Skip to content
BibleKenya

Biblica® Open Odia Contemporary Bible

ପ୍ରକାଶିତ ବାକ୍ୟ 21

ନୂତନ ନଗରୀ ଯିରୂଶାଲମ

ଏହାପରେ ମୁଁ “ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି,” କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ଏବଂ ସମୁଦ୍ର ଆଉ ନ ଥିଲା। ବର ନିମନ୍ତେ ପ୍ରସ୍ତୁତ ସୁସଜ୍ଜିତା କନ୍ୟା ପରି ମୁଁ ପୁଣ୍ୟ ନଗରୀ, ଅର୍ଥାତ୍ ନୂତନ ଯିରୂଶାଲମକୁ ସ୍ଵର୍ଗରୁ, ଈଶ୍ୱରଙ୍କ ନିକଟରୁ ଓହ୍ଲାଇ ଆସିବାର ଦେଖିଲି। ପୁଣି ସିଂହାସନ ନିକଟରୁ ଏକ ଉଚ୍ଚ ସ୍ଵର ଏହା କହିବାର ମୁଁ ଶୁଣିଲି, “ଦେଖ! ବର୍ତ୍ତମାନ ଈଶ୍ୱରଙ୍କ ନିବାସ ମନୁଷ୍ୟମାନଙ୍କ ମଧ୍ୟରେ, ଏବଂ ସେ ସେମାନଙ୍କ ସହିତ ବାସ କରିବେ। ସେମାନେ ତାହାଙ୍କର ଲୋକ ହେବେ, ଓ ସ୍ଵୟଂ ଈଶ୍ୱର ସେମାନଙ୍କ ସଙ୍ଗରେ ରହିବେ ଏବଂ ସେମାନଙ୍କର ଈଶ୍ୱର ହେବେ। ‘ସେ ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ। ମୃତ୍ୟୁ କି ବିଳାପ କି କ୍ରନ୍ଦନ କି ବ୍ୟଥା ଆଉ ରହିବ ନାହିଁ,’ କାରଣ ପୂରାତନ ବିଷୟସବୁ ଲୋପ ପାଇଅଛି।”

ଯେ ସିଂହାସନ ଉପରେ ଉପବିଷ୍ଟ ଥିଲେ ସେ କହିଲେ, “ଦେଖ ମୁଁ ସମସ୍ତ ବିଷୟ ନୂତନ କରୁଅଛି!” ତତ୍ପରେ ସେ କହିଲେ, “ଏହା ଲିପିବଦ୍ଧ କର, କାରଣ ଏହିସବୁ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ।”

ସେ ମୋତେ କହିଲେ, “ସଂପୂର୍ଣ୍ଣ ହେଲା। ମୁଁ ଆଦି ଓ ଅନ୍ତ, ଆରମ୍ଭ ଓ ଶେଷ। ଯେ ତୃଷାର୍ତ୍ତ ମୁଁ ତାହାକୁ ବିନାମୂଲ୍ୟରେ ଜୀବନଜଳର ନିଝରରୁ ପାନ କରିବାକୁ ଦେବି। ଯେ ବିଜୟୀ ହେବ, ସେ ଏହି ସମସ୍ତର ଅଧିକାରୀ ହେବ ଏବଂ ମୁଁ ତାହାର ଈଶ୍ୱର ହେବି ଓ ସେ ମୋହର ପୁତ୍ର ହେବ। କିନ୍ତୁ ଯେଉଁମାନେ କାପୁରୁଷ, ଅବିଶ୍ୱାସୀ, ନୀଚପ୍ରକୃତିକ, ନରଘାତକ, ଯୌନଅସଦାଚାରୀ, ତନ୍ତ୍ରସାଧକ, ପ୍ରତିମାପୂଜକ ଏବଂ ସବୁ ମିଥ୍ୟାବାଦୀମାନେ, ଏମାନଙ୍କର ସ୍ଥାନ ରହିବ ଗନ୍ଧକ ପ୍ରଜ୍ୱଳିତ ଅଗ୍ନିମୟ ହ୍ରଦରେ। ଏହା ହେଉଛି ଦ୍ୱିତୀୟ ମୃତ୍ୟୁ।”

