ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଯାତ୍ରା ପୁସ୍ତକ 36
“ଏନିମନ୍ତେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞାନୁସାରେ ପବିତ୍ର ସ୍ଥାନର କାର୍ଯ୍ୟସକଳ ନିର୍ମାଣ କରିବାକୁ ସଦାପ୍ରଭୁ ବତ୍ସଲେଲ ଓ ଅହଲୀୟାବ ପ୍ରଭୃତି ଯେଉଁମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦେଇଅଛନ୍ତି, ସେହି ସବୁ ବିଜ୍ଞମନା ଲୋକେ କର୍ମ କରିବେ।”
ଏଥିଉତ୍ତାରେ ମୋଶା ସେହି ବତ୍ସଲେଲ, ଅହଲୀୟାବକୁ, ସଦାପ୍ରଭୁଙ୍କଠାରୁ ମନରେ ଜ୍ଞାନପ୍ରାପ୍ତ ଅନ୍ୟସବୁ ବିଜ୍ଞମନା ଲୋକଙ୍କୁ ଓ ସେହି କର୍ମ କରିବା ପାଇଁ ମନରେ ପ୍ରବୃତ୍ତିପ୍ରାପ୍ତ ଲୋକମାନଙ୍କୁ ଡାକିଲେ। ତହିଁରେ ସେମାନେ ପବିତ୍ର ସ୍ଥାନର କାର୍ଯ୍ୟ ନିର୍ମାଣ କରିବା ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ଆନୀତ ଉପହାର ସବୁ ମୋଶାଙ୍କଠାରୁ ଗ୍ରହଣ କଲେ; ତଥାପି ଲୋକମାନେ ପ୍ରତି ପ୍ରଭାତରେ ତାଙ୍କ ନିକଟକୁ ସ୍ୱେଚ୍ଛାରେ ଆହୁରି ଉପହାର ଆଣିଲେ। ତହୁଁ ପବିତ୍ର ସ୍ଥାନର ସମସ୍ତ କର୍ମକାରୀ ବିଜ୍ଞମନା ଲୋକମାନେ ଆପଣା ଆପଣା କର୍ମରୁ ଆସି ମୋଶାଙ୍କୁ କହିଲେ, “ସଦାପ୍ରଭୁ ଯାହା ଯାହା ନିର୍ମାଣ କରିବାକୁ ଆଜ୍ଞା ଦେଇଅଛନ୍ତି, ଲୋକମାନେ ସେହି କାର୍ଯ୍ୟ ନିମନ୍ତେ ପ୍ରୟୋଜନୀୟ ଦ୍ରବ୍ୟରୁ ଅତି ଅଧିକ ଆଣୁଅଛନ୍ତି।” ତହିଁରେ ମୋଶା ଆଜ୍ଞା ଦେଇ ଛାଉଣିର ସର୍ବତ୍ର ଏହା ଘୋଷଣା କରାଇଲେ, ପୁରୁଷ କି ସ୍ତ୍ରୀ ପବିତ୍ର ସ୍ଥାନ ନିମନ୍ତେ ଆଉ ଉପହାର ପ୍ରସ୍ତୁତ ନ କରନ୍ତୁ; ଏଣୁ ଲୋକମାନେ ଆଣିବାରୁ ନିବୃତ୍ତ ହେଲେ। କାରଣ ସମସ୍ତ କର୍ମ କରିବାକୁ ସେମାନଙ୍କର ଦ୍ରବ୍ୟ ପ୍ରଚୁର ଓ ତତୋଧିକ ଥିଲା।
ଏଥିଉତ୍ତାରେ କର୍ମକାରୀମାନଙ୍କ ମଧ୍ୟରେ ପ୍ରତ୍ୟେକ ବିଜ୍ଞମନା ଲୋକ ବଳା ଶୁଭ୍ର କ୍ଷୌମସୂତ୍ର, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ୱାରା ଆବାସର ଦଶ ଯବନିକା ପ୍ରସ୍ତୁତ କଲେ; ପୁଣି, ତହିଁ ମଧ୍ୟରେ ଶିଳ୍ପକର୍ମରେ କିରୂବର ଆକୃତି କଲେ। ପ୍ରତ୍ୟେକ ଯବନିକା ଅଠାଇଶ ହସ୍ତ ଦୀର୍ଘ, ପ୍ରତ୍ୟେକ ଯବନିକା ଚାରି ହସ୍ତ ପ୍ରସ୍ଥ ଓ ସମସ୍ତ ଯବନିକାର ସମାନ ପରିମାଣ ଥିଲା। ପୁଣି, ସେ ପାଞ୍ଚ ଯବନିକା ଏକତ୍ର ଯୋଗ କଲେ; ଅନ୍ୟ ପାଞ୍ଚ ଯବନିକା ଏକତ୍ର