ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଲେବୀୟ ପୁସ୍ତକ 18
ନିଷିଦ୍ଧ ଯୌନ ସମ୍ପର୍କ
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତୁମ୍ଭେମାନେ ଯେଉଁ ମିସର ଦେଶରେ ବାସ କଲ, ସେହି ଦେଶର ଆଚରଣ ଅନୁସାରେ ଆଚରଣ କରିବ ନାହିଁ; ପୁଣି, ଯେଉଁ କିଣାନ ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶର ଆଚରଣ ଅନୁସାରେ ଆଚରଣ କରିବ ନାହିଁ ଓ ସେମାନଙ୍କ ବିଧି ଅନୁସାରେ ଚ଼ାଲିବ ନାହିଁ। ତୁମ୍ଭେମାନେ ଆମ୍ଭର ଶାସନ ମାନ୍ୟ କରିବ ଓ ଆମ୍ଭର ବିଧି ପାଳନ କରିବ ଓ ତଦନୁସାରେ ଆଚରଣ କରିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଓ ଆମ୍ଭର ଶାସନ ପାଳନ କରିବ; ମନୁଷ୍ୟ ତାହା କଲେ, ତହିଁରେ ହିଁ ସେ ବଞ୍ଚିବ; ଆମ୍ଭେ ସଦାପ୍ରଭୁ ଅଟୁ।
ତୁମ୍ଭମାନଙ୍କର କେହି ଆପଣା ନିକଟ-କୁଟୁମ୍ବ ମଧ୍ୟରୁ କାହାରି ଆବରଣୀୟ ଅନାବୃତ କରିବାକୁ ଯିବ ନାହିଁ, ଆମ୍ଭେ ସଦାପ୍ରଭୁ ଅଟୁ। ତୁମ୍ଭେ ଆପଣା ପିତାର ଆବରଣୀୟ ଅବା ଆପଣା ମାତାର ଆବରଣୀୟ ଅନାବୃତ କରିବ ନାହିଁ; ସେ ତୁମ୍ଭର ମାତା; ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ। ତୁମ୍ଭେ ଆପଣା ପିତୃଭାର୍ଯ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତାହା ତୁମ୍ଭ ପିତାର ଆବରଣୀୟ ଅଟେ। ତୁମ୍ଭେ ଆପଣା ଭଗିନୀ, ଅର୍ଥାତ୍, ତୁମ୍ଭ ପିତୃକନ୍ୟା କି ମାତୃକନ୍ୟା, ସେ ଗୃହରେ ଜନ୍ମ ହେଉ କି ଅନ୍ୟତ୍ର ଜନ୍ମ ହେଉ, ତାହାର ଆବରଣୀୟ ଅନାବୃତ କରିବ ନାହିଁ। ତୁମ୍ଭେ ଆପଣା ପୌତ୍ରୀର କି ଦୌହିତ୍ରୀର ଆବରଣୀୟ ଅନାବୃତ କରିବ ନାହିଁ; କାରଣ ତାହା ତୁମ୍ଭ ନିଜର ଆବରଣୀୟ। ତୁମ୍ଭେ ଆପଣା ସାବତ ଭଉଣୀର ଆବରଣୀୟ ଅନାବୃତ କରିବ ନାହିଁ; କାରଣ ସେ ତୁମ୍ଭ ପିତାଠାରୁ ଜନ୍ମିଅଛି, ସେ ତୁମ୍ଭର ଭଗିନୀ, ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ। ତୁମ୍ଭେ ଆପଣା ପିତୃଭଗିନୀର ଆବରଣୀୟ ଅନାବୃତ କରିବ ନାହିଁ, ସେ ତୁମ୍ଭର ପିତୃଗୋତ୍ରରେ ଜନ୍ମ ହୋଇଛି। ତୁମ୍ଭେ ଆପଣା ମାତୃଭଗିନୀର ଆବରଣୀୟ ଅନାବୃତ କରିବ ନାହିଁ, କାରଣ ସେ ତୁମ୍ଭର ମାତୃଗୋତ୍ରରେ ଜନ୍ମ ହୋଇଛି। ତୁମ୍ଭେ ଆପଣା ପିତୃଭ୍ରାତାର ଆବରଣୀୟ ଅନାବୃତ କରିବ ନାହିଁ, ତୁମ୍ଭେ ତାହାର ଭାର୍ଯ୍ୟା ନିକଟକୁ ଯିବ ନାହିଁ, କାରଣ ସେ ତୁମ୍ଭର ପିତୃବ୍ୟପତ୍ନୀ। ତୁମ୍ଭେ ଆପଣା ପୁତ୍ରବଧୂର ଆବରଣୀୟ ଅନାବୃତ କରିବ ନାହିଁ; ସେ ତୁମ୍ଭର ପୁତ୍ରବଧୂ; ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ। ତୁମ୍ଭେ ଆପଣା ଭ୍ରାତୃଭାର୍ଯ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତାହା ତୁମ୍ଭ ଭ୍ରାତାର ଆବରଣୀୟ। ତୁମ୍ଭେ କୌଣସି ସ୍ତ୍ରୀର ଓ ତାହାର କନ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତୁମ୍ଭେ ତାହାର ପୌତ୍ରୀର କି ଦୌହିତ୍ରୀର ଆବରଣୀୟ ଅନାବୃତ କରିବା ପାଇଁ ତାହାକୁ ଗ୍ରହଣ କରିବ ନାହିଁ; ସେମାନେ ଗୋତ୍ରରେ ଜନ୍ମ ହୋଇଛନ୍ତି; ଏହା ଦୁଷ୍ଟତା ଅଟେ। ଆଉ ଭଗିନୀ ଜୀବିତା ଥାଉ ଥାଉ ତୁମ୍ଭେ ତାହା ପାର୍ଶ୍ୱରେ ତାହାର ସପତ୍ନୀ ରୂପେ ଆବରଣୀୟ ଅନାବୃତ କରିବା ପାଇଁ ତାʼର ଭଗିନୀକୁ ଗ୍ରହଣ କରିବ ନାହିଁ।