ଯେଉଁ ସପ୍ତ ଦୂତ ଶେଷ ମହାମାରୀରେ ପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, “ଆସ, ମୁଁ ତୁମକୁ କନ୍ୟା ଙ୍କୁ, ଅର୍ଥାତ୍ ମେଷଶାବକଙ୍କ ବଧୂଙ୍କୁ ଦେଖାଇବି।” ପୁଣି ସେ ମୋତେ ଆତ୍ମାରେ ଏକ ବିରାଟ ଓ ଉଚ୍ଚ ପର୍ବତକୁ ନେଇଗଲେ, ଏବଂ ପୁଣ୍ୟ ନଗରୀ, ଯିରୂଶାଲମକୁ, ସ୍ଵର୍ଗରୁ ଈଶ୍ୱରଙ୍କ ନିକଟରୁ ଓହ୍ଲାଇ ଆସିବାର ଦେଖାଇଲେ। ତାହା ଈଶ୍ୱରଙ୍କ ମହିମାରେ ଉଦ୍ଭାସିତ ଥିଲା, ତାହାର ଆଭା ମହା ମୂଲ୍ୟବାନ୍ ରତ୍ନ ସଦୃଶ, ସୂର୍ଯ୍ୟକାନ୍ତ ମଣି ତୁଲ୍ୟ, ଓ ସ୍ଫଟିକ ପରି ସ୍ଵଚ୍ଛ ଥିଲା। ଏହାର ଏକ ବୃହତ୍ ଓ ଉଚ୍ଚ ପ୍ରାଚୀର, ପ୍ରାଚୀରରେ ଦ୍ଵାଦଶ ଦ୍ଵାର ଓ ଦ୍ଵାଦଶ ଦ୍ଵାରରେ ଦ୍ଵାଦଶ ସ୍ଵର୍ଗଦୂତ। ଦ୍ଵାରଗୁଡ଼ିକ ଉପରେ ଇସ୍ରାଏଲର ଦ୍ଵାଦଶ ଗୋଷ୍ଠୀଙ୍କ ନାମ ଲିଖିତ ଥିଲା। ପୂର୍ବ ଦିଗରେ ତିନୋଟି ଦ୍ଵାର, ଉତ୍ତର ଦିଗରେ ତିନୋଟି, ଦକ୍ଷିଣରେ ତିନୋଟି ଏବଂ ପଶ୍ଚିମରେ ତିନୋଟି ଦ୍ଵାର ଥିଲା। ନଗର ପ୍ରାଚୀରର ବାରଟି ଭିତ୍ତିମୂଳ ଏବଂ ସେଗୁଡ଼ିକ ଉପରେ, ମେଷଶାବକଙ୍କ ଦ୍ଵାଦଶ ପ୍ରେରିତଶିଷ୍ୟଙ୍କ ନାମ ଲିଖିତ ଥିଲା।

