Skip to content
BibleKenya

Biblica® Open Odia Contemporary Bible

ଲୂକ 3

ଡୁବକ ଯୋହନଙ୍କ ଦ୍ଵାରା ପଥ ପ୍ରସ୍ତୁତି

ଟାଇବିରିୟସ୍ କାଇସରଙ୍କ ରାଜତ୍ଵର ପଞ୍ଚଦଶ ବର୍ଷରେ ଯେତେବେଳେ ପନ୍ତୀୟ ପୀଲାତ ଯିହୁଦାଦେଶର ରାଜ୍ୟପାଳ ଥିଲେ, ହେରୋଦ ଗାଲିଲୀର ସାମନ୍ତରାଜା, ତାଙ୍କ ଭାଇ ଫିଲିପ ଇଟୁରିୟା ଓ ଟ୍ରାକୋନୀଟିସ୍‌ର, ଏବଂ ଲିସାନିୟସ୍ ଅବିଲିନୀର ସାମନ୍ତରାଜା ଥିଲେ, ପୁଣି, ହାନାନ୍ ଓ କୟାଫା ମହାଯାଜକ ଥିଲେ ସେହି ସମୟରେ, ଜିଖରିୟଙ୍କ ପୁତ୍ର ଯୋହନ ମରୁପ୍ରାନ୍ତରରେ ଈଶ୍ୱରଙ୍କଠାରୁ ବାର୍ତ୍ତା ପାଇଲେ। ଯୋହନ ଯର୍ଦ୍ଦନ ନଦୀର ଚତୁର୍ଦ୍ଦିଗସ୍ଥ ଅଞ୍ଚଳକୁ ଯାଇ, ପାପକ୍ଷମା ନିମନ୍ତେ ଅନୁତାପର ଡୁବନ ବିଷୟରେ ଘୋଷଣା କଲେ। ଏହା ହିଁ ଭାବବାଦୀ ଯିଶାଇୟଙ୍କ ପୁସ୍ତକରେ ଲେଖାଅଛି:

“ମରୁପ୍ରାନ୍ତରରେ ଚିତ୍କାର କରୁଥିବା ଜଣକର ସ୍ଵର

‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର,

ତାହାଙ୍କ ପାଇଁ ସଳଖ ପଥସବୁ ତିଆରି କର।

ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ,

ପ୍ରତ୍ୟେକ ପାହାଡ଼ପର୍ବତ ସମତଳ ଭୂମି କରାଯିବ।

ବଙ୍କା ରାସ୍ତା ସବୁ ସଳଖ ହେବ,

ଓ ଅସମତଳ ଭୂମି ସମତଳ ହେବ।

ପୁଣି ସମଗ୍ର ମନୁଷ୍ୟଜାତି ଈଶ୍ୱରଙ୍କ ପରିତ୍ରାଣ ଦେଖିବେ।’ ”

ତାଙ୍କ ଦ୍ଵାରା ଡୁବନ ଗ୍ରହଣ କରିବାକୁ ଆସୁଥିବା ଲୋକମାନଙ୍କୁ ଯୋହନ କହିଲେ, “ରେ କାଳସର୍ପର ବଂଶ! ଆଗାମୀ କ୍ରୋଧରୁ ପଳାଇବାକୁ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ଅନୁତାପର ନିଦର୍ଶନ ସ୍ଵରୂପ ଫଳ ଉତ୍ପନ୍ନ କର। ପୁଣି ମନେ ମନେ ନିଜକୁ କୁହ ନାହିଁ, ‘ଅବ୍ରହାମ ତ ଆମର ପିତୃପୁରୁଷ।’ କାରଣ ମୁଁ ତୁମ୍ଭମାନଙ୍କୁ କହୁଛି ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ବଂଶ ଉତ୍ପନ୍ନ କରିପାରନ୍ତି। ବର୍ତ୍ତମାନ ସୁଦ୍ଧା କୁରାଢ଼ି ଗଛଗୁଡ଼ିକ ମୂଳରେ ଲଗା ହୋଇରହିଛି, ଯେଉଁ ଗଛଗୁଡ଼ିକ ସୁଫଳ ଉତ୍ପନ୍ନ କରୁ ନାହିଁ, ସେହିସବୁ ହଣା ହୋଇ ନିଆଁରେ ପକାଯିବ।”

ଲୋକମାନେ ପଚାରିଲେ। “ତେବେ ଆମକୁ କଣ କରିବାକୁ ହେବ?”

