ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଯିଶାଇୟ 4
ସେହି ଦିନ ସାତ ଜଣ ସ୍ତ୍ରୀ ଜଣେ ପୁରୁଷକୁ ଧରି କହିବେ,
“ଆମ୍ଭେମାନେ ନିଜ ଅନ୍ନ ଭୋଜନ କରିବୁ ଓ ନିଜ ବସ୍ତ୍ର ପିନ୍ଧିବୁ; କେବଳ ତୁମ୍ଭ ନାମରେ ଆମ୍ଭେମାନେ ଖ୍ୟାତ ହେଉ;
ତୁମ୍ଭେ ଆମ୍ଭମାନଙ୍କର ଅପମାନ ଦୂର କର।”
ସଦାପ୍ରଭୁଙ୍କ ଗୌରବାନ୍ୱିତ ଶାଖା
ସେହି ଦିନ ଇସ୍ରାଏଲ ମଧ୍ୟରେ ବଞ୍ଚିଥିବା ଲୋକମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ଶାଖା ମନୋରମ ଓ ଗୌରବାନ୍ୱିତ ହେବ, ଆଉ ଦେଶର ଫଳ ଉତ୍ତମ ଓ ମନୋହର ହେବ। ପୁଣି, ପ୍ରଭୁ ଯେତେବେଳେ ବିଚାରକ ଆତ୍ମା ଓ ଦାହକ ଆତ୍ମା ଦ୍ୱାରା ସିୟୋନର କନ୍ୟାଗଣର ମଳ ଧୌତ କରିବେ ଓ ଯିରୂଶାଲମ ମଧ୍ୟରୁ ତହିଁର ରକ୍ତ ଦୂର କରିଦେବେ; ସେତେବେଳେ ସିୟୋନରେ ଯେକେହି ଅବଶିଷ୍ଟ ଥାଏ ଓ ଯିରୂଶାଲମରେ ରହେ, ଅର୍ଥାତ୍, ଯିରୂଶାଲମସ୍ଥ ଜୀବିତ ଲୋକମାନଙ୍କ ମଧ୍ୟରେ ଯେ ପ୍ରତ୍ୟେକର ନାମ ଲିଖିତ ହୁଏ, ସେ ପବିତ୍ର ବୋଲି ବିଖ୍ୟାତ ହେବ। ଆଉ, ସଦାପ୍ରଭୁ ସିୟୋନ ପର୍ବତସ୍ଥ ସମୁଦାୟ ଆବାସ ଓ ତାହାର ସକଳ ସଭା ଉପରେ ଦିବସରେ ମେଘ ଓ ଧୂମ ଓ ରାତ୍ରିରେ ପ୍ରଜ୍ୱଳିତ ଅଗ୍ନିର ତେଜ ସୃଷ୍ଟି କରିବେ; କାରଣ ସମୁଦାୟ ପ୍ରତାପ ଉପରେ ଚନ୍ଦ୍ରାତପ ବିସ୍ତୃତ ହେବ। ପୁଣି, ଦିବସରେ ଗ୍ରୀଷ୍ମରୁ ଛାୟା ନିମନ୍ତେ, ଆଉ ଝଡ଼ ଓ ବୃଷ୍ଟିରୁ ଆଶ୍ରୟ ଓ ଆଚ୍ଛାଦନ ସ୍ଥାନ ସ୍ୱରୂପ ହେବା ନିମନ୍ତେ ଏକ ଆବାସ ହେବ।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.