Skip to content
BibleKenya

Biblica® Open Odia Contemporary Bible

ଫିଲିପୀୟ 2

ଖ୍ରୀଷ୍ଟଙ୍କ ପରି ନମ୍ର ହୁଅ

ଖ୍ରୀଷ୍ଟଙ୍କ ସହ ମିଳନରେ ଯଦି କିଛି ଉତ୍ସାହ ଲାଭ କରିଥାଅ, ଯଦି ତାହାଙ୍କ ପ୍ରେମରୁ ସାନ୍ତ୍ଵନାପାଇଥାଅ, ଯଦି ଆତ୍ମାଙ୍କ ସହଭାଗିତା ଲାଭ କରିଥାଅ, ଯଦି ତୁମଠାରେ ଦୟା ଓ ଅନୁକମ୍ପା ଥାଏ, ତେବେ ତୁମ୍ଭେମାନେ ସମଭାବାପନ୍ନ ହୁଅ, ଏବଂ ସେହି ପ୍ରେମରେ ଏକ ଆତ୍ମା, ଓ ଏକ ଲକ୍ଷ୍ୟରେ ଥାଇ ମୋର ଆନନ୍ଦ ସଂପୂର୍ଣ୍ଣ କର। ସ୍ୱାର୍ଥପରତା କିମ୍ବା ଅସାର ଗର୍ବ ହେତୁ କିଛି କର ନାହିଁ। କିନ୍ତୁ, ନମ୍ର ଭାବରେ ଅନ୍ୟମାନଙ୍କୁ ନିଜଠାରୁ ଉତ୍ତମ ମନେକର, ତୁମେ ପ୍ରତ୍ୟେକେ କେବଳ ନିଜର ସ୍ୱାର୍ଥ ନ ଦେଖି ଅନ୍ୟମାନଙ୍କର ମଙ୍ଗଳ ପ୍ରତି ମଧ୍ୟ ଦୃଷ୍ଟି ଦିଅ।

ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନୋଭାବ ଥିଲା, ତୁମ୍ଭମାନଙ୍କର ମନୋଭାବ ସେହିପରି ହେଉ:

ସେ ଈଶ୍ୱରରୂପୀ ହେଲେ ମଧ୍ୟ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା

ଅଧିକାରକୁ ଧରି ରଖିବା ବିଷୟ ବୋଲି ମନେ କଲେ ନାହିଁ;

ମାତ୍ର ସେ ନିଜକୁ ନିଃସ୍ଵ କଲେ

ମନୁଷ୍ୟ ସଦୃଶ ହୋଇ

ଦାସରୂପ ଧାରଣ କଲେ।

ପୁଣି ମନୁଷ୍ୟ ରୂପରେ ଦୃଶ୍ୟମାନ ହୋଇ

ନିଜକୁ ନମ୍ର କଲେ

ଏବଂ ମୃତ୍ୟୁ ପର୍ଯ୍ୟନ୍ତ,

ଏପରିକି କ୍ରୁଶରେ ମୃତ୍ୟୁଭୋଗ ପର୍ଯ୍ୟନ୍ତ ଆଜ୍ଞାବହ ହେଲେ!

