Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 109

ଦୁର୍ଦ୍ଦଶାଗ୍ରସ୍ତ ଲୋକର ଅଭିଯୋଗ

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

ହେ ମୋହର ପ୍ରଶଂସାପାତ୍ର ପରମେଶ୍ୱର, ନୀରବ ହୁଅ ନାହିଁ;

କାରଣ ଲୋକମାନେ ମୋʼ ବିରୁଦ୍ଧରେ ଦୁଷ୍ଟତାରୂପ ମୁଖ

ଓ ପ୍ରବଞ୍ଚନାରୂପ ମୁଖ ଫିଟାଇ ଅଛନ୍ତି।

ସେମାନେ ମିଥ୍ୟାବାଦୀ ଜିହ୍ୱାରେ ମୋʼ ସଙ୍ଗେ କଥା କହିଅଛନ୍ତି।

ଆହୁରି, ସେମାନେ ଦ୍ୱେଷ ବାକ୍ୟରେ ମୋତେ ଘେରିଅଛନ୍ତି

ଓ ବିନା କାରଣରେ ମୋʼ ସଙ୍ଗେ ଯୁଦ୍ଧ କରିଅଛନ୍ତି।

ମୋʼ ପ୍ରେମ ପାଲଟେ ସେମାନେ ମୋହର ବିପକ୍ଷ ହୋଇଅଛନ୍ତି;

ମାତ୍ର ମୁଁ ପ୍ରାର୍ଥନାରେ ପ୍ରବୃତ୍ତ।

ଆଉ, ସେମାନେ ମୋତେ ମଙ୍ଗଳ ପାଲଟେ ଅମଙ୍ଗଳ

ଓ ପ୍ରେମ ପାଲଟେ ଘୃଣା ପ୍ରତିଦାନ କରିଅଛନ୍ତି।

ତୁମ୍ଭେ ତାହା ଉପରେ ଏକ ଦୁଷ୍ଟ ଲୋକ ନିଯୁକ୍ତ କର;

ପୁଣି, ଜଣେ ବିପକ୍ଷ ତାହାର ଦକ୍ଷିଣ ପାର୍ଶ୍ୱରେ ଠିଆ ହେଉ।

ସେ ବିଚାରିତ ହେବା ସମୟରେ ଦୋଷୀକୃତ ହେଉ;

ପୁଣି, ତାହାର ପ୍ରାର୍ଥନା ପାପ ରୂପେ ଗଣିତ ହେଉ।

ତାହାର ଆୟୁ ଅଳ୍ପ ହେଉ

ଓ ଅନ୍ୟ ଲୋକ ତାହାର ପଦ ପ୍ରାପ୍ତ ହେଉ।

ତାହାର ସନ୍ତାନମାନେ ପିତୃହୀନ ହେଉନ୍ତୁ

ଓ ତାହାର ଭାର୍ଯ୍ୟା ବିଧବା ହେଉ।

ତାହାର ସନ୍ତାନଗଣ ବାରବୁଲା ହୋଇ ଭିକ୍ଷା କରନ୍ତୁ

ଓ ସେମାନେ ଆପଣା ଆପଣା ଉଜାଡ଼ ସ୍ଥାନରୁ ଆହାର ଅନ୍ୱେଷଣ କରନ୍ତୁ।

ମହାଜନ ତାହାର ସର୍ବସ୍ୱ ଧରୁ;

ଆଉ, ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।

ତାହା ପ୍ରତି କୃପା ପ୍ରକାଶ କରିବାକୁ କେହି ନ ଥାଉ,

କିଅବା ତାହାର ପିତୃହୀନ ସନ୍ତାନଗଣକୁ କେହି ଦୟା କରିବାକୁ ନ ରହୁ।

ତାହାର ବଂଶ ଉଚ୍ଛିନ୍ନ ହେଉ;

ଆସନ୍ତା ପୁରୁଷରେ ତାହାଙ୍କ1 ନାମ ଲୁପ୍ତ ହେଉ।

ତାହାର ପିତୃପୁରୁଷଙ୍କ ଅପରାଧ ସଦାପ୍ରଭୁଙ୍କ ସ୍ମରଣରେ ଥାଉ

ଓ ତାହାର ମାତାର ପାପ ଲୁପ୍ତ ନ ହେଉ।

ସଦାପ୍ରଭୁ ଯେପରି ସେମାନଙ୍କ ସ୍ମରଣ ପୃଥିବୀରୁ ଉଚ୍ଛିନ୍ନ କରିବେ,

ଏଥିପାଇଁ ସେମାନେ ତାହାଙ୍କ ସାକ୍ଷାତରେ ସର୍ବଦା ଥାଉନ୍ତୁ।

ସେ ଦୟା ପ୍ରକାଶ କରିବାକୁ ସ୍ମରଣ କଲା ନାହିଁ।

ମାତ୍ର ଦୁଃଖୀ, ଦୀନହୀନ

ଓ ଭଗ୍ନାନ୍ତଃକରଣ ଲୋକଙ୍କୁ ବଧ କରିବା ପାଇଁ ତାଡ଼ନା କଲା।

ଆହୁରି, ସେ ଅଭିଶାପ ଭଲ ପାଇଲା ଓ ତାହା ତାହା ପ୍ରତି ଘଟିଲା;

