ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
୨ ଥେସଲନୀକୀୟ 1
ଅଭିବାଦନ
ପାଉଲ, ସିଲ୍ୱାନ ଓ ତୀମଥି ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀ ସହରର ମଣ୍ଡଳୀ ନିକଟକୁ ପତ୍ର;
ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ଧନ୍ୟବାଦ ଜ୍ଞାପନ
ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ, ଆଉ ତାହା ଉପଯୁକ୍ତ ଅଟେ। କାରଣ ତୁମ୍ଭମାନଙ୍କ ବିଶ୍ୱାସ ଅତିଶୟ ବୃଦ୍ଧି ପାଉଅଛି, ପୁଣି, ପରସ୍ପର ପ୍ରତି ତୁମ୍ଭ ସମସ୍ତଙ୍କ ପ୍ରତ୍ୟେକର ପ୍ରେମ ବଢ଼ୁଅଛି, ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କଷ୍ଟ ଭୋଗୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ସହିଷ୍ଣୁତା ଓ ବିଶ୍ୱାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ବରଙ୍କ ମଣ୍ଡଳୀ-ସମୂହରେ ତୁମ୍ଭମାନଙ୍କ ବିଷୟରେ ଗର୍ବ କରିଥାଉ।
ଖ୍ରୀଷ୍ଟଙ୍କ ଆଗମନକାଳୀନ ବିଚାର
ଈଶ୍ବରଙ୍କ ଯେଉଁ ରାଜ୍ୟ ନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ବରଙ୍କ ଉଚିତ୍ ବିଚାରର ପ୍ରତ୍ୟକ୍ଷ ପ୍ରମାଣ, କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ଜଳୁଥିବା ଅଗ୍ନି ସହ ସ୍ୱର୍ଗରୁ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭମାନଙ୍କୁ କଷ୍ଟ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ଭାବରେ କ୍ଳେଶ ଦେବା ଓ କଷ୍ଟ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ବରଙ୍କ ପକ୍ଷରେ ନ୍ୟାୟର ବିଷୟ; ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ, ଅର୍ଥାତ୍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରିଥିବା ଲୋକସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟସ୍ୱରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ୱାସ କରିଅଛ), ସେହି ଦିନ ସେମାନେ ଦଣ୍ଡ ପାଇବେ, ଅର୍ଥାତ୍ ପ୍ରଭୁଙ୍କ ଛାମୁରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରେଇ ଯାଇ ଅନନ୍ତ ବିନାଶ ଭୋଗ କରିବେ। ଏଣୁ ଆମ୍ଭମାନଙ୍କ ଈଶ୍ବର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଗଣନା କରନ୍ତି, ପୁଣି ସମସ୍ତ ଉତ୍ତମତା ଓ ବିଶ୍ୱାସର କର୍ମ ଶକ୍ତିରେ ସିଦ୍ଧ କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ; ତାହାହେଲେ ଆମ୍ଭମାନଙ୍କ ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଅନୁସାରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କଠାରେ ଗୌରବାନ୍ୱିତ ହେବ, ଆଉ ତୁମ୍ଭେମାନେ ତାହାଙ୍କଠାରେ ଗୌରବାନ୍ୱିତ ହେବ।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.