ସେଥିପାଇଁ ଈଶ୍ୱର ତାହାଙ୍କୁ ଊର୍ଦ୍ଧ୍ୱତମ ସ୍ଥାନକୁ ଉନ୍ନୀତ କରିଅଛନ୍ତି

ଏବଂ ସବୁ ନାମ ଅପେକ୍ଷା ଶ୍ରେଷ୍ଠ ନାମ ଦେଇଅଛନ୍ତି,

ଯେପରିକି ଯୀଶୁଙ୍କ ନାମରେ ସ୍ଵର୍ଗ,

ମର୍ତ୍ତ୍ୟ ଓ ପାତାଳରେ ପ୍ରତ୍ୟେକ ଜାନୁ ନତ ହେବ,

ଏବଂ ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ,

ପ୍ରତ୍ୟେକ ଜିହ୍ଵା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।

ତାରା ପରି ଦୀପ୍ତିମାନ ହୁଅ

ହେ ମୋର ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ତ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୁଁ ଉପସ୍ଥିତ ଥିଲାବେଳେ ନୁହେଁ, ମାତ୍ର ମୁଁ ଅନୁପସ୍ଥିତ ଥିଲାବେଳେ ଆହୁରି ଅଧିକ ଆଜ୍ଞାବହ ହୋଇଅଛ ତେଣୁ ଭୟ ଓ କମ୍ପରେ ନିଜର ପରିତ୍ରାଣ ସମ୍ପନ୍ନ କରୁଥାଅ, କାରଣ ତାହାଙ୍କର ମଙ୍ଗଳମୟ ସଂକଳ୍ପ ଅନୁସାରେ ଇଚ୍ଛା ଜାତ କରାଇବାକୁ ଓ କାର୍ଯ୍ୟ କରାଇବାକୁ ସ୍ଵୟଂ ଈଶ୍ୱର ତୁମ୍ଭମାନଙ୍କ ଅନ୍ତରରେ ସକ୍ରିୟ ଅଛନ୍ତି।

ଅସନ୍ତୋଷ ଓ ଯୁକ୍ତିତର୍କ ନ କରି ସମସ୍ତ କାର୍ଯ୍ୟ କର, ତା ହେଲେ ଏହି କୁଟିଳ ଓ ଭ୍ରଷ୍ଟ ପୀଢ଼ିର ଲୋକଙ୍କ ମଧ୍ୟରେ “ଈଶ୍ୱରଙ୍କର ଅନିନ୍ଦନୀୟ ସନ୍ତାନ ହୋଇ ତୁମ୍ଭେମାନେ ନିର୍ଦ୍ଦୋଷ ଓ ନିଷ୍କଳଙ୍କ ହେବ,” ବିଶ୍ୱଜଗତରେ ନକ୍ଷତ୍ର ସ୍ଵରୂପେ ଦୀପ୍ତିମାନ ହେବ ଏହିରୂପେ ତୁମ୍ଭେମାନେ ଜୀବନଦାୟକ ବାକ୍ୟ ଧାରଣ କଲେ ମୁଁ ଯେ ବୃଥାରେ ଦୈଡ଼ି ନାହିଁ କି ପରିଶ୍ରମ କରି ନାହିଁ ଏଥିପାଇଁ ଖ୍ରୀଷ୍ଟଙ୍କ ଦିନରେ ଦର୍ପ କରିପାରିବି। ଯଦିବା ତୁମ୍ଭମାନଙ୍କ ବିଶ୍ୱାସଜନିତ ବଳିଦାନ ଓ ସେବା ଉପରେ ମୁଁ ପେୟନୈବେଦ୍ୟ ସ୍ଵରୂପେ ଢଳା ଯାଉଅଛି, ତଥାପି ମୁଁ ଆନନ୍ଦିତ ଓ ତୁମ ସମସ୍ତଙ୍କ ସହିତ ଉଲ୍ଲସିତ ହେଉଅଛି। ତେଣୁ ତୁମ୍ଭେମାନେ ମଧ୍ୟ ମୋ ସହିତ ଆନନ୍ଦିତ ଓ ଉଲ୍ଲସିତ ହୁଅ।

ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇପାରିବି ବୋଲି ପ୍ରଭୁ ଯୀଶୁଙ୍କ ଉପରେ ଭରସା ରଖିଅଛି, ତା ହେଲେ ତୁମ୍ଭମାନଙ୍କ ବିଷୟରେ ସମ୍ବାଦ ପାଇ ମୁଁ ମଧ୍ୟ ଉତ୍ସାହ ଲାଭ କରିବି। ତୁମ୍ଭମାନଙ୍କ ବିଷୟରେ ତାଙ୍କ ପରି ପ୍ରକୃତ ହିତାକାଂକ୍ଷୀ, ମୋ ପାଖରେ ଆଉ କେହି ନାହିଁ। କାରଣ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଅନ୍ୱେଷଣ ନ କରି, ସମସ୍ତେ ନିଜ ସ୍ୱାର୍ଥ ଅନ୍ୱେଷଣ କରୁଅଛନ୍ତି। କିନ୍ତୁ ତୀମଥି ନିଜକୁ ଯେ ଯୋଗ୍ୟ ପ୍ରମାଣିତ କରିଅଛନ୍ତି ଏହା ତୁମ୍ଭେମାନେ ଜାଣ, କାରଣ ପୁତ୍ର ପିତାର ସହିତ କାର୍ଯ୍ୟ କଲା ପରି ସେ ମୋ ସହିତ ସୁସମାଚାରର କାର୍ଯ୍ୟ କରିଅଛନ୍ତି। ଅତଏବ, ମୋ ପ୍ରତି କଅଣ ଘଟିବ, ତାହା ଜାଣିବାମାତ୍ରେ ତାଙ୍କୁ ପଠାଇବି ବୋଲି ମୋର ଆଶା ଅଛି। ପୁଣି ମୁଁ ନିଜେ ମଧ୍ୟ ଶୀଘ୍ର ଯାଇ ପାରିବି ବୋଲି ପ୍ରଭୁଙ୍କ ଉପରେ ଭରସା ରଖିଅଛି।

କିନ୍ତୁ ଏପାଫ୍ରଦିତସ୍‌ଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ଆବଶ୍ୟକ ବୋଲି ମୁଁ ମନେ କଲି, ସେ ମୋର ଭ୍ରାତା, ସହକର୍ମୀ, ସହସଂଗ୍ରାମୀ, ପୁଣି ମୋର ପ୍ରୟୋଜନୀୟ ବିଷୟ ପୂରଣ କରିବାକୁ ତୁମ୍ଭେମାନେ ପଠାଇଥିବା ବାର୍ତ୍ତାବହ। ତୁମ ସମସ୍ତଙ୍କୁ ଦେଖିବା ପାଇଁ ସେ ଅତିଶୟ ଉତ୍ସୁକ ଏବଂ ସେ ଅସୁସ୍ଥ ବୋଲି ତୁମ୍ଭେମାନେ ଶୁଣିଥିବାରୁ ସେ ଦୁଃଖିତ। ବାସ୍ତବରେ ସେ ଅସୁସ୍ଥ ହୋଇ, ମୃତପ୍ରାୟ ହୋଇଥିଲେ। କିନ୍ତୁ ଈଶ୍ୱର ତାଙ୍କ ପ୍ରତି ଦୟା କଲେ, ପୁଣି କେବଳ ତାଙ୍କ ପ୍ରତି ନୁହେଁ, ମୋତେ ଦୁଃଖ ପରେ ଦୁଃଖରୁ ରକ୍ଷା କରିବାକୁ ମୋ ପ୍ରତି ମଧ୍ୟ ଦୟା କଲେ। ସେଥିପାଇଁ ତାଙ୍କୁ ପଠାଇବାକୁ ମୁଁ ଅଧିକ ଆଗ୍ରହାନ୍ୱିତ ହେଲି, ତାଙ୍କୁ ପୁନର୍ବାର ଦେଖି ତୁମ୍ଭେମାନେ ଆନନ୍ଦ ଲାଭ କରିବ ଓ ମୋର ଚିନ୍ତାଭାର ଲାଘବ ହେବ। ପ୍ରଭୁଙ୍କ ସକାଶେ ତାଙ୍କୁ ମହା ଆନନ୍ଦରେ ସ୍ୱାଗତ କର ଓ ତାଙ୍କ ପରି ବ୍ୟକ୍ତିମାନଙ୍କୁ ସମ୍ମାନ ପ୍ରଦର୍ଶନ କର, କାରଣ ତୁମ୍ଭେମାନେ ମୋତେ ଯେଉଁ ସାହାଯ୍ୟ ଦେଇ ପାରି ନ ଥିଲ ତାହା ପୂରଣ କରିବାକୁ ସେ ନିଜ ଜୀବନକୁ ବିପନ୍ନ କରି ଖ୍ରୀଷ୍ଟଙ୍କ କାର୍ଯ୍ୟରେ ମୃତପ୍ରାୟ ହୋଇଥିଲେ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.