Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଯାତ୍ରା ପୁସ୍ତକ 22

ପରିଶୋଧ ସମ୍ବନ୍ଧୀୟ ବ୍ୟବସ୍ଥା

ଯଦି କେହି ଗୋରୁ କି ମେଷ ଚୋରି କରି ବଧ କରେ ଅବା ବିକ୍ରୟ କରେ, ତେବେ ସେ ଏକ ଗୋରୁ ପରିଶୋଧରେ ପାଞ୍ଚ ଗୋରୁ ଓ ଏକ ମେଷ ପରିଶୋଧରେ ଚାରି ମେଷ ଦେବ। ଆଉ ଚୋର ସିନ୍ଧି କାଟିଧରା ପଡ଼ିଲେ, ଯଦି କେହି ତାହାକୁ ମାରୁ ମାରୁ ମାରି ପକାଏ, ତେବେ ସେ ରକ୍ତପାତର ଦୋଷୀ ହେବ ନାହିଁ। ମାତ୍ର ଯଦି ସୂର୍ଯ୍ୟୋଦୟ ଉତ୍ତାରେ ତାହାକୁ ବଧ କରେ, ତେବେ ସେ ରକ୍ତପାତର ଦୋଷୀ ହେବ; ଆଉ ଚୋରା ଦ୍ରବ୍ୟ ପରିଶୋଧ କରିବା ଚୋରର କର୍ତ୍ତବ୍ୟ; ଯଦି ତାହାର କିଛି ନ ଥାଏ, ତେବେ ଚୋରି ସକାଶୁ ସେ ବିକ୍ରି ହେବ। ଗୋରୁ ଅବା ଗର୍ଦ୍ଦଭ କି ମେଷାଦି ଚୋରା ଦ୍ରବ୍ୟ ଯଦି ଚୋର ହସ୍ତରେ ଜୀବିତ ମିଳେ, ତେବେ ସେ ତହିଁର ଦୁଇଗୁଣ ଦେବ।

ଆଉ କେହି ଯଦି ଅନ୍ୟର କ୍ଷେତ୍ରରେ କି ଦ୍ରାକ୍ଷାକ୍ଷେତ୍ରରେ ଗୋରୁ ଚରାଏ, କିଅବା ଆପଣା ପଶୁକୁ ଛାଡ଼ିଦେଲେ ଯଦି ସେ ଅନ୍ୟର କ୍ଷେତ୍ରରେ ଚରେ, ତେବେ ସେ ଲୋକ ତହିଁର ପରିବର୍ତ୍ତେ ତାହାକୁ ଆପଣା କ୍ଷେତ୍ରର ଉତ୍ତମ ଶସ୍ୟ ଅବା ଆପଣା ଦ୍ରାକ୍ଷାକ୍ଷେତ୍ରର ଉତ୍ତମ ଫଳ ଦେବ।

ଆଉ ଅଗ୍ନି ଜ୍ୱଳି କଣ୍ଟକ ବନରେ ଲାଗିଲେ ଯଦି କାହାର କଳେଇ ଗଦା ଅବା ବଢ଼ନ୍ତା ଶସ୍ୟ କି କ୍ଷେତ ପୋଡ଼ିଯାଏ, ତେବେ ସେହି ଅଗ୍ନି ଲଗାଇବା ଲୋକ ଅବଶ୍ୟ ତହିଁର ମୂଲ୍ୟ ଦେବ।

ଆଉ, କେହି ଯଦି ଆପଣା ପ୍ରତିବାସୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କରେ, ତାହା ଯଦି କେହି ସେହି ମନୁଷ୍ୟର ଗୃହରୁ ଚୋରି କରେ ଓ ସେହି ଚୋର ଧରା ପଡ଼େ, ତେବେ ସେ ତହିଁର ଦୁଇଗୁଣ ଦେବ। ଯଦି ଚୋର ଧରା ନ ପଡ଼େ, ତେବେ ଗୃହର ସ୍ୱାମୀ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏହା ଜଣା ଯିବା ନିମନ୍ତେ ସେ ପରମେଶ୍ୱରଙ୍କ1 ସାକ୍ଷାତରେ ଉପସ୍ଥିତ ହେବ। ପୁଣି, ସର୍ବପ୍ରକାର ଅଧର୍ମ ବିଷୟରେ, ଅର୍ଥାତ୍‍, ଗୋରୁ, ଗର୍ଦ୍ଦଭ, ମେଷ କିଅବା ବସ୍ତ୍ରାଦି, ଯେକୌଣସି ହଜିଲା ଦ୍ରବ୍ୟ ବିଷୟରେ ଯଦି କେହି କହେ, “ଏହା ସେହି ଦ୍ରବ୍ୟ,” ତେବେ ଉଭୟ ପକ୍ଷର କଥା ପରମେଶ୍ୱରଙ୍କ2 ସାକ୍ଷାତରେ ଉପସ୍ଥିତ ହେବ; ତହିଁରେ ପରମେଶ୍ୱର ଯାହାକୁ ଦୋଷୀ କରିବେ, ସେ ଆପଣା ପ୍ରତିବାସୀକୁ ଦୁଇଗୁଣ ଦେବ।

