Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 102

ଜଣେ ଦୁଃଖରେ ବ୍ୟଥିତ ବ୍ୟକ୍ତିର ପ୍ରାର୍ଥନା

ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।

ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ

ଓ ମୋʼ କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ।

ମୋʼ ସଙ୍କଟ ଦିନରେ ମୋʼ ଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ;

ମୋʼ ପ୍ରତି ଆପଣା କର୍ଣ୍ଣ ଡେର;

ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ।

କାରଣ ମୋʼ ବଞ୍ଚିବାର ଦିନସବୁ ଧୂଆଁ ପରି କ୍ଷୟ ପାଏ

ଓ ମୋହର ଅସ୍ଥିସବୁ ନିଆଁଖୁଣ୍ଟା ପରି ପୋଡ଼ିଯାଏ।

ମୋହର ହୃଦୟ ତୃଣ ପରି ଉତ୍ତାପିତ ଓ ଶୁଷ୍କ ହୋଇଅଛି,

ମୁଁ ଆପଣା ଆହାର ଭୋଜନ କରିବାକୁ ପାସୋରି ଯାଏ।

ମୋହର ହାହାକାର ଶବ୍ଦ ସକାଶୁ

ମୋʼ ଅସ୍ଥିସବୁ ମୋʼ ମାଂସରେ ଲାଗି ରହେ।

ମୁଁ ପ୍ରାନ୍ତରସ୍ଥ ପାଣିଭେଳା ପକ୍ଷୀର1 ତୁଲ୍ୟ;

ମୁଁ ନରଶୂନ୍ୟ ସ୍ଥାନର ପେଚା ପରି ହୋଇଅଛି।

ମୁଁ ଉଜାଗର ରହେ

ଓ ଛାତ ଉପରିସ୍ଥ ଏକାକୀ ଥିବା ଘରଚଟିଆ ତୁଲ୍ୟ ହୋଇଅଛି;

ମୋʼ ଶତ୍ରୁମାନେ ସାରାଦିନ ମୋତେ ନିନ୍ଦା କରନ୍ତି;

ମୋʼ ବିରୁଦ୍ଧରେ କ୍ରୋଧାନ୍ୱିତ ଲୋକମାନେ ମୋʼ ନାମ ନେଇ ଅଭିଶାପ ଦିଅନ୍ତି।

କାରଣ ମୁଁ ଅନ୍ନ ପରି ଭସ୍ମ ଭୋଜନ କରିଅଛି

ଓ ମୋହର ପେୟଦ୍ରବ୍ୟ ନେତ୍ରଜଳ ସଙ୍ଗେ ମିଶାଇଅଛି।

ତୁମ୍ଭର କ୍ରୋଧ ଓ କୋପ ସକାଶୁ ଏହା ହୋଇଅଛି;

ଯେହେତୁ ତୁମ୍ଭେ ମୋତେ ଉଠାଇ ପକାଇ ଦେଇଅଛ।

ମୋହର ଦିନସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ

ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହେଉଅଛି।

ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ଅନନ୍ତକାଳ

ଓ ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ।

ତୁମ୍ଭେ ଉଠି ସିୟୋନକୁ ଦୟା କରିବ;

କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ,

ନିରୂପିତ ସମୟ ଉପସ୍ଥିତ।

ଯେହେତୁ ତୁମ୍ଭ ଦାସମାନେ ତହିଁର ପଥରରେ ଶ୍ରଦ୍ଧା

ଓ ତହିଁର ଧୂଳିରେ ଦୟାଭାବ ବହନ୍ତି।

ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ

ଓ ପୃଥିବୀସ୍ଥ ରାଜାଗଣ ତୁମ୍ଭ ମହିମାକୁ ଭୟ କରିବେ।

କାରଣ ସଦାପ୍ରଭୁ ସିୟୋନକୁ ପୁନଃନିର୍ମାଣ କରିଅଛନ୍ତି

ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି;

ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି

ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି।

ଏହା ଭବିଷ୍ୟତ ବଂଶ ନିମନ୍ତେ ଲିଖିତ ହେବ;

ଆଉ, ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ।

କାରଣ ବନ୍ଦୀର ହାହାକାର ଶୁଣିବାକୁ,

ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ;

ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି;

ସେ ସ୍ୱର୍ଗରୁ ପୃଥିବୀକୁ ଅବଲୋକନ କଲେ;

ତହିଁରେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ

ଗୋଷ୍ଠୀବର୍ଗ ଓ ରାଜ୍ୟସକଳ ଏକତ୍ରିତ ହେବା ବେଳେ,

ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ

ଓ ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ;

ସଦାପ୍ରଭୁ ଜୀବନର ପଥ2 ମଧ୍ୟରେ ମୋର ବଳ ହ୍ରାସ କଲେ,

ସେ ମୋହର ଆୟୁ ଊଣା କଲେ।

ମୁଁ କହିଲି, “ହେ ମୋହର ପରମେଶ୍ୱର, ଆୟୁର ମଧ୍ୟଭାଗରେ ମୋତେ ନେଇ ନ ଯାଅ;

ତୁମ୍ଭର ବର୍ଷ ପୁରୁଷାନୁକ୍ରମରେ ଥାଏ।”

ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ;

ପୁଣି, ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ।

ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ;

ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ;

ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ।

ମାତ୍ର ତୁମ୍ଭେ ସେହି ଅଟ

ଓ ତୁମ୍ଭ ବଞ୍ଚିବାର ବର୍ଷ ଶେଷ ହେବ ନାହିଁ।

ତୁମ୍ଭ ଦାସଗଣର ସନ୍ତାନମାନେ ରହିବେ

ଓ ସେମାନଙ୍କର ବଂଶ ତୁମ୍ଭ ସାକ୍ଷାତରେ ସୁସ୍ଥିର ହେବେ।

Source notes (2)
  1. Footnote ପାଣିଭେଳା ପକ୍ଷୀର ଶାଗୁଣା କିଅବା ପେଚା
  2. Footnote ପଥ ଅର୍ଥାତ୍‍ ଯୁବକ ଥିବା ସମୟରେ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.