସଦାପ୍ରଭୋ, ତୁମ୍ଭର ଅନୁସରଣକାରୀମାନେ ମୋʼ ଦେଇ ଲଜ୍ଜିତ ନ ହେଉନ୍ତୁ;

ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଅନ୍ୱେଷଣକାରୀମାନେ ମୋʼ ଦେଇ ଅପମାନିତ ନ ହେଉନ୍ତୁ।

କାରଣ ତୁମ୍ଭ ସକାଶୁ ମୁଁ ନିନ୍ଦା ସହ୍ୟ କରିଅଛି।

ଲଜ୍ଜା ମୋʼ ମୁଖ ଆଚ୍ଛାଦନ କରିଅଛି।

ମୁଁ ଆପଣା ଭ୍ରାତୃଗଣ ପ୍ରତି ଅଜଣା

ଓ ମାତୃସନ୍ତାନଗଣ ପ୍ରତି ବିଦେଶୀ ହୋଇଅଛି।

କାରଣ ତୁମ୍ଭ ଗୃହବିଷୟକ ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି।

ପୁଣି, ତୁମ୍ଭଙ୍କୁ ନିନ୍ଦା କରିବା ଲୋକମାନଙ୍କ ନିନ୍ଦା ମୋʼ ଉପରେ ପଡ଼ିଅଛି।

ମୁଁ ରୋଦନ କଲେ ଓ ଉପବାସ ଦ୍ୱାରା ଆପଣା ପ୍ରାଣକୁ କ୍ଳେଶ ଦେଲେ,

ତାହା ମୋʼ ନିନ୍ଦାର ବିଷୟ ହେଲା।

ମୁଁ ଚଟବସ୍ତ୍ରକୁ ଆପଣାର ପରିଧେୟ କଲେ,

ସେମାନଙ୍କ ନିକଟରେ ପ୍ରବାଦ ସ୍ୱରୂପ ହେଲି।

ନଗର-ଦ୍ୱାରରେ ବସିବା ଲୋକମାନେ ମୋʼ ବିଷୟରେ ଗଳ୍ପ କରନ୍ତି

ଓ ମୁଁ ମତ୍ତ ଲୋକମାନଙ୍କର ଗୀତ ସ୍ୱରୂପ ହୋଇଅଛି।

ମାତ୍ର ହେ ସଦାପ୍ରଭୋ, ଗ୍ରାହ୍ୟ ସମୟରେ ମୋହର ପ୍ରାର୍ଥନା ତୁମ୍ଭଠାରେ ଅଛି;

ହେ ପରମେଶ୍ୱର, ତୁମ୍ଭ ଦୟାର ବାହୁଲ୍ୟରେ, ତୁମ୍ଭ ପରିତ୍ରାଣର ସତ୍ୟତାନୁସାରେ ମୋତେ ଉତ୍ତର ଦିଅ।

ପଙ୍କରୁ ମୋତେ ଉଦ୍ଧାର କର ଓ ମୋତେ ମଗ୍ନ ହେବାକୁ ଦିଅ ନାହିଁ;

ମୁଁ ଆପଣା ଘୃଣାକାରୀମାନଙ୍କଠାରୁ ଓ ଗଭୀର ଜଳରାଶିରୁ ଉଦ୍ଧାର ପ୍ରାପ୍ତ ହୁଏ।

ଜଳପ୍ଲାବନ ମୋତେ ମଗ୍ନ ନ କରୁ,

କିଅବା ଗଭୀର ଜଳ ମୋତେ ଗ୍ରାସ ନ କରୁ;

ପୁଣି, ଗର୍ତ୍ତ ମୋʼ ଉପରେ ଆପଣା ମୁଖ ବନ୍ଦ ନ କରୁ।

ହେ ସଦାପ୍ରଭୋ, ମୋତେ ଉତ୍ତର ଦିଅ; କାରଣ

ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ;

ତୁମ୍ଭ କୃପାର ବାହୁଲ୍ୟାନୁସାରେ ମୋʼ ପ୍ରତି ଫେର।

ଆଉ, ତୁମ୍ଭ ଦାସଠାରୁ ଆପଣା ମୁଖ ଲୁଚାଅ ନାହିଁ;

କାରଣ ମୁଁ ସଙ୍କଟରେ ଅଛି; ଶୀଘ୍ର ମୋତେ ଉତ୍ତର ଦିଅ।

ମୋʼ ପ୍ରାଣର ନିକଟବର୍ତ୍ତୀ ହୋଇ ତାହାକୁ ମୁକ୍ତ କର;

ମୋʼ ଶତ୍ରୁଗଣ ସକାଶୁ ମୋତେ ମୂଲ୍ୟରେ ମୁକ୍ତ କର।

ତୁମ୍ଭେ ମୋହର ନିନ୍ଦା ଓ ମୋହର ଲଜ୍ଜା ଓ ମୋହର ଅପମାନ ଜାଣୁଅଛ;

ମୋହର ବିପକ୍ଷ ସମସ୍ତେ ତୁମ୍ଭ ସମ୍ମୁଖରେ ଅଛନ୍ତି।

ନିନ୍ଦା ମୋହର ହୃଦୟ ଭଗ୍ନ କରିଅଛି ଓ ମୁଁ ସମ୍ପୂର୍ଣ୍ଣ ଭାରାକ୍ରାନ୍ତ ହୋଇଅଛି;