ଆଉ ଯଦି କେହି ପ୍ରତିବାସୀ ନିକଟରେ ଆପଣା ଗଧ, ଗୋରୁ, ମେଷ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖନ୍ତି ପୁଣି, ଯଦି କାହାରି ନ ଦେଖିବାରେ ସେହି ପଶୁ ମରେ, ଅବା ଭଗ୍ନାଙ୍ଗ ହୁଏ କିଅବା ଅଡ଼ାଇ ନିଆଯାଏ, ତେବେ ସେ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏ ବିଷୟରେ ଉଭୟଙ୍କ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ହେବ; ପଶୁର ମାଲିକ ସେହି ଶପଥ ଗ୍ରହଣ କରିବ, ପୁଣି, ସେ ପରିଶୋଧ କରିବ ନାହିଁ। ମାତ୍ର ଯଦି ତାହା ନିକଟରୁ ଚୋରି ହୋଇଅଛି, ତେବେ ସେ ତାହାର ମାଲିକକୁ ତାହାର ମୂଲ୍ୟ ଦେବ। ଯଦି ସେହି ପଶୁ ବିଦୀର୍ଣ୍ଣ ହୁଏ, ତେବେ ସେ ପ୍ରମାଣ ନିମନ୍ତେ ତାହା ଆଣୁ; ସେ ସେହି ବିଦୀର୍ଣ୍ଣ ପଶୁର ମୂଲ୍ୟ ଦେବ ନାହିଁ।

ଆଉ, କେହି ଯଦି ଆପଣା ପ୍ରତିବାସୀର ପଶୁ ମାଗି ନିଏ ଓ ତାହାର ମାଲିକ ତାହା ସହିତ ନ ଥାଇ ସେ ଭଗ୍ନାଙ୍ଗ ହୁଏ କି ମରେ, ତେବେ ସେ ନିତାନ୍ତ ତାହାର ମୂଲ୍ୟ ଦେବ। ମାତ୍ର ଯଦି ତାହାର ମାଲିକ ତାହା ନିକଟରେ ଥାଏ, ତେବେ ତାହାର ମୂଲ୍ୟ ଦେବ ନାହିଁ; ଯଦି ସେ ଭଡ଼ାଟିଆ ପଶୁ ହୁଏ, ତେବେ ତାହା ଭଡ଼ା ମଧ୍ୟରେ ଆସିବ।

ନୈତିକ ଧର୍ମ ସମ୍ବନ୍ଧୀୟ ବ୍ୟବସ୍ଥା

ଆଉ, କେହି ଯଦି ଅବାଗ୍‍ଦତ୍ତା କନ୍ୟାକୁ ପ୍ରଲୋଭିତ କରି ତାହା ସହିତ ଶୟନ କରେ, ତେବେ ସେ ତାହାକୁ କନ୍ୟା ମୂଲ୍ୟ ଦେଇ ଅବଶ୍ୟ ବିବାହ କରିବ। ଯଦି ପିତା ତାହା ସହିତ ଆପଣା କନ୍ୟାର ବିବାହ ଦେବାକୁ ନିତାନ୍ତ ଅସମ୍ମତ ହୁଏ, ତେବେ ସେ କନ୍ୟା ମୂଲ୍ୟର ବ୍ୟବସ୍ଥାନୁସାରେ ରୂପା ତୌଲି ଦେବ।

ତୁମ୍ଭେ ମାୟାବିନୀକୁ ଜୀବିତା ରଖିବ ନାହିଁ।

ଯେକେହି ପଶୁ ସହିତ ଯୌନ ସମ୍ପର୍କ ରଖେ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।

ଯେଉଁ ଲୋକ କେବଳ ସଦାପ୍ରଭୁଙ୍କ ବିନା କୌଣସି ଦେବତା ନିକଟରେ ବଳିଦାନ କରେ, ସେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବ।

