Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଆମୋଷ 2

ସଦାପ୍ରଭୁ ଏହି କଥା କହନ୍ତି,

“ମୋୟାବର ତିନି, ହିଁ, ଚାରି ଅପରାଧ ସକାଶୁ

ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ;

କାରଣ ସେ ଇଦୋମ ରାଜାର ଅସ୍ଥି ଦଗ୍ଧ କରି ତାହା ଚୂର୍ଣ୍ଣ କଲା;

ମାତ୍ର ଆମ୍ଭେ ମୋୟାବର ଉପରେ ଅଗ୍ନି ନିକ୍ଷେପ କରିବା

ଓ ତାହା କରୀୟୋଥ୍‍ ନଗରର ଅଟ୍ଟାଳିକାସବୁ ଗ୍ରାସ କରିବ;

ପୁଣି, ମୋୟାବ କୋଳାହଳ, ସିଂହନାଦ ଓ ତୂରୀଧ୍ୱନି ସହିତ ପ୍ରାଣତ୍ୟାଗ କରିବ;

ପୁଣି, ଆମ୍ଭେ ତହିଁ ମଧ୍ୟରୁ ବିଚାରକର୍ତ୍ତାକୁ ଉଚ୍ଛିନ୍ନ କରିବା

ଓ ତାହା ସଙ୍ଗେ ତହିଁର ସମସ୍ତ ଅଧିପତିଙ୍କୁ ସଂହାର କରିବା।”

ଏହା ସଦାପ୍ରଭୁ କହନ୍ତି।

ଯିହୁଦାର ଦଣ୍ଡ

ସଦାପ୍ରଭୁ ଏହି କଥା କହନ୍ତି,

“ଯିହୁଦାର ତିନି, ହଁ, ଚାରି ଅପରାଧ ସକାଶୁ

ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ;

କାରଣ ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି

ଓ ତାହାଙ୍କର ବିଧିସବୁ ପାଳନ କରି ନାହାନ୍ତି,

ପୁଣି ସେମାନଙ୍କର ପିତୃପୁରୁଷମାନେ ଯେଉଁ ମିଥ୍ୟା ଦେବଗଣର ଅନୁଗାମୀ ହେଲେ,

ତଦ୍ଦ୍ୱାରା ସେମାନେ ଭ୍ରାନ୍ତ ହୋଇଅଛନ୍ତି;

ମାତ୍ର ଆମ୍ଭେ ଯିହୁଦା ଉପରେ ଅଗ୍ନି ନିକ୍ଷେପ କରିବା

ଓ ତାହା ଯିରୂଶାଲମର ଅଟ୍ଟାଳିକାସବୁ ଗ୍ରାସ କରିବ।”

ଇସ୍ରାଏଲର ଦଣ୍ଡ

ସଦାପ୍ରଭୁ ଏହି କଥା କହନ୍ତି,

“ଇସ୍ରାଏଲର ତିନି, ହଁ, ଚାରି ଅପରାଧ ସକାଶୁ

ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ;

କାରଣ ସେମାନେ ରୂପା ପାଇଁ ଧାର୍ମିକକୁ

ଓ ଏକ ଯୋଡ଼ା ପାଦୁକା ପାଇଁ ଦୀନହୀନକୁ ବିକ୍ରୟ କରିଅଛନ୍ତି;

ସେମାନେ ଦରିଦ୍ରର ମସ୍ତକରେ ଧୂଳିର ଆକାଂକ୍ଷା କରନ୍ତି

ଓ ନମ୍ର ଲୋକମାନଙ୍କର ମାର୍ଗ ବକ୍ର କରନ୍ତି;

ପୁଣି, ଆମ୍ଭର ପବିତ୍ର ନାମ ଅପବିତ୍ର କରିବା ପାଇଁ

ଜଣେ ପୁରୁଷ ଓ ତାହାର ପିତା ଏକ ଯୁବତୀଠାରେ ଗମନ କରନ୍ତି;