ଆଉ, ସେ ଆଶୀର୍ବାଦରେ ସନ୍ତୁଷ୍ଟ ହେଲା ନାହିଁ, ଏଣୁ ତାହା ତାହାଠାରୁ ଦୂର ହେଲା।

ମଧ୍ୟ ସେ ବସ୍ତ୍ର ପରି ଅଭିଶାପ ପରିଧାନ କଲା,

ପୁଣି, ତାହା ଜଳ ପରି ତାହାର ଅନ୍ତରରେ

ଓ ତୈଳ ପରି ତାହାର ଅସ୍ଥିରେ ପ୍ରବିଷ୍ଟ ହେଲା।

ଏଣୁ ତାହା ତାହାର ପରିଧେୟ ବସ୍ତ୍ର ପରି

ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ।

ସଦାପ୍ରଭୁଙ୍କଠାରୁ ଆମ୍ଭ ବିପକ୍ଷଗଣର

ଓ ଆମ୍ଭ ପ୍ରାଣ ବିରୁଦ୍ଧରେ ଦୁର୍ବାକ୍ୟବାଦୀମାନଙ୍କର ଏହି ଫଳ।

ମାତ୍ର, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପଣା ନାମ ସକାଶୁ ମୋʼ ପ୍ରତି ବ୍ୟବହାର କର;

ତୁମ୍ଭର ଦୟା ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର।

କାରଣ ମୁଁ ଦୁଃଖୀ ଓ ଦୀନହୀନ ଅଟେ,

ଓ ମୋʼ ଅନ୍ତରରେ ମୋʼ ହୃଦୟ କ୍ଷତବିକ୍ଷତ ହୋଇଅଛି।

ମୁଁ ଅପରାହ୍ନର ଛାୟା ତୁଲ୍ୟ ଅତୀତ;

ମୁଁ ପଙ୍ଗପାଳ ନ୍ୟାୟ ଚାଳିତ ହେଉଅଛି।

ଉପବାସରେ ମୋʼ ଆଣ୍ଠୁ ଦୁର୍ବଳ ଅଛି

ଓ ମେଦର ଅଭାବରୁ ମୋʼ ମାଂସ କ୍ଷୀଣ ହୁଏ।

ଆହୁରି, ମୁଁ ସେମାନଙ୍କ ନିକଟରେ ନିନ୍ଦାପାତ୍ର ହୋଇଅଛି;

ସେମାନେ ମୋତେ ଦେଖିଲେ ମୁଣ୍ଡ ହଲାନ୍ତି।

ହେ ସଦାପ୍ରଭୋ, ମୋହର ପରମେଶ୍ୱର, ମୋହର ସାହାଯ୍ୟ କର;

ତୁମ୍ଭ ଦୟାନୁସାରେ ମୋହର ପରିତ୍ରାଣ କର।

ତହିଁରେ ଏହି ତୁମ୍ଭର ହସ୍ତ ବୋଲି

ଓ ତୁମ୍ଭେ ସଦାପ୍ରଭୁ ଏହା କରିଅଛ ବୋଲି ସେମାନେ ଜାଣିବେ।

ସେମାନେ ଅଭିଶାପ ଦେଉନ୍ତୁ, ମାତ୍ର ତୁମ୍ଭେ ଆଶୀର୍ବାଦ କର;

ସେମାନେ ଉଠିଲେ ଲଜ୍ଜିତ ହେବେ, ମାତ୍ର ତୁମ୍ଭର ଦାସ ଆନନ୍ଦ କରିବ।

ମୋʼ ବିପକ୍ଷମାନେ ଅପମାନରେ ବସ୍ତ୍ରାନ୍ୱିତ ହେବେ,

ପୁଣି, ସେମାନେ ଉତ୍ତରୀୟ ବସ୍ତ୍ର ତୁଲ୍ୟ ନିଜ ଲଜ୍ଜାରେ ଆଚ୍ଛନ୍ନ ହେଉନ୍ତୁ।

ମୁଁ ନିଜ ମୁଖରେ ସଦାପ୍ରଭୁଙ୍କୁ ଅତିଶୟ ଧନ୍ୟବାଦ ଦେବି;

ପୁଣି, ଲୋକସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା କରିବି।

କାରଣ ସେ ଦୀନହୀନକୁ ତାହାର ପ୍ରାଣର

ବିଚାରକାରୀମାନଙ୍କଠାରୁ ତ୍ରାଣ କରିବା ନିମନ୍ତେ ତାହାର ଡାହାଣରେ ଠିଆ ହେବେ।2

Source notes (2)
  1. Footnote ତାହାଙ୍କ ସେମାନଙ୍କ
  2. Footnote ତାହାର ଡାହାଣରେ ଠିଆ ହେବେ। ଅର୍ଥାତ୍‍ ତାହାର ସାହାଯ୍ୟ କରିବେ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.