Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ମୀଖା 3

ଯାଜକ ଓ ଶାସନକର୍ତ୍ତାଙ୍କୁ ଭର୍ତ୍ସନା

ପୁଣି, ମୁଁ କହିଲି, ହେ ଯାକୁବର ପ୍ରଧାନବର୍ଗ

ଓ ହେ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ,

ମୁଁ ନିବେଦନ କରେ, ତୁମ୍ଭେମାନେ ଶୁଣ:

ନ୍ୟାୟବିଚାର ଜ୍ଞାତ ହେବାର କି ତୁମ୍ଭମାନଙ୍କର ଉଚିତ ନୁହେଁ?

ମାତ୍ର ତୁମ୍ଭେମାନେ ସତ୍କର୍ମ ଘୃଣା କରି

ଦୁଷ୍କର୍ମ ଭଲ ପାଉଅଛ;

ତୁମ୍ଭେମାନେ ଲୋକମାନଙ୍କ ଶରୀରରୁ ସେମାନଙ୍କର ଚର୍ମ

ଓ ସେମାନଙ୍କ ଅସ୍ଥିରୁ ସେମାନଙ୍କର ମାଂସ ଛଡ଼ାଇ ନେଉଅଛ;

ମଧ୍ୟ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ମାଂସ ଖାଉଅଛ

ଓ ସେମାନଙ୍କର ଚର୍ମ ଛଡ଼ାଇ

ସେମାନଙ୍କର ଅସ୍ଥିସବୁ ଭାଙ୍ଗୁଅଛ;

ହଁ, ଯେପରି ହାଣ୍ଡି ଓ ହଣ୍ଡା ପାଇଁ ମାଂସ ଖଣ୍ଡ ଖଣ୍ଡ କରନ୍ତି,

ସେହିପରି ସେମାନଙ୍କୁ ଖଣ୍ଡ ଖଣ୍ଡ କରି ପକାଉଅଛ।

ସେହି ସମୟରେ ସେମାନେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରିବେ,

ମାତ୍ର ସେ ସେମାନଙ୍କୁ ଉତ୍ତର ଦେବେ ନାହିଁ;

ବରଞ୍ଚ ସେମାନଙ୍କର ଦୁଷ୍କ୍ରିୟାନୁସାରେ

ସେ ସେହି ସମୟରେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବେ।

ଯେଉଁ ଭବିଷ୍ୟଦ୍‍ବକ୍ତାଗଣ ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି;

ଯେଉଁମାନେ ଦାନ୍ତରେ କାମୁଡ଼ୁ କାମୁଡ଼ୁ, “ଶାନ୍ତି ଶାନ୍ତି” ବୋଲି କହନ୍ତି

ଓ କୌଣସି ଲୋକ ସେମାନଙ୍କ ମୁଖରେ କିଛି ନ ଦେଲେ,

ତାହା ବିରୁଦ୍ଧରେ ଯେଉଁମାନେ ଯୁଦ୍ଧ ନିରୂପଣ କରନ୍ତି,

ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି:

ଏଥିପାଇଁ ତୁମ୍ଭେମାନେ ଯେପରି କୌଣସି ଦର୍ଶନ ନ ପାଇବ, ତୁମ୍ଭମାନଙ୍କ ପ୍ରତି ରାତ୍ରି ହେବ

ଓ ତୁମ୍ଭେମାନେ ଯେପରି ମନ୍ତ୍ରଶୂନ୍ୟ ହେବ; ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଅନ୍ଧକାର ହେବ;

ଆଉ, ଭବିଷ୍ୟଦ୍‍ବକ୍ତାଗଣ ଉପରେ ସୂର୍ଯ୍ୟ ଅସ୍ତଗତ ହେବ

ଓ ସେମାନଙ୍କ ଉପରେ ଦିବସ କୃଷ୍ଣବର୍ଣ୍ଣ ହେବ।

ପୁଣି, ଦର୍ଶକମାନେ ଲଜ୍ଜିତ

ଓ ମନ୍ତ୍ରବେତ୍ତାମାନେ ଉଦ୍‍ବିଗ୍ନ ହେବେ;

ହଁ, ସେମାନେ ସମସ୍ତେ ଆପଣା ଆପଣା ଓଷ୍ଠାଧର ଘୋଡ଼ାଇବେ;

କାରଣ ପରମେଶ୍ୱରଙ୍କଠାରୁ କୌଣସି ଉତ୍ତର ନାହିଁ।

ମାତ୍ର ଯାକୁବକୁ ତାହାର ଆଜ୍ଞାଲଙ୍ଘନ

ଓ ଇସ୍ରାଏଲକୁ ତାହାର ପାପ

ଜ୍ଞାତ କରାଇବା ନିମନ୍ତେ ଆମ୍ଭେ ପ୍ରକୃତରେ ସଦାପ୍ରଭୁଙ୍କ ଆତ୍ମା ଦ୍ୱାରା

ଶକ୍ତିରେ, ନ୍ୟାୟ-ବିଚାରରେ ଓ ପରାକ୍ରମରେ ପରିପୂର୍ଣ୍ଣ ଅଛୁ।

ହେ ଯାକୁବ ବଂଶର ପ୍ରଧାନବର୍ଗ

ଓ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ,

ମୁଁ ନିବେଦନ କରେ, ତୁମ୍ଭେମାନେ ଏହା ଶୁଣ,

ତୁମ୍ଭେମାନେ ନ୍ୟାୟବିଚାର ଘୃଣା କରୁଅଛ

ଓ ଅପକ୍ଷପାତ ବିଚାରସବୁ ଅନ୍ୟଥା କରୁଅଛ।

ସେମାନେ ସିୟୋନକୁ ରକ୍ତରେ

ଓ ଯିରୂଶାଲମକୁ ଅଧର୍ମରେ ନିର୍ମାଣ କରୁଅଛନ୍ତି।

ସେହି ସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି

ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି

ଓ ତହିଁର ଭବିଷ୍ୟଦ୍‍ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି;

ତଥାପି ସେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି,

“ସଦାପ୍ରଭୁ କି ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି?

କୌଣସି ଅମଙ୍ଗଳ ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ।”

ଏହେତୁ ତୁମ୍ଭମାନଙ୍କ ସକାଶୁ

ସିୟୋନ କ୍ଷେତ୍ର ତୁଲ୍ୟ ଚାଷ କରାଯିବ

ଓ ଯିରୂଶାଲମ ଢିପି ହେବ,

ଆଉ ଗୃହର ପର୍ବତ ବନସ୍ଥ ଉଚ୍ଚସ୍ଥଳୀର ତୁଲ୍ୟ ହେବ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.