Indian Revised Version(IRV) Odia - 2021
ଗୀତସଂହିତା 6
ସଙ୍କଟ ସମୟରେ ସହାୟତା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ, ତାରଯୁକ୍ତ ଯନ୍ତ୍ରରେ ଶିମିନୀତ୍ ସ୍ୱରରେ ଦାଉଦଙ୍କର ଗୀତ।
ହେ ସଦାପ୍ରଭୋ, ତୁମ୍ଭ କ୍ରୋଧରେ ମୋତେ ଅନୁଯୋଗ କର ନାହିଁ,
କିଅବା ତୁମ୍ଭ ପ୍ରଚଣ୍ଡ ବିରକ୍ତିରେ ମୋତେ ଶାସନ କର ନାହିଁ।
ହେ ସଦାପ୍ରଭୋ, ମୋତେ ଦୟା କର; କାରଣ ମୁଁ ଶୁଷ୍କ ହୋଇ ଯାଇଅଛି;
ହେ ସଦାପ୍ରଭୋ, ମୋତେ ସୁସ୍ଥ କର; କାରଣ ମୋʼ ର ଅସ୍ଥିସବୁ ବ୍ୟାକୁଳ ହେଉଅଛି।
ମୋହର ପ୍ରାଣ ମଧ୍ୟ ଅତ୍ୟନ୍ତ ବ୍ୟାକୁଳ ହେଉଅଛି;
ପୁଣି, ତୁମ୍ଭେ, ହେ ସଦାପ୍ରଭୋ, ଆଉ କେତେ କାଳ?
ହେ ସଦାପ୍ରଭୋ, ଫେର, ମୋʼ ପ୍ରାଣକୁ ଉଦ୍ଧାର କର;
ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ମୋତେ ପରିତ୍ରାଣ କର।
କାରଣ ମରଣାବସ୍ଥାରେ ତୁମ୍ଭ ବିଷୟକ କୌଣସି ସ୍ମରଣ ନ ଥାଏ;
ପାତାଳରେ କିଏ ତୁମ୍ଭକୁ ଧନ୍ୟବାଦ ଦେବ?
ମୁଁ ଆପଣା କାତରୋକ୍ତିରେ କ୍ଳାନ୍ତ ହୋଇଅଛି;
ପ୍ରତି ରାତ୍ରି ମୁଁ ଆପଣା ଶଯ୍ୟା ଭସାଏ,
ମୁଁ ଲୋତକରେ ଆପଣା ବିଛଣା ତିନ୍ତାଏ।
ଦୁଃଖ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ;
ମୋହର ସକଳ ବିପକ୍ଷଙ୍କ ସକାଶୁ ତାହା ଜୀର୍ଣ୍ଣ ହୋଇଯାଏ।
ହେ ଅଧର୍ମାଚାରୀ ସମସ୍ତେ, ମୋହର ନିକଟରୁ ଦୂର ହୁଅ;
କାରଣ ସଦାପ୍ରଭୁ ମୋʼ ରୋଦନର ରବ ଶୁଣିଅଛନ୍ତି।
ସଦାପ୍ରଭୁ ମୋହର ନିବେଦନ ଶୁଣିଅଛନ୍ତି;
ସଦାପ୍ରଭୁ ମୋହର ପ୍ରାର୍ଥନା ଗ୍ରହଣ କରିବେ।
ମୋହର ଶତ୍ରୁ ସମସ୍ତେ ଲଜ୍ଜିତ ଓ ଅତ୍ୟନ୍ତ ବ୍ୟାକୁଳ ହେବେ;
ସେମାନେ ଫେରିଯିବେ, ସେମାନେ ହଠାତ୍ ଲଜ୍ଜିତ ହେବେ।
Indian Revised Version(IRV) Odia - 2021. Copyright © Bridge Connectivity Solutions Pvt. Ltd. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.