ଯୋହନ ଉତ୍ତର ଦେଲେ, “ଯେଉଁ ଲୋକର ଦୁଇଟି ଜାମା ଅଛି, ସେ କିଛି ନ ଥିବା ଲୋକକୁ ଗୋଟିଏ ଦେଉ ଓ ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ।”

କରଆଦାୟକାରୀମାନେ ମଧ୍ୟ ଡୁବନ ନେବାକୁ ଆସି, ପଚାରିଲେ। “ଗୁରୁ” ଆମକୁ କଅଣ କରିବାକୁ ହେବ?

ଯୋହନ ସେମାନଙ୍କୁ କହିଲେ “ଯେତିକି ଧାର୍ଯ୍ୟ କରାଯାଇଛି,” ତା ଠାରୁ ଅଧିକ ଆଦାୟ କର ନାହିଁ।

ତା ପରେ କେତେକ ସୈନିକ ପଚାରିଲେ, “ଆମକୁ କଣ କରିବାକୁ ହେବ?”

ସେ ଉତ୍ତର ଦେଲେ, “ଜୋରଜୁଲମ କରି ଟଙ୍କା ଆଦାୟ କର ନାହିଁ ଓ ଲୋକମାନଙ୍କୁ ମିଥ୍ୟାରେ ଅଭିଯୁକ୍ତ କର ନାହିଁ ନିଜ ନିଜ ବେତନରେ ସନ୍ତୁଷ୍ଟ ରୁହ।”

ଲୋକେ ଖ୍ରୀଷ୍ଟଙ୍କ ଆଗମନ ବଡ଼ ଆଗ୍ରହରେ ଅପେକ୍ଷା କରୁଥିଲେ ଓ ସମ୍ଭବତଃ ଯୋହନ ଖ୍ରୀଷ୍ଟ ହୋଇଥିବେ ବୋଲି ମନେ ମନେ ଚିନ୍ତା କରୁଥିଲେ। ତେଣୁ ଯୋହନ ସେମାନଙ୍କୁ ଉତ୍ତର ଦେଇ କହିଲେ, “ମୁଁ ଜଳରେ ଡୁବନ ଦେଉଛି। କିନ୍ତୁ ଯେ ମୋ ଠାରୁ ଅଧିକ ଶକ୍ତିମାନ ଏପରି ଜଣେ ଆସୁଛନ୍ତି, ତାହାଙ୍କ ପାଦୁକାର ଫିତା ଫିଟାଇବାକୁ ସୁଦ୍ଧା ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଓ ଅଗ୍ନିରେ ଡୁବନ ଦେବେ। ତାହାଙ୍କ ହାତରେ କୁଲା ଅଛି, ସେ ନିଜର ଖଳା ପରିଷ୍କାର କରି ସେ ଗହମକୁ ସଂଗ୍ରହ କରି ନିଜ ଅମାରରେ ରଖିବେ, ଓ ଅଗାଡ଼ିଯାକ ଚିରପ୍ରଜ୍ୱଳିତ ଅଗ୍ନିରେ ପୋଡ଼ି ପକାଇବେ।” ଯୋହନ ଲୋକମାନଙ୍କୁ ଅନ୍ୟାନ୍ୟ ଅନେକ ଉତ୍ସାହବାଣୀ ଦେଇ ଶୁଭବାର୍ତ୍ତା ପ୍ରଚାର କଲେ।

