ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ମୀଖା 1
ଯିହୁଦା ଦେଶୀୟ ଯୋଥମ୍, ଆହସ୍ ଓ ହିଜକୀୟ ରାଜାମାନଙ୍କର ଅଧିକାର ସମୟରେ, ମୋରେଷ୍ଟୀୟ ମୀଖାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ସେ ଶମରୀୟା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ।
ଆଗାମୀ ବିନାଶ
ହେ ଗୋଷ୍ଠୀଗଣ, ତୁମ୍ଭେ ସମସ୍ତେ ଶୁଣ;
ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ, ମନୋଯୋଗ କର;
ପ୍ରଭୁ ସଦାପ୍ରଭୁ, ଆପଣା ପବିତ୍ର ମନ୍ଦିରରୁ
ପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ହେଉନ୍ତୁ।
କାରଣ ଦେଖ, ସଦାପ୍ରଭୁ ଆପଣା ସ୍ଥାନରୁ ବାହାରି ଆସୁଅଛନ୍ତି
ଓ ସେ ଓହ୍ଲାଇ ଆସି
ପୃଥିବୀର ଉଚ୍ଚସ୍ଥଳୀସକଳ ଉପରେ ଗମନ କରିବେ।
ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ
ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ,
ସେହିପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ
ଓ ତଳଭୂମିସକଳ ବିଦୀର୍ଣ୍ଣ ହେବ।
କାରଣ ଯାକୁବର ଆଜ୍ଞାଲଙ୍ଘନ
ଓ ଇସ୍ରାଏଲ ବଂଶର ପାପ ସକାଶୁ ଏହିସବୁ ହେଉଅଛି।
ଯାକୁବର ଆଜ୍ଞାଲଙ୍ଘନ କଅଣ?
ତାହା କି ଶମରୀୟା ନୁହେଁ?
ଓ ଯିହୁଦାର ଉଚ୍ଚସ୍ଥଳୀସକଳ କଅଣ
ସେହି ସବୁ କି ଯିରୂଶାଲମ ନୁହେଁ?
ଏଥିପାଇଁ ଆମ୍ଭେ ଶମରୀୟାକୁ କ୍ଷେତ୍ରସ୍ଥ ଢିପି
ଓ ଦ୍ରାକ୍ଷାଲତା ରୋପଣର ସ୍ଥାନ ତୁଲ୍ୟ କରିବା;
ଆଉ, ଆମ୍ଭେ ତହିଁର ପ୍ରସ୍ତରସକଳ ଉପତ୍ୟକାରେ ପକାଇ
ତହିଁର ଭିତ୍ତିମୂଳ ଅନାବୃତ କରିବା।
ପୁଣି, ତାହାର ଖୋଦିତ ପ୍ରତିମାସକଳ ଖଣ୍ଡ ଖଣ୍ଡ କରାଯିବ
ଓ ତାହାର ବେତନସକଳ ଅଗ୍ନିରେ ଦଗ୍ଧ ହେବ,
ଆଉ ଆମ୍ଭେ ତାହାର ଦେବତାସକଳକୁ ଧ୍ୱଂସ କରିବା;
କାରଣ ବେଶ୍ୟାର ବେତନ ଦ୍ୱାରା ସେ ତାହା ସଞ୍ଚୟ କରିଅଛି
ଓ ତାହା ପୁନର୍ବାର ବେଶ୍ୟାର ବେତନ ହୋଇଯିବ।
ଏଥିସକାଶୁ ଆମ୍ଭେ ବିଳାପ ଓ ହାହାକାର କରିବା,
ଆମ୍ଭେ ଉଲଙ୍ଗ ହୋଇ ଖାଲି ପାଦରେ ବୁଲିବା।
ଆମ୍ଭେ ଶୃଗାଳ ପରି ବିଳାପ କରିବା
ଓ ଉଷ୍ଟ୍ରପକ୍ଷୀ ପରି ଶୋକ କରିବା।
କାରଣ ତାହାର କ୍ଷତ ଅଚିକିତ୍ସ୍ୟ
ଯେହେତୁ ତାହା ଯିହୁଦା ପର୍ଯ୍ୟନ୍ତ ଆସିଅଛି;
ତାହା ଆମ୍ଭ ଲୋକମାନଙ୍କର ନଗର-ଦ୍ୱାର,
ଯିରୂଶାଲମ ପର୍ଯ୍ୟନ୍ତ ପହଞ୍ଚି ଅଛି।
ଗାଥ୍ ନଗରରେ ଏ କଥା ଜଣାଅ ନାହିଁ,
ଆଦୌ ରୋଦନ କର ନାହିଁ;
ଏବଂ ବେଥ୍-ଲିଅଫ୍ରା ନଗରର ଧୂଳିରେ ନିଜେ ଗଡ଼ି ଅଛୁ।
ହେ ଶାଫୀର ନିବାସିନୀ,
ତୁମ୍ଭେ ଉଲଙ୍ଗ ଓ ଲଜ୍ଜିତ ହୋଇ ଚାଲିଯାଅ;
ସାନନ ନିବାସିନୀ ବାହାର ହୋଇ ଆସି ନାହିଁ;
ବେଥ୍-ସେଲର ବିଳାପ
ତୁମ୍ଭମାନଙ୍କଠାରୁ ତାହାର ଅବଲମ୍ବନ ହରଣ କରିବ।
କାରଣ ମାରୋତ୍ ନିବାସିନୀ ଭାବିତା ହୋଇ ମଙ୍ଗଳର ଅପେକ୍ଷା କରଇ;
ଯେହେତୁ ଯିରୂଶାଲମର ଦ୍ୱାର ପର୍ଯ୍ୟନ୍ତ
ସଦାପ୍ରଭୁଙ୍କଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି।
ହେ ଲାଖୀଶ୍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ୱ ଯୋଚ;
ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ୱରୂପ ଥିଲା;
କାରଣ ଇସ୍ରାଏଲର ଆଜ୍ଞା-ଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା।
ଏଥିପାଇଁ ତୁମ୍ଭେ ମୋରେଷତ୍ ଗାଥ୍କୁ ବିଦାୟକାଳୀନ ଦାନ ଦେବ
ଅକଷୀବ୍ର ଗୃହସକଳ ଇସ୍ରାଏଲର ରାଜାଗଣ ପ୍ରତି ପ୍ରବଞ୍ଚନାଜନକ ବସ୍ତୁ ତୁଲ୍ୟ ହେବ;
ଆହୁରି, ହେ ମାରେଶା ଗ୍ରାମର ନିବାସିନୀ,
ଯେ ତୁମ୍ଭକୁ ଅଧିକାର କରିବ, ତାହାକୁ ଆମ୍ଭେ ତୁମ୍ଭ ନିକଟକୁ ଆଣିବା;
ଇସ୍ରାଏଲର ମହାନ ନେତୃତ୍ଵକାରୀଗଣ ଅଦୁଲ୍ଲମ ଗୁମ୍ଫାକୁ ଯିବେ।
ତୁମ୍ଭେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେ
ମସ୍ତକ ମୁଣ୍ଡନ କର
ଓ କେଶ କାଟି ପକାଅ;
ଶାଗୁଣା ପରି ଆପଣାର କେଶ-ଶୂନ୍ୟତା ବୃଦ୍ଧି କର;
କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇ ଯାଇଅଛନ୍ତି।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.