Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 140

ଆଶ୍ରୟ ଭିକ୍ଷା

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

ହେ ସଦାପ୍ରଭୋ, ଦୁର୍ଜ୍ଜନଠାରୁ ମୋତେ ଉଦ୍ଧାର କର;

ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର।

ସେମାନେ ମନେ ମନେ କୁକଳ୍ପନା କରନ୍ତି;

ସେମାନେ ଯୁଦ୍ଧ କରିବାକୁ ପ୍ରତିଦିନ ଏକତ୍ରିତ ହୁଅନ୍ତି।

ସେମାନେ ସର୍ପ ପରି ଆପଣା ଆପଣା ଜିହ୍ୱା ତୀକ୍ଷ୍ଣ କରିଅଛନ୍ତି;

ସେମାନଙ୍କ ଓଷ୍ଠାଧର ତଳେ କାଳସର୍ପର ଗରଳ ଥାଏ। [ସେଲା]

ହେ ସଦାପ୍ରଭୋ, ଦୁଷ୍ଟର ହସ୍ତରୁ ମୋତେ ରଖ;

ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର;

ସେମାନେ ବିପଥକୁ ମୋʼ ଚରଣ ପେଲି ଦେବା ପାଇଁ କଳ୍ପନା କରିଅଛନ୍ତି।

ଅହଙ୍କାରୀମାନେ ଗୋପନରେ ମୋʼ ପାଇଁ ଫାନ୍ଦ ଓ ଦଉଡ଼ି ପାତିଅଛନ୍ତି।

ସେମାନେ ପଥ ପାର୍ଶ୍ୱରେ ଜାଲ ପ୍ରସାରି ଅଛନ୍ତି;

ସେମାନେ ମୋʼ ପାଇଁ ଯନ୍ତା ବସାଇ ଅଛନ୍ତି। [ସେଲା]

ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋହର ପରମେଶ୍ୱର;

ହେ ସଦାପ୍ରଭୋ, ମୋʼ ନିବେଦନର ରବରେ କର୍ଣ୍ଣପାତ କର।

ହେ ମୋʼ ପରିତ୍ରାଣର ବଳ ସ୍ୱରୂପ, ପ୍ରଭୋ ସଦାପ୍ରଭୋ,

ତୁମ୍ଭେ ଯୁଦ୍ଧର ଦିନରେ ମୋʼ ମସ୍ତକ ରକ୍ଷା କରିଅଛ।

ହେ ସଦାପ୍ରଭୋ, ଦୁଷ୍ଟର ବାଞ୍ଛା ପ୍ରଦାନ କର ନାହିଁ;

ତାହାର କୁକଳ୍ପନା ସିଦ୍ଧ କର ନାହିଁ; କେଜାଣି ସେମାନେ ଆପଣାମାନଙ୍କୁ ଗର୍ବିତ କରିବେ। [ସେଲା]

ଯେଉଁମାନେ ମୋତେ ଘେରିଅଛନ୍ତି,

ସେମାନଙ୍କ ନିଜ ଓଷ୍ଠାଧରର ଦୌରାତ୍ମ୍ୟ ସେମାନଙ୍କ ମସ୍ତକ ଉପରେ ବର୍ତ୍ତୁ।

ସେମାନଙ୍କ ଉପରେ ଜ୍ୱଳନ୍ତା ଅଙ୍ଗାର ପଡ଼ୁ।

ସେମାନେ ଅଗ୍ନିରେ ନିକ୍ଷିପ୍ତ ହେଉନ୍ତୁ;

ସେମାନେ ଯେପରି ଆଉ ଉଠି ନ ପାରିବେ, ଏଥିପାଇଁ ଗଭୀର ଗର୍ତ୍ତରେ ନିକ୍ଷିପ୍ତ ହେଉନ୍ତୁ।

ଦୁର୍ମୁଖ ଲୋକ ପୃଥିବୀରେ ସ୍ଥିର ହେବ ନାହିଁ;

ଉପଦ୍ରବୀକୁ ନିପାତ କରିବା ପାଇଁ ଅମଙ୍ଗଳ ମୃଗୟା କରିବ।

ସଦାପ୍ରଭୁ ଦୁଃଖୀର ବିବାଦ

ଓ ଦୀନହୀନର ବିଚାର ନିଷ୍ପନ୍ନ କରିବେ, ଏହା ମୁଁ ଜାଣେ।

ଧାର୍ମିକମାନେ ଅବଶ୍ୟ ତୁମ୍ଭ ନାମର ଧନ୍ୟବାଦ କରିବେ;

ସରଳ ଲୋକମାନେ ତୁମ୍ଭ ଛାମୁରେ ବାସ କରିବେ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.