ପୁଣି, କେହି ଦୟା କରିବ ବୋଲି ମୁଁ ଅପେକ୍ଷା କଲି, ମାତ୍ର କେହି ନ ଥିଲା

ଓ ସାନ୍ତ୍ୱନାକାରୀମାନଙ୍କର ଅପେକ୍ଷା କଲି, ମାତ୍ର କାହାକୁ ପାଇଲି ନାହିଁ।

ଆହୁରି, ସେମାନେ ଖାଦ୍ୟ ନିମନ୍ତେ ମୋତେ ବିଷମୟ ଦ୍ରବ୍ୟ ଦେଲେ

ଓ ମୋହର ତୃଷା ସମୟରେ ପାନ କରିବା ପାଇଁ ମୋତେ ଅମ୍ଳରସ ଦେଲେ।

ସେମାନଙ୍କ ମେଜ ସେମାନଙ୍କ ସମ୍ମୁଖରେ ଫାନ୍ଦ ସ୍ୱରୂପ

ଓ ସେମାନେ ଶାନ୍ତିରେ ଥିବା ବେଳେ ତାହା ସେମାନଙ୍କର ଫାଶ ସ୍ୱରୂପ ହେଉ।

ସେମାନେ ଯେପରି ଦେଖି ନ ପାରିବେ, ଏଥିପାଇଁ ସେମାନଙ୍କର ଚକ୍ଷୁ ଅନ୍ଧାରଗ୍ରସ୍ତ ହେଉ

ଓ ସେମାନଙ୍କ କଟିଦେଶକୁ ନିତ୍ୟ କମ୍ପଯୁକ୍ତ କର।

ତୁମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳିଦିଅ

ଓ ତୁମ୍ଭ କ୍ରୋଧର ପ୍ରଚଣ୍ଡତା ସେମାନଙ୍କୁ ଧରୁ।

ସେମାନଙ୍କର ବସତି ସ୍ଥାନ ଶୂନ୍ୟ ହେଉ;

ସେମାନଙ୍କ ତମ୍ବୁରେ କେହି ବାସ ନ କରୁ।

କାରଣ ସେମାନେ ତୁମ୍ଭର ପ୍ରହାରିତ ବ୍ୟକ୍ତିଙ୍କୁ ତାଡ଼ନା କରନ୍ତି

ଓ ତୁମ୍ଭ ଆହତ ଲୋକମାନଙ୍କ ଦୁଃଖ ବର୍ଣ୍ଣନା କରନ୍ତି।

ସେମାନଙ୍କ ଅପରାଧରେ ଅପରାଧ ଯୋଗ କର

ଓ ସେମାନେ ତୁମ୍ଭ ଧାର୍ମିକତାର ଅଂଶୀ ନ ହେଉନ୍ତୁ।

ଜୀବନ-ପୁସ୍ତକରୁ ସେମାନଙ୍କ ନାମ ଲୁପ୍ତ ହେଉ

ଓ ଧାର୍ମିକମାନଙ୍କ ସହିତ ଲେଖା ନ ଯାଉ।

ମାତ୍ର ମୁଁ ଦୁଃଖୀ ଓ ଶୋକାକୁଳ ଅଟେ;

ହେ ପରମେଶ୍ୱର, ତୁମ୍ଭର ପରିତ୍ରାଣ ମୋତେ ଉଚ୍ଚରେ ସ୍ଥାପନ କରୁ।

ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବି

ଓ ଧନ୍ୟବାଦ ଦେଇ ତାହାଙ୍କର ଗୌରବ କରିବି।

ପୁଣି, ତାହା ଗୋରୁ ଅବା ଶୃଙ୍ଗ

ଓ ଖୁରାଯୁକ୍ତ ବୃଷ ଅପେକ୍ଷା ସଦାପ୍ରଭୁଙ୍କର ତୁଷ୍ଟିକର ହେବ।

ନମ୍ର ଲୋକମାନେ ତାହା ଦେଖି ଆନନ୍ଦିତ ଅଛନ୍ତି;

ହେ ପରମେଶ୍ୱରଙ୍କ ଅନ୍ୱେଷଣକାରୀଗଣ, ତୁମ୍ଭମାନଙ୍କ ଅନ୍ତଃକରଣ ସଜୀବ ହେଉ।

କାରଣ ସଦାପ୍ରଭୁ ଦୀନହୀନମାନଙ୍କ କଥା ଶୁଣନ୍ତି

ଓ ଆପଣା ବନ୍ଦୀମାନଙ୍କୁ ତୁଚ୍ଛ କରନ୍ତି ନାହିଁ।

ଆକାଶ ଓ ପୃଥିବୀ,

ସମୁଦ୍ର ଓ ତନ୍ମଧ୍ୟସ୍ଥସକଳ ଜଙ୍ଗମ ତାହାଙ୍କର ପ୍ରଶଂସା କରନ୍ତୁ।

କାରଣ ପରମେଶ୍ୱର ସିୟୋନକୁ ପରିତ୍ରାଣ କରିବେ ଓ ଯିହୁଦାର ନଗରସବୁ ନିର୍ମାଣ କରିବେ;

ପୁଣି, ଲୋକମାନେ ସେଠାରେ ବାସ କରି ତାହା ଅଧିକାର କରିବେ।

ଆହୁରି, ତାହାଙ୍କ ଦାସମାନଙ୍କ ବଂଶ ତାହା ଭୋଗ କରିବେ;

ଆଉ, ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।

Source notes (1)
  1. Footnote ବେକ କିମ୍ବା ପ୍ରାଣ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.