Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 40

ସ୍ତୁତିଗାନ

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା କଲି;

ପୁଣି, ସେ ମନୋଯୋଗ କରି ମୋହର କାକୂକ୍ତି ଶୁଣିଲେ।

ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା

କାଦୁଅରୁ ଉଠାଇ ଆଣିଲେ

ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର

ପାଦଗତି ଦୃଢ଼ କଲେ।

ପୁଣି, ସେ ମୋʼ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ

ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି;

ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି,

ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ।

ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ୱାସଭୂମି କରେ,

ପୁଣି, ଅହଙ୍କାରୀକୁ ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର

କରେ ନାହିଁ, ସେ ଧନ୍ୟ।

ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭର କୃତ

ଆଶ୍ଚର୍ଯ୍ୟକର୍ମ ଓ ଆମ୍ଭମାନଙ୍କ ପକ୍ଷରେ ତୁମ୍ଭର ସଂକଳ୍ପ

ଅନେକ; ତାହାସବୁ ତୁମ୍ଭ ସାକ୍ଷାତରେ ସଜାଯାଇ ନ ପାରେ;

ମୁଁ ସେହି ସବୁ ବିଷୟ ବର୍ଣ୍ଣନା କରି କହନ୍ତି, ମାତ୍ର ତାହାସବୁ

ଗଣନା କରାଯାଇ ନ ପାରେ।

ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ;

ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ;

ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ।

ତେବେ ମୁଁ କହିଲି, “ଦେଖ, ମୁଁ ଉପସ୍ଥିତ;

ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି।

ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ

କରିବାକୁ ମୋହର ସନ୍ତୋଷ;

ତୁମ୍ଭ ବ୍ୟବସ୍ଥା ମୋʼ ହୃଦୟରେ ଅଛି।”

ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି;

ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ

ସଦାପ୍ରଭୋ, ତୁମ୍ଭେ ଜାଣୁଅଛ।

ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ କରି ନାହିଁ;

ମୁଁ ତୁମ୍ଭର ବିଶ୍ୱସ୍ତତା ଓ ତୁମ୍ଭର ପରିତ୍ରାଣ ପ୍ରଚାର କରିଅଛି;

ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମହାସମାଜଠାରୁ ଗୁପ୍ତ ରଖି ନାହିଁ।

ହେ ସଦାପ୍ରଭୋ, ତୁମ୍ଭେ ମୋʼ ଠାରୁ ଆପଣା ଦୟା

ରୁଦ୍ଧ କର ନାହିଁ;

ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ

ନିରନ୍ତର ରକ୍ଷା କରୁ।

କାରଣ ଅସଂଖ୍ୟ ବିପଦ ମୋତେ ଘେରିଅଛି,

ମୋହର ଅଧର୍ମସବୁ ମୋତେ ଗୋଡ଼ାଇ ଧରିଅଛି,

ଏହେତୁ ମୁଁ ଉପରକୁ ଅନାଇ ପାରୁ ନାହିଁ;

ତାହାସବୁ ମୋʼ ମସ୍ତକର କେଶରୁ ଅଧିକ

ଓ ମୋହର ହୃଦୟ ମୋତେ ପରିତ୍ୟାଗ କରିଅଛି।

ହେ ସଦାପ୍ରଭୋ, ଅନୁଗ୍ରହ କରି ମୋତେ ଉଦ୍ଧାର କର;

ହେ ସଦାପ୍ରଭୋ, ମୋହର ସାହାଯ୍ୟ ପାଇଁ ସତ୍ୱର ହୁଅ।

ମୋʼ ପ୍ରାଣନାଶର ଅନ୍ୱେଷଣକାରୀ ଲୋକମାନେ

ଏକତ୍ର ଲଜ୍ଜିତ ଓ ହତାଶ ହେଉନ୍ତୁ;

ମୋʼ କ୍ଷତିରେ ସନ୍ତୁଷ୍ଟ ଲୋକମାନେ

ପଛକୁ ଫେରାଯାଇ ଅପମାନିତ ହେଉନ୍ତୁ।

ଯେଉଁମାନେ ମୋତେ “ହଁ ହଁ” ବୋଲି କହନ୍ତି, ସେମାନେ

ଆପଣା ଲଜ୍ଜା ସକାଶୁ ବିସ୍ମିତ ହେଉନ୍ତୁ।

ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେହି ସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ;

ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ ନିରନ୍ତର କହନ୍ତୁ,

“ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ।”

ମାତ୍ର ମୁଁ ଦରିଦ୍ର ଓ ଦୀନହୀନ;

ତଥାପି ପ୍ରଭୁ ମୋʼ ବିଷୟ ଚିନ୍ତା କରନ୍ତି;

ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ;

ହେ ମୋହର ପରମେଶ୍ୱର, ବିଳମ୍ବ କର ନାହିଁ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.