କିନ୍ତୁ ଯୋହନ ଯେତେବେଳେ ସାମନ୍ତରାଜା ହେରୋଦଙ୍କୁ, ତାଙ୍କ ଭାଇଙ୍କ ଭାର୍ଯ୍ୟା, ହେରୋଦିୟାଙ୍କ ସହିତ ବାସ କରିବା ବିଷୟରେ ଏବଂ ସେ କରିଥିବା ଅନ୍ୟ ସମସ୍ତ ଦୁଷ୍କର୍ମ ବିଷୟରେ ଭତ୍ସନା କଲେ, ହେରୋଦ ଯୋହନଙ୍କୁ କାରାରୁଦ୍ଧ କରି ନିଜର ସବୁ ଦୁଷ୍କର୍ମ ସହିତ ଏହି ଗୋଟିକ ମଧ୍ୟ ଯୋଗ କଲେ।

ଯୀଶୁଙ୍କର ଡୁବନ ଓ ଯୀଶୁଙ୍କର ବଂଶାବଳୀ

ଲୋକସମସ୍ତେ ଡୁବିତ ହେଉଥିବା ବେଳେ, ଯୀଶୁ ମଧ୍ୟ ଡୁବନ ନେଲେ। ସେ ପ୍ରାର୍ଥନା କରୁ କରୁ, ଆକାଶ ଉନ୍ମୁକ୍ତ ହେଲା ପୁଣି ପବିତ୍ରଆତ୍ମା ଦୈହିକଭାବେ କପୋତ ପରି ତାହାଙ୍କ ଉପରେ ଅବତରଣ କଲେ। ପୁଣି ସ୍ଵର୍ଗରୁ ଏହି ବାଣୀ ହେଲା: “ତୁମେ ମୋର, ପ୍ରିୟ ପୁତ୍ର; ତୁମଠାରେ ମୁଁ ପରମପ୍ରୀତ।”

ଯୀଶୁ ସେବାକାର୍ଯ୍ୟ ଆରମ୍ଭ କରିବା ସମୟରେ ତାଙ୍କୁ ପ୍ରାୟ ତିରିଶ ବର୍ଷ ହୋଇଥିଲା। ଯୀଶୁ ଲୋକଙ୍କ ଧାରଣା ଅନୁସାରେ, ଯୋସେଫଙ୍କ, ପୁତ୍ର ଥିଲେ,

ଯୋସେଫ ହେଲୀଙ୍କ ପୁତ୍ର ଥିଲେ, ହେଲୀ ମତ୍ତାତଙ୍କ ପୁତ୍ର,

ମତ୍ତାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର,

ମଲ୍‌ଖୀ ଜାନାଇଙ୍କ ପୁତ୍ର, ଜାନାଇ ଯୋସେଫଙ୍କ ପୁତ୍ର,

ଯୋସେଫ ମତ୍ତଥୀୟଙ୍କ ପୁତ୍ର, ମତ୍ତଥୀୟ ଆମୋଷଙ୍କ ପୁତ୍ର,

ଆମୋଷ ନାହୁମଙ୍କ ପୁତ୍ର, ନାହୁମ ଏସ୍ଲୀଙ୍କ ପୁତ୍ର,

ଏସ୍ଲୀ ନାଗୟଙ୍କ ପୁତ୍ର, ନାଗୟ ମଆଥ୍‌ଙ୍କ ପୁତ୍ର,

ମଆଥ୍ ମତ୍ତଥୀୟଙ୍କ ପୁତ୍ର, ମତ୍ତଥୀୟ ଶିମୟିନଙ୍କ ପୁତ୍ର,

ଶିମୟିନଙ୍କ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,

ଯୋଦା ଯୋଆନାନ୍‌ଙ୍କ ପୁତ୍ର, ଯୋଆନାନ୍ ରେଷାଙ୍କ ପୁତ୍ର,

ରେଷା ଯେରୁବାବେଲଙ୍କ ପୁତ୍ର, ଯେରୁବାବେଲ ଶେଲଟିୟେଲଙ୍କ ପୁତ୍ର,

ଶେଲଟିୟେଲ ନେରୀଙ୍କ ପୁତ୍ର, ନେରୀ ମେଲଖୀଙ୍କ ପୁତ୍ର,

ମେଲଖୀ ଅଦ୍ଦୀଙ୍କ, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲମାଦମଙ୍କ ପୁତ୍ର,