ମୋ ସହିତ କଥା କହୁଥିବା ଦୂତ ନଗରକୁ, ତାହାର ଦ୍ଵାରଗୁଡ଼ିକୁ ଓ ତାହାର ପ୍ରାଚୀରକୁ ମାପିବା ପାଇଁ ଗୋଟିଏ ସୁବର୍ଣ୍ଣ ମାନଦଣ୍ଡ ଧରିଥିଲେ। ନଗରଟି ବର୍ଗକ୍ଷେତ୍ରାକାର, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ ଥିଲା। ସେ ମାନଦଣ୍ଡ ଦ୍ଵାରା ନଗରକୁ ମାପିବାରୁ ତାହାର ଦୈର୍ଘ୍ୟ 2,200 କିଲୋମିଟର ଏବଂ ତାହାର ପ୍ରସ୍ଥ, ଓ ଉଚ୍ଚତା ତାହାର ଦୈର୍ଘ୍ୟ ସଙ୍ଗେ ସମାନ ଥିବାର ଦେଖିଲେ। ଦୂତ ମନୁଷ୍ୟମାନଙ୍କର ମାପିବା ପ୍ରଣାଳୀ ବ୍ୟବହାର କରି ନଗର ପ୍ରାଚୀରର ସ୍ଥୂଳତା ମାପିବାରୁ, ତାହା 144 ହାତ ହେଲା। ପ୍ରାଚୀର ସୂର୍ଯ୍ୟକାନ୍ତ ମଣିରେ, ଏବଂ ନଗର ନିର୍ମଳ କାଚ ପରିଶୁଦ୍ଧ ସୁବର୍ଣ୍ଣରେ, ନିର୍ମିତ ହୋଇଥିଲା। ନଗର ପ୍ରାଚୀରର ମୂଳଦୁଆଗୁଡ଼ିକ ସବୁପ୍ରକାର ମୂଲ୍ୟବାନ ମଣିରେ ସୁଶୋଭିତ ଥିଲା। ପ୍ରଥମ ମୂଳଦୁଆରେ ସୂର୍ଯ୍ୟକାନ୍ତ ମଣି, ଦ୍ୱିତୀୟରେ ନୀଳକାନ୍ତ ମଣି, ତୃତୀୟରେ ଗୋମେଦ ମଣି, ଚତୁର୍ଥରେ ମରକତ ମଣି, ପଞ୍ଚମରେ ପୁଲକ ମଣି, ଷଷ୍ଠରେ ରୁଧିରାଖ୍ୟ ମଣି, ସପ୍ତମରେ ଚନ୍ଦ୍ରକାନ୍ତ ମଣି, ଅଷ୍ଟମରେ ଫିରୋଜ ମଣି, ନବମରେ ପୁଷ୍ପରାଗ ମଣି, ଦଶମରେ ଲଶୁନୀୟ ମଣି, ଏକାଦଶରେ ଇନ୍ଦ୍ରିନୀଳ ମଣି, ଦ୍ଵାଦଶରେ ସୌଗନ୍ଧକ ମଣି ଖଚିତ ହୋଇଥିଲା। ବାରଗୋଟି ଦ୍ଵାର ଥିଲା ବାରଟି ମୁକ୍ତା, ପ୍ରତ୍ୟେକଟି ଗୋଟିଏ ଲେଖାଁ ମୁକ୍ତାରେ ନିର୍ମିତ ହୋଇଥିଲା। ନଗରର ରାଜପଥ ସ୍ଵଚ୍ଛ କାଚ ପରି, ଶୁଦ୍ଧ ସୁବର୍ଣ୍ଣରେ ନିର୍ମିତ ଥିଲା।

ନଗର ମଧ୍ୟରେ ମୁଁ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର ଏବଂ ମେଷଶାବକ ତାହାର ମନ୍ଦିର ସ୍ଵରୂପ। ନଗରକୁ ଆଲୋକ ଦେବା ପାଇଁ ସୂର୍ଯ୍ୟ କି ଚନ୍ଦ୍ରର ଆବଶ୍ୟକତା ନାହିଁ, କାରଣ ଈଶ୍ୱରଙ୍କ ମହିମା ନଗରକୁ ଆଲୋକ ଦାନ କରେ ଏବଂ ମେଷଶାବକ ତାହାର ପ୍ରଦୀପ ସ୍ଵରୂପ ଅଟନ୍ତି। ଜାତିବୃନ୍ଦ ତାହାର ଆଲୋକରେ ଗମନାଗମନ କରିବେ, ଏବଂ ପୃଥିବୀର ରାଜାଗଣ ତହିଁ ମଧ୍ୟକୁ ସେମାନଙ୍କର ଐଶ୍ୱର୍ଯ୍ୟ ଆଣିବେ। କୌଣସି ଦିନ ନଗରର ଦ୍ଵାରଗୁଡ଼ିକ କେବେହେଲେ ବନ୍ଦ ହେବ ନାହିଁ, କାରଣ ସେଠାରେ ରାତ୍ରି ନ ଥିବ। ଜାତିଗଣର ମହିମା ଓ ସମ୍ଭ୍ରମ ତହିଁ ମଧ୍ୟକୁ ଅଣାଯିବ। କୌଣସି ଅପବିତ୍ର ବିଷୟ, କିମ୍ବା ଲଜ୍ଜାଜନକ ବା ପ୍ରତାରଣାପୂର୍ଣ୍ଣ କାର୍ଯ୍ୟ କରୁଥିବା ମନୁଷ୍ୟ ତହିଁ ମଧ୍ୟରେ କଦାପି ପ୍ରବେଶ କରିବ ନାହିଁ, କିନ୍ତୁ କେବଳ ଯେଉଁମାନଙ୍କର ନାମ ମେଷଶାବକଙ୍କ ଜୀବନପୁସ୍ତକରେ ଲିଖିତ ଥିବ, ସେହିମାନେ ପ୍ରବେଶ କରିବେ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.