ପୁଣି, କୌଣସି ସ୍ତ୍ରୀ ତାହାର ରଜଧର୍ମ ହେତୁ ଅଶୁଚି ଥିବା ପର୍ଯ୍ୟନ୍ତ ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବା ନିମନ୍ତେ ତାହା ନିକଟକୁ ଯିବ ନାହିଁ। ଆଉ, ତୁମ୍ଭେ ଆପଣାକୁ ଅଶୁଚି କରିବା ନିମନ୍ତେ ପ୍ରତିବାସୀର ଭାର୍ଯ୍ୟା ନିକଟକୁ ଗମନ କରିବ ନାହିଁ। ତୁମ୍ଭେ ଆପଣା ବଂଶଜାତ କାହାକୁ ହିଁ, ମୋଲକ୍ ଦେବତାର ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟଦେଇ ଗମନ କରାଇବାକୁ ଦେବ ନାହିଁ, କିଅବା ତୁମ୍ଭେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ। ତୁମ୍ଭେ ସ୍ତ୍ରୀର ନ୍ୟାୟ ପୁରୁଷ ସହିତ ସଂସର୍ଗ କରିବ ନାହିଁ, ତାହା ଘୃଣାଯୋଗ୍ୟ କର୍ମ। ତୁମ୍ଭେ ଆପଣାକୁ ଅଶୁଚି କରିବା ନିମନ୍ତେ କୌଣସି ପଶୁଠାରେ ଗମନ କରିବ ନାହିଁ; କିଅବା କୌଣସି ସ୍ତ୍ରୀ ଆପଣା ସହିତ ସଂସର୍ଗ କରାଇବାକୁ କୌଣସି ପଶୁର ସମ୍ମୁଖରେ ଠିଆ ହେବ ନାହିଁ; ଏହା ତ ପାଷାଣ୍ଡତା।
ତୁମ୍ଭେମାନେ ଏହିସବୁ ମଧ୍ୟରୁ କୌଣସି କ୍ରିୟା ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ; କାରଣ ଆମ୍ଭେ ଯେଉଁ ଦେଶୀୟ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସେମାନେ ଏହିସବୁ କ୍ରିୟା ଦ୍ୱାରା ଅଶୁଚି ହୋଇଅଛନ୍ତି। ପୁଣି, ଦେଶ ହିଁ ଅଶୁଚି ହୋଇଅଛି; ଏହେତୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉଅଛୁ ଓ ସେହି ଦେଶ ତାହାର ନିବାସୀମାନଙ୍କୁ ଉଦ୍ଗାର କରୁଅଛି। ଏନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଓ ବ୍ୟବସ୍ଥା ପାଳନ କରିବ, ସ୍ୱଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ହେଉ, ତୁମ୍ଭେମାନେ ଏହି ସକଳ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବ ନାହିଁ। କାରଣ ତୁମ୍ଭମାନଙ୍କ ପୂର୍ବବର୍ତ୍ତୀ ଦେଶ ନିବାସୀମାନେ ଏହିସବୁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି ଓ ଦେଶ ଅଶୁଚି ହୋଇଅଛି। ତୁମ୍ଭେମାନେ ତାହା ଅଶୁଚି କଲେ, ସେହି ଦେଶ ଯେପରି ତୁମ୍ଭମାନଙ୍କ ପୂର୍ବବର୍ତ୍ତୀ ନିବାସୀ ଲୋକମାନଙ୍କୁ ଉଦ୍ଗାର କଲା, ସେହିପରି ତୁମ୍ଭମାନଙ୍କୁ ମଧ୍ୟ ଉଦ୍ଗାର କରିବ। ତେଣୁ ଯେଉଁମାନେ ଏହିସବୁ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବେ, ସେହି କର୍ମକାରୀ ପ୍ରାଣୀମାନେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ। ଏଣୁକରି ତୁମ୍ଭମାନଙ୍କ ପୂର୍ବରେ ଯେଉଁସବୁ ଘୃଣାଯୋଗ୍ୟ କର୍ମ କରାଯାଇଅଛି, ସେହି ସବୁ ମଧ୍ୟରୁ କୌଣସି କର୍ମ କରି ତଦ୍ଦ୍ୱାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ ଓ ଆମ୍ଭର ବିଧି ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.