ଯୋଗ କଲେ। ଆଉ, ସେ ଯୋଡ଼ ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ନୀଳ ସୂତ୍ରର ଫାଶ କଲେ; ଯୋଡ଼ସ୍ଥାନର ଦ୍ୱିତୀୟ ଅନ୍ତ୍ୟ ଯବନିକାର ଧଡ଼ିରେ ତଦ୍ରୂପ କଲେ। ସେ ପ୍ରଥମ ଯବନିକାର ଧଡ଼ିରେ ପଚାଶ ଫାଶ ଓ ଯୋଡ଼ସ୍ଥାନର ଦ୍ୱିତୀୟ ଯବନିକାର ଧଡ଼ିରେ ପଚାଶ ଫାଶ କଲେ; ସେହି ଫାଶସବୁ ପରସ୍ପର ସମ୍ମୁଖୀନ ରହିଲା। ଆଉ ସେ ପଚାଶ ସ୍ୱର୍ଣ୍ଣ ଆଙ୍କୁଡ଼ା କରି ଆଙ୍କୁଡ଼ାରେ ଯବନିକାସକଳ ପରସ୍ପର ଯୋଡ଼ିଲେ; ତହିଁରେ ଆବାସ ଏକ ହିଁ ହେଲା।
ଏଉତ୍ତାରେ ସେ ଆବାସର ଆଚ୍ଛାଦନାର୍ଥକ ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କଲେ। ପ୍ରତ୍ୟେକ ଯବନିକାର ଦୈର୍ଘ୍ୟ ତିରିଶ ହସ୍ତ ଓ ପ୍ରସ୍ଥ ଚାରି ହସ୍ତ, ସେହି ଏକାଦଶ ଯବନିକାର ସମାନ ପରିମାଣ ଥିଲା। ପୁଣି, ସେ ପାଞ୍ଚ ଯବନିକା ପରସ୍ପର ଯୋଡ଼ି ପୃଥକ ରଖିଲେ ଓ ଅନ୍ୟ ଛଅ ଯବନିକା ଯୋଡ଼ି ପୃଥକ ରଖିଲେ। ଯୋଡ଼ସ୍ଥାନର ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ପଚାଶ ଫାଶ କଲେ ଓ ଦ୍ୱିତୀୟ ଯବନିକାର ଯୋଡ଼ସ୍ଥାନ ଧଡ଼ିରେ ପଚାଶ ଫାଶ କଲେ। ଆଉ ସେ ଯୋଡି଼ ଦେଇ ଏକ ତମ୍ବୁ କରିବା ପାଇଁ ପିତ୍ତଳର ପଚାଶ ଆଙ୍କୁଡ଼ା କଲେ। ପୁଣି, ସେ ରକ୍ତୀକୃତ ମେଷ ଚର୍ମରେ ତମ୍ବୁର ଏକ ଛାତ ଓ ତହିଁ ଉପରେ ଶିଶୁକ ଚର୍ମର ଏକ ଛାତ ପ୍ରସ୍ତୁତ କଲେ।
ଏଥିଉତ୍ତାରେ ସେ ଆବାସ ନିମିତ୍ତ ଶିଟୀମ୍ କାଷ୍ଠର ଠିଆପଟା ପ୍ରସ୍ତୁତ କଲେ। ଏକ ଏକ ପଟା ଦଶ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଥିଲା। ପ୍ରତ୍ୟେକ ପଟାର ପରସ୍ପର ଅନୁରୂପ ଦୁଇ ଦୁଇ ପଦ ଥିଲା; ଏହିରୂପେ ସେ ଆବାସର ସମସ୍ତ ପଟା ନିମନ୍ତେ ପ୍ରସ୍ତୁତ କଲେ। ଆଉ ସେ ଆବାସର ଦକ୍ଷିଣ ଦିଗସ୍ଥ ଦକ୍ଷିଣ ପାର୍ଶ୍ୱ ନିମନ୍ତେ କୋଡ଼ିଏ ପଟା ପ୍ରସ୍ତୁତ କଲେ। ପୁଣି, ସେ ସେହି କୋଡ଼ିଏ ପଟା ତଳେ ଚାଳିଶଟି ରୂପାର ଚୁଙ୍ଗୀ କଲେ; ଏକ ପଟା ତଳେ ତହିଁର ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ସେମାନଙ୍କ ଦୁଇ ଦୁଇ ପଦ ନିମନ୍ତେ ଦୁଇ ଦୁଇ ଚୁଙ୍ଗୀ କଲେ। ପୁଣି, ଆବାସର ଅନ୍ୟ ପାର୍ଶ୍ୱ ନିମନ୍ତେ ଉତ୍ତର ଦିଗରେ କୋଡ଼ିଏ ପଟା କଲେ। ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଦୁଇ ଚୁଙ୍ଗୀ, ଏରୂପେ ରୂପାର ଚାଳିଶ ଚୁଙ୍ଗୀ କଲେ। ସେ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱ ନିମନ୍ତେ ଛଅ ଖଣ୍ଡ ପଟା କଲେ। ପୁଣି, ଆବାସର ସେହି ପଶ୍ଚାଦ୍ ଭାଗର ଦୁଇ କୋଣ ନିମନ୍ତେ ଦୁଇ ଖଣ୍ଡ ପଟା କଲେ। ପୁଣି, ତହିଁ ତଳେ ଯୋଡ଼ା ରହିଲା ଓ ସେହିରୂପ ତହିଁର ମୁଣ୍ଡରେ ପ୍ରଥମ କଡ଼ା ପାଖରେ ଯୋଡ଼ ରହିଲା; ଏହି ପ୍ରକାରେ ସେ ଦୁଇ କୋଣର ପଟା ଯୋଡ଼ିଲେ। ତହିଁରେ ଆଠ ପଟା, ପୁଣି, ଏକ ଏକ ପଟା ତଳେ ଦୁଇ ଦୁଇ ଚୁଙ୍ଗୀ, ଏରୂପେ ଷୋଳ ରୂପାଚୁଙ୍ଗୀ କଲେ।
ଆଉ ସେ ଶିଟୀମ୍ କାଷ୍ଠରେ ଅର୍ଗଳ ପ୍ରସ୍ତୁତ କରି ଆବାସର ଏକ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ ଓ ଅନ୍ୟ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ, ପୁଣି, ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱର ପଟାରେ ପାଞ୍ଚ ଅର୍ଗଳ ଦେଲେ। ପୁଣି, ମଧ୍ୟସ୍ଥିତ ଅର୍ଗଳ, ପଟାର ମଧ୍ୟଦେଶରେ ଏ ମୁଣ୍ଡରୁ ସେମୁଣ୍ଡ ଯାଏ ପାଇଲା। ଆଉ, ସେ ସେହି ସବୁ ପଟା ସୁବର୍ଣ୍ଣରେ ମଡ଼ାଇଲେ ଓ ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣର କଡ଼ା କଲେ, ଅର୍ଗଳସକଳ ସୁବର୍ଣ୍ଣରେ ମଡ଼ାଇଲେ।
ଏଥିଉତ୍ତାରେ ସେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ, ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଓ କିରୂବାକୃତିରେ ଚିତ୍ରିତ ଏକ ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କଲେ। ପୁଣି, ସେ ତହିଁ ନିମନ୍ତେ ଶିଟୀମ୍ କାଷ୍ଠର ଚାରି ସ୍ତମ୍ଭ କରି ସୁବର୍ଣ୍ଣରେ ମଡ଼ାଇଲେ ଓ ସେସବୁର ଆଙ୍କୁଡ଼ା ସୁବର୍ଣ୍ଣରେ କଲେ ଓ ତହିଁ ନିମନ୍ତେ ରୂପାର ଚାରି ଚୁଙ୍ଗୀ ଢାଳିଲେ। ଆଉ, ସେ ତମ୍ବୁଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଚିତ୍ରବିଚିତ୍ର ଏକ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କଲେ। ତହିଁର ପାଞ୍ଚ ସ୍ତମ୍ଭ ଓ ସେସବୁର ଆଙ୍କୁଡ଼ା କଲେ; ପୁଣି, ସେହିସବୁର ମୁଣ୍ଡାଳି ଓ ବନ୍ଧନୀ ସୁବର୍ଣ୍ଣରେ ମଡ଼ାଇଲେ, ମାତ୍ର ସେମାନଙ୍କର ପାଞ୍ଚ ଚୁଙ୍ଗୀ ପିତ୍ତଳର ଥିଲା।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.