Biblica® Open Odia Contemporary Bible
ପ୍ରକାଶିତ ବାକ୍ୟ 13
ସମୁଦ୍ର ମଧ୍ୟରୁ ଉତ୍ଥିତ ପଶୁ
ଅନନ୍ତର ସର୍ପ ସମୁଦ୍ର ତୀରରେ ଠିଆ ହେଲା। ତତ୍ପରେ ମୁଁ ଏକ ପଶୁକୁ ସମୁଦ୍ରରୁ ଉଠି ଆସିବାର ଦେଖିଲି। ତାହାର ଦଶ ଶୃଙ୍ଗ ଓ ସାତ ମସ୍ତକ ଥିଲା, ଏବଂ ଦଶ ଶୃଙ୍ଗରେ ଦଶଟି ମୁକୁଟ ଓ ପ୍ରତ୍ୟେକ ମସ୍ତକରେ, ଈଶ୍ୱର-ନିନ୍ଦାସୂଚକ ଗୋଟିଏ ଗୋଟିଏ ନାମ ଥିଲା। ମୁଁ ଯେଉଁ ପଶୁକୁ ଦେଖିଲି ତାହା ଚିତାବାଘ ପରି, ମାତ୍ର ତାହାର ପାଦ ଭାଲୁର ପାଦ ଏବଂ ମୁଖ ସିଂହର ମୁଖ ପରି ଥିଲା। ସେହି ସର୍ପ ପଶୁକୁ ନିଜର ଶକ୍ତି ନିଜର ସିଂହାସନ ଓ ମହା କ୍ଷମତା ସମର୍ପଣ କଲା। ପଶୁର ମସ୍ତକଗୁଡ଼ିକ ମଧ୍ୟରୁ ଗୋଟିଏ ମସ୍ତକରେ ମାରାତ୍ମକ କ୍ଷତ ଥିଲା ପରି ମନେ ହେଉଥିଲା, କିନ୍ତୁ ସେହି ମାରାତ୍ମକ କ୍ଷତ ସୁସ୍ଥ ହୋଇ ଯାଇଥିଲା। ସମଗ୍ର ଜଗତ ଆଚମ୍ବିତ ହୋଇ ପଶୁର ଅନୁଗମନ କଲା। ସର୍ପ ପଶୁକୁ କ୍ଷମତା ଦେଇଥିବାରୁ ଲୋକେ ସର୍ପକୁ ପୂଜା କଲେ ଏବଂ ପଶୁକୁ ମଧ୍ୟ ପୂଜା କରି କହିଲେ, “ପଶୁ ପରି ଆଉ କିଏ ଅଛି? କିଏ ତା ବିରୁଦ୍ଧରେ ଯୁଦ୍ଧ କରିପାରେ?”
ଅହଂକାର ପୂର୍ଣ୍ଣ ଓ ଈଶ୍ୱର-ନିନ୍ଦାସୂଚକ କଥା କହିବାକୁ ପଶୁକୁ ଏକମୁଖ ଦିଆଗଲା ଏବଂ ବୟାଳିଶ ମାସ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିବାକୁ ସ୍ୱାଧୀନତା ଦିଆଗଲା। ଈଶ୍ୱରଙ୍କ ନିନ୍ଦା କରିବାକୁ, ତାହାଙ୍କ ନାମକୁ ତାହାଙ୍କ ନିବାସକୁ ଓ ସ୍ଵର୍ଗବାସୀମାନଙ୍କୁ ବିଦ୍ରୂପ କରିବାକୁ ସେ ତାହାର ମୁଖ ଖୋଲିଲା। ସାଧୁବୃନ୍ଦଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କ ଉପରେ ଜୟଲାଭ କରିବାକୁ ତାକୁ କ୍ଷମତା ଦିଆଗଲା। ଆହୁରି ମଧ୍ୟ ସବୁ ଗୋଷ୍ଠୀ, ଜାତି, ଭାଷାବାଦୀ ଓ ଦେଶବାସୀଙ୍କ ଉପରେ କର୍ତ୍ତୃତ୍ଵ କରିବାକୁ ତାକୁ ଅଧିକାର ଦିଆଗଲା। ଜଗତର ସୃଷ୍ଟି କାଳରୁ ବଳିପ୍ରାପ୍ତ ମେଷଶାବକଙ୍କ ଜୀବନପୁସ୍ତକରେ ଯେଉଁମାନଙ୍କର ନାମ ଲିଖିତ ନ ଥିବ, ପୃଥିବୀନିବାସୀ ସେହି ଲୋକମାନେ ପଶୁକୁ ପୂଜା କରିବେ।
ଯାହାର କାନ ଅଛି, ସେ ଶୁଣୁ।
“କେହି ଯଦି ବନ୍ଦୀ ହୋଇ ଯିବାର ଥାଏ,
ତେବେ ସେ ବନ୍ଦୀ ହୋଇଯିବ।
