Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଲେବୀୟ ପୁସ୍ତକ 1

ହୋମବଳିର ନିୟମ

ଏଥିଉତ୍ତାରେ ସଦାପ୍ରଭୁ ସମାଗମ-ତମ୍ବୁରୁ ମୋଶାଙ୍କୁ ଡାକି କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରେ, ତେବେ ସେ ଗୋରୁ ଅବା ମେଷପଲରୁ ଆପଣା ବଳି ଆଣି ଉତ୍ସର୍ଗ କରୁ।

ସେ ଯଦି ଗୋଠରୁ (ଗାଈଗୋରୁ ପଲରୁ) ହୋମାର୍ଥକ ବଳି ଉତ୍ସର୍ଗ କରେ, ତେବେ ନିଖୁନ୍ତ ପୁଂପଶୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ; ଯେପରି ତାହା ସଦାପ୍ରଭୁଙ୍କ ଛାମୁରେ ଗ୍ରାହ୍ୟ ହେବ। ପୁଣି, ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ; ତହିଁରେ ସେହି ବଳି ତାହାର ପ୍ରାୟଶ୍ଚିତ୍ତ ରୂପେ ଗ୍ରାହ୍ୟ ହେବ। ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସକୁ ବଧ କରିବ; ଆଉ, ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ବେଦି ଉପର ଚାରିଆଡ଼େ ଛିଞ୍ଚିବେ। ପୁଣି ସେ ସେହି ହୋମବଳିର ଚର୍ମ କାଢ଼ି ତାହା ଖଣ୍ଡ ଖଣ୍ଡ କରିବ। ଏଥିଉତ୍ତାରେ ହାରୋଣ ଯାଜକର ପୁତ୍ରଗଣ ସେହି ବେଦି ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଷ୍ଠ ସଜାଇବେ। ପୁଣି ହାରୋଣର ପୁତ୍ର ଯାଜକମାନେ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ସେହି ପଶୁର ଖଣ୍ଡସକଳ, ମସ୍ତକ ଓ ମେଦ ସଜାଇ ରଖିବେ। ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ବେଦି ଉପରେ ତାହାସବୁ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍‍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।

ଆଉ ଯଦି ସେ ମେଷ କି ଛାଗପଲରୁ ହୋମବଳି ଉତ୍ସର୍ଗ କରେ, ତେବେ ସେ ନିଖୁନ୍ତ ପୁଂପଶୁ ଘେନି ସଦାପ୍ରଭୁଙ୍କ ସମ୍ମୁଖରେ ଯଜ୍ଞବେଦିର ଉତ୍ତର ଦିଗରେ ବଧ କରିବ; ପୁଣି ହାରୋଣର ପୁତ୍ର ଯାଜକଗଣ ବେଦିର ଉପର ଚତୁର୍ଦ୍ଦିଗରେ ତାହାର ରକ୍ତ ଛିଞ୍ଚିବେ। ଆଉ ସେ ତାହାର ମସ୍ତକ ଓ ମେଦ ସହିତ ତାକୁ ଖଣ୍ଡ ଖଣ୍ଡ କରିବ; ତହିଁରେ ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ତାହା ସଜାଇ ରଖିବ। ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ସେହି ସମସ୍ତ ଉତ୍ସର୍ଗ କରି ବେଦି ଉପରେ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍‍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।

ଆଉ ଯଦି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକ୍ଷୀମାନଙ୍କ ମଧ୍ୟରୁ ହୋମବଳି ଉତ୍ସର୍ଗ କରେ, ତେବେ କପୋତ ଅବା ପାରାଛୁଆ ମଧ୍ୟରୁ ତାହା ନେବ। ତହୁଁ ଯାଜକ ତାହା ବେଦି ନିକଟକୁ ଆଣି ତାହାର ମସ୍ତକ ମୋଡ଼ି ତାକୁ ବେଦି ଉପରେ ଦଗ୍ଧ କରିବ; ଆଉ ତାହାର ରକ୍ତ ବେଦି ପାର୍ଶ୍ୱରେ ନିଗାଡ଼ିବ। ଏଥିଉତ୍ତାରେ ସେ ତାହାର ମଳ ସହିତ ଗଳା ଥଳୀ ଘେନି ବେଦିର ପୂର୍ବପାର୍ଶ୍ଵସ୍ଥ ଭସ୍ମ ସ୍ଥାନରେ ନିକ୍ଷେପ କରିବ। ଆଉ, ପକ୍ଷମୂଳ ଚିରିବ, ମାତ୍ର ଦ୍ୱିଖଣ୍ଡ କରିବ ନାହିଁ; ପୁଣି ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ, ତହିଁରେ ତାହା ହୋମବଳି, ଅର୍ଥାତ୍‍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.