Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ମାଥିଉ 10

ଯୀଶୁଙ୍କ ବାର ଶିଷ୍ୟ

(ମାର୍କ 3:13-19; ଲୂକ 6:12-16)

ଇତିମଧ୍ୟରେ ସେ ଆପଣା ବାର ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ।

ସେହି ଦ୍ୱାଦଶ ପ୍ରେରିତମାନଙ୍କ ନାମ ଏହି, ପ୍ରଥମରେ ଶିମୋନ, ଯାହାକୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ, କିଣାନୀୟ ଦଳର ଶିମୋନ ଓ ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।

ବାର ଶିଷ୍ୟଙ୍କୁ ପ୍ରେରଣ

(ମାର୍କ 6:7-13; ଲୂକ 9:1-6; 10:4-12)

ଯୀଶୁ ଏହି ବାର ଜଣଙ୍କୁ ପଠାଇ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଅଣଯିହୁଦୀମାନଙ୍କ ପାଖକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ, ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ। ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର। ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠରୋଗୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର।

ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ବା, ଆଉ ଯାତ୍ରା ନିମନ୍ତେ ଝୋଲି କିମ୍ବା ଦୁଇଟି ଅଙ୍ଗରଖା ଅବା ଜୋତା କିମ୍ବା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ। ଆଉ ତୁମ୍ଭେମାନେ ଯେକୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ, ତାହା ଅନୁସନ୍ଧାନ କର, ପୁଣି, ନ ଯିବା ପର୍ଯ୍ୟନ୍ତ ସେଠାରେ ରୁହ। ଆଉ ଗୃହରେ ପ୍ରବେଶ କରିବା ସମୟରେ ତାହାକୁ ଆଶୀର୍ବାଦ କର; ସେହି ଗୃହ ଯଦି ଯୋଗ୍ୟ, ତେବେ ତାହା ପ୍ରତି ତୁମ୍ଭମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ, ତାହାହେଲେ ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ପାଖକୁ ଫେରିଆସୁ।

ପୁଣି, ଯେ କେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମ ଓ ଗମୋରା ଦେଶର ଦଶା ସହନୀୟ ହେବ।”

ଆଗାମୀ ତାଡ଼ନା

(ମାର୍କ 13:9-13; ଲୂକ 21:12-17)

“ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ। ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହ ସମୂହରେ କୋରଡ଼ା ମାରିବେ, ପୁଣି, ତୁମ୍ଭେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ପାଖକୁ ଅଣାଯିବ; ତାହା ସେମାନଙ୍କ ଓ ଅଣଯିହୁଦୀମାନଙ୍କ ପ୍ରତି ସାକ୍ଷ୍ୟସ୍ୱରୂପ ହେବ। କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବା କି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କଅଣ କହିବ, ତାହା ସେହି ସମୟରେ ତୁମ୍ଭମାନଙ୍କୁ ଦିଆଯିବ। ଯେଣୁ ତୁମ୍ଭେମାନେ ବକ୍ତା ନୁହଁ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯେ କି ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି।

ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ। ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ। କିନ୍ତୁ ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ।

ଶିଷ୍ୟ ଗୁରୁଠାରୁ କିମ୍ବା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ। ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ପରି ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ। ସେମାନେ ଯେବେ ଗୃହ କର୍ତ୍ତାଙ୍କୁ ବାଲ୍‌ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ।”

ଭୟ କର ନାହିଁ

(ଲୂକ 12:2-7)

“ଅତଏବ ସେମାନଙ୍କୁ ଭୟ କର ନାହିଁ; କାରଣ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ। ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲୋକରେ କୁହ, ପୁଣି, ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘର ଛାତ ଉପରେ ଘୋଷଣା କର। ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରିପାରନ୍ତି, ତାହାଙ୍କୁ ହିଁ ଭୟ କର। ଦୁଇଟି ଘରଚଟିଆ କଅଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ; କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି। ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ।”

ଯୀଶୁଙ୍କୁ ସ୍ୱୀକାର ନା ଅସ୍ୱୀକାର କରିବ

(ଲୂକ 12:8,9)

“ଆଉ, ଯେ କେହି ଲୋକଙ୍କ ଆଗରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ସ୍ୱୀକାର କରିବି। ମାତ୍ର ଯେ କେହି ଲୋକଙ୍କ ଆଗରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ଅସ୍ୱୀକାର କରିବି।”

ଶାନ୍ତି ପରିବର୍ତ୍ତେ ଖଡ୍ଗ

(ଲୂକ 12:51-53; 14:26,27)

“ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ୍ଗ ଦେବାକୁ ଆସିଅଛି। କାରଣ ମୁଁ

‘ପିତାଙ୍କ ସହିତ ପୁତ୍ରର ଓ

ମାତା ସହିତ କନ୍ୟାର ପୁଣି,

ଶାଶୁ ସହିତ ବୋହୁର ବିରୋଧ ବଢ଼ାଇବାକୁ ଆସିଅଛି,

ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ।’

ଯେ ପିତା କି ମାତାକୁ ମୋʼଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋʼଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ। ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ। ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ।”

ପୁରସ୍କାରର ଅଧିକାରୀ

(ମାର୍କ 9:41)

“ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ। ଯେ ଭାବବାଦୀଙ୍କୁ ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ। ଆଉ ଯେ ଧାର୍ମିକ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ। ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି ଯଦି ଗିନାଏ ଥଣ୍ଡା ପାଣି ମଧ୍ୟ ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ।”

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.