କେହି ଯଦି ଖଡ଼୍ଗରେ ନିହତ ହେବାର ଥାଏ,
ତେବେ ସେ ଖଡ଼୍ଗାଘାତରେ ନିହତ ହେବ।”
ସାଧୁମାନେ ଧୈର୍ଯ୍ୟ ଓ ବିଶ୍ୱାସ ସହକାରେ ରହିବାକୁ ଏହା ଏକ ଆହ୍ଵାନ।
ଭୂମି ମଧ୍ୟରୁ ଉତ୍ଥିତ ପଶୁ
ଏହାପରେ ମୁଁ ଆଉ ଏକ ପଶୁକୁ, ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି। ମେଷ ପରି ତାହାର ଦୁଇଟି ଶୃଙ୍ଗ ଥିଲା, ମାତ୍ର ସେ ସର୍ପ ତୁଲ୍ୟ କଥା କହୁଥିଲା। ସେ ପ୍ରଥମ ପଶୁ ତରଫରୁ ସମସ୍ତ କର୍ତ୍ତୃତ୍ଵ ବ୍ୟବହାର କଲା, ଏବଂ ଯେଉଁ ପ୍ରଥମ ପଶୁର ମାରାତ୍ମକ କ୍ଷତ ସୁସ୍ଥ ହୋଇଥିଲା, ତାହାକୁ ପୂଜା କରିବାକୁ ପୃଥିବୀ ତଥା ତନ୍ନିବାସୀଙ୍କୁ ବାଧ୍ୟ କଲା। ସେ ମହତ୍ ଏବଂ ଅଲୌକିକ କର୍ମସବୁ ସାଧନ କଲା, ଏପରିକି ଲୋକଙ୍କ ଦୃଷ୍ଟିଗୋଚରରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବର୍ଷଣ କଲା। ପ୍ରଥମ ପଶୁ ତରଫରୁ ଅଲୌକିକ କର୍ମସବୁ କରିବାକୁ ସେ ଯେଉଁ ଶକ୍ତି ପାଇଥିଲା, ତଦ୍ଦ୍ୱାରା ପୃଥିବୀବାସୀଙ୍କୁ ପ୍ରତାରଣା କଲା। ଯେଉଁ ପଶୁ ଖଡ଼୍ଗ ଦ୍ଵାରା ଆହତ ହୋଇ ସୁଦ୍ଧା ବଞ୍ଚିଥିଲା, ତାହାର ସମ୍ମାନାର୍ଥେ ଏକ ପ୍ରତିମା ଗଢ଼ିବାକୁ ସେ ସେମାନଙ୍କୁ ଆଦେଶ ଦେଲା। ସେହି ପ୍ରତିମା ଯେପରି କଥା କହିପାରିବ ଓ ପ୍ରତିମାକୁ ପୂଜା କରିବା ପାଇଁ ଅସମ୍ମତ ଲୋକଙ୍କୁ ଯେପରି ବଧ କରାଇ ପାରିବ, ଏଥିପାଇଁ ପ୍ରଥମ ପଶୁର ପ୍ରତିମାକୁ ପ୍ରାଣବାୟୁ ଦେବାକୁ ତାକୁ କ୍ଷମତା ଦିଆଗଲା। ଆହୁରି ମଧ୍ୟ, ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ, ସମସ୍ତଙ୍କୁ ନିଜ ନିଜର ଦକ୍ଷିଣ ହସ୍ତରେ ଓ କପାଳରେ ଏକ ଚିହ୍ନ ଧାରଣ କରିବାକୁ ସେ ବାଧ୍ୟ କଲା। ଏହା ଫଳରେ ଯେକେହି ସେହି ଚିହ୍ନ ଧାରଣ କରି ନ ଥିବ, ସେ କିଣାବିକା କରିପାରିବ ନାହିଁ, ଏହି ଚିହ୍ନ ସେହି ପଶୁର ନାମ କିମ୍ବା ତା ନାମର ସଂଖ୍ୟା ଅଟେ।
ଏଥିପାଇଁ ଜ୍ଞାନ ନିତାନ୍ତ ଆବଶ୍ୟକ। କାହାରି ଯଦି ଅନ୍ତର୍ଦୁଷ୍ଟି ଅଛି ସେ ସେହି ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ମନୁଷ୍ୟର ସଂଖ୍ୟା। ତାହାର ସଂଖ୍ୟା ହେଉଛି ଛଅଶହ ଛଷଠି।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.