Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଯିଶାଇୟ 2

ସ୍ଥାୟୀ ଶାନ୍ତି

ଆମୋସର ପୁତ୍ର ଯିଶାଇୟ, ଯିହୁଦା ଓ ଯିରୂଶାଲମ ବିଷୟରେ ଯେଉଁ ଦର୍ଶନ ପାଇଲେ, ତହିଁର ବୃତ୍ତାନ୍ତ।

ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ,

ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ;

ଆଉ, ସମୁଦାୟ ଗୋଷ୍ଠୀ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ।

ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ,

“ତୁମ୍ଭେମାନେ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଯାଉ;

ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।”

କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ।

ପୁଣି, ସେ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଅନେକ ଗୋଷ୍ଠୀ ସମ୍ବନ୍ଧରେ ନିଷ୍ପତ୍ତି କରିବେ;

ତହିଁରେ ସେମାନେ ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ;

ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ।

ହେ ଯାକୁବ ବଂଶ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଦୀପ୍ତିରେ ଗମନ କରୁ।

ସଦାପ୍ରଭୁଙ୍କ ଦିନ

କାରଣ ତୁମ୍ଭେ ଆପଣା ଲୋକ ଯାକୁବ ବଂଶକୁ ପରିତ୍ୟାଗ କରିଅଛ,

ଯେହେତୁ ସେମାନେ ପୂର୍ବଦେଶୀୟ ଆଚାରରେ ପରିପୂର୍ଣ୍ଣ ଓ ପଲେଷ୍ଟୀୟମାନଙ୍କ ନ୍ୟାୟ ଗଣକ ହୋଇଅଛନ୍ତି,

ପୁଣି, ସେମାନେ ବିଦେଶୀୟ ସନ୍ତାନଗଣ ସହିତ ହସ୍ତ ତାଳି ଦିଅନ୍ତି।

ସେମାନଙ୍କ ଦେଶ ମଧ୍ୟ ରୂପା ଓ ସୁନାରେ ପରିପୂର୍ଣ୍ଣ; ସେମାନଙ୍କ ଧନର ସୀମା ନାହିଁ;

ଆହୁରି, ସେମାନଙ୍କ ଦେଶ ଅଶ୍ୱରେ ପରିପୂର୍ଣ୍ଣ ଓ ସେମାନଙ୍କ ରଥର ସୀମା ନାହିଁ।

ସେମାନଙ୍କ ଦେଶ ମଧ୍ୟ ପ୍ରତିମାରେ ପରିପୂର୍ଣ୍ଣ;

ସେମାନେ ଆପଣାମାନଙ୍କ ଅଙ୍ଗୁଳି ନିର୍ମିତ ସ୍ୱହସ୍ତକୃତ ବସ୍ତୁକୁ ପ୍ରଣାମ କରନ୍ତି।

ସାମାନ୍ୟ ଲୋକ ଅଧୋମୁଖ ଓ ମହାନ ଲୋକ ନତ ହୁଏ; ଏହେତୁ ସେମାନଙ୍କୁ କ୍ଷମା କର ନାହିଁ।

ତୁମ୍ଭେ ସଦାପ୍ରଭୁଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ,

ଶୈଳରେ ପ୍ରବେଶ କରି ଧୂଳିରେ ଆପଣାକୁ ଲୁଚାଅ।

ମନୁଷ୍ୟର ଉଚ୍ଚ ଦୃଷ୍ଟି ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ,

ପୁଣି, ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ।

କାରଣ ଅହଙ୍କାରୀ, ଗର୍ବିତ ଓ ଉଚ୍ଚୀକୃତ ସମସ୍ତଙ୍କ ପ୍ରତିକୂଳରେ

ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଦିନ ଉପସ୍ଥିତ ହେବ, ତହିଁରେ ତାହା ନତ ହେବ;

ଅର୍ଥାତ୍‍, (ସେହି ଦିନ) ଲିବାନୋନର ଉଚ୍ଚ ଓ ଉନ୍ନତ ସକଳ ଏରସ ବୃକ୍ଷର ପ୍ରତିକୂଳ

ଓ ବାଶନର ସମସ୍ତ ଅଲୋନ ବୃକ୍ଷର ପ୍ରତିକୂଳ;

ପୁଣି, ସକଳ ଉଚ୍ଚ ପର୍ବତର ପ୍ରତିକୂଳ ଓ ସକଳ ଉନ୍ନତ ଉପପର୍ବତର ପ୍ରତିକୂଳ;

ଆଉ, ପ୍ରତ୍ୟେକ ଉଚ୍ଚ ଦୁର୍ଗର ପ୍ରତିକୂଳ ଓ ପ୍ରତ୍ୟେକ ସୁଦୃଢ଼ ପ୍ରାଚୀରର ପ୍ରତିକୂଳ;

ତର୍ଶୀଶର ସକଳ ଜାହାଜର ପ୍ରତିକୂଳ ଓ ମନୋହର ସକଳ ଶିଳ୍ପକର୍ମର ପ୍ରତିକୂଳ ହେବ।

ପୁଣି, ମନୁଷ୍ୟର ଉଚ୍ଚତା ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ;

ଆଉ ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ।

ପୁଣି, ପ୍ରତିମାସକଳ ନିଃଶେଷ ରୂପେ ଲୁପ୍ତ ହେବେ।

ଆଉ, ଯେତେବେଳେ ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବାକୁ ଉଠିବେ,

ସେତେବେଳେ ଲୋକମାନେ ତାହାଙ୍କ ଭୟାନକତ୍ତ୍ୱ ଓ ମହିମାର ତେଜରୁ ଶୈଳର ଗୁମ୍ଫା ଓ ପୃଥିବୀର ଗର୍ତ୍ତରେ ପ୍ରବେଶ କରିବେ।

ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବା ପାଇଁ ଉଠିଲେ,

ତାହାଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ ଶୈଳର ଗହ୍ୱର ଓ ଶୈଳର ବିଦୀର୍ଣ୍ଣ ସ୍ଥାନରେ ପ୍ରବେଶ କରିବା ପାଇଁ;

ମନୁଷ୍ୟ ଆପଣାର ଭଜନାର୍ଥେ ନିର୍ମିତ ରୌପ୍ୟମୟ ପ୍ରତିମା ଓ ସ୍ୱର୍ଣ୍ଣମୟ ପ୍ରତିମାଗଣକୁ

ସେହି ଦିନ ମୂଷିକ ଓ ଚାମଚିକାଗଣର ନିକଟରେ ପକାଇ ଦେବ।

ତୁମ୍ଭେମାନେ ନାସାଗ୍ରେ ପ୍ରାଣବାୟୁଧାରୀ ମନୁଷ୍ୟର (ଆଶ୍ରୟରୁ) କ୍ଷାନ୍ତ ହୁଅ;

କାରଣ ସେ କାହା ମଧ୍ୟରେ ଗଣ୍ୟ?

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.