ଏଲମାଦମ ଏରଙ୍କ ପୁତ୍ର,

ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟେଜରଙ୍କ ପୁତ୍ର,

ଏଲୀୟେଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ତାତଙ୍କ ପୁତ୍ର,

ମତ୍ତାତ ଲେବୀଙ୍କ ପୁତ୍ର, ଲେବୀ ଶିମିୟୋନଙ୍କ ପୁତ୍ର,

ଶିମିୟୋନ ଯିହୁଦାଙ୍କ ପୁତ୍ର, ଯିହୁଦା ଯୋସେଫଙ୍କ ପୁତ୍ର,

ଯୋସେଫ ଯୋନାମଙ୍କ ପୁତ୍ର, ଯୋନାମ ଇଲିୟାକୀଙ୍କ ପୁତ୍ର,

ଇଲିୟାକୀମ ମେଲିୟାଙ୍କ ପୁତ୍ର, ମେଲିୟା ମନ୍ନାଙ୍କ ପୁତ୍ର,

ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର,

ନାଥନ ଦାଉଦଙ୍କ ପୁତ୍ର, ଦାଉଦ ଯିଶିଙ୍କ ପୁତ୍ର,

ଯିଶି ଓବେଦଙ୍କ ପୁତ୍ର, ଓବେଦ ବୋୟାଜଙ୍କ ପୁତ୍ର,

ବୋୟାଜ ସଲ୍ମନଙ୍କ ପୁତ୍ର, ସଲ୍ମନ ନହଶୋନଙ୍କ ପୁତ୍ର,

ନହଶୋନ ଅମ୍ମିନାଦାବଙ୍କ ପୁତ୍ର, ଅମ୍ମିନାଦାବ ଅଦ୍ମିନଙ୍କ ପୁତ୍ର,

ଅଦ୍ମିନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହେଜ୍ରୋଣଙ୍କ ପୁତ୍ର, ହେଜ୍ରୋଣ ପେରେଜଙ୍କ ପୁତ୍ର,

ପେରେଜ ଯିହୁଦାଙ୍କ ପୁତ୍ର, ଯିହୁଦା ଯାକୁବଙ୍କ ପୁତ୍ର,

ଯାକୁବ ଇସ୍‌ହାକଙ୍କ ପୁତ୍ର, ଇସ୍‌ହାକ୍ ଅବ୍ରହାମଙ୍କ ପୁତ୍ର,

ଅବ୍ରହାମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର,

ନାହୋର ସେରୁଗଙ୍କ ପୁତ୍ର, ସେରୁଗ ରିୟୁଙ୍କ ପୁତ୍ର,

ରିୟୁ ପେଲେଗଙ୍କ ପୁତ୍ର, ପେଲେଗ ଏବରଙ୍କ ପୁତ୍ର,

ଏବର ଶେଲାହଙ୍କ ପୁତ୍ର, ଶେଲାହ କେନାନଙ୍କ ପୁତ୍ର,

କେନାନ ଅର୍ଫକ୍‌ସଦଙ୍କ ପୁତ୍ର, ଅର୍ଫକସଦ୍ ଶେମଙ୍କ ପୁତ୍ର,

ଶେମ ନୋହଙ୍କ ପୁତ୍ର, ନୋହ ଲାମେକଙ୍କ ପୁତ୍ର,

ଲାମେକ ମେଥୁଶେଲହଙ୍କ ପୁତ୍ର, ମେଥୁଶେଲହ ହନୋକଙ୍କ ପୁତ୍ର,

ହନୋକ ଯାରେଦଙ୍କ ପୁତ୍ର, ଯାରେଦ ମହାଲାଲେଲଙ୍କ ପୁତ୍ର,

ମହାଲାଲେଲ କେନାନଙ୍କ ପୁତ୍ର, କେନାନ ଇନୋଶଙ୍କ ପୁତ୍ର,

ଇନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର,

ଆଦମ ଈଶ୍ୱରଙ୍କ ପୁତ୍ର।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.