Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଆୟୁବ 16

ଆୟୁବ - ତୁମ୍ଭେ ସବୁ ମିଥ୍ୟା ସାନ୍ତ୍ୱନାକାରୀ

ଏଥିରେ ଆୟୁବ ଉତ୍ତର କରି କହିଲା,

“ମୁଁ ଏପରି ଅନେକ କଥା ଶୁଣିଅଛି;

ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ।

ଅସାର କଥାରେ କି ଶେଷ ଥାଏ?

ଉତ୍ତର ଦେବା ପାଇଁ ତୁମ୍ଭକୁ କେଉଁ କଥା ଉତ୍ତେଜିତ କରୁଅଛି?

ମୁଁ ମଧ୍ୟ ତୁମ୍ଭମାନଙ୍କ ପରି କହି ପାରନ୍ତି;

ଯଦି ତୁମ୍ଭମାନଙ୍କ ପ୍ରାଣ ମୋର ପ୍ରାଣର ଅବସ୍ଥାରେ ଥାʼନ୍ତା,

ତେବେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ବାକ୍ୟମାଳା ଏକତ୍ର ଖଞ୍ଜି ପାରନ୍ତି

ଓ ତୁମ୍ଭମାନଙ୍କ ପ୍ରତି ଆପଣା ମୁଣ୍ଡ ହଲାଇ ପାରନ୍ତି।

ମାତ୍ର ମୁଁ ଆପଣା ମୁଖରେ ତୁମ୍ଭମାନଙ୍କୁ ସବଳ କରନ୍ତି

ଓ ମୋʼ ଓଷ୍ଠାଧରର ସାନ୍ତ୍ୱନା ତୁମ୍ଭମାନଙ୍କ ଦୁଃଖରେ ଉପଶମ କରନ୍ତା।

ମୁଁ କଥା କହିଲେ ହେଁ ମୋʼ ଦୁଃଖର ଉପଶମ ହେଉ ନାହିଁ;

ମୁଁ ନୀରବ ହେଲେ ହେଁ ମୋହର ଆରାମ ହୁଏ ନାହିଁ।

ମାତ୍ର ସେ ଏବେ ମୋତେ କ୍ଳାନ୍ତ କରିଅଛନ୍ତି;

ତୁମ୍ଭେ ମୋହର ସକଳ ସଙ୍ଗୀଦଳ ଶୂନ୍ୟ କରିଅଛ।

ପୁଣି, ତୁମ୍ଭେ ମୋତେ ଦୃଢ଼ କରି ଧରିଅଛ, ଏହା ମୋର ପ୍ରତିକୂଳରେ ସାକ୍ଷୀ ହୁଏ;

ଆଉ, ମୋʼ କ୍ଷୀଣତା ମୋʼ ପ୍ରତିକୂଳରେ ଉଠି

ମୋʼ ମୁଖ ଆଗରେ ସାକ୍ଷ୍ୟ ଦିଏ।

ସେ ନିଜ କୋପରେ ମୋତେ ବିଦୀର୍ଣ୍ଣ ଓ ତାଡ଼ନା କରିଅଛନ୍ତି;

ସେ ମୋʼ ଉପରେ ଦନ୍ତ କଡ଼ମଡ଼ କରିଅଛନ୍ତି;

ମୋହର ବିପକ୍ଷ ମୋʼ ଉପରେ ଆପଣା ଚକ୍ଷୁ ତୀବ୍ର କରିଅଛି।

ସେମାନେ ମୋʼ ଉପରେ ଆପଣା ଆପଣା ମୁଖ ମେଲା କରିଅଛନ୍ତି;

ସେମାନେ ଧିକ୍କାରପୂର୍ବକ ମୋʼ ଗାଲରେ ମାରିଅଛନ୍ତି;

ସେମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି।

ପରମେଶ୍ୱର ମୋତେ ଅଧାର୍ମିକମାନଙ୍କ ନିକଟରେ ସମର୍ପଣ କରନ୍ତି

ଓ ମୋତେ ଦୁଷ୍ଟମାନଙ୍କ ହସ୍ତରେ ପକାଇ ଦିଅନ୍ତି।

ମୁଁ ଆରାମରେ ଥିଲି, ସେ ମୋତେ ଭଗ୍ନ କଲେ;

ହଁ, ମୋʼ ବେକ ଧରି ମୋତେ କଚାଡ଼ି ଖଣ୍ଡ ଖଣ୍ଡ କରିଅଛନ୍ତି;

ମଧ୍ୟ ସେ ମୋତେ ଆପଣାର ଲକ୍ଷ୍ୟ ରୂପେ ସ୍ଥାପନ କରିଅଛନ୍ତି।

ତାହାଙ୍କ ଧନୁର୍ଦ୍ଧରମାନେ ମୋତେ ଚାରିଆଡ଼େ ଘେରିଅଛନ୍ତି,

ସେ ମୋହର ବୃକକ୍ ବିଦୀର୍ଣ୍ଣ କରନ୍ତି ଓ ଦୟା କରନ୍ତି ନାହିଁ;

ସେ ମୋହର ପିତ୍ତ ଭୂମିରେ ଢାଳନ୍ତି।

ସେ ମୋତେ ଭାଙ୍ଗିଭାଙ୍ଗି ଭାଙ୍ଗି ପକାନ୍ତି;

ସେ ବୀର ପରି ମୋର ଉପରକୁ ଧାଇଁ ଆସନ୍ତି।

ମୁଁ ଆପଣା ଚର୍ମ ଉପରେ ଅଖା ସିଁଇଅଛି

ଓ ଆପଣା ଶୃଙ୍ଗ ଧୂଳିରେ ରଖିଅଛି।

ରୋଦନରେ ମୋହର ମୁଖ ବିକୃତ ହୋଇଅଛି

ଓ ମୃତ୍ୟୁଚ୍ଛାୟା ମୋʼ ଚକ୍ଷୁର ପତା ଉପରେ ଅଛି।

ତଥାପି ମୋʼ ହସ୍ତରେ ଦୌରାତ୍ମ୍ୟ ନାହିଁ

ଓ ମୋହର ପ୍ରାର୍ଥନା ନିର୍ମଳ।

ଗୋ ପୃଥିବୀ, ମୋହର ରକ୍ତ ଆଚ୍ଛାଦନ କର ନାହିଁ

ଓ ମୋହର କ୍ରନ୍ଦନ କୌଣସି ବିଶ୍ରାମ-ସ୍ଥାନ ନ ପାଉ।

ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ୱର୍ଗରେ ଅଛନ୍ତି

ଓ ମୋʼ ପକ୍ଷରେ ପ୍ରମାଣଦାତା ସ୍ୱର୍ଗରେ ଅଛନ୍ତି।

ମୋʼ ମିତ୍ରଗଣ ମୋତେ ତୁଚ୍ଛ କରନ୍ତି;

ମାତ୍ର ମୋହର ଚକ୍ଷୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋତକ ଢାଳେ;

ଯେପରି ସେ ପରମେଶ୍ୱରଙ୍କ ନିକଟରେ ମନୁଷ୍ୟର

ଓ ପ୍ରତିବାସୀ ନିକଟରେ ମନୁଷ୍ୟପୁତ୍ରର ନ୍ୟାୟ ରକ୍ଷା କରିବେ।

କାରଣ ଅଳ୍ପ ବର୍ଷ ଗତ ହେଲେ

ଯେଉଁ ପଥରେ ଯାଇ ମୁଁ ଫେରି ଆସିବି ନାହିଁ, ସେହି ପଥରେ ମୁଁ ଯିବି।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.