Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଯିଶାଇୟ 55

ଈଶ୍ୱରଙ୍କ କରୁଣା

“ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ;

ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।

ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ? ଓ ଯାହା ତୃପ୍ତିକର ନୁହେଁ, ତହିଁ ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ?

ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ।

କର୍ଣ୍ଣ ଡେର ଓ ଆମ୍ଭ ନିକଟକୁ ଆସ; ଶୁଣ, ତହିଁରେ ତୁମ୍ଭମାନଙ୍କର ପ୍ରାଣ ବଞ୍ଚିବ;

ପୁଣି, ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟସ୍ଥାୟୀ ନିୟମ, ଅର୍ଥାତ୍‍, ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।

ଦେଖ, ଆମ୍ଭେ ତାହାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀ ରୂପେ, ଗୋଷ୍ଠୀବର୍ଗର ଅଗ୍ରଣୀ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ।

ଦେଖ, ଯେଉଁ ଗୋଷ୍ଠୀକୁ ତୁମ୍ଭେ ଜାଣୁ ନାହଁ, ତାହାକୁ ତୁମ୍ଭେ ଆହ୍ୱାନ କରିବ ଓ ଯେଉଁ ଗୋଷ୍ଠୀ ତୁମ୍ଭକୁ ଜାଣିଲା ନାହିଁ, ସେ ତୁମ୍ଭ ନିକଟକୁ ଦୌଡ଼ିବ,

ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ସକାଶୁ ଏହା ଘଟିବ; କାରଣ ସେ ତୁମ୍ଭଙ୍କୁ ଗୌରବାନ୍ୱିତ କରିଅଛନ୍ତି।

ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି, ସେପର୍ଯ୍ୟନ୍ତ ତୁମ୍ଭେମାନେ ତାହାଙ୍କର ଅନ୍ୱେଷଣ କର, ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେପର୍ଯ୍ୟନ୍ତ ତାହାଙ୍କଠାରେ ପ୍ରାର୍ଥନା କର।

ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ;

ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ।

ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ।

କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେହିପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ।

ଯେହେତୁ ଯେପରି ବୃଷ୍ଟି ଓ ହିମ ଆକାଶରୁ ତଳକୁ ଆସେ

ଓ ସେଠାକୁ ଫେରିଯାଏ ନାହିଁ, ମାତ୍ର ଭୂମିକୁ ସନ୍ତରା କରେ,

ପୁଣି ଫଳବତୀ ଓ ତୃଣାଦି ଉତ୍ପନ୍ନ କରି ବପନକାରୀକୁ ବୀଜ ଓ ଭୋଜନକାରୀକୁ ଭକ୍ଷ୍ୟ ଦିଏ;

ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେହିପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ,

ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ, ତାହା ସିଦ୍ଧ କରିବା ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ।

ଏଣୁ ତୁମ୍ଭେମାନେ ଆନନ୍ଦରେ ବାହାର ହୋଇ ଶାନ୍ତିରେ ଆଗେ ଆଗେ ନିଆଯିବ;

ପର୍ବତ ଓ ଉପପର୍ବତଗଣ ତୁମ୍ଭମାନଙ୍କ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷସକଳ କରତାଳି ଦେବେ।

କଣ୍ଟକ ବୃକ୍ଷ ବଦଳରେ ଦେବଦାରୁ ଓ କାନକୋଳି କଣ୍ଟା ବଦଳରେ ମେହେନ୍ଦି ବୃକ୍ଷ ଉତ୍ପନ୍ନ ହେବ;

ପୁଣି, ତାହା ସଦାପ୍ରଭୁଙ୍କର କୀର୍ତ୍ତି ସ୍ୱରୂପ ଓ ଅକ୍ଷୟ ନିତ୍ୟସ୍ଥାୟୀ ଚିହ୍ନସ୍ୱରୂପ ହେବ।”

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.