ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଯିଶାଇୟ 27
ଇସ୍ରାଏଲର ଉଦ୍ଧାର
ସେହି ଦିନ ସଦାପ୍ରଭୁ ଆପଣାର ନିର୍ଦ୍ଦୟ, ବୃହତ ଓ ଶକ୍ତିଶାଳୀ ଖଡ୍ଗ ଦ୍ୱାରା
ଦ୍ରୁତଗାମୀ ସର୍ପ ଲିବିୟାଥନକୁ ଓ ବକ୍ରଗାମୀ ସର୍ପ ଲିବୀୟାଥନକୁ ପ୍ରତିଫଳ ଦେବେ;
ଆଉ, ସେ ସମୁଦ୍ରସ୍ଥ ଦୀର୍ଘକାୟ ଜନ୍ତୁକୁ ନଷ୍ଟ କରିବେ।
ସେହି ଦିନରେ ଏକ ଦ୍ରାକ୍ଷାକ୍ଷେତ୍ର ଅଛି, ତୁମ୍ଭେମାନେ ତହିଁର ଉଦ୍ଦେଶ୍ୟରେ ଗାନ କର।
ଆମ୍ଭେ ସଦାପ୍ରଭୁ ତାହା ରକ୍ଷା କରୁ; ଆମ୍ଭେ ନିମିଷକୁ ନିମିଷ ତହିଁରେ ଜଳ ସେଚନ କରିବା;
କେହି ଯେପରି ତାହାର କ୍ଷତି ନ କରେ, ଏଥିପାଇଁ ଆମ୍ଭେ ଦିବାରାତ୍ର ତାହା ରକ୍ଷା କରିବା।
ଆମ୍ଭଠାରେ କ୍ରୋଧ ନାହିଁ; ଆଃ, ଯଦି କାନକୋଳି ଓ କଣ୍ଟକ ବୃକ୍ଷସବୁ ଯୁଦ୍ଧରେ ଆମ୍ଭର ବିପକ୍ଷ ହୁଅନ୍ତେ!
ତେବେ ଆମ୍ଭେ ଆକ୍ରମଣ କରି ସେହି ସବୁକୁ ଏକାବେଳେ ଦଗ୍ଧ କରନ୍ତୁ।
ନଚେତ୍ ଆମ୍ଭ ସଙ୍ଗେ ମିଳନ କରିବା ପାଇଁ ସେ ଆମ୍ଭ ପରାକ୍ରମର ଅବଲମ୍ବନ କରୁ; ହଁ, ସେ ଆମ୍ଭ ସଙ୍ଗେ ମିଳନ କରୁ।
ଭବିଷ୍ୟତ କାଳରେ ଯାକୁବ ଚେର ବାନ୍ଧିବ; ଇସ୍ରାଏଲ ମୁକ୍ତ ଓ ପ୍ରଫୁଲ୍ଲ ହେବ
ଓ ସେମାନେ ଭୂମଣ୍ଡଳକୁ ଫଳରେ ପରିପୂର୍ଣ୍ଣ କରିବେ।
ତାହାର ପ୍ରହାରକାରୀମାନଙ୍କୁ ସେ ଯେପରି ପ୍ରହାର କଲେ, ସେହିପରି ସେ କି ତାହାକୁ ପ୍ରହାର କରିଅଛନ୍ତି? ଅବା, ତାହା ଦ୍ୱାରା ହତ ଲୋକମାନଙ୍କ ତୁଲ୍ୟ ସେ କି ହତ ହୋଇଅଛି?
ତୁମ୍ଭେ ତାହାକୁ ବାହାର କରିବା ବେଳେ ପରିତ୍ରାଣକ୍ରମେ ତାହା ସଙ୍ଗେ ବିବାଦ କରୁଅଛ; ସେ ପୂର୍ବୀୟ ବାୟୁ ଦିନରେ ନିଜ ପ୍ରବଳ ବାୟୁ ଦ୍ୱାରା ତାହାକୁ ସ୍ଥାନାନ୍ତରିତ କରିଅଛନ୍ତି।
ଏହେତୁ ଏହା ଦ୍ୱାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି;
ସେ ଯଜ୍ଞବେଦିର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ,
ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ-ପ୍ରତିମାସବୁ ଆଉ ଉଠିବେ ନାହିଁ।
କାରଣ ସୁଦୃଢ଼ ନଗର ପ୍ରାନ୍ତରର ତୁଲ୍ୟ ନିର୍ଜନ, ଲୋକ ବିବର୍ଜିତ ଓ ପରିତ୍ୟକ୍ତ ବସତି ସ୍ଥାନ ହୋଇଅଛି;
ସେହି ସ୍ଥାନରେ ଗୋବତ୍ସ ଚରିବ ଓ ଶୟନ କରିବ, ପୁଣି, ବୃକ୍ଷର ଶାଖାସବୁ ଗ୍ରାସ କରିବ।
ତହିଁର ଡାଳସବୁ ଶୁଷ୍କ ହେଲେ ଭଙ୍ଗାଯିବ; ସ୍ତ୍ରୀମାନେ ଆସି ତହିଁରେ ଅଗ୍ନି ଲଗାଇବେ;
କାରଣ ସେହି ଲୋକମାନେ ବୁଦ୍ଧିହୀନ;
ଏହେତୁ ଯେ ସେମାନଙ୍କୁ ନିର୍ମାଣ କଲେ, ସେ ସେମାନଙ୍କ ପ୍ରତି ଦୟା କରିବେ ନାହିଁ ଓ ଯେ ସେମାନଙ୍କୁ ଗଢ଼ିଲେ, ସେ ସେମାନଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବେ ନାହିଁ।
ସେହି ଦିନ ସଦାପ୍ରଭୁ ପ୍ଲାବିତ ନଦୀ ସୀମା ମିସରର ସ୍ରୋତ ପର୍ଯ୍ୟନ୍ତ ଆପଣା ଫଳ ଝାଡ଼ିବେ,
ପୁଣି, ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଏକ ଏକ ହୋଇ ସଂଗୃହୀତ ହେବ।
ଆଉ, ସେହି ଦିନରେ ଏକ ବୃହତ ତୂରୀ ବାଜିବ;
ପୁଣି, ଅଶୂର ଦେଶରେ ନଷ୍ଟକଳ୍ପ ଓ ମିସର ଦେଶରେ ତାଡ଼ିତ ଲୋକମାନେ ଆସିବେ;
ପୁଣି, ସେମାନେ ଯିରୂଶାଲମର ପବିତ୍ର ପର୍ବତରେ ସଦାପ୍ରଭୁଙ୍କୁ ପ୍ରଣାମ କରିବେ।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.