ତୁମ୍ଭେ ବିଦେଶୀ ପ୍ରତି ଅନ୍ୟାୟ ଓ ତାହା ପ୍ରତି ଉପଦ୍ରବ କରିବ ନାହିଁ, ଯେହେତୁ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ। ତୁମ୍ଭେମାନେ କୌଣସି ବିଧବା କି ପିତୃହୀନ ସନ୍ତାନକୁ କ୍ଲେଶ ଦେବ ନାହିଁ। ତୁମ୍ଭେ ସେମାନଙ୍କୁ କୌଣସି ପ୍ରକାରେ କ୍ଲେଶ ଦେଲେ, ସେମାନେ ଯଦି ଆମ୍ଭ ନିକଟରେ ଖାଲି ଡାକ ପକାଇବେ, ତେବେ ଆମ୍ଭେ ଅବଶ୍ୟ ସେମାନଙ୍କର ଡାକ ଶୁଣିବା। ପୁଣି, ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେଲେ, ଆମ୍ଭେ ତୁମ୍ଭମାନଙ୍କୁ ଖଡ୍ଗ ଦ୍ୱାରା ମାରିବା; ତହିଁରେ ତୁମ୍ଭମାନଙ୍କର ଭାର୍ଯ୍ୟାମାନେ ବିଧବା ହେବେ ଓ ସନ୍ତାନଗଣ ପିତୃହୀନ ହେବେ।

ତୁମ୍ଭେ ଯଦି ଆମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭର ପ୍ରତିବାସୀ କୌଣସି ଦରିଦ୍ର ଲୋକଙ୍କୁ ଋଣ ଦିଅ, ତେବେ ତାହା ପ୍ରତି ମହାଜନ ତୁଲ୍ୟ ହେବ ନାହିଁ ଓ ତାହାଠାରୁ ସୁଧ ନେବ ନାହିଁ। ଯଦି ତୁମ୍ଭେ ଆପଣା ପ୍ରତିବାସୀର ବସ୍ତ୍ର ବନ୍ଧକ ରଖିବ, ତେବେ ତୁମ୍ଭେ ସୂର୍ଯ୍ୟାସ୍ତ ପୂର୍ବେ ତାହା ତାହାକୁ ଫେରାଇ ଦେବ। କାରଣ ତାହା ତାହାର ଏକମାତ୍ର ଆଚ୍ଛାଦନ ଓ ଚର୍ମ ଆଚ୍ଛାଦକ ବସ୍ତ୍ର; ସେ କାହିଁରେ ଶୟନ କରିବ? ପୁଣି, ସେ ଯଦି ଆମ୍ଭ ନିକଟରେ ଡାକ ପକାଇବ, ତେବେ ଆମ୍ଭେ ତାହା ଶୁଣିବା, କାରଣ ଆମ୍ଭେ କୃପାବାନ ଅଟୁ।

ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଅବଜ୍ଞା କରିବ ନାହିଁ, ପୁଣି, ଆପଣା ଲୋକମାନଙ୍କର ଅଧ୍ୟକ୍ଷଙ୍କୁ ଅଭିଶାପ ଦେବ ନାହିଁ।

ତୁମ୍ଭେ ଆପଣା ଶସ୍ୟର ପୂର୍ଣ୍ଣତାରୁ ଓ (ଫଳାଦିର) ରସରୁ ଉତ୍ସର୍ଗ କରିବାକୁ ବିଳମ୍ବ କରିବ ନାହିଁ। ତୁମ୍ଭେ ଆପଣା ପ୍ରଥମଜାତ ପୁତ୍ରମାନଙ୍କୁ ଆମ୍ଭଙ୍କୁ ଦେବ। ପୁଣି, ଆପଣା ଗୋରୁ ଓ ମେଷାଦି ପ୍ରତି ତଦ୍ରୂପ କରିବ; ସେ ସାତ ଦିନ ଆପଣା ମାତା ସହିତ ରହିବ, ଅଷ୍ଟମ ଦିନରେ ତୁମ୍ଭେ ତାହା ଆମ୍ଭଙ୍କୁ ଦେବ।

ପୁଣି, ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ଲୋକ ହେବ; ଏନିମନ୍ତେ ପଶୁ ଦ୍ୱାରା କ୍ଷେତ୍ରରେ ବିଦୀର୍ଣ୍ଣ ମାଂସ ଖାଇବ ନାହିଁ; ତୁମ୍ଭେମାନେ ତାହା କୁକ୍କୁରମାନଙ୍କ ଆଗରେ ପକାଇ ଦେବ।

Source notes (2)
  1. Footnote କିଅବା ବିଚାରକର୍ତ୍ତା
  2. Footnote କିଅବା ବିଚାରକର୍ତ୍ତା

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.