ଆଉ, ସେମାନେ ପ୍ରତ୍ୟେକ ଯଜ୍ଞବେଦିର ନିକଟରେ

ବନ୍ଧକି ବସ୍ତ୍ରର ଉପରେ ଶୟନ କରନ୍ତି,

ଆଉ ସେମାନେ ଅର୍ଥଦଣ୍ଡପ୍ରାପ୍ତ ଲୋକମାନଙ୍କର ଦ୍ରାକ୍ଷାରସ

ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହରେ ପାନ କରନ୍ତି।

ତଥାପି ଏରସ ବୃକ୍ଷ ତୁଲ୍ୟ ଦୀର୍ଘ ଓ ଅଲୋନ ବୃକ୍ଷ ତୁଲ୍ୟ ବଳିଷ୍ଠ

ଇମୋରୀୟକୁ ଆମ୍ଭେ ସେମାନଙ୍କ ସମ୍ମୁଖରେ ବିନାଶ କଲୁ;

ଆଉ, ଉପରେ ତାହାର ଫଳ ଓ ତଳେ ତାହାର ମୂଳ ନଷ୍ଟ କଲୁ।

ଆହୁରି, ଇମୋରୀୟମାନଙ୍କ ଦେଶ ଅଧିକାର କରିବା ନିମନ୍ତେ

ଆମ୍ଭେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲୁ

ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ପଥ କଢ଼ାଇ ତୁମ୍ଭମାନଙ୍କୁ ଗମନ କରାଇଲୁ।

ପୁଣି, ଆମ୍ଭେ ତୁମ୍ଭମାନଙ୍କ ପୁତ୍ରଗଣ ମଧ୍ୟରୁ ଭବିଷ୍ୟଦ୍‍ବକ୍ତାଗଣ

ଓ ତୁମ୍ଭମାନଙ୍କ ଯୁବାଗଣ ମଧ୍ୟରୁ ନାସରୀୟ ଲୋକମାନଙ୍କୁ ଉତ୍ପନ୍ନ କଲୁ।

ସଦାପ୍ରଭୁ କହନ୍ତି,

ହେ ଇସ୍ରାଏଲ-ସନ୍ତାନଗଣ, ଏପରି କି ହୋଇ ନାହିଁ?”

ମାତ୍ର ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦେଲ

ଓ ଭବିଷ୍ୟଦ୍‍ବକ୍ତାମାନଙ୍କୁ ଆଜ୍ଞା ଦେଇ କହିଲ, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ନାହିଁ।

“ଦେଖ, ହଳାରେ ପୂର୍ଣ୍ଣ ଶଗଡ଼ ଯେପରି ଚାପେ,

ସେପରି ଆମ୍ଭେ ତୁମ୍ଭମାନଙ୍କ ନିଜ ସ୍ଥାନରେ ତୁମ୍ଭମାନଙ୍କୁ ଚାପିବା।

ତହିଁରେ ଦ୍ରୁତଗାମୀର ପଳାୟନ ଉପାୟ ନଷ୍ଟ ହେବ

ଓ ବଳବାନ ଆପଣା ବଳ ଦୃଢ଼ କରିବ ନାହିଁ,

ଅଥବା ବୀର ଆପଣାକୁ ରକ୍ଷା କରିବ ନାହିଁ;

ଅଥବା ଧନୁର୍ଦ୍ଧାରୀ ଠିଆ ହେବ ନାହିଁ

ଓ ଯାହାର ଚରଣ ଦ୍ରୁତଗାମୀ, ସେ ଆପଣାକୁ ରକ୍ଷା କରିବ ନାହିଁ;

ଯେ ଅଶ୍ୱାରୋହୀ, ସେ ଆପଣାକୁ ରକ୍ଷା କରିବ ନାହିଁ;

ପୁଣି, ବୀରଗଣ ମଧ୍ୟରେ ଯେ ସାହସିକ,

ସେ ଉଲଙ୍ଗ ହୋଇ ସେଦିନ ପଳାଇଯିବ।”

ଏହା ସଦାପ୍ରଭୁ କହନ୍ତି।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.